Categories
ଆଜିର ଖବର

ଜାତୀୟ ଲୋକ ଅଦାଲତ, ଫଇସଲା ହେଲା ୪୧,୯୧୫ ମାମଲାର

ଭୁବନେଶ୍ୱର: ସଂପ୍ରତି ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶମତେ ଚଳିତ ବର୍ଷ ୨୦୨୩ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଆଜି ତା. ୧୩/୦୫/୨୦୨୩ (ଶନିବାର) ଦିନ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ଟାଙ୍ଗୀଠାରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା ଫୌଜଦାରୀ (ସାଲିସ୍‌ଯୋଗ୍ୟ), ଚେକ୍‌ ବାଉନ୍ସ ମାମଲା, ବ୍ୟାଙ୍କ ଋଣ, ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ବିଦୁ୍ୟତ ଓ ଜଳ, ଟେଲିଫୋନ୍‌, ଇତ୍ୟାଦି ମାମଲା ଓ ପ୍ରାକ୍‌ ମୋକଦ୍ଦମା ଯଥା: ବ୍ୟାଙ୍କ ଋଣ ଅନାଦେୟ, ଦୂରସଂଚାର ଅନାଦେୟ ବିଲ୍‌, ରାଜସ୍ୱ ପାରିବାରିକ ଓ ବିଭିନ୍ନ ଜନ ଉପଯୋଗୀ ମାମଲାମାନ ଅଦାଲତଙ୍କ ପକ୍ଷରୁ ସର୍ବମୋଟ ୬୮,୧୨୪ ଗୋଟି ଆଗତ କରାଯାଇ ସେଥି ମଧ୍ୟରୁ ଆପୋଷ ଆଲୋଚନା ଓ ସହମତି ଭିତ୍ତିରେ ରେକର୍ଡ ସଂଖ୍ୟକ ୪୧,୯୧୫ ଗୋଟି ମାମଲା ଫଇସଲା କରାଯାଇ ୧୪,୪୨,୦୩,୩୧୧ ଟଙ୍କା ସେଟେଲମେଣ୍ଟ କରାଯାଇଥିଲା। ଉକ୍ତ ଲୋକ ଅଦାଲତରେ ସଚିବ, ସୌଦାମିନୀ ସିଂଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଦାଲତରେ ମାମଲା ଫଇସଲା କରିଥିଲେ।

ଶେଷରେ ଜିଲ୍ଲା ଜଜ୍‌ ନିଶିଥ ନିଶାଙ୍କ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଏବଂ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ପରବର୍ତ୍ତୀ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୦୯/୦୯/୨୦୨୩ରେ ପୁନଶ୍ଚ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ। ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ।

Categories
ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୯,୧୯୬ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ,କଟକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ପକ୍ଷରୁ ଗତକାଲି ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ବିଚାର ବିଭାଗୀୟ ଅଦାଲତ ପରିସରରେ ସର୍ବମୋଟ ୮୩ ,୧୭୨ ଟି ଜମିଜମା, ଫୌଜଦାରୀ, ରାଜସ୍ୱ ମାମଲା ଆଗତ କରାଯାଇ ରେକର୍ଡ ସଂଖ୍ୟକ ୫୯,୧୯୬ଟି ମାମଲାର ପଇସଲା କରାଯାଇ ସର୍ବମୋଟ ୬୯,୪୬,୩୭,୫୬୮ ଟଙ୍କା ଜୋରିମାନା ଏବଂ ବନ୍ଦୋବସ୍ତ(ସେଟେଲମେଣ୍ଟ) କରାଯାଇଥିଲା ।

ଏହି ଲୋକ ଅଦାଲତ ଭାରପ୍ରାପ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ,ଭୁବନେଶ୍ୱର ସସ୍ମିତା ପରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇବିଭିନ୍ନ ବିଚାର ବିଭାଗୀୟ ଅଦାଲତମାନେ ବହୁ ସଂଖ୍ୟକ ମାମଲାର ଫଇସଲା କରାଇବାରେ ସଫଳ ହୋଇଥିଲେ । ଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନି ସିଂ ଏହି ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ ଅଧିକାରୀ, ଆଇନଜୀବୀ, ବ୍ୟାଙ୍କ, ଟେଲିକମ୍,ବିଚାର ବିଭାଗୀୟ ଅଦାଲତ କର୍ମଚାରୀ, ପୁଲିସ୍, କୋର୍ଟ ମ୍ୟାନେଜର, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ପରବର୍ତ୍ତୀ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମଇ ମାସ ୧୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରି ଜନସାଧାରଣ ଏହାର ସୁଫଳ ନେବାକୁ ପରାମର୍ଶ ଦେଇଥିଲେ ।