Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

ସମ୍ବଲପୁର: ଏକବିଂଶ ଶତାବ୍ଦୀର ଆଧୁନିକ ଦୁନିଆକୁ ଧ୍ୟାନରେ ରଖି ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି। ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାକୁ ପ୍ରାଧାନ୍ୟ ସହ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବା ଏବଂ ସବୁ ବିଷୟକୁ ଯୋଡି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଅଙ୍ଗ ହୋଇଛି ବୋଲି ଶନିବାର ସମ୍ବଲପୁର ସ୍ଥିତ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନରେ ଭାରତ ସମେତ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଆଜି ଆମ ସମସ୍ତଙ୍କ ସାମ୍ନାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ନୂଆ ଦୁନିଆ ଛିଡା ହୋଇଛି। ପରିବେଶ ସୁରକ୍ଷା ଭଳି ଗୁରୁ ଦାୟିତ୍ୱ ଆଜିର ଯୁବପିଢିଙ୍କ ହାତରେ ନ୍ୟସ୍ତ ରହିଛି। ତେଣୁ ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ନୂଆ ପିଢି ପାଇଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି। ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ କ୍ରିଟିକାଲ ଥିଙ୍କିଂ ବଢାଇବା ସହ ସେମାନଙ୍କୁ ତର୍କ ଓ ଗବେଷଣା କରିବାର କ୍ଷମତା ବୃଦ୍ଧି କରାଇବା ପାଇଁ ମାତୃଭାଷାରେ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ମାତୃଭାଷା ଶିକ୍ଷାଦାନକୁ ଅଭ୍ୟାସରେ ପରିଣତ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସୁଥିବା ପାର୍ଥକ୍ୟ ଉପରେ ଗବେଷଣା କରିବା ଦରକାର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଶିକ୍ଷା ନୀତିରେ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତି ଦେବା ପାଇଁ ଆଗାମୀ ଶିକ୍ଷା ବର୍ଷରୁ ବର୍ଷକୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇ ଥର କରାଯିବ। ଏହି ଦୁଇଟି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ପରୀକ୍ଷାରେ ଭଲ ନମ୍ବର ଆଣିଥିବେ, ସେହି ଅନୁସାରେ ସେମାନଙ୍କୁ ମାର୍କିଂ କରାଯିବ। ଏହାବ୍ୟତିତ ପିଲାଙ୍କ ପାଇଁ ନୂତନ ପାଠ୍ୟ ପୁସ୍ତକ ବିକଶିତ କରାଯିବା ଉପରେ ମଧ୍ୟ ପ୍ରାଥମିକତା ଦିଆଯାଉଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦକ୍ଷତାକୁ ପାଠ୍ୟକ୍ରମ ଖସଡାରେ ଅନ୍ତର୍ଭୃକ୍ତ କରାଯିବା ସହ ଆଗାମୀ ଦିନରେ ସେମାନଙ୍କୁ ସେହି ସ୍କିଲର ଅଭ୍ୟାସ କରାଯିବ।

ପ୍ରଧାନମନ୍ତ୍ରୀ ଯେତେବେଳେ ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି ଆଜିର ପିଲାଙ୍କୁ ରୋଜଗାର କରିବା ନୁହେଁ ବରଂ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ଭଳି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ଏବଂ ଉଦ୍ୟମିତା ମନୋବୃତ୍ତି କରାଇବା ପାଇଁ ପଡିବ। ରାମ ରାଜ୍ୟ ତଥା ଦେଶରେ ସୁଶାସନ ପ୍ରତିଷ୍ଠା କରିବା ପାଇଁ ପଡିବ। ଆଜି ଜନ୍ମ ହେଉଥିବା ପିଲାଙ୍କର ଉତ୍ତମ ସ୍ୱାସ୍ଥ୍ୟ ରଖିବା ପାଇଁ ଯତ୍ନ ନେବାକୁ ପଡିବ।  ମର୍ଯ୍ୟାଦାପୁରୁଷ ଶ୍ରୀରାମ ଲଙ୍କା ବିଜୟ କରିବା ପାଇଁ ଯେଉଁଭଳି ଭାବେ ରାମସେତୁ ନିର୍ମାଣ କରିଥିଲେ ଏବଂ ଏହାକୁ ନିର୍ମାଣ କରିବାରେ ଗୁଣ୍ଡୁଚିମୂଷା ନିଜର ବାଲି ଝାଡିଥିଲା ସେହଭଳି ଭାବେ ଆମେ ‘ବିକଶିତ ଭାରତ’ ପାଇଁ ପରିଶ୍ରମ କରିବା ସହ ନିଜ ନିଜର ସାମର୍ଥ୍ୟ ଅନୁସାରେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମାଜ ସହ ତୃଣମୂଳ ସ୍ତରରେ ଯୋଡି ହୋଇ ପୂର୍ବଜ ମାନଙ୍କ ସଂଗ୍ରାମକୁ ମନେପକାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଦୁନିଆର ସବୁଠୁ ପୁରୁଣା ଗ୍ରନ୍ଥ ବେଦର ମାହାତ୍ମ୍ୟ ଉପରେ ପିଲାଙ୍କୁ ଅଧ୍ୟୟନ କରାଇବା ପାଇଁ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲକୁ ପରାମର୍ଶ ଦେବା ସହ ସମାଜର ଏକ କ୍ୟାଟାଲିଷ୍ଟ ହେବାକୁ ଆହ୍ୱାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର। ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି। ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି। କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ। ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା। ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ। ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ – ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ।

ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ କୁଳାଧିପତିଙ୍କ ପରାମର୍ଶ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର। ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ।

ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧିପତି କହିଛନ୍ତି ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି। ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏ ଦିଗରେ ପ୍ରୟାସ କରିବାକୁ କୁଳାଧିପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି।

କୁଳାଧିପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ସ୍ତରରେ ରିସର୍ଚ ଆଣ୍ଡ ଡେଭଲପ୍‌ମେଂଟ ସେଲ୍ ପ୍ରତିଷ୍ଠା ହେବା ଦରକାର ଏବଂ ବହୁ ସଂଖ୍ୟାରେ ପେଟେଂଟ୍ ହାସଲ ପାଇଁ ଉଦ୍ୟମ କରିବାକୁ କୁଳାଧିପତି କହିଛନ୍ତି। ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟା, ଇ-ଅଫିସ୍‌, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ଓ ନିୟମିତ ଅଡିଟ୍ ଉପରେ କୁଳାଧିପତି ଗୁରୁତ୍ୱ ଦେଇଛନ୍ତି।

ଓଡ଼ିଶାରେ ୬୨ ଜନଜାତି ସଂପ୍ରଦାୟ ରହୁଛନ୍ତି, ଯେଉଁମାନେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ। ସେମାନଙ୍କ ଭାଷା, ସଂସ୍କୃତି, ଗୀତସଂଗୀତ, ଜୀବନଶୈଳୀ ଓ ଆଚାର ବ୍ୟବହାର ସଂପର୍କରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ମ୍ୟୁଜିଅମ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଦରକାର ବୋଲି କୁଳାଧିପତି ପରାମର୍ଶ ଦେଇଛନ୍ତି।

ଭାରତ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ କରୁଛନ୍ତି। ଏସବୁର ଉପଯୋଗ କରି ଭଲ ଗ୍ରେଡ୍ ହାସଲ କରିବାକୁ ତଥା ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ କୁଳାଧିପତି କହିଛନ୍ତି।

ଠିକଣା ସମୟରେ ପରୀକ୍ଷା କରିବା ସହ ଠିକ୍ ସମୟରେ ଫଳ ପ୍ରକାଶନ ଓ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ପ୍ରମୁଖ ନିଜ ବିଭାଗ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ବକ୍ତବ୍ୟ ରଖିଥିଲେ।

କୁଳପତିମାନେ ବିଶ୍ୱବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ୱୟନ ବିଷୟରେ ତଥ୍ୟ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ସହ ସମନ୍ୱୟ ରଖି ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ କୁଳାଧିପତି ପରାମର୍ଶ ଦେଇଥିଲେ। ସମ୍ମିଳନୀରେ କୁଳପତିଙ୍କ ସହ କୁଳ ସଚିବ ଓ ବିତ୍ତ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ  

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭକୁ ଉପଯୋଗ କରି ମିଳିତ ଆକାଂକ୍ଷା ଉପରେ କାର୍ଯ୍ୟ କରିବା ସହ କମନ୍ ଷ୍ଟ୍ରାଟେଜି ବା ସାଧାରଣ ରଣନୀତି ପ୍ରସ୍ତୁତ କରିବା ଜରୁରୀ ବୋଲି ଆଜି ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ’ କଥାବସ୍ତୁ ଅଧୀନରେ ଚାଲିଥିବା ଏହି ଶିଖର ସମ୍ମିଳନୀରେ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ‘ମାନବ ସମ୍ବଳକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା’ ଶୀର୍ଷକ ଉପରେ ଶିକ୍ଷା ମନ୍ତ୍ରୀମାନେ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ତଙ୍କୁ ନିଜର ଆକାଂକ୍ଷା ଉପରେ ଆଲୋଚନା କରି ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭ ଆଧାରରେ ରଣନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଭାରତର ଅନୁଭବ ଏକ ଉଦାହରଣ ଭାବରେ ସମସ୍ତଙ୍କୁ ସହାୟକ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରୁଛି । ଏହା ଆମ ଶିକ୍ଷା ପରିସଂସ୍ଥାନରେ ବ୍ୟାପକ ସଂସ୍କାର ଆଣିଛି । ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଓ ଉତ୍ତରଦାୟିତ୍ୱ ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତି ଭାରତର ମୂଳ ଚରିତ୍ର ସହ ଯୋଡିହେବା ସହ ୨୦୩୦ ସ୍ଥାୟୀ ବିକାଶର ଏଜେଣ୍ଡା ସହ ସମ୍ମିଳିତ ରହିବ । ଏହା ଆମର ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବ । ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ ଦସ୍ତାବିଜ । ଏହି ଶିକ୍ଷା ନୀତି ଉଭା ହେଉଥିବା ଅର୍ଥନୀତି ଗୁଡିକ ଉପରେ ବିସ୍ତୁତ ରଣନୀତି ସହ ମାନବ ସମ୍ବଳ ବିକାଶ ପାଇଁ ନୀତି ପ୍ରସ୍ତୁତ କରିବାର ଏକ ଦସ୍ତାବିଜ୍ ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଗ୍ଲୋବାଲ ସାଉଥର ଉଦ୍ଦେଶ୍ୟକୁ ସମର୍ଥନ କରିଛି ଏବଂ ଏକ ପରିବାର’ ଭାବରେ ମିଳିତ ସମୃଦ୍ଧି ଏବଂ ଅଭିବୃଦ୍ଧି ପାଇଁ  ସହଯୋଗ ଦେଇଛି । ଆମ ଡେମୋଗ୍ରାଫିକ ଡିଭିଡେଣ୍ଡ ଆମର ଶକ୍ତି । ଭାରତର ଯୁବବର୍ଗଙ୍କ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ସ୍କୁଲ ଓ ଦକ୍ଷତା ବିକାଶକୁ ଏକତ୍ରୀକରଣ କରିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଡିଜିଟାଲ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବାରେ ଭାରତର ପଦକ୍ଷେପକୁ ବିଶ୍ୱ ଅନୁସରଣ କରୁଛି । ଭାରତର ଡିଜିଟାଲ ପେମେଣ୍ଟ ଫ୍ରେମଓ୍ୱାର୍କ ତଥା ୟୁପିଆଇ ମାସିକ ହଜାର କୋଟିରୁ ଉର୍ଦ୍ଧ୍ୱ ହୋଇସାରିଲାଣି ।

ଜାତୀୟ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର ଗଠନ କରିବାକୁ ପ୍ରାଧାନ୍ୟ ଦେଉଛି ।  ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି, ଯାହା ଶ୍ରମଶକ୍ତିଙ୍କୁ ଶିଳ୍ପସଂସ୍ଥା ତଥା ରୋଜଗାରଦାତାଙ୍କ ସହ ସିଧା ଯୋଡୁଅଛି । ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଉଛି । ଶିକ୍ଷା ତଥା ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ମହିଳା ତଥା ଝିଅଙ୍କ ନେତୃତ୍ୱ ବୃଦ୍ଧି, ସ୍କୁଲରେ ନାମଲେଖା ସହ ସେମାନଙ୍କୁ  ଅଧିକରୁ ଅଧିକ ଯୋଡିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।

ଶିକ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ । ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି । ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ  ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆଇଆଇଟି ଦିଲ୍ଲୀ, ୟୁଏଇ ଏବଂ ଆଇଆଇଟି ମାଡ୍ରାସ ତାଞ୍ଜାନିଆରେ ନିଜ କ୍ୟାମ୍ପସ ଆରମ୍ଭ କରିଛନ୍ତି । ଆମ ବିଶ୍ୱବିଦ୍ୟାଳୟ ଗୁଡିକ ଜଏଣ୍ଟ, ଡୁଆଲ ଡିଗ୍ରୀ ଓ ଟ୍ୱିନିଂ ପ୍ରୋଗ୍ରାମ ମାଧ୍ୟମରେ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ସହ ସହଭାଗୀ ହେଉଛନ୍ତି । ଭାରତରେ ଏବେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା କରାଯାଇଛି । ଭାରତ ନବସୃଜନ ଏବଂ ମାନବ ସମ୍ବଳ ବିକାଶରେ ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ମାନବ ସମ୍ବଳକୁ ଭବିଷ୍ୟତ ପ୍ରସ୍ତୁତ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ ସହିତ ଏକାଠି’ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗ୍ଲୋବାଲ ସାଉଥର  ୧୪ଟି ଦେଶର ମନ୍ତ୍ରୀ, ବ୍ୟକ୍ତିବିଶେଷମାନେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ବୋତ୍ସୱାନା, ବ୍ରୁନେଇ ଦାରୁସଲାମ, ଜର୍ଜିଆ, ତୁନିସିଆ, ଇରାନ, ଲାଓ ପିଡିଆର, ମାଲାଓ୍ୱି, ମିଆଁମାର, ରିପବ୍ଲିକ ଅଫ୍ ପଲାଉ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ସାଓ ଟମେ ଏବଂ ପ୍ରିନ୍ସିପ୍, ଆଲବେନିଆ, ମାଲେସିଆ, ଜିମ୍ବାୱେ, କ୍ୟାମେରୁନ୍ ଆଦି ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ମା’ ଗଙ୍ଗା କୂଳରେ କାଶୀର ଶିକ୍ଷା ସମାଗମରୁ ଆରମ୍ଭ ହୋଇ ମା’ ନର୍ମଦାଙ୍କ ପାଦଦେଶରେ ଆୟୋଜିତ ଆଜିର ଜୋନ୍ ସମ୍ମିଳନୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ପାରସ୍ପରିକ ଆଭିମୁଖ୍ୟ, ରୋଡମ୍ୟାପ୍ ଏବଂ ରଣନୀତି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ  ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଗୁଜୁରାଟର କେଭାଡିଆ ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।  ଗୁଣାତ୍ମକ ଶିକ୍ଷା, ଶିକ୍ଷାରେ ଦକ୍ଷତା ଇକୋସିଷ୍ଟମ, ଶିକ୍ଷାରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତା, ଭାରତ ଜ୍ଞାନ ପରମ୍ପରା ଓ ଶିକ୍ଷାର ଆନ୍ତର୍ଜାତିକରଣ ଭଳି ବିଭିନ୍ନ ପ୍ରାଥମିକତା କ୍ଷେତ୍ର ଉପରେ ଏହି ଜୋନାଲ୍ ସମ୍ମିଳନୀ ବିଚାରବିମର୍ଶ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଭାରତୀୟ ଭାଷା, ଭାରତୀୟ ଜ୍ଞାନ ପରମ୍ପରା, ଦକ୍ଷତା ଏବଂ ରୋଜଗାର ଓ ଉଦ୍ୟମିତା ଶିକ୍ଷା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା କ୍ଷେତ୍ର ଅଟେ। ଆମ ବିଶ୍ୱବିଦ୍ୟାଳୟ ହେଉଛି ଆମ ସମାଜର ମନ୍ଦିର। ପଶ୍ଚିମାଞ୍ଚଳର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଆମ ଦେଶର କଲ୍ୟାଣ ପାଇଁ ନୂତନ ମଡେଲ୍ ଏବଂ ଆଭିମୁଖ୍ୟ ଆଣିବେ।

ଏହି ଜୋନାଲ ସମ୍ମିଳନୀ ପ୍ରଭାବଶାଳୀ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ମାଧ୍ୟମରେ ଏକ ନୂତନ ସଂସ୍କୃତି ଏବଂ ବହୁମୁଖୀ ଶିକ୍ଷା, ମଲଟିପଲ୍ ଏଣ୍ଟ୍ରି- ମଲଟିପୁଲ ଏକ୍ସିଟ୍ ସହ ସମସ୍ତଙ୍କ ପାଇଁ ସମାନ ସୁଯୋଗର ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରଥମ ଜୋନାଲ ସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିବାରୁ ଗୁଜୁରାଟ ସରକାରଙ୍କ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କେଭାଡିଆର ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିଥିଲେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଗୌରବ, ଏକତା, ଶାନ୍ତି ଓ କୃତଜ୍ଞତାର ପ୍ରତୀକ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭବ୍ୟ ସ୍ମାରକୀ ନିର୍ମାଣ କରି ପ୍ରଧାନମନ୍ତ୍ରୀ ଏହି ମହାପୁରୁଷଙ୍କୁ ରାଷ୍ଟ୍ର ତରଫରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୌଭାଗ୍ୟବଶତଃ ସେ ଆସୁଥିବା ଗଡଜାତ ଅଞ୍ଚଳ ଢେଙ୍କାନାଳ ମଧ୍ୟ ପଟେଲଙ୍କ ଦୂରଦୃଷ୍ଟି କାରଣରୁ ଭାରତରେ ମିଶିପାରିଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଉଲ୍ଲେଖନୀୟ, ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦର ପଟେଲ, ଗୁଜୁରାଟର ଶିକ୍ଷା ମନ୍ତ୍ରୀ ରୁଷିକେଶ ପଟେଲ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ଜ୍ଞାନର କେନ୍ଦ୍ର ବନାଇବାରେ ଏନଇପିର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ‘ୱାନ୍ସ ଏଗେନ୍‌, ଏ ନଲେଜ୍ ହବ୍‌’ ଆଲେଖ୍ୟକୁ ସେୟାର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତକୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରିଣତ କରିବା ପାଇଁ କିପରି ଏହି ନୀତି ପ୍ରସ୍ତୁତ କରାଯାଇଛି’।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଆଇଟିପିଓ ଠାରେ ଦ୍ୱିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ। ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା ଲାଗି ଆଲୋଚନା, ବିଚାର ବିମର୍ଶ କରିବା ଏବଂ ଦୃଷ୍ଟିକୋଣ, ରଣନୀତି, ସଫଳତା କାହାଣୀ ତଥା ଶ୍ରେଷ୍ଠ ପଦ୍ଧତିକୁ ବାଣ୍ଟିବା ଲାଗି ଏହି ସମାଗମ କାର୍ଯ୍ୟକ୍ରମ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ, କୌଶଳ ବିକାଶ ସଂସ୍ଥାର ବିଶେଷଜ୍ଞମାନଙ୍କୁ ଏକ ମଞ୍ଚ ଯୋଗାଇ ଦେବ।

ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ‘‘ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷପୂର୍ତ୍ତି : ଓଡ଼ିଶାରେ ଗ୍ରହଣ କରାଯାଇଥିବା ପଦକ୍ଷେପ’’ ବିଷୟବସ୍ତକୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ସାମ୍ବାଦିକ ସମ୍ମିଳନୀରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ଜୀବନ୍ତ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱ ଗୁରୁ ଭାବେ ରୂପାନ୍ତରିତ କରିବ। ସେ କହିଥିଲେ ଯେ ଏନଇପି, ଛାତ୍ରଛାତ୍ରୀଙ୍କ ଅଭିନବ କ୍ଷମତାକୁ ଉଜାଗତ କରି ଗୁରୁତ୍ୱପୂର୍ଣ୍ଣ ବିଚାର, ବୈଜ୍ଞାନିକ ମନୋଭାବ, ବାସ୍ତବ ଅଧ୍ୟୟନକୁ ପ୍ରୋତ୍ସାହିତ କରିଥାଏ। ଏନଇପିର ପରିକଳ୍ପନା ଅନୁଯାୟୀ, ଆଇଆଇଟି ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ବହୁବିଷୟକ ଶିକ୍ଷାକୁ ପ୍ରୋତ୍ସାହନ ଦେଇଥାଏ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଥିଲେ ଯେ, କୋରାପୁଟ ସ୍ଥିତ  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭାଷା ପାଠାଗାର ପ୍ରତିଷ୍ଠା କରାଯାଇଛି। ଭାଷାକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଭାରତୀୟ ଜ୍ଞାନ ବ୍ୟବସ୍ଥା, ଭାଷା, ସଂସ୍କୃତି, ଦେଶାତ୍ମବୋଧ ଓ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରାଯାଉଛି। ଓଡ଼ିଆ ସାହିତ୍ୟ ଗ୍ରନ୍ଥକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ କରିବା କାର୍ଯ୍ୟ ଜାରି ରହିଛି। ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ନିଷ୍ପତ୍ତି ନେଇଛି। କୋରାପୁଟ ଜିଲ୍ଲାରେ କଥିତ କୁଇ ଓ ଦେଶିଆ ଭାଷାରେ ବହି ପ୍ରକାଶ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଥିବା ପ୍ରଫେସର ତ୍ରିପାଠୀ କହିଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପ ଆୟୁକ୍ତ ଡକ୍ଟର ଶିହରଣ ବୋଷ ଭୁବନେଶ୍ୱର କେନ୍ଦ୍ର ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତିର ପ୍ରଭାବୀ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଏନଇପି ଅଧୀନରେ ମୌଳିକ ଅଧ୍ୟୟନ ସମ୍ପର୍କରେ ସୂଚନା ଦେଇ ଡକ୍ଟର ବୋଷ କହିଥିଲେ, ୨୦୨୨-୨୩ ଠାରୁ ଓଡ଼ିଶାର ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବାଟିକା ଆରମ୍ଭ କରାଯାଇଛି। ଚଳିତ ଶିକ୍ଷା ଅଧିବେଶନ ଠାରୁ ରାଜ୍ୟର ୧୯ଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ଶିକ୍ଷାଦାନ ଆରମ୍ଭ କରାଯିବ। ୨୦ ଅକ୍ଟୋବର, ୨୦୨୨ରେ ଆରମ୍ଭ କରାଯାଇଥିବା ମୌଳିକ ସ୍ତର ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ ଏଫଏସ) ଭାରତରେ ୩-୮ ବର୍ଷ ବୟସର ପିଲାଙ୍କ ପାଇଁ ପ୍ରଥମ ଏକୀକୃତ ପାଠ୍ୟକ୍ରମ ଢାଞ୍ଚା ଏବଂ ୫+୩+୩+୪ ‘ପାଠ୍ୟକ୍ରମ ଓ ଶୈକ୍ଷଣିକ’ ଭିତ୍ତିଭୂମିର ପ୍ରତ୍ୟକ୍ଷ ପରିଣାମ ଯାହାକୁ ଏନଇପି ୨୦୨୦ ବିଦ୍ୟାଳୟ ଶିକ୍ଷା ପାଇଁ ନେଇ ଆସିଛି। ଏହାପରେ ୨୦ ଫେବୃଆରୀ ୨୦୨୩ ଏନସିଏଫ ଏଫଏସ ଉପରେ ଆଧାରିତ ଜାଦୁଇ ପିଟାରା : ଅଧ୍ୟୟନ ଶିକ୍ଷା ସାମଗ୍ରୀଆରମ୍ଭ କରାଯାଇଥିଲା। ଏହା ଏକ ଖେଳ ଆଧାରିତ ଶିକ୍ଷା ସାମଗ୍ରୀ ଯାହାକୁ ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଡିଜାଇନ କରାଯାଇଛି ବୋଲି ସେ କହିଥିଲେ।

ବିଦ୍ୟା ପ୍ରବେଶ ଉପରେ ଆଲୋକପାତ କରି ଡକ୍ଟର ବୋଷ କହିଥିଲେ ଯେ, ଏନସିଇଆରଟି ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ‘ବିଦ୍ୟା ପ୍ରବେଶ’ ନାମକ ଏକ ବିଦ୍ୟାଳୟ ପ୍ରସ୍ତୁତି ପାଠ୍ୟବିଷୟ ବା ମଡ୍ୟୁଲ ପ୍ରସ୍ତୁତ କରିଛି। ଏହା ପିଲାଙ୍କ ପ୍ରାକ-ସାକ୍ଷରତା, ପ୍ରାକ-ସଂଖ୍ୟା ଜ୍ଞାନ, ସଂଜ୍ଞାନାତ୍ମକ ଓ ସାମାଜିକ କୌଶଳକୁ ସୁଦୃଢ଼ କରିବ। ବର୍ତ୍ତମାନ ସୁଦ୍ଧା ୨୦୨୨-୨୩ ଶିକ୍ଷା ବର୍ଷ ଠାରୁ ୩୩ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିଦ୍ୟା ପ୍ରବେଶକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ୮ ଲକ୍ଷ ୭୭ ହଜାର ୭୯୩ଟି ବିଦ୍ୟାଳୟର ପାଖାପାଖି ୧ କୋଟି ୮୦ ଲକ୍ଷ, ୧୩ ହଜାର ୯୩୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।

ନାଇଜର ଭୁବନେଶ୍ୱରର ଡିନ୍‌ ପ୍ରଫେସର ପ୍ରଣୟ ସ୍ୱାଇଁ ଜାତୀୟ ଶିକ୍ଷା ନୀତିର ପ୍ରମୁଖ ବିଷୟ ଉପରେ ଆଲୋକପାତ କରିବା ସହିତ ଶିକ୍ଷା କ୍ରେଡିଟ୍‌ ହସ୍ତାନ୍ତର, ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ବିକଳ୍ପ ବିଷୟରେ ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଦକ୍ଷତା ବିକାଶ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିକେ ସିଂଘା ଜାତୀୟ ଶିକ୍ଷା ନୀତିରେ ଧନ୍ଦାମୂଳକ ଶିକ୍ଷା ଏବଂ କୌଶଳ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିବା କହିଥିଲେ। ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ, ସିବିଏସଇର କ୍ଷେତ୍ରର ଅଧିକାରୀ କେ. ଶ୍ରୀନିବାସନ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ଭାରତ ଓ ସିଙ୍ଗାପୁର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ କରିବା ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି। ଏହି ଦୁଇ ରାଷ୍ଟ୍ର ଆଗାମୀ ଦିନରେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ। ମଙ୍ଗଳବାର ଭୁବନେଶ୍ୱର ଠାରେ ଜି-୨୦ ଭାରତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ଭାରତ- ସିଙ୍ଗାପୁର ମଧ୍ୟରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫ୍ୟୁଚର ଅଫ୍ ଓ୍ୱାର୍କ୍ : ଭାରତ ଓ ସିଙ୍ଗାପୁରର ସ୍କିଲ ଆର୍କିଟେକଚର ଓ ଗଭର୍ଣ୍ଣାସ ମଡେଲ’ କଥାବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁରର ରଣନୈତିକ ଭାଗିଦାରୀରେ ଦକ୍ଷତା ବିକାଶ ଏବଂ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁଇ ଦେଶ ମିଳିତ ଭାବରେ କାମ କଲେ ଉଭୟ ରାଷ୍ଟ୍ର ପାଇଁ ଅନେକ ସୁଯୋଗ ରହିଛି। ବିଶେଷ ଭାବରେ ଭବିଷ୍ୟତର ଶ୍ରମବଳ ପ୍ରସ୍ତୁତ କରିବା ଦିଗରେ ଏହି ରାଷ୍ଟ୍ର ଦ୍ୱୟ କାମ କଲେ ଉଭୟ ଦେଶର ଲକ୍ଷ୍ୟ ସଫଳ ହେବ। ଏହି ଯୁଗ୍ମ କର୍ମଶାଳା ସିଙ୍ଗାପୁରର ପାରଦର୍ଶୀତା ଏବଂ ଜ୍ଞାନକୁ ଉପଯୋଗ କରିବା ଉପରେ ଧ୍ୟାନ ଦେବ। ସ୍କିଲ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ସହ କୌଶଳ ପରିସଂସ୍ଥାନକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଭବିଷ୍ୟତର କାର୍ଯ୍ୟଶୈଳି ଉପରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ତିନି ପ୍ରସଙ୍ଗ ଯଥା ଦକ୍ଷତା ପାଇଁ ନୂଆ ପାଠ୍ୟକ୍ରମର ବିକାଶ, ଧନ୍ଦାମୂଳକ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦକ୍ଷତା ପରିସଂସ୍ଥାନ ପାଇଁ ଫ୍ରେମଓ୍ୱାର୍କ ଏବଂ ଜୀବନବ୍ୟାପୀ ସ୍କିଲିଂ ପାଇଁ ଆପ୍ରେଣ୍ଟିସ୍-ସିପ୍ ଏବଂ ଫ୍ରେମଓ୍ୱାର୍କ ପାଇଁ ଆଲୋଚନା କରାଯାଇଛି। ଭବିଷ୍ୟତର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ସ୍କିଲ ମ୍ୟାପିଂ ଉପରେ ଗୁରୁତ୍ୱ ଦିଆଯାଇଛି।

ସିଙ୍ଗାପୁର ସରକାରଙ୍କ ଶିକ୍ଷା ତଥା ଦକ୍ଷତା ବିଭାଗର ଅଧିକାରୀ, ବୈଦେଶିକ ବିଭାଗର ଅଧିକାରୀ ମାନଙ୍କ ସହ ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ସ୍କୁଲ ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ସ୍କୁଲ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଭିଟି), ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ (ଡିଜିଟି), ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ), ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ମିଳିତ ଭାବେ ସିଙ୍ଗାପୁର ମଡେଲକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିପରି ଉପଯୋଗ କରାଯାଇପାରିବ ସେ ନେଇ ଉଭୟ ଦେଶ ଚର୍ଚ୍ଚା ଆଲୋଚନା କରିଛନ୍ତି। ଏ ନେଇ ସିଙ୍ଗାପୁରର ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି।

ଭାରତର ଅନେକ ରାଜ୍ୟ ସିଙ୍ଗାପୁର ସହ ଅନୁବନ୍ଧିତ ହୋଇଛନ୍ତି। ତେଣୁ ଭାରତ ଏବଂ ସିଙ୍ଗାପୁର ମିଶି କେବଳ ନିଜର ଆବଶ୍ୟକତା ପୂରଣ କରିବେ ନାହିଁ ବରଂ ସ୍କୁଲ ପାଠ୍ୟକ୍ରମରେ ସିଙ୍ଗାପୁର ଆଣିଥିବା ସ୍କିଲିଂ ବିଷୟକୁ ମଧ୍ୟ ଗ୍ରହଣ କରାଯିବ। ଏଆଇସିଟିଇ ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ଏବଂ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ କିପରି ଦକ୍ଷତା ପରିସଂସ୍ଥାନରେ ଅଧିକ ଯୋଡ଼ି ହେବେ ତାହାର ଯୋଜନା କରାଯିବ। ଏହାସହ ବର୍ତ୍ତମାନର ୱାର୍କଫୋର୍ସକୁ ନିରନ୍ତର ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି। ଭାରତ ଓ ସିଙ୍ଗାପୁର ଉଭୟ ବିଶ୍ୱ ସମୁଦାୟର କଲ୍ୟାଣକୁ ନିଶ୍ଚିତ କରିପାରିବେ। ଏହି ଯୁଗ୍ମ କର୍ମଶାଳା ସ୍କିଲିଂ ପାଇଁ ନୂଆ ମଡେଲ ତିଆରି କରିବ, ଯେଉଁ ମଡେଲ ବିଶ୍ୱର ଆକାଂକ୍ଷାକୁ ପୂରଣ କରିବା ସହ ଯୁବବର୍ଗଙ୍କୁ ପ୍ରେରିତ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଓ ଦକ୍ଷତାକୁ ସମାନ ଗୁରୁତ୍ୱ ଦିଆଯାଇଛି। ଏହା ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ମାଧ୍ୟମରେ ଶିକ୍ଷା ଏବଂ ସ୍କିଲିଂ, ହରାଇଜେଣ୍ଟାଲ ଏବଂ ଭର୍ଟିକାଲ ମୋବିଲିଟିକୁ ଏକୀକରଣ କରିବା ସହ ଭାରତର ଦକ୍ଷତା ପରିସଂସ୍ଥାନର ପୁନଃବାଖ୍ୟା କରୁଛି। ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ସ୍କିଲିଂକୁ ଧନ୍ଦାମୂଳକ ଶିକ୍ଷାରେ ଔପଚାରିକ ରୂପ ଦେବା ନେଇ ଏକ ମିଳିତ ପ୍ରୟାସର ଆବଶ୍ୟକତା ଅଛି। ସେଥିପାଇଁ ଏହି ୱାର୍କସପର ଆୟୋଜନ କରାଯାଇଛି।

ବିଗତ ଶତାବ୍ଦୀରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି କ୍ଷେତ୍ରରେ ସିଙ୍ଗାପୁର ବିଶ୍ୱର ଗୋଟିଏ ମଡେଲ ହୋଇଛି। ବିଶେଷ ଭାବରେ ସିଙ୍ଗାପୁର ନିଜର ଦକ୍ଷତା ବଢାଇବା ତଥା  ଶିକ୍ଷା ସହ ଦକ୍ଷତା କ୍ଷେତ୍ରରେ ବିକାଶ କରିଥିବା କାରଣରୁ ଅର୍ଥନୀତିରେ ନିଜର ସ୍ଥାନ ନିରୂପଣ କରିସାରିଛି। ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସ ବଳରେ ସିଙ୍ଗାପୁର ଓ ଭାରତର ସମ୍ପର୍କ ମଜଭୂତ୍ ହୋଇଛି। ଆଣବିକ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମିଳିତ ଭାବରେ କାମ କରିବା ଦିଗରେ ଉଦ୍ୟମ ଜାରି ରହିଛି। ଭାରତର ୟୁପିଆଇ ସିଷ୍ଟମକୁ ସିଙ୍ଗାପୁର ସରକାର ଲାଗୁ କରିଛନ୍ତି।

ଏହି କର୍ମଶାଳାରେ ଭାରତର ସିଙ୍ଗାପୁର ହାଇକମିଶନର ସିମନ ଓ୍ୱଙ୍ଗ, ସିଙ୍ଗାପୁରର ଉଚ୍ଚ ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା ମନ୍ତ୍ରଣାଳୟର ଉପସଚିବ ମେଲିସା ଖୁ, ଭାରତର ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଏବଂ  ଶିକ୍ଷା ଓ ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଭାରତ ଓ ସିଙ୍ଗାପୁରର ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ଷ୍ଟେକହୋଲଡର, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ବ୍ଲକ ସ୍ତରୀୟ ଶିକ୍ଷା ସମ୍ବଦ୍ଧିୟ ଉପକରଣ ମେଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ଏକ ଶିକ୍ଷା ସମ୍ବଦ୍ଧିୟ ଉପକରଣ ମେଳା ଟିଏଲଏମ ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉକି କେନ୍ଦ୍ର ଜାତୀୟ ଶିକ୍ଷା ନୀତି ଅନୁସାରେ ଆସନ୍ତା ୨୦୨୬ ମସିହା ସୁଦ୍ଧା ପ୍ରଥମରୁ ତୃତୀୟଶ୍ରେଣୀ ପିଲା ଭାଷାଗତ ଓ ସଂଖ୍ୟlଗତ ଜ୍ଞାନରେ ପରିପୂର୍ଣ୍ଣ ହେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ୯୦ ଟି ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ୧୦୮ ପ୍ରକାରର ମୌଳିକ ଓ ସରଳତମ ଶିକ୍ଷା ସମ୍ବଧୀୟ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ଉପକରଣର ଏକ ପ୍ରଦର୍ଶନ ଉତ୍ସବ ଗୋଦାବରୀଶ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଥିଲା। ଯାହାକି ପ୍ରଥମରୁ ତୃତୀୟ ଶ୍ରେଣୀ ପିଲା ମାନଙ୍କ ପାଇଁ ଉପାଦେୟ ହୋଇପାରିବ।

ଉକ୍ତ ଟିଏଲଏମ ମେଳାରେ ଅନ୍ତରକିଆରୀ, ସାଲୁଣି, ସାନହନ୍ତୁଆଡ଼, ମାଟିଆପୋଖରୀ, ବରଡ଼ିହ ପ୍ରାଥମିକ ସ୍କୁଲ ଭଳି ୧୬ ଟି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉନ୍ନତ ଧରଣର ପାଠ୍ୟ ଉପକରଣ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି କହିଛନ୍ତି। ମୁଖ୍ୟତଃ ପିଲାମାନେ କେଉଁଭଳି ମାତ୍ରା ଓ ଅକ୍ଷର ଶିକ୍ଷା, ଓଜନ ଓ ମାପ ଭଳି ସରଳତାମ ଶିକ୍ଷା ପଦ୍ଧତିକୁ ଆପଣେଇ ଥିଲେ।

ଉକ୍ତ ଉତ୍ସବରେ ବାଣପୁର ଅଧକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବିଇଓ ସନାତନ ଜାଲି ସମସ୍ତ ସିଆରସିସି ଓ ଗୋଦାବରୀଶ ବିଦ୍ୟପୀଠର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୫ ମସିହାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଏବଂ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ କଳା ଉତ୍ସବ ଆରମ୍ଭ କରା ଯାଇଥିଲା। କଳା ଉତ୍ସବରେ ଦେଶର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ଜିଲ୍ଲା ସ୍ତରରେ, ପରେ ରାଜ୍ୟ ସ୍ତରରେ ଏବଂ ଶେଷରେ ଜାତୀୟ ସ୍ତରରେ ବିଭିନ୍ନ କଳା ବିଭାଗର ସଦସ୍ୟ ମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରି ଯେଉଁ ମାନେ ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ଜଣେ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କର ବିଭିନ୍ନ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଆମନ୍ତ୍ରିତ କରାଯାଇଥିଲା।

କଳା ଉତ୍ସବ ୨୦୨୨ ଜାନୁୟାରୀ  ୩ , ୨୦୨୩ ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି ବିଦ୍ୟାଳୟରୁ କଳା ଉତ୍ସବ ୨୦୨୧ ରେ ମୋଟ ୩୭ଟି ଦଳ ଅଂଶଗ୍ରହଣ କରିଥିଲେ,  ଯେଉଁଥିରେ ୭୦୩ ଜଣ ଛାତ୍ରଛାତ୍ରୀ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥି ମଧ୍ୟରୁ, ୩୫୩ ଜଣ ବାଳିକା ଏବଂ ୩୫୦ ଜଣ ବାଳକ କଳା ଉତ୍ସବ ୨୦୨୨ ରେ ଅଂଶଗ୍ରହଣ କରିଥିଲେ,  ସେମାନଙ୍କ ମଧ୍ୟରୁ ୭ ଦିବ୍ୟାଙ୍ଗ ଅଂଶଗ୍ରହଣକାରୀ ଥିଲେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ (ଭାରତ ସରକାର) ଏବଂ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କଳା ଉତ୍ସବ ୨୦୨୨  ସଫଳ ହୋଇଛି।

୩ ରୁ ୫ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା କଳା ଉତ୍ସବ ୨୦୨୨  ପ୍ରତିଯୋଗିତାରେ ମୋଟ ୧୦ ଟି କଳା, ଯଥା – ଗାୟନ ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ଗାୟନ, ତାଳ ବାଦ୍ୟ ସଙ୍ଗୀତ, ମଧୁର ବାଦ୍ୟ ସଙ୍ଗୀତ,  ଶାସ୍ତ୍ରୀୟ ଲୋକ ନୃତ୍ୟ, ଏକକ ଅଭିନୟ ଏବଂ ୨ – ଡି ଏବଂ ୩ – ଡି ଭିଜୁଆଲ୍ ଆର୍ଟ ପ୍ରତିଯୋଗିତା ଏବଂ ସ୍ୱଦେଶୀ ଖେଳନା ଏବଂ ଖେଳ  ଆୟୋଜିତ ହୋଇଥିଲା।

ଆଜି ଅର୍ଥାତ୍ ୭ ଜାନୁଆରୀ ୨୦୨୩ ରେ, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ) ରେ କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। କଳା ଉତ୍ସବରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ଅତିଥି, ମାନନୀୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ କଳା ଉତ୍ସବ ଏକ ଭାରତ ଶ୍ରେଷ୍ଠ ଭାରତର ଦର୍ଶନକୁ ସଠିକ୍ ଦିଗ ଏବଂ ରୂପ ପ୍ରଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିଛି। ଏହିପରି ଭାବେ ସମସ୍ତ ଆକର୍ଷଣୀୟ ପ୍ରଦର୍ଶନ ପାଇଁ  ସେ ସମସ୍ତ ଅଂଶଗ୍ରହଣକାରୀ ଏବଂ ଆୟୋଜକ ମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।

ମାନନୀୟ ମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଅତୁଳନୀୟ ଉତ୍ସାହ ସହିତ ସମସ୍ତ ରାଜ୍ୟ ଏଥିରେ ଅଂଶଗ୍ରହଣ କରିବା, ପୁଣି ଥରେ ଏହା ପ୍ରମାଣିତ କରିଛି ଯେ ଭାରତ ହେଉଛି ବିବିଧତା ମଧ୍ୟରେ ଏକତାର ଏକ ଉଦାହରଣ,  ଯାହା ମଧ୍ୟ ଏହାର ଏକ ବିଶେଷତ୍ୱ ଏବଂ ଶକ୍ତିର ଉତ୍ସ ଅଟେ। ମାନନୀୟ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଭାରତ ସମେତ ସମଗ୍ର ବିଶ୍ୱ ମହାମାରୀ ସହ ସଂଗ୍ରାମ କରୁଥିବାବେଳେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି, ସେଗୁଡିକ ମଧ୍ୟରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ୟତମ। ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷା ମାଧ୍ୟମରେ କଳା ଏବଂ ସଂସ୍କୃତିର ପ୍ରଚାରକୁ ଗୁରୁତ୍ୱ ଦେଇଥାଏ। କଳା ଉତ୍ସବ ୨୦୨୨ରେ ମଧ୍ୟ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରାମର୍ଶ ଗୁଡିକୁ ଅନ୍ତର୍ଭୁକ୍ତ କରିଛି।

ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଡକ୍ଟର ରାଜକୁମାର ରଂଜନ ସିଂହ କହିଥିଲେ ଯେ ଦୁଇ ବର୍ଷର ପ୍ରତିକୂଳ ପରିସ୍ଥିତି ପରେ ଏନସିଇଆରଟି କଳା ଉତ୍ସବ ୨୦୨୨କୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସଫଳତାର ସହ ପରିଚାଳନା କରିବାରେ ସଫଳ ହୋଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଯେତେବେଳେ କୌଣସି ପ୍ରକାରର କଳା ସହିତ ଜଡିତ ହୁଅନ୍ତି, ସେତେବେଳେ ସେମାନେ ନିଜର କଳ୍ପନାକୁ ବ୍ୟବହାର କରନ୍ତି ଏବଂ ଏହାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରନ୍ତି ଏବଂ ଏହାକୁ ଜୀବନ୍ତ ରୂପ ପ୍ରଦାନ କରିଥାନ୍ତି ଏବଂ ବାସ୍ତବିକତାରେ ପରିଣତ କରନ୍ତି। ଏହି ପ୍ରକ୍ରିୟା ପାଇଁ କଳା ଉତ୍ସବ ଏକ ସୁଯୋଗ ପ୍ରଦାନ କରିଥାଏ। ଏହିପରି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କର ତର୍କ, ବୁଝାମଣା, ସମସ୍ୟାର ସମାଧାନ, ଜ୍ଞାନଗତ ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ବୃଦ୍ଧି କରିଥାଏ, ଯାହା ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ବିଜେତା ପ୍ରଦର୍ଶନ ଗୁଡିକର ସରକାରୀ ଭ୍ରମଣର ଆୟୋଜନ ପାଇଁ ମାନ୍ୟବର ମନ୍ତ୍ରୀ ଏନ୍‌ସିଇଆରଟିର ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଥିଲେ। କଳାକୃତିର ପ୍ରସ୍ତୁତି ପାଇଁ ସ୍ଥାନୀୟ ଜିନିଷ ଏବଂ ସାମଗ୍ରୀର ବ୍ୟବହାରରେ ସେ ପ୍ରଭାବିତ ହୋଇଥିଲେ ଏବଂ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ଗୋବର୍ଦ୍ଧନ” (ଗାଈ ଗୋବରରୁ ଧନ ସୃଷ୍ଟି କରିବା) ଉଦ୍ଦେଶ୍ୟର ଉଦାହରଣ ଦେଇଥିଲେ। ଡକ୍ଟର ସିଂହ ମଧ୍ୟ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ନିଜ ନିଜ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନୀୟ କଳାକୃତି ପ୍ରଦର୍ଶନ କରିଥିବାରୁ ପ୍ରଶଂସା କରିଥିଲେ।

ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ଦକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ। କୌଣସି ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ଭାଗୀଦାରୀ  ମନୋଭାବ, ମୂଲ୍ୟବୋଧ, ଲକ୍ଷ୍ୟ ଏବଂ ପ୍ରଥା ଗୁଡ଼ିକର ଏକ ସମୂହକୁ ପ୍ରତିନିଧିତ୍ୱ କରେ। ଭାରତ ପରି ବିବିଧତାରେ ପରିପୂର୍ଣ୍ଣ ଦେଶ ଏହାର ସଂସ୍କୃତିର ବହୁଳତାର ପ୍ରତୀକ ଅଟେ। ଆଜାଦୀର ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଶିକ୍ଷା ମନ୍ତ୍ରଣାଳୟ ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଦେଶବ୍ୟାପୀ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ କଳା ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି  “ଭୋକାଲ୍ ଫର୍ ଲୋକାଲ୍‌’ ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ପ୍ରୋତ୍ସାହିତ କରୁଛି । ସ୍ଥାନୀୟ କିମ୍ବା ପାରମ୍ପରିକ ଖେଳ ଏବଂ ଖେଳନା ଉତ୍ପାଦନ ମାଧ୍ୟମରେ ଏହି ଧାରା ଗୁଡ଼ିକରେ ବ୍ୟବସାୟିକ ସୁଯୋଗ ଅନୁସନ୍ଧାନ କରି ଏହା ସେମାନଙ୍କୁ ବ୍ୟବସାୟର ଏକ ମାଧ୍ୟମ ହେବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।  “ଭୋକାଲ୍ ଫର୍ ଲୋକାଲ୍‌’  ମଧ୍ୟ ଏକ ବିଶ୍ୱ ସ୍ତରୀୟ ପରିଚୟ ସୃଷ୍ଟି କରିବାକୁ ସ୍ୱଦେଶୀ କଳାକୁ ପ୍ରେରଣା ଯୋଗାଇଥାଏ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସ୍ତରରେ ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକୁ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ । ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକ ପାଇଁ ଆଗ୍ରହୀ ହେବା ଅର୍ଥ ହେଉଛି ସେହି କଳା ଫର୍ମଗୁଡିକ ଜାତୀୟ ମଂଚରେ ସ୍ଥାପିତ ହେବାର ସୁଯୋଗ ପ୍ରଦାନ କରେ । ଏହି ପର୍ବ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିଥାଏ । ଏହି ଆତ୍ମନିର୍ଭରଶୀଳତା ବିଭିନ୍ନ ପରୀକ୍ଷଣ ଏବଂ କଳା ଶାସ୍ତ୍ରରେ ସୁଯୋଗ ଦ୍ୱାରା ବୃଦ୍ଧି ପାଇଥାଏ । କଳା ଉତ୍ସବ ୨୦୨୨ରେ ସାମିଲ୍ ହୋଇଥିବା କଳାର ବିଭିନ୍ନ ପ୍ରକାର ଗୁଡିକ ଆତ୍ମନିର୍ଭର ଭାରତ ଅଭିଯାନକୁ ଦୃଢ଼ ଭାବରେ ସମର୍ଥନ କରିଥାଏ, ଯେଉଁଠାରେ ଛାତ୍ରମାନେ ସେମାନଙ୍କର ସ୍ଥାନୀୟ ତଥା ପାରମ୍ପରିକ ସଂସ୍କୃତି ଗୁଡିକୁ ଅଭ୍ୟାସ କରିଥିଲେ, ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ବ୍ୟବସାୟ ବାଛିବାର ସୁଯୋଗ ମଧ୍ୟ ଦେଇପାରେ ।

ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ସମ୍ମାନିତ ଅତିଥି ମାନଙ୍କୁ ଏବଂ ପରିଷଦର ସମସ୍ତ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ, କେବିଏସ୍ ଏବଂ ଏନ୍‌ବିଏସ୍‌ର ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରତ୍ୟେକ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବା ପାଇଁ ସେମାନଙ୍କର ନିରନ୍ତର ଏବଂ ଆନ୍ତରିକ ଉଦ୍ୟମ ପାଇଁ ସେ ବିଭିନ୍ନ କଳା ଫର୍ମର ବିଦ୍ୱାନ ଜୁରି ସଦସ୍ୟ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ କଳା ଉତ୍ସବ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର କଳା ଅଭିବ୍ୟକ୍ତିକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ।

କଳା ଉତ୍ସବ ୨୦୨୨ର ଜାତୀୟ ସଂଯୋଜକ ପ୍ରଫେସର ପୱନ ସୁଧୀର ଏହି ପ୍ରତିଯୋଗିତାରେ ମନୋନୀତ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ କଳା ସଂରକ୍ଷଣ ତଥା ପ୍ରୋତ୍ସାହନକୁ ଉତ୍ସାହିତ କରିଥାଏ ଏବଂ ସେମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ କୌଣସି ପ୍ରତିଯୋଗିତାର ମାନଦଣ୍ଡ ଅନୁଯାୟୀ ବିଜେତା ମାନଙ୍କୁ ଘୋଷିତ କରା ଯାଇଥାଏ, ତଥାପି ମଧ୍ୟ ସେ ଅନୁଭବ କରିଥିଲେ ଯେ ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜେ ଜଣେ ବିଜେତା ଥିଲେ । କାରଣ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ପ୍ରଦର୍ଶନ କରିବାକୁ ଉତ୍ସାହ ବିଷୟରେ କହିଥାଏ । ସେ କଳା ଉତ୍ସବର  ବୈଶିଷ୍ଟ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ପ୍ରତିଯୋଗିତାର ଝଲକକୁ ଆଲୋକିତ କରିବା ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରା ଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଜାତୀୟ ଶିକ୍ଷା ନୀତିର ଶୁଭାରମ୍ଭ

ଡେରାଡୁନ/ହରିଦ୍ୱାର: ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରିବା ପାଇଁ ରବିବାର ଉତ୍ତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜାତୀୟ ଶିକ୍ଷା ନୀତି ହେଉଛି ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ। ଦେବଭୂମି ଓ ଜ୍ଞାନଭୂମି ଉତ୍ତରାଖଣ୍ଡ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଖୁସିର ବିଷୟ। ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ। ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଏହି ତିନି ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲବାଟିକା ଭାବରେ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ବାଲବାଟିକାକୁ ସ୍କୁଲ ବ୍ୟବସ୍ଥାରେ ଅନ୍ତର୍ଭୃକ୍ତ କରାଯାଇଛି। ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ଉତ୍ତରାଖଣ୍ଡ ।ନୂଆ ଶିକ୍ଷା ନୀତି ୩ରୁ ୨୩ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିର ଜ୍ଞାନ, ଗୁଣାତ୍ମକ ଶିକ୍ଷା, କୌଶଳ ସହ କ୍ଷମତା ବଢ଼ାଇବାରେ ସହଯୋଗୀ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାଓ୍ୱତଙ୍କ ସହ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ କହିଛନ୍ତି ଉତ୍ତରାଖଣ୍ଡ ବାଲବାଟିକା, ଆଞ୍ଚଳିକ ଭାଷା, ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ସହ ଅନେକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରୁଛି। ଏକ ସୁଦୃଢ଼ ଶିକ୍ଷା ଏବଂ ଦକ୍ଷତା ବିକାଶ ଇକୋସିଷ୍ଟମ ସହ ଉତ୍ତରାଖଣ୍ଡ ରାଜ୍ୟର  ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଭିତ୍ତିରେ ପ୍ରସ୍ତୁତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ  ହେଉଛି। ଆମେ ଶିଳ୍ପ ବିପ୍ଳବ ୪.୦ର ମଧ୍ୟଭାଗରେ ଅଛୁ। ପ୍ରଯୁକ୍ତିବିଦ୍ୟା କ୍ରମାଗତ ଭାବରେ ଶିକ୍ଷାର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି। ଶିକ୍ଷା ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ପାଇଁ ଭାରତ ସରକାର ୨୬୦ ଟିଭି ଚ୍ୟାନେଲ ଆଣୁଛନ୍ତି। ଉତ୍ତରାଖଣ୍ଡ ଯୁବବର୍ଗ ଆଗାମୀ ଦିନର ଭବଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ସମର୍ଥ। ଆଜିର ଶୁଭାରମ୍ଭ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଙ୍ଗତ୍ରି ଠାରୁ ଆରମ୍ଭ କରି ସୌରଜଗତ ତଥା ଆମର ଯୁବପିଢିଙ୍କୁ ବିଶ୍ୱକୁ ଅନ୍ୱେଷଣ କରିବାକୁ ହେବ। ଆମ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ହେବା ସହ ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବ। ଉତ୍ତରାଖଣ୍ଡର ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ଇକୋସିଷ୍ଟମ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠ ଠାରେ ବାବା ରାମଦେବଙ୍କ ସହ ଆଚାର୍ଯ୍ୟ କୁଲମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ। ଏହାବ୍ୟତିତ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ସହ ରାନିପୁର ସ୍ଥିତ ହରିଦ୍ୱାର ରାଜକୀୟ ଇଣ୍ଟର କଲେଜ ପରିଦର୍ଶନ କରିବା ସହ  ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତି ଦାସତ୍ୱ ମାନସିକତାରୁ ମୁକ୍ତି ଦେବ: ଧର୍ମେନ୍ଦ୍ର ପ୍ରଧାନ

ବଡନଗର: ଆମ ଦେଶର ଐତିହ୍ୟକୁ ନେଇ ଗର୍ବିତ ହେବା ଏବଂ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟତା ସହ ଯୋଡ଼ି ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଦେଶରେ ପ୍ରଣୟନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଗୁଜରାଟର ବଡନଗର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବହମୁଖୀ ସଭାଗୃହର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨ ହଜାର ୫୦୦ ବର୍ଷ ପୁରୁଣା ବଡନଗର ସମୃଦ୍ଧ ଇତିହାସ, ଧାର୍ମିକ ସ୍ୱତନ୍ତ୍ରତା ଏବଂ ସହିଷ୍ଣୁତାର ମୁକସାକ୍ଷୀ। ବଡ଼ନଗର ଭଳି ଆମ ଦେଶର ସମୃଦ୍ଧ ଐତିହ୍ୟକୁ ଆହୁରି ଆଗକୁ କିଭଳି ନିଆଯାଇପାରିବ, ଏ ଦିଗରେ ନୂଆପିଢିକୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତର କଳ୍ପନାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ବହୁତ ବଡ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି। ନୂଆ ଜାତୀୟ ଶିକ୍ଷା ନୀତିରେ ନୂଆପିଢିଙ୍କୁ ବୈଶ୍ୱିକ ନାଗରିକ ଭାବେ ପରିଣତ କରିବାର ସାମର୍ଥ୍ୟ ରହିଛି। ଭାରତର ଲୋକମାନେ ବିଶ୍ୱର ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ଅଛନ୍ତି। ଆମେ ଦୁନିଆର ଦାୟିତ୍ୱ ସେବେ ନେବା ଯେବେ ଆମେ ଆମର ଦାୟିତ୍ୱକୁ ବୁଝିବା। ଏଥିପାଇଁ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ଜାତୀୟ ଶିକ୍ଷା ଆଧାରରେ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜ୍ଞାନ, ଆଧ୍ୟାତ୍ମିକ, ବୈଭବ, ସଭ୍ୟତା ଏବଂ ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ର ହେଉଛି ବଡନଗର। ଏକବିଂଶ ଶତାବ୍ଦୀର ନେତୃତ୍ୱ ପ୍ରଦାନ କରିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଆଜି ବହୁମୁଖୀ ସଭାଗୃହ ଭଳି ସୁବିଧାର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯଦି ଇଚ୍ଛାଶକ୍ତି ଅଛି ତେବେ ବ୍ୟବସ୍ଥା ମାଧ୍ୟମରେ ବଡ଼ ପରିଣାମ ଆସିପାରିବ। ବଡନଗରର ଏହି ନବୋଦୟ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାକୁ ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ପିଲାମାନେ ପାଠପଢ଼ି ଭଲ ମଣିଷ ହୁଅନ୍ତି। ବଡନଗରରେ ଏହି ସଂସ୍କାର ଅଛି ଯେ, ସାଧାରଣ ଘରର ଲୋକ ଆଜି ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଆଜି ମୋଦି ଭାରତର ନୁହଁ ବରଂ ବିଶ୍ୱ ନେତା ଅଟନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେହିପରି ବଡନଗର ଷ୍ଟେସନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ କେନ୍ଦ୍ରମନ୍ତ୍ରୀ ବୁଲିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରୁ ପ୍ରେରଣାଦାୟୀ ଜୀବନ ଯାତ୍ରା ଆରମ୍ଭ କରିଥିଲେ, ସେ ସ୍ଥାନ ଦେଖିବା ମୋ ପାଇଁ ଗର୍ବର କଥା। ବଡନଗର ରେଳ ଷ୍ଟେସନ ନିକଟସ୍ଥ ଚା’ ଦୋକାନ ଯେଉଁଠାରେ ଛୋଟବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବାପାଙ୍କୁ ଚା’ ବିକ୍ରୀରେ ସହଯୋଗ କରୁଥିଲେ। ଏହା ହେଉଛି ନିଷ୍ଠା, ସାହସ ଏବଂ ପରିଶ୍ରମର ଏକ ପ୍ରମାଣ । ତତସହ ଏହା ପ୍ରମାଣ ହେଉଛି, ଯେକୌଣସି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଣେ ସଫଳ ହୋଇପାରିବ ଏବଂ ଲକ୍ଷାଧିକ ଲୋକଙ୍କ ଆଶାର କିରଣ ହୋଇପାରିବ।

ଏହି ଗୁଜରାଟ ଗସ୍ତ କାଳରେ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବଡନଗର ସ୍ଥିତ ପ୍ରେରଣା ସ୍କୁଲ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ପ୍ରେରଣା ସ୍କୁଲ ପ୍ରକଳ୍ପ ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହାବ୍ୟତିତ ବଡନଗର ସ୍ଥିତ ହଟକେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦର୍ଶନ କରିବାର ଲାଭ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ‘ଶିକ୍ଷକ ଅଭିନନ୍ଦନ ସମାରୋହ’: ‘ଜୟ ଜଗନ୍ନାଥ’ର ନାରାରେ ପ୍ରକମ୍ପିତ ହେଲା ଶିକ୍ଷାନୁଷ୍ଠାନ

କୋଟା: ଆମ ଦେଶରେ ଗୁରୁ ବା ଶିକ୍ଷକ ଓ ଅଭିଭାବକଙ୍କ ସ୍ଥାନ ଅନନ୍ୟ। ଶିକ୍ଷା ପରିବାରରେ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଆମ ସମାଜରେ ଶିକ୍ଷକ ସବୁଠୁ ଉର୍ଦ୍ଧ୍ୱରେ ଥିବା ବେଳେ ଶିକ୍ଷାର ବିଚାର, ସାରାଂଶ ମନୁଷ୍ୟକୁ ମହାନ କରିବାର ପରମ୍ପରା ବୋଲି ମଙ୍ଗଳବାର ରାଜସ୍ଥାନର କୋଟା ଠାରେ ଆୟୋଜିତ ‘ଶିକ୍ଷକ ଅଭିନନ୍ଦନ ସମାରୋହ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରୁଅଛି। ଆଗାମୀ ୨୫ ବର୍ଷ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଭାରତକୁ ବିକଶିତ ଦେଶ କରିବାର ସ୍ୱପ୍ନ ସେବେ ପୂରଣ ହେବ ଯେବେ ଦେଶର ନୂଆପିଢ଼ି ଜ୍ଞାନ ଆଧାରିତ ଅର୍ଥନୀତିର ନେତୃତ୍ୱ ନେବେ। ଯୁବପିଢ଼ିଙ୍କ ସଂକଳ୍ପ ଦ୍ୱାରା ହିଁ ଏହା ସମ୍ଭବ। ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି -୨୦୨୦(ଏନଇପି) ପ୍ରଣୟନ କରାଯାଇଛି। ଭାରତକୁ ପୁନଃ ନିର୍ମାଣ ଓ ବିଶ୍ୱଗୁରୁ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ କଳ୍ପନା ଓ ଶିକ୍ଷକ ସମାଜକୁ ଏହାର ଦାୟିତ୍ୱ ନେବାକୁ ହେବ।

ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆହେଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାତୃଭାଷାରେ ଅନୁସନ୍ଧାନକୁ ପ୍ରୋତ୍ସାହନ ଦିଆଯିବାର ଯୋଜନା କରାଯାଉଛି। ଓଡ଼ିଆ, ଆସାମୀ, ହିନ୍ଦି, ବାଙ୍ଗଲା ସମେତ ସବୁ ଆଞ୍ଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା। ସବୁ ଭାଷାର ସନ୍ଦେଶ ଓ ଭାବାବେଗ ସମାନ। ଏହି ସନ୍ଦେଶ ହେଉଛି ଭାରତକୁ ଗୁଲାମୀ ଶିକୁଳୀରୁ ମୁକ୍ତ କରିବା। ଶିକ୍ଷା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ। ଦେଶକୁ ଏକବିଂଶ ଶତାବ୍ଦୀରେ ବିଶ୍ୱଗୁରୁ କରିବାର ଦାୟିତ୍ୱ ଶିକ୍ଷକ ସମାଜକୁ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ସହ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ଓଡ଼ିଆ ସମେତ ଅନେକ ଛାତ୍ରଛାତ୍ରୀଙ୍କ ସହ ସମବେତ ସ୍ୱରରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ‘ଜୟ ଜଗନ୍ନାଥ’ ଓ ‘ଭାରତ ମାତା କି ଜୟ’ ନାରାରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ମିଳିତ ସ୍ୱରରେ ନାରା ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କୋଟା ଶିକ୍ଷା ବିକାଶ ଫୋରମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ମାତୃଶକ୍ତି ସହ ଆଲୋଚନା କରିଥିଲେ।

Categories
ବିଶେଷ ଖବର

ବାରାଣସୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟିତ

ବାରାଣସୀ: ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ଶିକ୍ଷାକୁ ଏକ ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାର କରିବା ଏବଂ ଏହାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହିତ ଯୋଡିବା ବୋଲି ଗୁରୁବାର ଉତର ପ୍ରଦେଶର ବାରାଣସୀ ଠାରେ ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ରାଷ୍ଟ୍ରୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ପାଇଁ ବିଚାରବିମର୍ଷ କରିବା ଦିଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଶୁଙ୍କ ପ୍ରତିଭା ଏବଂ ସେମାନଙ୍କର ଇଚ୍ଛାନୁସାରେ କୁଶଳୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ରାଷ୍ଟ୍ରୀୟ ଶିକ୍ଷା ନୀତି ଯୁବ ବର୍ଗଙ୍କୁ କୁଶଳୀ, ଆତ୍ମବିଶ୍ୱାସ, ପ୍ରାକ୍ଟିକାଲ, କାଲକୁଲେଟିଭ୍ କରିବା ଦିଗରେ କାର୍ଯ୍ୟ କରୁଛି। ଆମର ଶିକ୍ଷା ବ୍ୟବସ୍ଥା କେବଳ ଡିଗ୍ରୀଧାରୀ ଯୁବକ ପ୍ରସ୍ତୁତ କରିବା ନୁହେଁ ବରଂ ଦେଶକୁ ଆଗକୁ ନେବା ପାଇଁ ଦରକାର ଥିବା ମାନବ ସମ୍ବଳ ଦେଶକୁ ପ୍ରଦାନ କରୁ। ଏହି ସଂକଳ୍ପନାର ନେତୃତ୍ୱ ଆମର ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନକୁ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଶିକ୍ଷା ନୀତି ଦ୍ୱାରା ଏବେ ମାତୃଭାଷାରେ ଶିକ୍ଷାଦାନର ରାସ୍ତା ବାହାର କରାଯାଉଛି।

ଏହି କ୍ରମରେ ସଂସ୍କୃତ ଭଳି ପ୍ରାଚୀନ ଭାରତୀୟ ଭାଷାକୁ ବି ଆଗକୁ ବଢ଼ାଯାଉଛି। ଜାତୀୟ ଶିକ୍ଷା ନୀତି ପାଇଁ ଦେଶର ଶିକ୍ଷା ବ୍ୟବସ୍ଥାର ଢାଂଚାଗତ ପରିବର୍ତନ ପାଇଁ କାମ କରାଯାଇଛି। ଆଜି ଦେଶରେ ବ୍ୟାପକ ଭାବେ ନୂଆ କଲେଜ, ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଆଇଆଇଟି ଏବଂ ଆଇଆଇଏମର ସ୍ଥାପନା କରାଯାଉଛି।

ଏହି ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଅସମ୍ଭବର ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ହିଁ ଭବିଷ୍ୟତର ସଫଳତାର ପୁଞ୍ଜି। ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଏକ ଦାର୍ଶନିକ ଦସ୍ତାବିଜ। ସମ୍ବିଧାନ ପରେ ଜାତୀୟ ଶିକ୍ଷା ନୀତି ଏଭଳି ଏକ ଦସ୍ତାବିଜ ; ଯାହାକୁ ସମଗ୍ର ଦେଶରେ ଅନେକ ସ୍ତରରେ ବିଚାରବିମର୍ଷ, ଚର୍ଚ୍ଚା କରାଯିବା ସହ ଜନଭାଗିଦାରୀର ରୂପ ଦିଆଯାଇଛି। ସମ୍ବିଧାନ ସମତୁଲ୍ୟ ଜାତୀୟ ଶିକ୍ଷା ନୀତି ଆମ ଦେଶର ଅସୁବିଧା, ଦ୍ୱନ୍ଦରୁ ମୁକ୍ତି ହେବାର ବିଚାର ସହ ଆତ୍ମବିଶ୍ୱାସ ଓ କାର୍ଯ୍ୟରେ ଭାରତୀୟ ହେବାର ଗର୍ବ ଅନୁଭବ ପ୍ରଦାନ କରେ।

ଭାରତରେ ୧୫ ବର୍ଷରୁ ୨୫ ବର୍ଷ ଯୁବ ବର୍ଗଙ୍କ ସଂଖ୍ୟା ବିଶ୍ୱରେ ଅଧିକ। ଦେଶରେ ପାଖାପାଖି ୨୫ କୋଟି ଯୁବବର୍ଗ ଥିବା ବେଳେ ଆସନ୍ତା ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ। ଅମୃତ କାଳ ସମୟରେ ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠା କରିବା ପାଇଁ ଜାତୀୟ ଶିକ୍ଷା ନୀତି ହେଉଛି ଏକ ମାର୍ଗଦର୍ଶକ। ଏହି ସମୟରେ ଯୁବବର୍ଗଙ୍କ କ୍ଷମତା, ଉର୍ଜାକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବା ତଥା ଜ୍ଞାନ ଓ ଶିକ୍ଷାରେ ପୂରା ଦୁନିଆରେ ନେତୃତ୍ୱ ନେବା ହେଉଛି ଜାତୀୟ ଶିକ୍ଷା ନୀତିର ଦିଗଦର୍ଶନ। ସେହିପରି ବିଶ୍ୱବିଦ୍ୟାଳୟ ଗୁଡ଼ିକ କେବଳ ବିଦ୍ୟାର୍ଥୀ ଓ ଶିକ୍ଷାର୍ଥୀଙ୍କ ଜୀବନକୁ ଉତମ କରିବା ନୁହେଁ ବରଂ ରାଷ୍ଟ୍ରର କଲ୍ୟାଣ କରିବା ହିଁ ଉଦ୍ଦିଷ୍ଟ। ସେହିପରି ଆମର ଭାରତୀୟ ଜ୍ଞାନ ପରମ୍ପରା ଆଧାରରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭବିଷ୍ୟତର ସ୍ୱର୍ଣ୍ଣିମ ଆକାର ଦେବାକୁ ହେବ। ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ। ଏହି ସମୟରେ ଯୁବ ବର୍ଗଙ୍କୁ କେବଳ ନିଯୁକ୍ତି ଖୋଜିବା ନୁହେଁ ବରଂ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ଦେବାକୁ ହେବ।

ଐତିହାସିକ ସହର ବାରାଣସୀରେ ଶିକ୍ଷା ଜଗତର ଏଭଳି ଭବ୍ୟ ସମ୍ମିଳନୀ ହେବା ଏବଂ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ମାର୍ଗଦର୍ଶନ ସାଜିବା ଖୁସିର ବିଷୟ। ଜାତୀୟ ଶିକ୍ଷା ନୀତିର ଘୋଷଣା ପରେ ନୀତିର କ୍ରିୟାନ୍ୱୟନ ପାଇଁ ପ୍ରତିଟି ମୁହୂର୍ତରେ ପ୍ରଧାନମନ୍ତ୍ରୀ ମୋଦି ମାର୍ଗଦର୍ଶନ ଦେଇଛନ୍ତି। ଆଜିର ସମାଗମରେ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ସମସ୍ତଙ୍କ ମଧ୍ୟରେ ନୂଆ ଉର୍ଜା ଓ ପ୍ରେରଣା ଦେଇଛି। ବିଗତ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ମୁଖ୍ୟ ସଚିବମାନେ ସାରା ଦେଶରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନକୁ ଗତି ଦେବା ଦିଗର ବିଚାରବିମର୍ଷ କରିଥିଲେ।

ଏହି ବିଚାରବିମର୍ଷକୁ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉପରକୁ ନେବ। ତିନିଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମୟର ଆବଶ୍ୟକତା ଅନୁସାରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତା ପ୍ରଦାନ କରାଯିବା ବିଷୟରେ ଚର୍ଚ୍ଚା ହେବା ଦରକାର। ସେହିପରି ଆମର ପାଠ୍ୟକ୍ରମ ଯୁବବର୍ଗଙ୍କ ଆକାଂକ୍ଷାର ଅନୁରୂପ କି? ନିଜର କରିକୁଲମ କୋର୍ସ ଓ ଉଚ୍ଚ ଶିକ୍ଷା, କୌଶଳ ତଥା ଅନୁସନ୍ଧାନ ପ୍ରତି ଦୃଷ୍ଟିକୋଣରେ ପରିବର୍ତନର ଆବଶ୍ୟକତା ଅଛି କି? ଜାତୀୟ ଶିକ୍ଷା ନୀତି କଠୋର ସ୍ଥିତିକୁ ସାମ୍ନା କରିବା ତଥା ପ୍ରଗତିଶୀଳ ମାନସିକତା କିମ୍ବା ରାଷ୍ଟ୍ରର ପରିବର୍ତନ ହେବାର ବାର୍ତା କଣ ହେବା ଉଚିତ୍‌, ସେ ଉପରେ ଆଲୋଚନା ହେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତ୍ୟବକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡା. ସୁବାଷ ସରକାର, ଡା.ରାଜକୁମାର ରଞ୍ଜନ ସିଂହ, ରାଜ୍ୟ ଶିକ୍ଷା ମନ୍ତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି, ଶିକ୍ଷାବିତ୍ ଏବଂ ଅନେକ ଷ୍ଟେକହୋଲଡର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୀବନରେ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ: ପ୍ରଫେସର କେ. କେ. ଅଗ୍ରୱାଲ୍

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବୁଧବାର ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍‌ର ଅଧ୍ୟକ୍ଷ ପ୍ରଫେସର କେ. କେ. ଅଗ୍ରୱାଲ୍ କହିଛନ୍ତି।

ଏହା ହାସଲ କରିବା ସହ ବହୁ ବିଷୟକ ଶିକ୍ଷା ଉପରେ ମନୋନିବେଶ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ହିଁ ଦୀର୍ଘ ୩୪ ବର୍ଷ ପରେ ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବାର୍ଷିକ ବକ୍ତୃତା ଦେବା ଅବସରରେ ପ୍ରଫେସର ଅଗ୍ରୱାଲ୍ କହିଛନ୍ତି।

ବିଗତ ଅନେକ ବର୍ଷ ଧରି ଆମେ ଛାତ୍ରଛାତ୍ରୀମାନଙ୍କୁ ଶିଖାଇଛୁ ଯେ ପାଠ୍ୟ ପୁସ୍ତକରୁ ସେମାନେ ଯାହା ପଢ଼ିଛନ୍ତି ତାହାହିଁ ପରୀକ୍ଷା ଖାତାରେ ଲେଖିବା ଉଚିତ୍। ଏହା ଯଦି ସେମାନେ ନ କରନ୍ତି ତେବେ ପରୀକ୍ଷାରେ କମ୍ ମାର୍କ ମିଳିବ। ଶିକ୍ଷା ବ୍ୟବସ୍ଥାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ହୋଇଆସିଛି ବୋଲି କହିବା ସହ ଆମେ ଅନେକଗୁଡ଼ିଏ ଶୁଆ ସୃଷ୍ଟି କରିଥିବା ବେଳେ କୌଣସି ବିଚାରଧାରା ସମ୍ପନ୍ନ ବ୍ୟକ୍ତି ବାହାର କରି ନାହୁଁ। ଏପରିକି ଆମେ
ଛାତ୍ରଛାତ୍ରୀଙ୍କୁ ଚିନ୍ତାଶୀଳ ହେବା ପାଇଁ ଅନୁମତି ମଧ୍ୟ ଦେଇନାହୁଁ ବୋଲି ସେ କହିଥିଲେ।

ବିଗତ କିଛି ଦଶନ୍ଧି ଧରି ଆମେ ଯୁବକମାନଙ୍କ ଜୀବନରେ ଅନେକ କ୍ଷତି ସାଧନ କରିଛୁ। କାରଣ ସେମାନେ ଜୀବନରେ ଶଙ୍କାର ସମ୍ମୁଖୀନ ହେବା ଶିଖି ନାହାଁନ୍ତି। ଜୀବନରେ ବିପଦର ସମ୍ମୁଖୀନ ହେବା ପାଇଁ ପ୍ରୋତ୍ସାହିତ କରିବା ଉଚିତ୍। ତେବେ ଏହାକୁ ଆମ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିପାରି ନାହିଁ ବୋଲି ସେ କହିଛନ୍ତି।

୧୯୪୭ ମସିହା ପରଠାରୁ ଭାରତରେ ଆଉ କେହି ନୋବେଲ ପୁରସ୍କାର ହାସଲ କରିନାହାଁନ୍ତି ବୋଲି ମନ୍ତବ୍ୟ ଦେଇ ସେ କହିଥିଲେ ଯେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସମସ୍ୟାର ସମାଧାନ କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରେ ନାହିଁ। ତେବେ ଜାତୀୟ ଶିକ୍ଷାନୀତିରେ ଏ କ୍ଷେତ୍ରକୁ ଦୃଷ୍ଟିରେ ରଖି ପରିବର୍ତନ କରାଯାଇଛି ବୋଲି ସେ କହିଛନ୍ତି।

ନୋବେଲ ପୁରସ୍କାର ବିଜେତା ଇସିଡୋର୍ ଆଇ.ରବିଙ୍କ ଉଦାହରଣ ଦେଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଅନ୍ୟ ପିଲାମାନଙ୍କର ବାପା-ମା’ମାନେ ସେମାନଙ୍କ ପିଲା ସ୍କୁଲରୁ ଫେରିବା ପରେ ଦିନସାରା କ’ଣ ପାଠ ପଢ଼ିଛନ୍ତି ସେ ବିଷୟରେ ପଚାରିଥାନ୍ତି। ମାତ୍ର ରବିଙ୍କ ମା’ ଦିନ ମଧ୍ୟରେ ସେ ତାଙ୍କ ଶିକ୍ଷକଙ୍କୁ କିଛି ନୂତନ ପ୍ରଶ୍ନ ପଚାରିଛନ୍ତି କି ବୋଲି ଜାଣିବାକୁ ଚାହିଁଥାନ୍ତି। ରବିଙ୍କର ଉକ୍ତିକୁ ଦର୍ଶାଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ପ୍ରଶ୍ନ ପଚାରିବା ଦ୍ୱାରା ହିଁ ସେ ବୈଜ୍ଞାନିକ ହୋଇପାରିଲେ।

ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଏଭଳି ଏକ ଦିନ ଆସିବ ଯେତେବେଳେ କି ଜଣେ ଛାତ୍ର ନିଜ ପାଠ୍ୟକ୍ରମରେ କେତୋଟି ବିଷୟବସ୍ତୁ ରହିବ ତାହା ସେ ନିଜେ ଚୟନ କରିବ। ୟୁଏସ୍‌ଏର ଜଣେ ଛାତ୍ରୀ କେମିକାଲ୍ ବାୟୋ-ଫିଜିକ୍ସ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କାରଣ ସେ ଜାଣିବାକୁ ଚାହୁଁଥିଲେ ଯେ ପିଲାମାନେ କାହିଁକି ବଧିର ହୋଇ ଜନ୍ମ ଗ୍ରହଣ କରୁଛନ୍ତି।

ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଜଣେ ଛାତ୍ର ଏକାସଂଗେ ମେଡିସିନ୍ ଓ ଅର୍ଥନୀତି ପଢ଼ିବା ନେଇ ଚିନ୍ତା କରିବା କଷ୍ଟକର। କିନ୍ତୁ ଜଣେ ଛାତ୍ର ଏହି ଦୁଇଟି ବିଷୟକୁ ଏକାସଂଗେ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କାରଣ ସେ ଆମେରିକାର ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ସାଧନ କରିବାକୁ ଚାହୁଁଥିଲେ।

ସୋଆ ପ୍ରୋ- ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାତୀୟ ଶିକ୍ଷା ନୀତିର ନୂତନ ପଦକ୍ଷେପକୁ ସ୍ୱାଗତ

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ନିର୍ମାଣ ଏବଂ ଶିକ୍ଷାର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତିରେ ଅଣାଯାଇଥିବା ସଂସ୍କାରର ର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପର ଶୁଭାରମ୍ଭ କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି।

ଏହି ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନ୍ୟାସନାଲ ଡିଜିଟାଲ ଏଜୁକେସନ ଆର୍କିଟେକଚର ଓ ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ ର ଶୁଭାରମ୍ଭ କରିଥିବା ବେଳେ ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ଏହା ଦୃଢ଼ୀଭୁତ କରିବ ଏବଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ସହାୟକ ହେବ ବୋଲି ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନଫରେନସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଜାତୀୟ ଶିକ୍ଷାନୀତିର ନୂତନ ପଦକ୍ଷେପ ଗୁଡିକ ସହିତ ଖାପ ଖୁଆଇ ସୋଆ ପକ୍ଷରୁ ବିଭିନ୍ନ ଅନଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ବିଶେଷ ଭାବେ କୋଭିଡ ମହାମାରୀ ଯୋଗୁଁ କ୍ଲାସରୁମ ଶିକ୍ଷା ପ୍ରଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହି ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି।

ସୋଆରେ ସ୍ଵୟମ ଓ ମୋଡୁଲ ପ୍ଲାଟଫର୍ମ ବ୍ୟବହାର କରାଯାଇ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ। ଏହି ପ୍ଲାଟଫର୍ମ ଜରିଆରେ ଭିଡ଼ିଓ ଅପଲୋଡ଼ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏକାଡେ଼ମିକ ବ୍ୟାଙ୍କ ଅଫ କ୍ରେଡିଟ ବ୍ୟବସ୍ଥା କୁ ସ୍ବାଗତ କରି ସୋଆ ଛାତ୍ରଛାତ୍ରୀ ମାନେ ଏହି ସୁବିଧାର ବିନିଯୋଗ କରିବେ ବୋଲି ସେ ପ୍ରକାଶ କରିଥିଲେ।

ଜାତୀୟ ଶିକ୍ଷାନୀତି ରେ ଗୁରୁତ୍ବ ଦିଆଯାଇଥିବା ୟୁନିଭର୍ସାଲ ହ୍ୟୁମାନ ଭାଲ୍ୟୁ ସିଷ୍ଟମ, ହୋଲିଷ୍ଟିକ ଡେଭେଲପମେଣ୍ଟ ଓ ଯୋଗ କୁ ସୋଆରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ମଧ୍ୟ ସେ କହିଥିଲେ।

ଗତ କିଛି ବର୍ଷ ହେବ ଅନେକ ବିଦେଶୀ ଛାତ୍ରଛାତ୍ରୀ ସୋଆରେ ପାଠ ପଢିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି କୁଳପତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମରେ କୁଳପତିଙ୍କ ବ୍ୟତୀତ ପ୍ରୋ ଭାଇସ ଚାନ୍ସସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଅ।ଡିସନାଲ ଡିନ (ରିସର୍ଚ୍ଚ ) ପ୍ରଫେସର ପ୍ରିୟବ୍ରତ ପଟନାୟକ ଓ ଅନଲାଇନ କୋଅର୍ଡିନେଟର ଆସିଷ୍ଟାଣ୍ଟ ପ୍ରଫେସର ଅନିଶ ୟୁନୁଭା ଯୋଗ ଦେଇଥିଲେ।