Categories
ଆଞ୍ଚଳିକ

ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା ଅପରିହାର୍ଯ୍ୟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆଜି ମହାବିଦ୍ୟାଳୟ ସଭାଗୃହରେ “ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା “ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ଦୁଇ ଅଧ୍ୟକ୍ଷl ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧକାରୀ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଅମ୍ଲାନ ନାୟକ ଓ ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ମାନସ ମୋହନ ବଳିୟାରସିଂହ ଯୋଗଦେଇ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଉଦଘାଟନ ପରେ ଏନସିସି କ୍ୟାଡେଟ ମାନେ ଅତିଥି ମାନଙ୍କୁ ପୁଷ୍ପ ଚାରା ଦେବା ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏନସିସି ଅଧିକାରୀ ତଥା ପ୍ରକୃତିବନ୍ଧୁ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବନ୍ୟପ୍ରାଣୀମାନଙ୍କର ମନୁଷ୍ୟ ମାନଙ୍କ ସହିତ ଥିବା ଆବେଗିକ ସମ୍ପର୍କ ଓ ବିଶ୍ୱାସନୀୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅମ୍ଲାନ ନାୟକ ବନ୍ୟପ୍ରାଣୀ ଓ ପରିବେଶ ସଂରକ୍ଷଣରେ ଯୁବପିଢ଼ିମାନଙ୍କର ଉତ୍ତର ଦାୟିତ୍ୱ, ସଚେତନତା, ସାମାଜିକ ଗଣ ମାଧ୍ୟମରେ ପରିବେଶ ସମ୍ପର୍କିତ ପ୍ରତିବଦ୍ଧତା ଓ ସର୍ବୋପରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ମୁଖ୍ୟବକ୍ତା ଡକ୍ଟର ମାନସ ମୋହନ ବଳିୟାରସିଂହ ଚିଲିକାର ଜୈବ ବିବିଧତା ସଂରକ୍ଷଣରେ ବନ୍ୟପ୍ରାଣୀ ଓ ବିହଙ୍ଗ ମାନଙ୍କର ଭୂମିକା ସହ ଯୁବ ପିଢ଼ିଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ନେଚର କ୍ଲବର ସଂଯୋଜକ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ,ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ,ପ୍ରବୀଣ କୁମାର ଜେନା, ଶିବରାମ ସିଂ,ସୁବାସ ଶ୍ରୀଚନ୍ଦନ,ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ବିମଳ କୁମାର ପଣ୍ଡା, ବିଶ୍ୱଜିତ ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇ ଅତିଥି ମାନଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ଶେଷରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଧନ୍ୟବାଦ ପ୍ରଦାନ କରିବା ପରେ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବରିଷ୍ଠ କ୍ୟାଡେଟ ମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଦିଲ୍ଲୀ ପ୍ୟାରେଡରେ ଭାଗ ନେଇ ରଶ୍ମିତା ରଣପୁରରେ ସମ୍ମାନିତ

ରଣପୁର: ରଣପୁର କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରୀ ରଶ୍ମିତା ମୁଖୀ ଜାନୁଆରୀ ୨୮ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ ପ୍ୟାରେଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପ୍ୟାରେଡ ଦିଲ୍ଲୀ କରିଅପା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।  ରଶ୍ମିତା ମୁଖୀ ରଣପୁର କଲେଜର ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି। ଏଥି ପାଇଁ ରଶ୍ମିତାଙ୍କୁ ଆଜି ରଣପୁର ବାଘ ସାମନ୍ତ ପଡିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶୁଭାରମ୍ଭ ଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା।

Categories
ଆଞ୍ଚଳିକ

୧୭ ବର୍ଷ ପରେ ରଣପୁରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପୁନଃ ଆରମ୍ଭ

ରଣପୁର: ରଣପୁର ବିସି ହାଇସ୍କୁଲରେ ଦୀର୍ଘ ବର୍ଷ ଧରି ବନ୍ଦ ହେଇଯାଇଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପୁଣି ଥରେ ଆରମ୍ଭ ହୋଇ ସ୍ଥାନୀୟ ବାଘ ସାମନ୍ତ ପଡିଆରେ ଉଦଘାଟିତ ହୋଇଛି। ରଣପୁର ବିସି ହାଇସ୍କୁଲରେ ପ୍ରଥମେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଥିଲା।  କିନ୍ତୁ କୌଣସି କାରଣ ଯୋଗୁଁ ୧୯୭୦ ମସିହା ପରେ ବନ୍ଦ ହୋଇ ଯାଇଥିଲା। ପରେ ୧୯୮୨ ମସିହାରେ ହରିହର ନନ୍ଦ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା। କିନ୍ତୁ ୨୦୦୫ ମସିହାରେ ଶିକ୍ଷକ ଅଭାବରୁ ପୁଣି ଥରେ ବନ୍ଦ ହୋଇ ଯାଇଥିଲା।

ରଣପୁର ମହୋତ୍ସବ-୨୦୨୩ ରେ ବିଶିଷ୍ଟ ଅତିଥି ଭାବେ ପୁରୀର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କମାଣ୍ଡିଂ ଅଫିସର କର୍ନେଲ ପ୍ରସନ୍ନ ପଣ୍ଡା ଯୋଗ ଦେଇ ରଣପୁରରେ ପୁଣି ଥରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ଆଜି ବାଘ ସାମନ୍ତ ପଡିଆ ଠାରେ ମୋଟ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶୁଭାରମ୍ଭ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର କଲେଜ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଭାଗ୍ୟଧର ସ୍ୱାଇଁ, ବିସି ହାଇସ୍କୁଲର ପୂର୍ବତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ହରିହର ନନ୍ଦ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ରାଜକିଶୋର ପଟ୍ଟନାୟକ, ସାମ୍ବାଦିକ ବ୍ରଜ ରଣସିଂହ, ରଘୁନାଥ ନାୟକ, ମାଧବ ଚନ୍ଦ୍ର ପ୍ରଧାନ, ଅଶ୍ୱିନୀ ତୋଟାଳ, ଶିକ୍ଷକ ଭବତୋଷ ପରମାଣିକ, ଶ୍ରଦ୍ଧାଞ୍ଜଳି ନନ୍ଦ, ସୋନୁ ଶତପଥୀଙ୍କ ସହ ରଣପୁର କଲେଜର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଏନସିସିର ମହାନିର୍ଦ୍ଦେଶକ

ଭୁବନେଶ୍ୱର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅତିବିଶିଷ୍ଟ ସେବା ମେଡ଼ାଲପ୍ରାପ୍ତ ମହାନିର୍ଦ୍ଦେଶକ (ଡିଜି,ଏନ୍‌ସିସି) ଲେଫ୍‌ଟନାଣ୍ଟ ଜେନେରାଲ ଗୁରୁବୀରପାଲ୍‌ ସିଂ ସଂପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ମନ୍ତ୍ରୀ ଶ୍ରୀ ପୂଜାରୀ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କାର୍ଯ୍ୟ ଏବଂ ଦେଶକୁ ଗଢ଼ିତୋଳିବା ପାଇଁ ସେମାନେ ନେଉଥିବା ବିଭିନ୍ନ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ନିର୍ଦ୍ଦେଶାଳୟ, ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାମାଜିକ, ରଚନାତ୍ମକ କାର୍ଯ୍ୟରେ ସଶକ୍ତ କରିବାରେ ଏବଂ ଦୁଃସାହସିକ କାର୍ଯ୍ୟକ୍ରମରେ ବଳିଷ୍ଠ ଭୂମିକା ନେବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଦେଶଭକ୍ତି, ନେତୃତ୍ୱ ଗ୍ରହଣ, ଦକ୍ଷତା ବିକାଶ, ସମାଜସେବୀ, ନିର୍ମଳ ପରିବେଶ, କ୍ରୀଡ଼ା ଓ ଲିଙ୍ଗଗତ ସମାନତା ପାଇଁ ଗ୍ରହଣ କରୁଥିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ବିଷୟ ନେଇ ବିଶଦ ଆଲୋଚନା ହୋଇଥିଲା।

ମହାନିର୍ଦ୍ଦେଶକ ଶ୍ରୀ ସିଂ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ରେଷ୍ଟ ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ବଲପୁର ଜିଲ୍ଲାରେ ପଞ୍ଚମ ଏନ୍‌ସିସି ନାଭାଲ୍‌ ୟୁନିଟ୍‌ ପ୍ରତିଷ୍ଠା ତଥା ମହାବିଦ୍ୟାଳୟରେ କ୍ୟାଡେଟ୍‌ ସଂଖ୍ୟା ବୃଦ୍ଧି ସଂପର୍କରେ ମହାନିର୍ଦ୍ଦେଶକଙ୍କ ସହ ବିଶଦ ଆଲୋଚନା କରିଥିଲେ। ଉକ୍ତ ପରିଦର୍ଶନ ସମୟରେ ଉପମହାନିର୍ଦ୍ଦେଶକ କମୋଡ଼ର ସୋମେନ୍‌ ବାନାର୍ଜୀ, କର୍ଣ୍ଣେଲ ସାଗର କେ. ମହାନ୍ତି ନିର୍ଦ୍ଦେଶକ, ଏନ୍‌ସିସି ନିର୍ଦ୍ଦେଶାଳୟ, ଓଡ଼ିଶା ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର

ଏଣିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରଚଳନ କରାଯିବ ଏନ୍‌ସିସି

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ପରିଚାଳିତ ୩୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ପ୍ରତି ଜିଲ୍ଲାରୁ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଚଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।