Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମଣିଷର ଶ୍ରେଷ୍ଠ ବନ୍ଧୁକୁ ମଧ୍ୟ ହୃଦ୍‌ଘାତ ହୁଏ, କିନ୍ତୁ ନୀରବରେ ସହିଯାଏ କଷ୍ଟ

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି। ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି, ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି। ଏହି ହୃଦ୍‌ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି।

କୁକୁରର ଆୟୁଷ ୧୨ ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି। ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର (ଡାକ୍ତର) ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି।

ଘରେ ରଖୁଥିବା ପୋଷା କୁକୁରଟି ଯଦି ହାଲିଆ ହେବା ପରି ଜଣାପଡ଼େ, ଠିକ୍ ଭାବେ ଚାଲି ନ ପାରେ, ଖାଇବାକୁ ଇଚ୍ଛା କରେ ନାହିଁ କିମ୍ବା ଡାକିଲେ ନ ଶୁଣେ ତେବେ ମାଲିକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ବୋଲି ସେ କହିଛନ୍ତି।

କୁକୁରଟିର ହୃଦ୍ ସମସ୍ୟା ଅଛି ବୋଲି ଜାଣିବା କଷ୍ଟକର ହୋଇଥିବାରୁ ତା’ର ନିୟମିତ ହୃଦ୍ ସମ୍ପର୍କିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍। ନୂତନ ଆଧୁନିକ ପରୀକ୍ଷଣ ପ୍ରକ୍ରିୟା ଦ୍ୱାରା ଏହି ସମସ୍ୟାକୁ ଚିହ୍ନଟ କରିହେବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। ବାର୍ତ୍ତମାନ କୁକୁରମାନଙ୍କର ଶରୀରରେ ପେସମେକର ମଧ୍ୟ ଲଗା ଯାଇପାରୁଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡାକ୍ତର ୱାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି। ଗୃହକର୍ତାମାନେ ମଧ୍ୟ ଗୃହପାଳିତ ପଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ବୁଝିବା ଉଚିତ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସମ୍ମିଳନୀକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ କୁକୁରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଆଇଭିଏସ୍‌ଏଏଚ୍ ଅନ୍ତର୍ଗତ ଭେଟେରିନାରୀ କ୍ଲିନିକାଲ୍ କମ୍ପଲେକ୍ସର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ତାମିଲନାଡୁ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ପଞ୍ଜାବ, ସିକିମ, ଉତରପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନାରୁ ୮ ଜଣ ବିଶେଷଜ୍ଞ ତଥା ୨୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ଚାରିଟି ଟେକ୍ନିକାଲ୍ ସେସନ୍‌ରେ ସମୁଦାୟ ୨୦ଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବ।

ଏହି ସମ୍ମିଳନୀକୁ ଆଇଭିଏସ୍‌ଏଏଚ୍ ପକ୍ଷରୁ ଡାକ୍ତର ସାଲିବାହାନ୍ ଚକ୍ରବର୍ତୀ, ପ୍ରଫେସର ବାନାମ୍ବର ଦାଶ, ପ୍ରଫେସର ରାଧାମୋହନ ନରେନ୍ଦ୍ର, ପ୍ରଫେସର ଧନଞ୍ଜୟ ଦାସ, ଆସିଷ୍ଟାଂଟ ପ୍ରଫେସର ବଳରାମ ସାହୁ, ଦେବେନ୍ଦ୍ର ବିଶ୍ୱାଳ, ବିକାଶ ଦାସ, ଆନାଲିସା ଦେବବର୍ମା ଓ ପ୍ରଜ୍ଞା ମହାପାତ୍ର ପରିଚାଳନା କରୁଛନ୍ତି।

Categories
ବିଶେଷ ଖବର

ଆଜି ଆୟୋଜିତ ହେବ ‘‘ନବମନ୍ତ୍ର: ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

ଭୁବନେଶ୍ଵର: ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆସନ୍ତା ୫ ତାରିଖରେ ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଯୋଗ ଦେବାକୁ ଥିବା ପ୍ରତିଭାଗୀମାନେ ଉଚ୍ଚସ୍ତରର ଉତ୍ପାଦକତା, ସବୁଜ ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶ ହାସଲ ନିମନ୍ତେ ନବସୃଜନକୁ ପ୍ରୋତ୍ସାହିତ କରିବା ଲାଗି ‘‘ନବମନ୍ତ୍ର’’ର ପ୍ରଭାବୀ କାର୍ଯ୍ୟକାରିତାକୁ ନେଇ ବିଚାରବିମର୍ଶ କରିବେ।

ଜାପାନର ଟୋକିଓ ସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌ ଉଦ୍ୟୋଗ ସହଯୋଗୀ ରହିଛି। ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥି ଏବଂ ପ୍ରସିଦ୍ଧ ବକ୍ତାମାନେ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ବକ୍ତାମାନେ ସେମାନଙ୍କର ଦୃଷ୍ଟିକୋଣ ଏବଂ ଅନୁଭୂତି ବ୍ୟକ୍ତ କରିବେ। ଉତ୍ପାଦକତାର ସାମାଜିକ, ଆର୍ଥିକ ଓ ଶିଳ୍ପଗତ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇ ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

ନେସନାଲ ସେଣ୍ଟର୍‌ ଫର ଗୁଡ୍‌ ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ଭରତ ଲାଲଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କ ସମୂହ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ଉତ୍ପାଦକତାରେ ପ୍ରଶାସନର ଭୂମିକା ଏବଂ ଆର୍ଥିକ ବିକାଶ ଉପରେ ଆଲୋକପାତ କରିବେ। ଏନପିସିର ମହାନିର୍ଦ୍ଦେଶକ ସନ୍ଦୀପ କୁମାର ନାୟକ, ଅବସରପ୍ରାପ୍ତ ଆଇଏଏସ ତଥା ଆଇପିଏଲ୍‌ ସେଣ୍ଟର ଫର୍‌ ଆଉଟ୍‌ରିଚ୍‌ର ନିର୍ଦ୍ଦେଶକ ଡକ୍ଟର ରାଜୀବ ରଞ୍ଜନ ଏଥିରେ ଅଂଶଗ୍ରହଣ କରି ସବୁଜ ଉତ୍ପାଦକତା, ଦୀର୍ଘସ୍ଥାୟିତ୍ୱ ଏବଂ ସବୁଜ ବିକାଶ ଉପରେ ବିଚାର ଆଲୋଚନା କରିବେ।

ସମ୍ମିଳନୀ ଅବସରରେ ‘‘ଦୀର୍ଘସ୍ଥାୟୀ ଅଭ୍ୟାସ’’ ଉପରେ ବୈଷୟିକ ଅଧିବେଶନ ଏବଂ ସାମାଜିକ, ଆର୍ଥିକ ଓ ଶିଳ୍ପ ବିକାଶ ଉପରେ ପାନେଲ ଆଲୋଚନା ଅନୁଷ୍ଠିତ ହେବ। ଦୀର୍ଘସ୍ଥାୟୀ ବିକାଶ ପ୍ରୟାସ, ଆର୍ଥିକ ବିକାଶ ରଣନୀତି, ନିଯୁକ୍ତି ସୃଷ୍ଟି, ସାମାଜିକ ସମାବେଶିତା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯିବ। ଏହାବ୍ୟତୀତ ‘‘ଉଚ୍ଚ ଉତ୍ପାଦକତାର ବାହକ ଏବଂ ବାଧକ’’ ଉପରେ ପାନେଲ ଆଲୋଚନା କରାଯାଇ ସମସ୍ୟା ଦୂର କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ରଣନୀତି ଚୂଡ଼ାନ୍ତ କରାଯିବ।

ଉଦଯାପନୀ ଅଧିବେଶନରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ବିଶିଷ୍ଟ ବକ୍ତମାନେ ଯୋଗ ଦେବେ। ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏହି ସମ୍ମିଳନୀ ପେସାଦାର, ନୀତି ନିର୍ମାତା, ଶିଳ୍ପ ବିଶେଷଜ୍ଞ ଏବଂ ଗୋଷ୍ଠୀ ନେତୃବର୍ଗଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ନେଟୱର୍କିଂ ଏବଂ ସହଭାଗିତା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେବ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଶିଳ୍ପ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ ଅନ୍ତର୍ଗତ ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ନବମନ୍ତ୍ର ଆଭିମୁଖ୍ୟର ଶୁଭାରମ୍ଭ କରାଯାଇଛି। ପାଞ୍ଚଟି ବିଷୟବସ୍ତୁ କ୍ଷେତ୍ର ଏବଂ ଚାରିଟି ଭୌଗଳିକ କ୍ଷେତ୍ରକୁ ମିଶାଇ ସ୍ୱାବଲମ୍ବୀ ଭାରତ ପାଇଁ ନଅଟି ଲକ୍ଷ୍ୟ ଆଧାରିତ ଦୃଷ୍ଟିକୋଣକୁ ‘‘ନବମନ୍ତ୍ର’’ କୁହାଯାଉଛି। ବିଷୟବସ୍ତୁ କ୍ଷେତ୍ରଗୁଡ଼ିକ ହେଲା, ଯୁବ ଓ ଉତ୍ପାଦକତା, ମହିଳା ଓ ଉତ୍ପାଦକତା, କୃଷି ଓ ସମବାୟ ଏବଂ ଉଦ୍ୟୋଗ ସହଭାଗିତା। ଦେଶରେ ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ଲାଗି ୨୮ଟି ସ୍ଥାନୀୟ ଉତ୍ପାଦକତା ପରିଷଦ ସହିତ ମିଶି ଏନପିସି ଲକ୍ଷ୍ୟ ଆଧାରିତ କାର୍ଯ୍ୟ ଜାରି ରହିଛି।

Categories
ବିଶେଷ ଖବର

ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀ ଠାରେ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଥିଲା ଯାହାକି ଦେଶର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପର୍ଯ୍ୟାୟ ଦେଶକୁ ନିରନ୍ତର ବିକାଶ ଏବଂ ଅବିରାମ ପ୍ରଗତି ପଥରେ ଆଗେଇ ନେଇଥିଲା। ମେଣ୍ଟ ସରକାରକୁ ବିକାଶ ପାଇଁ ଏକ ବାଧକ ବୋଲି ଅଭିହିତ କରି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଭାରତରେ ଏକ ସ୍ଥିର ସରକାର ପ୍ରତିଷ୍ଠା ହୋଇଥିଲା। ସଂସଦରେ ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। ସେ ଆହୁରି କହିଥିଲେ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମନ କୀ ବାତ ଜରିଆରେ ଜନସାଧାରଣଙ୍କ ସହିତ ବ୍ୟକ୍ତିଗତ ଭାବେ ମତବିନିମୟ କରିବା ଲାଗି ଏକ ପ୍ରୟୋଗ କରିଥିଲେ। ଏହି ପ୍ରୟୋଗର ଆଉ ଏକ ପରିଣାମ ମିଳିଥିଲା, ତାହା ହେଉଛି ଯୋଗାଯୋଗର ପୁରାତନ ମାଧ୍ୟମ ରେଡିଓ ପୁଣିଥରେ ଲୋକଲୋଚନକୁ ଆସିପାରିଥିଲା।

ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ହୋଇଥିବାରୁ ଏହି ମାସିକ ରେଡିଓ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ୧୦୦ ଅଧ୍ୟାୟ ପୂରଣ କରିବା ବାସ୍ତବରେ ପ୍ରଶଂସନୀୟ। ସେ ମନ କୀ ବାତକୁ ଆମ ସଭ୍ୟତାଗତ ଆଦର୍ଶର ଏକ ପ୍ରତିଫଳନ ଭାବେ ଅଭିହିତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ଅଧ୍ୟାୟଗୁଡ଼ିକ ବିଷରେ ଆଲୋଚନା କରି ଉପରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ନାରୀ ଶକ୍ତିଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ସମୟ ଏବଂ ମହିଳାମାନେ ସଫଳତାର ନୂଆ ଶିଖର ଛୁଇଁପାରୁଛନ୍ତି। ଆମର ରାଷ୍ଟ୍ରପତି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିବାସୀ ମହିଳା। ସାଂସ୍କୃତିକ ଭାବେ ସମୃଦ୍ଧ ଦେଶ ନିଜର ଯୋଗଦାନକୁ ଭୁଲି ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପୁଣିଥରେ ସେହି ଭାବନାକୁ ଜାଗ୍ରତ କରିବା ପ୍ରଶଂସାଯୋଗ୍ୟ ବୋଲି ଉପରାଷ୍ଟ୍ରପତି କହିଥିଲେ।

ଶ୍ରୀ ଧନଖଡ଼ କହିଥିଲେ ଯେ ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେହି ସମୟରେ ଭାରତ@୧୦୦ର ସ୍ଥିତି କ’ଣ ହେବ ସେଥିପାଇଁ ମନ କୀ ବାତ୍‌ @୧୦୦ ଜରିଆରେ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇଛି। ଦେଶରୁ ନକାରାତ୍ମକ ଭାବନା ଦୂର କରିବା ଓ ସକାରାତ୍ମକତା ଜାଗ୍ରତ କରିବାରେ ଏହି କାର୍ଯ୍ୟକ୍ରମର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏପରି ସମୟ ଥିଲା ଭାରତ ଆଶା ହରାଇଥିଲା ଏବଂ ବିଶ୍ୱବ୍ୟାପୀ ଆମର ଛବି ମଳିନ ପଡ଼ିଯାଇଥିଲା, କିନ୍ତୁ ଏବେ ଭାରତ କିଭଳି ଶୀର୍ଷ ଛୁଇଁପାରିଛି ତାହା ଆମେ ସମସ୍ତେ ଦେଖିପାରୁଛୁ।

ଅତି କମ ସମୟ ମଧ୍ୟରେ ମନ କୀ ବାତ୍‌ କାର୍ଯ୍ୟକ୍ରମ ସ୍ଥାନୀୟ କାରୀଗର, ପ୍ରତିଭା ଓ କୌଶଳକୁ ପ୍ରସିଦ୍ଧି ଦେଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭାଜିତ ଦେଶ ନିଜ ପ୍ରତିଭାକୁ ଉପଯୋଗ କରିବାକୁ ସକ୍ଷମ ହେନଥିବା ସମୟରେ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ଜାଗ୍ରତ କରିପାରିଛି। ଏହା ଜନଆନ୍ଦୋଳନର ଏକ ଅଗ୍ରଦୂତ ଯାହାର ଉଦାହରଣ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ୱାନ ସମୟରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଆମ ଜନସାଧାରଣଙ୍କ ମଧ୍ୟରେ ଆଶାଆକାଂକ୍ଷା ଜାଗ୍ରତ କରିବା ସହିତ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିଥିବା ଉପରାଷ୍ଟ୍ରପତି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ନେଇ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତର ସାଧାରଣ ଜନତାଙ୍କ ସଫଳତାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏଥିପାଇଁ ଚୟନ କରାଯାଇଥିବା ମାଧ୍ୟମ ପ୍ରକୃତରେ ଏକ ଗଣମାଧ୍ୟମ।

ମନ କୀ ବାତର ବିଭିନ୍ନ ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା ୧୦୬ ଜଣ ଅତିଥିମାନଙ୍କର ଉପସ୍ଥିତି ପାଇଁ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ ମନ କୀ ବାତର ୯୯ଟି ଅଧ୍ୟାୟରେ ୭୦୦ରୁ ଅଧିକ ଲୋକ ଏବଂ ସଂଗଠନର ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି। ସରକାର ଖେଲୋ ଇଣ୍ଡିଆ ଅଭିଯାନ ଜରିଆରେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଥିବା ବେଳେ ମନ କୀ ବାତ୍‌ ସେମାନଙ୍କର ସଫଳତାକୁ ଦେଶର ଘରେ ଘରେ ପହଞ୍ଚାଇ ପାରିଛି।

ମନ କୀ ବାତ୍‌ ଜନସାଧାରଣଙ୍କ ବ୍ୟବହାରକୁ ପ୍ରଭାବିତ କରିବା ଲାଗି ଏକ ବ୍ୟବସ୍ଥା ଭାବେ କାମ କରିଛି ବୋଲି ଆଇଆଇଏମ ରୋହତକର ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନିଜ ଛୋଟ ଝିଅର ଅଙ୍ଗଦାନ କରିଥିବା ଏକ ଦମ୍ପତିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ ଯାହାକି ଦେଶର ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଥିଲା।

ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିବା ସମୟରେ ଆମେ ଦେଶର ଛୋଟ ଛୋଟ ସ୍ଥାନରେ ପ୍ରସ୍ତୁତ ଉପହାର ବିଦେଶୀ ଅତିଥିମାନଙ୍କୁ ଦେଇଥାନ୍ତି, ଏହା ଭାରତର କୋଣଅନୁକୋଣରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱସ୍ତରରେ ପରିଚିତି ଓ ପ୍ରସିଦ୍ଧି ଦେଇଥାଏ। ବିଶ୍ୱବ୍ୟାପୀ କରାଯାଇଥିବା ଏକାଧିକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ମାନ୍ୟତା ମିଳିଛି, ଏହା କେବଳ ମନ କୀ ବାତ୍‌ ଭଳି କାର୍ଯ୍ୟକ୍ରମ କାରଣରୁ ହୋଇପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ନିକଟରେ ଆପ୍‌ଲ୍‌ ସିଇଓ ଟିମ୍‌ କୁକ୍‌ ଭାରତ ଗସ୍ତରେ ଆସିଥିବା ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆଜି ସାରା ବିଶ୍ୱ ଭାରତକୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହୁଁଛି ଏବଂ ଏହାର ଅର୍ଥବ୍ୟବସ୍ଥା ବୈଶ୍ୱିକ ନିରାଶା ସମୟରେ ଆଶାର ଏକ ଆଲୋକବର୍ତ୍ତିକା ସାଜିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯକ୍ରମ ପାଇଁ ଦେଶବାସୀଙ୍କ ଠାରୁ ମତାମତ ଲୋଡ଼ିଥାନ୍ତି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମନ କୀ ବାତର ମାତ୍ର ୧୫ଟି ଅଧ୍ୟାୟ ପାଇଁ  ୬୧ ହଜାର ମତାମତ ମିଳିଥିଲା। ୨୦୧୭ରେ ଏହି କାର୍ଯ୍ୟକ୍ରମ ଅଧିକ ସମ୍ପ୍ରସାରିତ ହୋଇଥିଲା ଏବଂ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ପ୍ରସାରଣ କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ୧୦୬ ଜଣ ସଫଳ ବ୍ୟକ୍ତିବିଶେଷ ଯୋଗ ଦେବା ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ ସହଭାଗିତା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହାକି ସାମାଜିକ ପରିବର୍ତ୍ତନର ଏକ ବାହକ। ଲୋକମାନଙ୍କୁ ଅନୁପ୍ରାଣିତ କରିବା ଓ ସଶକ୍ତ କରିବା ଲାଗି ମନ କୀ ବାତର ସାମାଜିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ। ଆକାଶବାଣୀର ଇତିହାସରେ ମନ କୀ ବାତ୍‌ ସବୁଠାରୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ହୋଇପାରିଛି ବୋଲି ସେ କହିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼, ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ମନ କୀ ବାତ୍‌ର ଯାତ୍ରା ବିଷୟରେ ଉଲ୍ଲେଖ କରୁଥିବା ‘ମନ କୀ ବାତ୍‌ ଆଟ୍‌ ୧୦୦ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହାଛଡ଼ା ପ୍ରସାରଣ ଭାରତୀର ପୂର୍ବତନ ସିଇଓ ଏସ.ଏସ ଭେମ୍ପତିଙ୍କ ରଚିତ ପୁସ୍ତକ ‘କଲେକ୍ଟିଭ୍‌ ସ୍ପିରିଟ୍‌, କଂକ୍ରିଟ୍‌ ଆକ୍ସନ’କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଜନସାଧାରଣଙ୍କ ସହିତ ସାମାଜିକ, ଆର୍ଥିକ, ପରିବେଶ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଫିଟନେସ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ଦିନିକିଆ କାର୍ଯ୍ୟକ୍ରମରେ ନାରୀ ଶକ୍ତି, ବିରାସତ କା ଉଠାନ, ଜନ ସମ୍ବାଦ ସେ ଆତ୍ମନିର୍ଭରତା ଓ ଆହ୍ୱାନ ସେ ଜନ ଆନ୍ଦୋଳନ ଆଦି ବିଷୟବସ୍ତୁ ଉପରେ ଚାରିଟି ଅଧିବେଶନ ଆୟୋଜନ କରାଯାଉଛି।

ସୂଚନା ଯୋଗ ଯେ ୩୦ ଏପ୍ରିଲ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପ୍ରସାରଣ କରାଯିବ।

Categories
ବିଶେଷ ଖବର

ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଆଜି ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ରାଜ୍ୟ ସହ ସହଭାଗିତାରେ ଦ୍ରୁତ ତଥା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀ ମାଧ୍ୟମରେ ଏହା କହିବାକୁ ଚେଷ୍ଟା କରାଯାଉଛି କି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଭାରତର ବିକାଶ ତଥା ପ୍ରଗତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ, ଯାହା ସହଯୋଗୀ ସଂଘର ଏକ ଅତ୍ୟାବଶ୍ୟକ ସ୍ତମ୍ଭ ଅଟେ।

ମୁଖ୍ୟ ସଚିବଙ୍କ ଏହା ହେଉଛି ଦ୍ୱିତୀୟ ସମ୍ମିଳନୀ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩ ଦିନ ଚାଲିବ। ପ୍ରଥମ ଏଭଳି ସମ୍ମିଳନୀ ଜୁନ୍ ୨୦୨୨ରେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ବିବୃତ୍ତିରେ କୁହାଯାଇଛି ଯେ, ଜାନୁଆରୀ ୫ ତାରିଖ ୨୦୨୩ରୁ ଆରମ୍ଭ ହୋଇଥିବା ମୁଖ୍ୟ ସଚିବମାନଙ୍କର ଦ୍ୱିତୀୟ ସମ୍ମିଳନୀରେ ରାଜ୍ୟଗୁଡ଼ିକର ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ହାସଲ ଉପରେ କେନ୍ଦ୍ରର ଧ୍ୟାନ ଦିଆଯିବ। ଏହି ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବର୍ଷ ପୂର୍ବେ ଏହି ସମ୍ମିଳନୀ କରିଥିଲେ, ଯାହା ଜୁନ୍ ୨୦୨୨ରେ ଧର୍ମଶାଳାରେ ପ୍ରଥମ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ଚଳିତ ବର୍ଷ ଜାତୀୟ ସଚିବଙ୍କ ଜାତୀୟ ସମ୍ମିଳନୀ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧୀ, ମୁଖ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ତଥା ଡୋମେନ୍ ବିଶେଷଜ୍ଞଙ୍କ ସମେତ ୨୦୦ ରୁ ଅଧିକ ଅମଲାତନ୍ତ୍ର ଅଂଶଗ୍ରହଣ କରୁଛନ୍ତି।

ପିଏମଓ ପକ୍ଷରୁ କୁହାଯାଇଛି ଯେ, ଏହି ସମ୍ମିଳନୀରେ ଏମଏସଏମଇ, ଭିତ୍ତିଭୂମି, ଅନୁପାଳନ ହ୍ରାସ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଦକ୍ଷତା ବିକାଶ ଭଳି ୬ ଟି ବିଷୟ ଉପରେ ଆଲୋଚନା କରାଯାଇଛି।

ବିବୃତ୍ତି ଅନୁଯାୟୀ, ମୁଖ୍ୟ ସଚିବମାନଙ୍କ ଏହି ସମ୍ମିଳନୀ ନିଶ୍ଚିତ ଭାବରେ ୩ ଦିନ ହେବ, କିନ୍ତୁ ଗତ ୩ ମାସ ଧରି ସରକାରଙ୍କ ପ୍ରମୁଖ ମନ୍ତ୍ରଣାଳୟ, ନୀତି ଆୟୋଗ, ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଏହି ବିଷୟ ସହ ଜଡିତ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଚାଲିଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବାୟୁ–ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଉଦଯାପିତ

ଭୁବନେଶ୍ବର: କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ‘ବାୟୁ-ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ଜାତୀୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଛି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍-୨ ଅଡିଟୋରିୟମରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ସାଂପ୍ରତିକ ସମୟରେ ବାୟୁ ପ୍ରଦୂଷଣ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଥିଲେ। ଏହି ସମସ୍ୟାର ସମଧାନ କରି ପ୍ରକୃତିର ସୁରକ୍ଷା କରିବା ନିମନ୍ତେ ଯୁବ ପିଢ଼ିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଓ ସେମାନେ ପ୍ରକୃତି ସହ ଅଧିକ ରୂପେ ଜଡ଼ିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମତି ଷଡ଼ଙ୍ଗୀ କହିଥିଲେ ଯେ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକଙ୍କ ମତାମତଠୁ ନେଇ ଏହି ବିଷୟରେ ପ୍ରାଚୀନ ଶାସ୍ତ୍ର ର ମନ୍ତବ୍ୟ ବିଷୟରେ ଆଲୋଚନା ହୋଇଛି। ଏହା ଦ୍ଵାରା ପରିବେଶ ସୁରକ୍ଷା ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି ହୋଇପାରିଛି। ସମ୍ମିଳନୀରୁ ଉତ୍ପନ୍ନ ପରାମର୍ଶଗୁଡିକ ଠିକ ଭାବରେ ବିଚାର କରାଯାଇ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯାଇପାରିବ। ଗତ ଡିସେମ୍ବର ୧ ରୁ ଭାରତ ଜି-୨୦ ର ସଭାପତି ଦାୟିତ୍ଵ ତୁଲାଊଥିବା ପ୍ରକାଶ କରି ଏହି ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନ ବିଷୟକୁ ଅନେକ ଗୁରୁତ୍ବ ଦେଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବାୟୁ ଏବଂ ପରିବେଶର ବିଭିନ୍ନ ଦିଗ ଉପରେ ସରକାରୀ ସଂଗଠନଗୁଡ଼ିକ ଦ୍ବାରା ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ବାୟୁ ଗୁଣବତ୍ତା ବିଶେଷଜ୍ଞ, ଛାତ୍ରଛ।ତ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସହରର ମ୍ୟୁନିସିପାଲିଟି କମିଶନର, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୨୩ରେ ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ଗୁଜରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ।

ସଂଘୀୟ ସହଯୋଗ ବ୍ୟବସ୍ଥାକୁ ଆଗେଇ ନେବା ତଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଡକାଯାଇଛି। ନୀତିଗୁଡିକ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ, ପରିବେଶ ପାଇଁ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ରାଜ୍ୟର କାର୍ଯ୍ୟାନ୍ୱୟନ ଯୋଜନା ଇତ୍ୟାଦି ଅନ୍ତର୍ଭୁକ୍ତ। ଅନୁର୍ବର ଜମିର ପୁନରୁଦ୍ଧାର ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଜଙ୍ଗଲ ସୀମା ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯିବ।

୨୩ ଓ ୨୪ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଛଅଟି ଅଧିବେଶନ ରହିଛି। ଏଥିରେ ଆଲୋକପାତ କରାଯାଉଥିବା ବିଷୟଗୁଡିକ ମଧ୍ୟରେ ରହିଛି ଏଲଆଇଏଫଇ ପରିବେଶ ଭିତ୍ତିକ ଜୀବନ ଶୈଳୀ) ଜଳବାୟୁ ପରିବର୍ତ୍ତନର ମୁକାବିଲ, ପରିବେଶ (ସମନ୍ୱିତ ସବୁଜ ସ୍ୱୀକୃତୀ ପାଇଁ ଏକକ ଗବାକ୍ଷ ପଦ୍ଧତି), ଜଙ୍ଗଲ ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ, ବନ୍ୟପ୍ରାଣୀ ପରିଚାଳନା, ପ୍ଲାଷ୍ଟିକ ଓ ବର୍ଜ୍ୟ ପରିଚାଳନା ଇତ୍ୟାଦି।