Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ବ

ଭୁବନେଶ୍ୱର: ଏହାର ପ୍ରଥମ ଦଶନ୍ଧିର ଚମତ୍କାର ଯାତ୍ରାର ସଫଳ କାହାଣୀରେ ଚଳିତ ମାସ ଏମ୍ସ ଭୁବନେଶ୍ବର ପାଇଁ ଜାତୀୟ ସ୍ତରରେ ଆଣି ଦେଇଛି କୃତିତ୍ବପୂର୍ଣ୍ଣ ଖବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି।

ଏମ୍ସ ଭୁବନେଶ୍ୱର ପିଏମଆର (ଫିଜିକାଲ ମେଡିସିନ୍ ଏବଂ ପୁନର୍ବାସ) ବିଭାଗର ଜୁନିୟର୍ ରେସିଡେଣ୍ଟ୍ ଡ. ଦେବାଞ୍ଜନ ବରାଳ ଏବଂ ଡ. ସୌଭିକ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍ ଏମ୍ସ ନାଗପୁରରେ ଅନୁଷ୍ଠିତ ଆଇଏପିଏମ୍ଆର (ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିକାଲ୍ ମେଡିସିନ୍ ଏବଂ ପୁନର୍ବାସ)ର ମିଡ୍ଟର୍ମ ସିଏମ୍ଇରେ ଆୟୋଜିତ କୁଇଜ୍ (ଅଫଲାଇନ୍ ମୋଡ୍) ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜାତୀୟସ୍ତରୀୟ କୁଇଜ୍ରେ କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ଏମ୍ସ ଭୁବନେଶ୍ବର ପିଆରଏମ୍ର ଟିମ୍ ଚାମ୍ପିଅନ୍ ହୋଇ ଇତିହାସ ସୃଷ୍ଟି କରିଛି। ଚଳିତ ବର୍ଷ ଆଇଏପିଏମ୍ଆର ଏହାର ୫୦ତମ ଗୌରବମୟ ବର୍ଷ ପାଳନ କରୁଛି।

ଉଲ୍ଲେଖଯୋଗ୍ୟଯେ ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀରେ ଅନୁଷ୍ଠିତ ଏହି ଜାତୀୟ କୁଇଜ୍ ପ୍ରତିଯୋଗିତା (ଅନ୍ଲାଇନ)ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏମ୍ସ ଭୁବନେଶ୍ବର।
ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. କୌଶିକ ମହାଦିକ ଏବଂ ଡ. ଏମ୍ ବିଷ୍ଣୁ ସ୍ବରୂପ ରେଡ୍ଡୀଙ୍କୁ ନେଇ ଗଠିତ ଟିମ୍ ପୁନେସ୍ଥିତ ପ୍ରତିଷ୍ଠିତ ବିଜେ ସରକାରୀ ମେଡିକାଲ୍ କଲେଜ୍ ଏବଂ ସାଶୁନ୍ ଜେନେରାଲ୍ ହସ୍ପିଟାଲ୍ ପକ୍ଷରୁ ଭାସ୍କୁଲାର ଆକ୍ସେସ୍ ଅନ୍ ହେମୋଡାୟଲିସିସ୍ – ୨୦୨୨ ସନ୍ଦର୍ଭରେ ଆୟୋଜିତ ତୃତୀୟ ଜାତୀୟ ସିଏମ୍ଇରେ ମଧ୍ୟ ପ୍ରଥମ ପୁରସ୍କାର ଲାଭ କରିଛନ୍ତି।

ସେହିଭଳି, ଏମ୍ସର ଫୁସ୍ଫୁସ୍ ଓ ଯକ୍ଷ୍ମା ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. ଦେବୋପମ୍ ଚାଟ୍ଟାର୍ଜୀ ଏବଂ ଡ. ରୋହିତ ଶିରଗାଓଁକାର ପଲ୍ମୋକନ୍-୨୦୨୨ ଜାତୀୟ କୁଇଜ୍ରେ ପ୍ରଥମେ ସ୍ଥାନ ଅଧିକାର କରି କୃତିତ୍ବ ହାସଲ କରିଛନ୍ତି। କୋଲକାତାସ୍ଥିତ ସିଆଇଆଇ ସୁରେଶ ନେଟିଆ ସେଣ୍ଟରରେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲ୍ମୋକେୟାର ଏବଂ ରିସର୍ଚ୍ଚ ଦ୍ୱାରା ଆୟୋଜିତ ୨୦ତମ “ପଲ୍ମୋନାରୀ ମେଡିସିନ୍ର ବାର୍ଷିକ” କାର୍ଯ୍ୟକ୍ରମ ଅବସରରେ ଏହା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ସମସ୍ତ କୃତି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଜି ନିଜ କାର୍ଯ୍ୟାଳୟରେ ବିଭାଗୀୟ ମୁଖ୍ୟଙ୍କ ସହିତ ସେମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ବରର ଗୌରବ ବୃଦ୍ଧି ନିମନ୍ତେ ଛାତ୍ରଛାତ୍ରୀମାନେ ଏହିପରି ନିଷ୍ଠାପର ଉଦ୍ୟମ ଜାରି ରଖିବାକୁ ଆହ୍ବାନ କରିଥିଲେ ଡ. ବିଶ୍ବାସ। ଉଲ୍ଲେଖଯୋଗ୍ୟଯେ ଉପରୋକ୍ତ ତିନି ଜାତୀୟ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ସଂଖ୍ୟାଧିକ ସରକାରୀ ଏବଂ ଘରୋଇ ମେଡିକାଲ୍ କଲେଜ୍ ଏବଂ ଏମ୍ସ ଭଳି ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଡିନ୍ (ଏକାଡେମିକ୍) ଡ. ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରି, ପିଏମ୍ଆର ବିଭାଗୀୟ ମୁଖ୍ୟ ଡ. ଜଗନ୍ନାଥ ସାହୁ ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ସଫଳ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Categories
ଆଜିର ଖବର ମନୋରଂଜନ

ଜାତୀୟ ସ୍ତରର ଏକ ଆଦର୍ଶ ପ୍ରତିଭା ବିଭାଗରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ ରାମେଶ୍ୱରୀ ନନ୍ଦ

ଭୁବନେଶ୍ବର: ଓଡିଶାକୁ ସାରା ଦେଶରେ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବା ଓ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବାର ଏକ ଅନନ୍ୟ ଉପଲବ୍ଧି ଅଧିକାରିଣୀ ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ୨୦୨୦ ମସିହାରେ ମୁମ୍ବାଇ ଗ୍ଲାବାଲ ଇଣ୍ଡିଆ ପାଇଁ ଓଡ଼ିଶାକୁ ପ୍ରତିନିଧିତ୍ଵ କରି ବ୍ରାଣ୍ଡ ଅମ୍ବାଶୋଡ଼ର ହେବା ସହ ମହାତ୍ମା ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ମସିହାର ଓଡିଶା ଏପିଟମ ଆୱାର୍ଡକୁ ବ୍ରହ୍ମପୁର ଗୋପଲପୁରରେ ଆୟୋଜନ କରି ଅନେକ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ଦିଗରେ କଳାଞ୍ଜଳୀ ଅନୁଷ୍ଠାନ ଏକ ସ୍ୱତନ୍ତ୍ରତା ହାସଲ କରି ପାରିଛି।

ଏହା ସହ କୋଭିଡର ଦ୍ଵିତୀୟ ଲହରୀ କାଳରେ ହଜାର ହଜାର ଲୋକଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରି ସେ ସମାଜ ସେବା ସହ ଏକ ସୁନ୍ଦର ହୃଦୟାବନ ନାରୀ ଭାବରେ ସାରା ଓଡ଼ିଶାରେ ଆଜି ଏକ ନୁଆଁ ପରିଚୟର ଅଧିକାରୀଣି ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ ଚଳିତ ବର୍ଷ ଜି-ଟାଉନ ନାମକ ଏକ ଜାତୀୟ ପତ୍ରିକାରେ ସଦ୍ୟ ପ୍ରକାଶିତ ସଂସ୍କରଣରେ ଜାତୀୟ ସ୍ତରରେ ଓଡ଼ିଶାରୁ ଏକ ମାତ୍ର ଝିଅ ଭାବରେ ପ୍ରତିନିଧିତ୍ଵ କରିବା ସହ ଆଗାମୀ ଦିନ ମାନଙ୍କରେ ଏହାର କଭର ପେଜରେ ସ୍ଥାନିତ ହେବାକୁ ଯାଉଛି ଓଡ଼ିଆ ଝିଅ ବ୍ରହ୍ମପୁର ସହର ବୋହୁ ରାମେଶ୍ୱରୀ।

କେବଳ ଏତିକି ନୁହେଁ ଦେଶର ରାଜଧାନୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସେବା ଅନୁଷ୍ଠାନ ତରଫରୁ ଏସିଆ ପେସିଫିକ ଆୱାର୍ଡ ବିଶିଷ୍ଠ ଅଭିନେତ୍ରୀ ଅମିଶା ପଟେଲଙ୍କର କରକମଳରୁ ଗ୍ରହଣ କରି ଏକ ପୁନଃ ବ୍ରହ୍ମପୁର ମାଟି ପାଇଁ ଏକ ଅନନ୍ୟ ଉପଲବ୍ଧିକୁ ଆଣିଦେଇ ପାରିଛନ୍ତି ଶ୍ରୀମତୀ ନନ୍ଦ। ଏହା ସହ ଚଳିତ ବର୍ଷ ସେ ଏବଂ ତାଙ୍କର ଅନୁଷ୍ଠାନ କଳାଞ୍ଜଳୀ ଆର୍ଟିଷ୍ଟ୍ରି ଟ୍ରଷ୍ଟ ତରଫରୁ ଏକ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତା ସହ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ପୁନଃ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ବିଶ୍ଵଦରବାରେ ଓଡ଼ିଆଙ୍କୁ ପ୍ରତିନିଧିତ୍ଵ କରିବାର ଏକ ସୁଯୋଗ ବୋଲି କହିଛନ୍ତି ରାମେଶ୍ୱରୀ।

ତେବେ ଆଜି ତାଙ୍କର ସଫଳତା ପାଇଁ ତାଙ୍କର ସ୍ୱାମୀ ଅର୍ଦ୍ଧେନ୍ଦୁ ଶେଖର ପଣିଗ୍ରାହୀ ସମେତ ତାଙ୍କର ପରିବାର ବନ୍ଧୁ ତଥା ସହକର୍ମୀଙ୍କର ଅଶୀର୍ଵାଦ ଏବଂ ପ୍ରେରଣା ପାଇଁ ଆଜି ଏ ସବୁ ସମ୍ଭବ ହୋଇପାରିଛି ବୋଲି ଶ୍ରୀମତୀ ନନ୍ଦ କହିଛନ୍ତି।

ଏହି ଅବସରରେ ସିନେ ନିର୍ଦ୍ଦେଶକ ଓ ଓଡ଼ିଶା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡଃ ଶ୍ବେତ କୁମାର ଦାସ, କଳାଞ୍ଜଳୀ ଆର୍ଟିଷ୍ଟର ପ୍ରତିଷ୍ଠାତ୍ରୀ ରାମେଶ୍ବରୀ ନନ୍ଦ, ଜାତୀୟ ଫ୍ୟାସନ କୋରିଓଗ୍ରାଫର ମନପ୍ରୀତ କୌର, ମିସେସ୍ ଓଡ଼ିଶାର ବିଜେତା ଶିଖା ଗାୟତ୍ରୀ, ସନ୍ୟା ଗାହିର, ପ୍ରଲୁବ୍ଧା ଦାସ, ରଶ୍ମିତା ଧନ୍ୟବାଦ, ମିସେସ ଓଡ଼ିଶାର ୨ୟ ରନର୍ସ ଅପ୍ ଲୀନା ସ୍ବାଇଁ ସମେତ ଜାତୀୟ ସ୍ତରରେ ପ୍ରଶଂସିତ ମେକଅପ୍ ଆର୍ଟିଷ୍ଟ ବିଜୟ ଲକ୍ଷ୍ମୀ ଦାସ, ବିଷ୍ନୁପ୍ରିୟା ନନ୍ଦ, ଶୁଭ ଲକ୍ଷ୍ମୀ ପାଢ଼ୀ, ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ଜାତୀୟ ସ୍ତରରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି। ଗୁରୁବାର ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟଇ) ପକ୍ଷରୁ ସୋଆକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କୋଭିଡ-୧୯ ମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ୧୨ଟି ବିଭିନ୍ନ କାଟେଗୋରୀରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ ଉପସ୍ଥିତ ଥିଲେ।

ଶ୍ରୀ ପୋଖରିଆଲ୍ ବିଭିନ୍ନ କାଟେଗୋରୀରେ ପୁରସ୍କୃତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ନେଇ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ସମାଜର ଆବଶ୍ୟକତା ପ୍ରତି ଯତ୍ନଶୀଳ ହେଲେ ଆମର ଭୂମିକା ମହତ୍ୱପୂର୍ଣ୍ଣ ହୋଇଥାଏ।”

କରୋନା ମହାମାରୀକୁ ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଡାକ୍ତର, ନର୍ସ ଓ ଫାକଲ୍ଟିମାନେ ଭୁବନେଶ୍ୱର ସହର ଏବଂ ଏହାର ନିକଟବର୍ତୀ ଗ୍ରାମ ଗୁଡ଼ିକରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ଲୋକମାନେ କିଭଳି ଠିକ୍ ଭାବେ ହାତ ଧୋଇବେ, ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେ ନେଇ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ମାସ୍କ, ଫେସ୍‌ସିଲ୍ଡ, ପିପିଇ ଏବଂ ସାନିଟାଇଜର ବିପୁଳ ଭାବେ ପ୍ରସ୍ତୁତ କରାଯାଇଥିଲା। ଲକ୍ ଡାଉନ୍ ସମୟରେ ଶୁଖିଲା ଓ ରନ୍ଧା ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦ୍ରବ୍ୟ ସୋଆ ନିକଟବର୍ତ୍ତୀ ଅଂଚଳରେ ବଂଟନ କରାଯାଇଥିଲା ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା, ସୋଆ କମ୍ୟୁନିଟି ରେଡିଓ ଏବଂ ବିଭିନ୍ନ ଷ୍ଟୁଡେଂଟ କ୍ଲବ୍ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା।

ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌୍‌ଷ୍ଟିଚ୍ୟୁସ୍‌ନାଲ୍ ର୍ୟାାଙ୍କିଙ୍ଗ ଫ୍ରେମ୍ ୱାର୍କ ର୍ୟା ଙ୍କିଙ୍ଗ୍‌ରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି। ସେହିପରି ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ କରୋନା ମହାମାରୀର ମୁକାବିଲା ନେଇ ସୋଆ ପକ୍ଷରୁ ୨୨୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଓ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇ ରୋଗୀମାନଙ୍କୁ ସେବା କରାଯାଉଛି।
ରାଜ୍ୟର ବୃହତମ କୋଭିଡ ହସ୍ପିଟାଲ୍ ଭାବେ ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ୭୨୫ ଶଯ୍ୟା ବିଶିଷ୍ଟ (ଆଇସିୟୁ ଏବଂ ହାଇ ଡିପେଣ୍ଡାନ୍ସ ୟୁନିଟ୍ ବେଡ୍ସ) ପ୍ରସ୍ତୁତ କରାଯାଇଥିବା ବେଳେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା, କେନ୍ଦ୍ରାପଡା ଠାରେ ୧୭୦ ଶଯ୍ୟା ଏବଂ ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇ ରୋଗୀ ଚିକିତ୍ସା କରାଯାଉଛି।

ସେହିପରି ସୋଆ ପକ୍ଷରୁ ଜାମୁଝରୀ ଠାରେ ୫୦୦ ଶଯ୍ୟା ଏବଂ ଜଟଣୀ ଠାରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି।
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସବୁ ହସ୍ପିଟାଲ୍‌ଗୁଡ଼ିକରେ ରୋଗୀଙ୍କର ଉତମ ଚିକିତ୍ସା କରାଯାଉଥିବା ବେଳେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଦିନ ରାତି କରୋନା ରୋଗୀମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଛନ୍ତି।