Categories
ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କୁ ମିଳିଲାନି ସୁପ୍ରିମକୋର୍ଟଙ୍କଠାରୁ ଆଶ୍ଵସ୍ତି, ଅକ୍ଟୋବର ୪ରେ ହେବ ଜାମିନ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅକ୍ଟୋବର ୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଚଳିତ ବର୍ଷ ଫେବୃଆରୀରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଶୁଣାଣି ସମୟରେ ଏହି ମାମଲା ସାମ୍ନାକୁ ଆସିବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ.ଭି. ଭଟ୍ଟୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଶୁକ୍ରବାର କିମ୍ବା ଅନ୍ୟ କୌଣସି ଦିନ କୋର୍ଟ ଏହି ପିଟିସନର ଶୁଣାଣି କରିପାରିବେ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭୀ ନିୟମିତ ଜାମିନ ଉପରେ ଯୁକ୍ତି କରିବାକୁ ୩ ରୁ ୪ ଘଣ୍ଟା ସମୟ ମାଗିଥିଲେ। ଏହି ଘଟଣାରେ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ସିଂଭି ମଧ୍ୟ ଆପତ୍ତି କରିଛନ୍ତି। ଏହା ଉପରେ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ୱରେ ହୋଇଥିବା ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ଏହି ରିପୋର୍ଟଗୁଡିକ ପ୍ରତି ଧ୍ୟାନ ଦେଉନାହାଁନ୍ତି। ତା’ପରେ ମାମଲା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ପତ୍ନୀଙ୍କୁ ଭେଟିବା ପାଇଁ ଜାମିନ ମାଗିଥିଲେ:

ସିଂଭୀ କହିଛନ୍ତି ଯେ, ସେ ଅକ୍ଟୋବର ୪ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ଖଣ୍ଡପୀଠକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ, ଶୁଣାଣି ବହୁତ ସମୟ ନେଇପାରେ। କେନ୍ଦ୍ରୀୟ ଏଜେନ୍ସି ତରଫରୁ ଅତିରିକ୍ତ ସଲିସିଟର ଏସ୍ ରାଜୁ କୋର୍ଟରେ ହାଜର ହୋଇଥିଲେ। ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀ ସୀମାଙ୍କୁ ଭେଟିବା ପାଇଁ ମାନବିକତା ଭିତ୍ତିରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କେତେକ ମେଡିକାଲ ରିପୋର୍ଟରେ ମଧ୍ୟ ସୀମାଙ୍କ ଅବସ୍ଥା ଖରାପ ହେବାର ବର୍ଣ୍ଣନା କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜାମିନ ଶୁଣାଣିର ଗୋଟିଏ ଦିନ ପୂର୍ବରୁ ପୁଣି ଗିରଫ ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଦୀର୍ଘ ୮ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗତ ମାସରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ସିସୋଦିଆଙ୍କ ଜାମିନ ସମ୍ପର୍କରେ କୋର୍ଟରେ ଶୁଣାଣି ହେବ।

ଇଡି ଦ୍ୱାରା ସିସୋଦିଆଙ୍କୁ ଗିରଫ କରିବା ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରଶ୍ନ ଉଠାଇଛନ୍ତି। କେଜ୍ରିୱାଲ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, “ମନୀଷ ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା। ସିବିଆଇ କୌଣସି ପ୍ରମାଣ ପାଇନାହିଁ, ଚଢାଉ ସମୟରେ କିଛି ମିଳିନଥିଲା। ଆସନ୍ତାକାଲି ଜାମିନ ଉପରେ ଶୁଣାଣି ହେବ। କିନ୍ତୁ ମନୀଷଙ୍କୁ ଆଜି ପୁଣି ଗିରଫ କରାଯାଇଛି। ପ୍ରତିଦିନ ନୂଆ ନକଲି ମାମଲା ସୃଷ୍ଟି କରି ତାଙ୍କୁ ଭିତରେ ରଖିବା, ସେମାନଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ। ଜନସାଧାରଣ ଦେଖୁଛନ୍ତି, ଜନସାଧାରଣ ଉତ୍ତର ଦେବେ।