Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ଷା ଗୃହ ଉଦଘାଟିତ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ଏକ ପ୍ରତୀକ୍ଷା ଗୃହକୁ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଉଦଘାଟନ କରିଛନ୍ତି। ଉପବାଚସ୍ପତିଙ୍କ ସହ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ,ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ।

ଏହି ପ୍ରତୀକ୍ଷା ଗୃହରେ ଜିଲ୍ଲାର ବରପୁତ୍ର ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସରଳା ଦେବୀ, ରମାଦେବୀ, ଭାଗିରଥୀ ମହାପାତ୍ର ,ଜାତୀୟ କବି ବୀରକିଶୋର, ପଣ୍ଡିତ ପ୍ରାଣକୃଷ୍ଣ ପତିଆରା, ବିଶିଷ୍ଟ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜା, ଶିକ୍ଷାବିତ ଶ୍ରୀରାମ ଦାଶଙ୍କ ଫଟୋ ସ୍ଥାନୀତ କରାଯାଇଛି।

ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଏହି ପ୍ରତୀକ୍ଷା ଗୃହ ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ବନ୍ଦହେଲା ସାର୍ବଜନୀନ ଦୁର୍ଗାପୂଜା

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଦୁର୍ଗା ଓ ହରପାର୍ବତୀ ମେଢର ସ୍ୱଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଦୁର୍ଗାପୂଜା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଦୁର୍ଗାପୂଜା ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତାଙ୍କ ପରାମର୍ଶ ଲୋଡିଥିଲେ। ଜଗତସିଂହପୁର ସହରରେ କରୋନା ସ୍ଥିତି ଭଲଥିବା ବେଳେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ବେଶି ସମସ୍ୟା ଅଛି।

ଏହି ପରିସ୍ଥିତିରେ ସହରର ସମସ୍ତ ଦୋକାନୀ ଭାଇ, ବୁଦ୍ଧିଜୀବୀ ନାଗରିକମାନେ ପ୍ରଶାସନକୁ ସହଯୋଗ କରୁଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କରୋନା ମହାମାରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା ହେବନାହିଁ କିମ୍ବା ମୁର୍ତ୍ତି ନିର୍ମାଣ କରାଯିବ ନାହିଁ। କେବଳ ମାଟି ଉଠାଯାଇ ଘଟପୂଜା କରାଯାଇପାରିବ ।ମାଟି ଉଠାଯିବା ସମୟରେ ବାଜା, ବାଣ କିମ୍ବା ଶୋଭାଯାତ୍ରା କରାଯିବ ନାହିଁ ଏବଂ ସାମାଜିକ ଦୂରତା ରକ୍ଷା କରିବା ସହିତ ୪ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

ଏହି ବୈଠକରେ ଥାନପତି ମହାଦେବ କ୍ଲବର ସଭାପତି ସତ୍ୟବ୍ରତ ମହାପାତ୍ର, ଶ୍ରୀରାମ କ୍ଲବର ସଭାପତି ରତ୍ନାକର ବିଶ୍ବାଳ, ଷୋଳପୁଅ ମା’ ପୂଜା କମିଟିର ସଭାପତି ପ୍ରେମାନନ୍ଦ ପଢ଼ିହାରୀ, ପୁର୍ଣ୍ଣମାସୀ ପୂଜା କମିଟିର ସମ୍ପାଦକ ଏବଂ ଅନ୍ୟାନ୍ୟ ମେଢର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

ରମେଶ ମହାନ୍ତି
ଜଗତସିଂହପୁର: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ଭି.ସି ରୁମ୍ ରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାରେ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କରିଥିଲେ।

ଜିଲ୍ଲାର ଗ୍ରାମାଞ୍ଚଳରେ ଗତକାଲି ସୁଦ୍ଧା ୧୬୯ଟି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୌରାଞ୍ଚଳର ୪ଟି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତକାଲି ସୁଦ୍ଧା ୧୬ ହଜାରରୁ ଉର୍ଦ୍ଧ୍ଵ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ୧୧୪୯୩.୮୨ କ୍ୱିଣ୍ଟାଲ ଚାଉଳ/ଗହମ ବଣ୍ଟନ କରାଯାଇଛି। ଜିଲ୍ଲାର ୮୨ଟି ପଞ୍ଚାୟତରେ ନିରାଶ୍ରୟ, ଅଭାବଗ୍ରସ୍ତ, ପୀଡିତ ବୃଦ୍ଧ, ବୃଦ୍ଧା ୧୧୯୬୯ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୧୧୫୯ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ୧,୦୪,୨୧୯ ହିତାଧିକାରୀଙ୍କୁ ଗତକାଲି ସୁଦ୍ଧା ୨୨କୋଟି ୨୬ଲକ୍ଷ ୫୨୧ ହଜାର ଟଙ୍କା ବଣ୍ଟନ କରାଯାଇଛି। ୭୭ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଏପ୍ରିଲ ୫ ସୁଦ୍ଧା ସମସ୍ତ ଭତ୍ତା ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟାହ୍ନ ଭୋଜନ ବାବଦରେ ରାଇସ୍ କୁପନ ୭୫,୮୬୫ ପିଲାଙ୍କର ଅଭିଭାବକ ମାନଙ୍କୁ ବଣ୍ଟାଯାଇ ୯୯.୭୩ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଉପଯୁକ୍ତ ଜୀବାଣୁ ଶୁନ୍ୟ କରିବା ଓ ସଫାସୁତୁରା ରଖିବା ପ୍ରତି କେନ୍ଦ୍ର ସହିତ ଅଙ୍ଗନବାଡ଼ି ଓ ଏ. ଏନ୍.ଏମ୍ ସମନ୍ୱୟ ରକ୍ଷାକରିବେ।ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଚାଉଳ ସହିତ ୧ହଜାର ଟଙ୍କା ପ୍ରଦାନ କରାଯିବ। ସମୂହ ପ୍ରାର୍ଥନା, ନମାଜ୍ ଉପରେ କଟକଣା ଜାରି କରାଯାଇଛି। କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସର୍ବସାଧାରଣଙ୍କ ସାମାଜିକ ଦୂରତ୍ୱ ଓ ବାହାରେ ବୁଲାବୁଲି, ଗୃହ ସଂଗରୋଧ ଏବଂ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତେଜରାତି ସଉଦା, ପନିପରିବା,ମାଛ,ମାଂସ,ଫଳ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି। ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ସବୁଦିନ ଖୋଲା ରହିବ। ସାପ୍ତାହିକ ହାଟ ସପ୍ତାହରେ ଗୋଟିଏ ଦିନ ଏହି ସମୟରେ ଖୋଲାରହିବ। ଏହି କଟକଣା ଔଷଧ ଦୋକାନ ପାଇଁ ଲାଗୁ ହେବନାହିଁ। ଜଗତସିଂହପୁର ସୋମନାଥ ହାଟ ପୋଷ୍ଟଅଫିସ୍ ଛକଠାରୁ କଲେଜ୍ ଛକ ପର୍ଯ୍ୟନ୍ତ ଏବଂ ଏସ୍.ଭି.ଏମ୍ କଲେଜ୍ କ୍ୟାମ୍ପସରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।