ଜଗତସିଂହପୁର ଜିଲ୍ଲାରେ ବନ୍ଦହେଲା ସାର୍ବଜନୀନ ଦୁର୍ଗାପୂଜା

Published: Aug 24, 2020, 10:52 pm IST

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଦୁର୍ଗା ଓ ହରପାର୍ବତୀ ମେଢର ସ୍ୱଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଦୁର୍ଗାପୂଜା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଦୁର୍ଗାପୂଜା ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତାଙ୍କ ପରାମର୍ଶ ଲୋଡିଥିଲେ। ଜଗତସିଂହପୁର ସହରରେ କରୋନା ସ୍ଥିତି ଭଲଥିବା ବେଳେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ବେଶି ସମସ୍ୟା ଅଛି।

ଏହି ପରିସ୍ଥିତିରେ ସହରର ସମସ୍ତ ଦୋକାନୀ ଭାଇ, ବୁଦ୍ଧିଜୀବୀ ନାଗରିକମାନେ ପ୍ରଶାସନକୁ ସହଯୋଗ କରୁଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କରୋନା ମହାମାରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା ହେବନାହିଁ କିମ୍ବା ମୁର୍ତ୍ତି ନିର୍ମାଣ କରାଯିବ ନାହିଁ। କେବଳ ମାଟି ଉଠାଯାଇ ଘଟପୂଜା କରାଯାଇପାରିବ ।ମାଟି ଉଠାଯିବା ସମୟରେ ବାଜା, ବାଣ କିମ୍ବା ଶୋଭାଯାତ୍ରା କରାଯିବ ନାହିଁ ଏବଂ ସାମାଜିକ ଦୂରତା ରକ୍ଷା କରିବା ସହିତ ୪ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

ଏହି ବୈଠକରେ ଥାନପତି ମହାଦେବ କ୍ଲବର ସଭାପତି ସତ୍ୟବ୍ରତ ମହାପାତ୍ର, ଶ୍ରୀରାମ କ୍ଲବର ସଭାପତି ରତ୍ନାକର ବିଶ୍ବାଳ, ଷୋଳପୁଅ ମା’ ପୂଜା କମିଟିର ସଭାପତି ପ୍ରେମାନନ୍ଦ ପଢ଼ିହାରୀ, ପୁର୍ଣ୍ଣମାସୀ ପୂଜା କମିଟିର ସମ୍ପାଦକ ଏବଂ ଅନ୍ୟାନ୍ୟ ମେଢର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

Related posts