Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଓଡ଼ିଆଙ୍କୁ ଥଇଥାନ ନେଇ ଜିଲ୍ଲା ବିଜେପିର ଦାବିପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ମହାମାରୀ ପ୍ରାଦୁର୍ଭାବ ବଢ଼ିବାରୁ ପ୍ରବାସୀ ଓଡ଼ିଆମାନେ ଟ୍ରେନ, ବସ୍ ଏବଂ ଅନ୍ୟାନ୍ୟ ସାଧନ ମାଧ୍ୟମରେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ଏପରିକି ଗଂଜାମକୁ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ଓଡ଼ିଶା ସରକାର ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜୀବନ ଓ ଜୀବିକା ଦାୟିତ୍ୱ ନେଇ କୁଶଳୀ ଓ ଅଣକୁଶଳୀ କାରିଗରଙ୍କୁ ଥଇଥାନ କରିବେ ବୋଲି ଡ଼ିଣ୍ଡିମ ପିଟିଥିଲେ। କିନ୍ତୁ ବର୍ତ୍ତମାନ ଏହା ପାଣିର ଗାର ହୋଇଯାଇଛି ବୋଲି ଜିଲ୍ଲା ବିଜେପି ଅଭିଯୋଗ କରିଛି।

ଦୀର୍ଘ ୪ ମାସ କାଳ ବାହାରୁ ଫେରିଥିବା ପ୍ରବାସୀମାନେ କୌଣସି କାମଧନ୍ଦା ନପାଇ ଖାଲି ବସିଲେ, ସଂଚିତ ଅର୍ଥ ଶେଷ ହେବା ପରେ ବର୍ତ୍ତମାନ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ପୁଣି ପ୍ରବାସୀ ଜୀବନ ବିତାଇବାକୁ ବାହାରି ଗଲେଣି। ଅନ୍ୟ ରାଜ୍ୟ କାରଖାନାର ମାଲିକମାନେ ଦଲାଲ ସହାୟତାରେ ଓଡ଼ିଶା ଆସି ବସ୍ ବସ୍ କରି ନେବାରେ ଲାଗିଛନ୍ତି। ଦୀର୍ଘ ୫ ମାସ ହେଲା ସରକାର ବିଭିନ୍ନ କଥା କହି କେବଳ ଭୁଆଁ ବୁଲାଉଥିବା ବେଳେ ପ୍ରବାସୀଙ୍କୁ ଥଇଥାନ କରିବା ପାଇଁ ରୋଡ଼୍ ମେପିଂ ତିଆରି କରିବା କେବଳ ଧୂଆଁବାଣ।

ସୂଚନାଯୋଗ୍ୟ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର ଶିଳ୍ପ ଓ କାରଖାନା ନିର୍ମାଣରେ କେବଳ ରାଜନୀତି କରୁଛନ୍ତି। କାରଖାନା ନିର୍ମାଣ ହେଉଛି ନା ଲୋକଙ୍କୁ କାମ ମିଳୁଛି। ତେଣୁ ଜିଲ୍ଲା ଭାଜାପା ଦାବି କରୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥିବା ରୁଗ୍‌ଣ ଶିଳ୍ପ ଯଥା – ଆସିକା ସ୍କିନିଂ ମିଲ୍‌, ଆସିକା ଚିନି କଳ, ଆମ୍ବପୁଆ ଆଇ.ଟି. ପାର୍କ, ଆଙ୍କୁଲି ଇଣ୍ଡଷ୍ଟ୍ରିୟାଲ୍ ଇଷ୍ଟେଟ, ଅଟୋନଗର, ମେଗା ଟାଟା ପ୍ରକଳ୍ପ ଓ ବ୍ରହ୍ମପୁରର ପାଟ ଶିଳ୍ପ ଇତ୍ୟାଦିକୁ ପୁର୍ନରୁଦ୍ଧାର କରିବା ସହ ଶିଳ୍ପକୁ ଅଗ୍ରାଧିକାର ଦେଇ ପ୍ରବାସୀଙ୍କ ମାନବ ସମ୍ବଳକୁ ଜିଲ୍ଲା ପାଇଁ ଉପଯୋଗ କରାଯାଉ। ରାଜ୍ୟ ସରକାର କୌଣସି କପଟତା ନରଖି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦେଇ ଜିଲ୍ଲାକୁ ଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ।

ଏତଦ୍ ବ୍ୟତୀତ ଶୀତଳଭଣ୍ଡାର ନିର୍ମାଣ, ମାଛ ପ୍ରକ୍ରିୟାକରଣର ଉନ୍ନତିକରଣ, କିଆଫୁଲ ଚାଷର ଉନ୍ନତି ଓ କ୍ଲଷ୍ଟର ଘୋଷଣା, କାଜୁ କ୍ଲଷ୍ଟର ଘୋଷଣା, ଜୀଣ୍‌ର୍ଣ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, ନୂତନ ଜଳ ସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ସହ କୃଷିକୁ ଶିଳ୍ପ ମାନ୍ୟତା ପ୍ରଦାନ କରି ଜିଲ୍ଲାରେ ଆତ୍ମନିର୍ଭରର ସୁଯୋଗ ସୃଷ୍ଟି କରନ୍ତୁ ବୋଲି ବିଜେପିର ନେତୃମଣ୍ଡଳୀ ଦକ୍ଷିଣାଞ୍ଚଳ ଆର୍‌ଡ଼ିସିଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଜଣାଇଛନ୍ତି।

ଏହି ସମୟରେ ଭାଜାପା ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି, ନିରଞ୍ଜନ ପାଣିଗ୍ରାହୀ, ସୁବାସିନୀ ପଟ୍ଟନାୟକ, ନମିତା ପଣ୍ଡା, ରାଜେଶ ସାହୁ, ପ୍ରଭାତ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ଡ. ସୁବାସ ସାହୁ, ମଦନମୋହନ ପାତ୍ର, ରାମ କୁମାର ପାତ୍ର, ଏନ୍‌. ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଙ୍ଗଦେବ, ମହନ୍ତ ଚିନ୍ମୟାନନ୍ଦ, ଶିବଶଙ୍କର ନାୟକ, ଏଲ୍‌. ମୋହନ ଦାସ, କିରଣ ସାହୁ, କମଳ ପାତ୍ର ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ତୁରନ୍ତ ସୀମା ସିଲ୍ ନିର୍ଦ୍ଦେଶ ଉଚ୍ଛେଦ ହେଉ: ଜିଲ୍ଲା ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଜନସାଧାରଣଙ୍କ ଗମନାଗମନ ଓ ମାଲ୍ ପରିବହନ ସଂପୂର୍ଣ୍ଣ କଟକଣା ମୁକ୍ତ ହୋଇଥିବାବେଳେ ଓଡ଼ିଶା ରାଜ୍ୟ ସରକାର ଏହାକୁ ପାଳନ କରିବାରେ ଅବହେଳା କରିଥିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। କେନ୍ଦ୍ରର ଚିଠିକୁ ରାଜ୍ୟ ସରକାର ଚାପି ଦେଇ ନିଜ ଇଚ୍ଛାରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ଡ଼ାଉନ୍ ନିତି ଆପଣେଇ ସାଧାରଣ ଜନତାଙ୍କୁ ହଇରାଣ ହରକତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।

ଅନ୍‌ଲକ୍‌-୩ ନିୟମକୁ ଗଂଜାମ ଜିଲ୍ଲା ପ୍ରଶାସନ ଧ୍ୟାନ ନଦେଇ ସ୍ଥାନୀୟ ସ୍ଥିତାବସ୍ଥା ଆଳ ଦେଖାଇ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ମାସ ମାସ ଧରି ଜାରି ରଖିବା ଦ୍ୱାରା ସାଧାରଣ ଜନତା ଜୀବନ ଜୀବିକା ଦୁର୍ବିଶହ ହୋଇପଡ଼ିଛି। ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ନାମରେ ସାଧାରଣ ଚାଷୀ, ଖଟିଖିଆ, ଶ୍ରମିକ ଓ କ୍ଷୁଦ୍ର ବେପାରୀଙ୍କୁ ପ୍ରଶାସନ ଜୁଲମର ଶିକାର ହୋଇଛି। ଏପରିକି ଚାଷିଟିଏ ତା’ର ଉତ୍ପାଦିତ ଦ୍ରବ୍ୟ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଆଣିବାବେଳେ ବାଟରେ ନାନା ହଇରାଣ ହେବା ସହ ହାତଗୁଂଜା ଦେବାକୁ ବାଧ୍ୟ ହେଉଛି।

ଗତ କିଛିଦିନ ତଳେ ବ୍ରହ୍ମପୁରରେ ରେଡ଼କ୍ରସ ରସିଦରେ ଜାଲିଆତି କରି ବ୍ୟାପକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  ଯାହାକି ଜିଲ୍ଲାବାସୀଙ୍କ ମନରେ ସଂଦେହ ସୃଷ୍ଟି କରୁଛି। ବିଳମ୍ବ ନ କରି ତୁରନ୍ତ ସୀମା ସିଲ୍ ଉଠେଇବା, ସହର ମଧ୍ୟରେ ବ୍ୟାରିକେଡ଼୍ ଉଚ୍ଛେଦ କରିବା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ନେତା କାହ୍ନୁଚରଣ ପତି ଦାବି କରିଛନ୍ତି।