ତୁରନ୍ତ ସୀମା ସିଲ୍ ନିର୍ଦ୍ଦେଶ ଉଚ୍ଛେଦ ହେଉ: ଜିଲ୍ଲା ବିଜେପି

Published: Aug 24, 2020, 10:42 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଜନସାଧାରଣଙ୍କ ଗମନାଗମନ ଓ ମାଲ୍ ପରିବହନ ସଂପୂର୍ଣ୍ଣ କଟକଣା ମୁକ୍ତ ହୋଇଥିବାବେଳେ ଓଡ଼ିଶା ରାଜ୍ୟ ସରକାର ଏହାକୁ ପାଳନ କରିବାରେ ଅବହେଳା କରିଥିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। କେନ୍ଦ୍ରର ଚିଠିକୁ ରାଜ୍ୟ ସରକାର ଚାପି ଦେଇ ନିଜ ଇଚ୍ଛାରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ଡ଼ାଉନ୍ ନିତି ଆପଣେଇ ସାଧାରଣ ଜନତାଙ୍କୁ ହଇରାଣ ହରକତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।

ଅନ୍‌ଲକ୍‌-୩ ନିୟମକୁ ଗଂଜାମ ଜିଲ୍ଲା ପ୍ରଶାସନ ଧ୍ୟାନ ନଦେଇ ସ୍ଥାନୀୟ ସ୍ଥିତାବସ୍ଥା ଆଳ ଦେଖାଇ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ମାସ ମାସ ଧରି ଜାରି ରଖିବା ଦ୍ୱାରା ସାଧାରଣ ଜନତା ଜୀବନ ଜୀବିକା ଦୁର୍ବିଶହ ହୋଇପଡ଼ିଛି। ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ନାମରେ ସାଧାରଣ ଚାଷୀ, ଖଟିଖିଆ, ଶ୍ରମିକ ଓ କ୍ଷୁଦ୍ର ବେପାରୀଙ୍କୁ ପ୍ରଶାସନ ଜୁଲମର ଶିକାର ହୋଇଛି। ଏପରିକି ଚାଷିଟିଏ ତା’ର ଉତ୍ପାଦିତ ଦ୍ରବ୍ୟ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଆଣିବାବେଳେ ବାଟରେ ନାନା ହଇରାଣ ହେବା ସହ ହାତଗୁଂଜା ଦେବାକୁ ବାଧ୍ୟ ହେଉଛି।

ଗତ କିଛିଦିନ ତଳେ ବ୍ରହ୍ମପୁରରେ ରେଡ଼କ୍ରସ ରସିଦରେ ଜାଲିଆତି କରି ବ୍ୟାପକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  ଯାହାକି ଜିଲ୍ଲାବାସୀଙ୍କ ମନରେ ସଂଦେହ ସୃଷ୍ଟି କରୁଛି। ବିଳମ୍ବ ନ କରି ତୁରନ୍ତ ସୀମା ସିଲ୍ ଉଠେଇବା, ସହର ମଧ୍ୟରେ ବ୍ୟାରିକେଡ଼୍ ଉଚ୍ଛେଦ କରିବା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ନେତା କାହ୍ନୁଚରଣ ପତି ଦାବି କରିଛନ୍ତି।

Related posts