Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛତିଶଗଡ ସୀମା ସିଲ୍: କଳାବଜାରୀ ମାଲେମାଲ୍, ଖାଉଟୀ ହନ୍ତସନ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସୀମା ସିଲ ହେବା ଫଳରେ ଛତିଶଗଡର ରାୟପୁର ଓ ନାଗପୁର ଉପରେ ଭରସା କରୁଥିବା କଳାହାଣ୍ଡିର ସୀମାନ୍ତ ଅଂଚଳର ଖୁଚୁରା ବ୍ୟବସାୟୀ ଓ ଖାଉଟି ମାନେ ବେଶ ପ୍ରଭାବିତ ହୋଇଥିବା ଜଣାପଡିଛି। ଯାହାଫଳରେ ଅସାଧୁ ବ୍ୟବସାୟୀମାନେ ଗଳା ବାଟ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଉଛି।

ବିଶେଷ କରି ନାଗପୁରରୁ ଫଳ, ପିଆଜ, ଚିନି ଇତ୍ୟାଦି ରାୟପୁର ମଧ୍ୟ ଦେଇ ଆସୁଥିବା ବେଳେ ଚାଉଳ, ଡାଲି, ଖାଇବା ତେଲ ଇତ୍ୟାଦି ରାୟପୁର ବଜାରରୁ ଧର୍ମଗଡ, ଜୁନାଗଡ ଅଂଚଳ ସମେତ ସମସ୍ତ ସୀମାନ୍ତବର୍ତ୍ତୀ ଅଂଚଳକୁ ଯୋଗାଣ ହୋଇଥାଏ।

ସେହିପରି କଳାହାଣ୍ଡି ଅଂଚଳରୁ ଭାଙ୍ଗ, ଗୁଡାଖୁ ଭଲି ଅନ୍ୟାନ୍ୟ ସାମଗ୍ରୀ ଉପରେ ରାୟପୁର ଅଂଚଳର ଖାଉଟୀ ନିର୍ଭର କରିଥାନ୍ତି। ସୀମା ସିଲ ହେବା ପରେ ବର୍ତ୍ତମାନ କେତେକ ଅସାଧୁ କଳାବଜାରୀ ବିଭିନ୍ନ ସାମଗ୍ରୀକୁ ଗୋଦାମରେ ଗଚ୍ଛିତ ରଖି ଦେଇ ଚଢାଦାମରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି।

କଳାହାଣ୍ଡିର ସୀମାନ୍ତ ସନ୍ଧିକୁଲିହାରୀ ଠାରେ ମୂଖ୍ୟ ରାସ୍ତାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଛତିଶଗଡର ଗରିଆବନ୍ଧ ର ଜିଲ୍ଲା ପ୍ରଶାସନ ସିଲ କରିଦେଇ ଗାଡି ଚଳାଚଳ ଉପରେ କଟକଣା କରିଦେବା ଫଳରେ ଚୋରା ବେପାରୀ ଓ ଅସାଧୂ ବ୍ୟବସାୟୀମାନେ ଗଳାବାଟ ଖୋଜି କଳାବଜାର କରୁଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡିର ସୀମାନ୍ତ ଧର୍ମଗଡ ଓ ଜୁନାଗଡ ସହରରେ ଏହାର ଯଥେଷ୍ଟ ପ୍ରଭାବ ପଡିଥିବା ବେଳେ ଚିନି. ଡାଲି, ଖାଇବା ତେଲ ଭଲି ଅତ୍ୟାବଶ୍ୟକୀୟ ଖାଇବା ସାମଗ୍ରୀ ଗୁଡିକର ପାଇକାରୀ ଦରରେ କୋଡିଏରୁ ତିରିଶ ଟଙ୍କା ଅଧିକ ମୂଲ୍ୟ ବଢିଯାଇଥିବା ବେଳେ ଖୁଚୁରା ଦରରେ ଦଶରୁ ପଚାଶ ଟଙ୍କା ମୂଲ୍ୟ ବଢିଯାଇଥିବା ଜଣାପଡିଛି। ଯାହାଫଳରେ ସାଧାରଣ ଖାଉଟି ଉପରେ ସିଧାସଳଖ ପ୍ରଭାବ ପଡୁଛି।

ସେହିପରି ଜୁନାଗଡ, ଭବାନୀପାଟଣା ଆଦି ଅଂଚଳରୁ ଭାଙ୍ଗ, ଖଇନି, ଗୁଡାଖୂ ଭଲି ସାମଗ୍ରୀ ସଂପୃକ୍ତ ଅଂଚଳରେ ଉପଲବ୍ଧ ହେଉନଥିବା ଖାଉଟି ମହଲରେ ଆଲୋଚନା ହେଉଛି। ଏସବୁ ସାମଗ୍ରୀ ଅସାଧୁ ବେପାରୀ ମାନଙ୍କ ଦ୍ୱାରା ଛତିଶଗଡ ତଥା ଅନ୍ୟାନ୍ୟ ଅଂଚଳକୁ ଗଳାବାଟ ଦେଇ ଚୋରାଚାଲାଣ କରାଯାଉଥିବା ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଏସବୁ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

Categories
ଆଞ୍ଚଳିକ

ତୁରନ୍ତ ସୀମା ସିଲ୍ ନିର୍ଦ୍ଦେଶ ଉଚ୍ଛେଦ ହେଉ: ଜିଲ୍ଲା ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଜନସାଧାରଣଙ୍କ ଗମନାଗମନ ଓ ମାଲ୍ ପରିବହନ ସଂପୂର୍ଣ୍ଣ କଟକଣା ମୁକ୍ତ ହୋଇଥିବାବେଳେ ଓଡ଼ିଶା ରାଜ୍ୟ ସରକାର ଏହାକୁ ପାଳନ କରିବାରେ ଅବହେଳା କରିଥିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। କେନ୍ଦ୍ରର ଚିଠିକୁ ରାଜ୍ୟ ସରକାର ଚାପି ଦେଇ ନିଜ ଇଚ୍ଛାରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ଡ଼ାଉନ୍ ନିତି ଆପଣେଇ ସାଧାରଣ ଜନତାଙ୍କୁ ହଇରାଣ ହରକତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।

ଅନ୍‌ଲକ୍‌-୩ ନିୟମକୁ ଗଂଜାମ ଜିଲ୍ଲା ପ୍ରଶାସନ ଧ୍ୟାନ ନଦେଇ ସ୍ଥାନୀୟ ସ୍ଥିତାବସ୍ଥା ଆଳ ଦେଖାଇ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ମାସ ମାସ ଧରି ଜାରି ରଖିବା ଦ୍ୱାରା ସାଧାରଣ ଜନତା ଜୀବନ ଜୀବିକା ଦୁର୍ବିଶହ ହୋଇପଡ଼ିଛି। ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ନାମରେ ସାଧାରଣ ଚାଷୀ, ଖଟିଖିଆ, ଶ୍ରମିକ ଓ କ୍ଷୁଦ୍ର ବେପାରୀଙ୍କୁ ପ୍ରଶାସନ ଜୁଲମର ଶିକାର ହୋଇଛି। ଏପରିକି ଚାଷିଟିଏ ତା’ର ଉତ୍ପାଦିତ ଦ୍ରବ୍ୟ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଆଣିବାବେଳେ ବାଟରେ ନାନା ହଇରାଣ ହେବା ସହ ହାତଗୁଂଜା ଦେବାକୁ ବାଧ୍ୟ ହେଉଛି।

ଗତ କିଛିଦିନ ତଳେ ବ୍ରହ୍ମପୁରରେ ରେଡ଼କ୍ରସ ରସିଦରେ ଜାଲିଆତି କରି ବ୍ୟାପକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  ଯାହାକି ଜିଲ୍ଲାବାସୀଙ୍କ ମନରେ ସଂଦେହ ସୃଷ୍ଟି କରୁଛି। ବିଳମ୍ବ ନ କରି ତୁରନ୍ତ ସୀମା ସିଲ୍ ଉଠେଇବା, ସହର ମଧ୍ୟରେ ବ୍ୟାରିକେଡ଼୍ ଉଚ୍ଛେଦ କରିବା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ନେତା କାହ୍ନୁଚରଣ ପତି ଦାବି କରିଛନ୍ତି।