Categories
ଆଞ୍ଚଳିକ

ତୁରନ୍ତ ସୀମା ସିଲ୍ ନିର୍ଦ୍ଦେଶ ଉଚ୍ଛେଦ ହେଉ: ଜିଲ୍ଲା ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଜନସାଧାରଣଙ୍କ ଗମନାଗମନ ଓ ମାଲ୍ ପରିବହନ ସଂପୂର୍ଣ୍ଣ କଟକଣା ମୁକ୍ତ ହୋଇଥିବାବେଳେ ଓଡ଼ିଶା ରାଜ୍ୟ ସରକାର ଏହାକୁ ପାଳନ କରିବାରେ ଅବହେଳା କରିଥିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। କେନ୍ଦ୍ରର ଚିଠିକୁ ରାଜ୍ୟ ସରକାର ଚାପି ଦେଇ ନିଜ ଇଚ୍ଛାରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ଡ଼ାଉନ୍ ନିତି ଆପଣେଇ ସାଧାରଣ ଜନତାଙ୍କୁ ହଇରାଣ ହରକତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।

ଅନ୍‌ଲକ୍‌-୩ ନିୟମକୁ ଗଂଜାମ ଜିଲ୍ଲା ପ୍ରଶାସନ ଧ୍ୟାନ ନଦେଇ ସ୍ଥାନୀୟ ସ୍ଥିତାବସ୍ଥା ଆଳ ଦେଖାଇ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ମାସ ମାସ ଧରି ଜାରି ରଖିବା ଦ୍ୱାରା ସାଧାରଣ ଜନତା ଜୀବନ ଜୀବିକା ଦୁର୍ବିଶହ ହୋଇପଡ଼ିଛି। ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ନାମରେ ସାଧାରଣ ଚାଷୀ, ଖଟିଖିଆ, ଶ୍ରମିକ ଓ କ୍ଷୁଦ୍ର ବେପାରୀଙ୍କୁ ପ୍ରଶାସନ ଜୁଲମର ଶିକାର ହୋଇଛି। ଏପରିକି ଚାଷିଟିଏ ତା’ର ଉତ୍ପାଦିତ ଦ୍ରବ୍ୟ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଆଣିବାବେଳେ ବାଟରେ ନାନା ହଇରାଣ ହେବା ସହ ହାତଗୁଂଜା ଦେବାକୁ ବାଧ୍ୟ ହେଉଛି।

ଗତ କିଛିଦିନ ତଳେ ବ୍ରହ୍ମପୁରରେ ରେଡ଼କ୍ରସ ରସିଦରେ ଜାଲିଆତି କରି ବ୍ୟାପକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  ଯାହାକି ଜିଲ୍ଲାବାସୀଙ୍କ ମନରେ ସଂଦେହ ସୃଷ୍ଟି କରୁଛି। ବିଳମ୍ବ ନ କରି ତୁରନ୍ତ ସୀମା ସିଲ୍ ଉଠେଇବା, ସହର ମଧ୍ୟରେ ବ୍ୟାରିକେଡ଼୍ ଉଚ୍ଛେଦ କରିବା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ନେତା କାହ୍ନୁଚରଣ ପତି ଦାବି କରିଛନ୍ତି।

Categories
ବିଶେଷ ଖବର

ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଉଚ୍ଛେଦ, କରୋନା ପାଇଁ ବେକାରି ଓ ଦାରିଦ୍ର୍ୟର ପ୍ରଦର୍ଶନୀ ପଡିଆ ପାଲଟିବ ଓଡିଶା

କେଦାର ମିଶ୍ର

ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ ବଞ୍ଚାଇବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସରକାରଙ୍କର କଥା ଓ କାମ ଭିତରେ ବହୁତ ବଡ ଫାଙ୍କ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସରେ ଯେତେବେଳେ ସରକାର ଲୋକଙ୍କ ଉପରେ ଲକ ଡାଉନ ଲଦିଦେଲେ, ସେତେବେଳେ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି  ଦିଆଗଲା ଯେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କଥା ସରକାର ଚିନ୍ତା କରିବେ। ସମୟ କ୍ରମେ କରୋନା ଜନିତ କଟକଣା ବଢିଲା ଓ ଲକ ଡାଉନ ଯୋଗୁଁ ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଶୁଡିବା ଆରମ୍ଭ କଲା। ସଂକ୍ରମଣର  ଚାରି ମାସ ପରେ ମଧ୍ୟ ଓଡିଶାରେ ଅର୍ଥନୈତିକ ଗତିବିଧି ଓ ଜନଜୀବନ ସ୍ଵାଭାବିକ ହୋଇନି, ବରଂ ଅଧିକ ଜଟିଳ ହୋଇଛି। ଯଦିଓ ରାଜ୍ୟରେ ସାମଗ୍ରିକ ଲକ ଡାଉନ ନାହିଁ, ହେଲେ ରାଜ୍ୟର ୯୦ ଭାଗ ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ହୋଇ ରହିଛି। ଲୋକଙ୍କର ଜୀବିକା ସହିତ ଜୀବନ ଆଜି ସବୁଠୁ ଅଧିକ ବିପନ୍ନ ହୋଇଛି। ଏଥିଲାଗି ସରକାର ନିଜକୁ ଦାୟୀ କରିବା ଉଚିତ ହେବନାହିଁ କି?

ଲକ ଡାଉନର ପ୍ରଥମ ପର୍ଯ୍ୟାୟରେ ସରକାର ଘରୋଇ ସଂସ୍ଥାମାନଙ୍କୁ ନିଜର କର୍ମଚାରୀମାନଙ୍କ ଦରମା ନ କାଟିବାକୁ ଓ ଛଟେଇ ନ କରିବାକୁ ଅନୁରୋଧ କରୁଥିଲେ। ଓଡିଶା ସରକାର ତାଙ୍କର ନିୟମିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାଧାରଣ ଲୋକେ ନିଜ ଘରେ କାମ କରୁଥିବା ଲୋକଙ୍କ ପ୍ରତି ସଂବେଦନଶୀଳ ହେବାକୁ ଓ ସେମାନଙ୍କ ଦରମା ନ କାଟିବାକୁ ପରାମର୍ଶ ଦେଉଥିଲେ। ହେଲେ ଗତ ଚାରିମାସର ଆର୍ଥିକ ଦୁର୍ଗତି ସରକାରଙ୍କର ମାନବିକ ଅଙ୍ଗକୁ ଅଚଳ କରି ଦେଇଛି। ଏବେ ଖୋଦ ଓଡିଶା ସରକାର ରାଜ୍ୟର ଲକ୍ଷାଧିକ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ କାମ କରୁଥିବା ଅସ୍ଥାୟୀ ତଥା ଠିକା ଭିତ୍ତିକ କର୍ମଚାରୀଙ୍କ କାର୍ୟକାଳ ସମ୍ପ୍ରସାରିତ କରିବାକୁ ସରକାର ମନା କରି ଦେଇଛନ୍ତି। ଏହି କର୍ମଚାରୀମାନେ ପ୍ରାୟତଃ ୩ ମାସିଆ କିମ୍ବା ବାର୍ଷିକ ଠିକା ରେ କାମ କରିଥାନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ ଲକ୍ଷ ପରିବାର ଆକ୍ରାନ୍ତ ହେବେ ଇଂରାଜୀ ଖବର କାଗଜ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” କହିଛି।

କରୋନା କଟକଣା ଆଳରେ ଓଡିଶା ସରକାର ପ୍ରଥମେ ନୂଆ ନିଯୁକ୍ତି ଆଉ ହେବନାହିଁ ବୋଲି କହିଥିଲେ। ଏହା ସହିତ ଗତ ୫ ପାଞ୍ଚ ବର୍ଷ ଭିତରେ ସରକାରରେ ଖାଲି ପଡିଥିବା ପଦବୀ ଆଉ ପୂରଣ କରିବେ ନାହିଁ ବୋଲି ମଧ୍ୟ ଘୋଷଣା କଲେ। ଏ ପ୍ରକାର ନିଷ୍ପତ୍ତିର ପ୍ରତ୍ୟେକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବା ସ୍ଵାଭାବିକ। ତେବେ କୌଣସି ସରକାରୀ ନିଷ୍ପତ୍ତି କୁ ବିରୋଧ କରିବାର ସ୍ଥିତି ବର୍ତ୍ତମାନ ଆମ ପାଖରେ ନାହିଁ। ମହାମାରୀର ଆତଙ୍କ ସହିତ ସରକାରୀ କଟକଣା ଭିତରେ ସାଧାରଣ ଲୋକ ଡରି ମରି ବଞ୍ଚୁଛନ୍ତି। ସେହି ସମୟରେ ଲକ୍ଷାଧିକ ଲୋକଙ୍କୁ ସରକାରୀ ଚାକିରିରୁ ବିଦା କରିବାର ନିଷ୍ପତ୍ତି, ଅତ୍ୟନ୍ତ ଅମାନବୀୟ। ଆଜିର ମହାମାରୀ ସମୟରେ ସରକାର ନିଜ କର୍ମଚାରୀ (ସେ ଅସ୍ଥାୟୀ ବା ଠିକା କର୍ମଚାରୀ ହୁଅନ୍ତୁ ପଛକେ)ଙ୍କ ପ୍ରତି ଏ ପ୍ରକାର ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ।

ସଂକ୍ରମଣ ସମୟରେ ଗତ ଚାରି ମାସ ହେଲା ସରକାରୀ ଅଫିସ ଗୁଡିକ ପ୍ରାୟତଃ କାମ କରୁନାହିଁ। ଅନେକ ଅଫିସକୁ ଲୋକଙ୍କ ପ୍ରବେଶ ବାରଣ କରା ଯାଇଛି। ୩୦% କର୍ମଚାରୀଙ୍କୁ ନେଇ କାମ କରନ୍ତୁ ବୋଲି ସରକାରୀ ନିର୍ଦ୍ଦେଶ  ପଛରେ ବାକି ୭୦% କର୍ମଚାରୀଙ୍କୁ ବିଦା କରିବାର ଏକ ଗୋପନ ଇଙ୍ଗିତ ରହିନାହିଁ ତ! ପ୍ରଲମ୍ବିତ ଲକ ଡାଉନ ଓ ଆର୍ଥିକ ଦୁର୍ଗତିକୁ ଆଖି ଆଗରେ ରଖି ଅନେକ ବିଭାଗ ଓ ଅଫିସର ସଂକୋଚନ ତଥା ଉଚ୍ଛେଦ କଥା ସରକାର ଚିନ୍ତା କରିପାରନ୍ତି। ଓଡିଶା ଭଳି ରାଜ୍ୟ ଯେଉଁଠି ସଂଖ୍ୟାଧିକ ଶିକ୍ଷିତ ଯୁବକ ଯୁବତୀ ସରକାରୀ ଚାକିରିକୁ ଆଶା କରି ରହିଛନ୍ତି, ସେମାନଙ୍କ ଅବସ୍ଥା ଆଗାମୀ ଦିନରେ ଶୋଚନୀୟ ହେବାକୁ ଯାଉଛି।

କରୋନା ଭୂତାଣୁରୁ ହୁଏତ ବର୍ତ୍ତିବା ସହଜ, କାରଣ ଦେଶରେ ମୃତ୍ୟୁହାର ୨% ରୁ ସାମାନ୍ଯ ଅଧିକ ରହିଛି। ହେଲେ ଭୋକ, ବେକାରି ଓ ଅର୍ଥନୈତିକ ଦୁଃସ୍ଥିତି ରୁ ବଞ୍ଚିବା ସହଜ ନୁହେଁ। ଆଗକୁ ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯିବା ଓ ବ୍ୟବସାୟ ଉଜୁଡି ଯିବାର ସଙ୍କଟ ବିଷୟରେ ରାଜ୍ୟ ସରକାରଙ୍କର ବିଶେଷ କିଛି ଯୋଜନା ଥିଲା ଭଳି ଦେଖା ଯାଉନାହିଁ। ବର୍ଷ ବର୍ଷ ଧରି ଅଳ୍ପ ଦରମାରେ  ଅଧିକ କାମ କରୁଥିବା ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ଜୀବିକାରୁ ବଞ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ସବୁ ସ୍ତରରେ କଡା ବିରୋଧ ହେବା ଉଚିତ।