Categories
ଆଜିର ଖବର ଜାତୀୟ ଖବର

ଆଜି କାଶୀ ଠାରେ ଏସସିଓ ପର୍ଯ୍ୟଟନ ପ୍ରଶାସନିକ ମୁଖ୍ୟଙ୍କ ସମ୍ମିଳନୀ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ୧୭ ମାର୍ଚ୍ଚ ୨୦୨୩ରେ “କାଶୀ” (ବାରଣାସୀ) ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପର୍ଯ୍ୟଟନ ପ୍ରଶାସନର ମୁଖ୍ୟଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଏହି ବୈଠକରେ କାଜାଖସ୍ତାନ ସରକାରଙ୍କ ସଂସ୍କୃତି ଓ କ୍ରୀଡ଼ା ଉପ ମନ୍ତ୍ରୀ ୟେରଜାନ୍ ୟର୍କିନବାଏଭ,  ଚୀନ୍ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଲୁ ୟିଙ୍ଗ ଚୁଆନ୍‌, କିର୍ଗିଜ ଗଣରାଜ୍ୟର ସଂସ୍କୃତି, ସୂଚନା, କ୍ରୀଡ଼ା ଏବଂ ଯୁବ ନୀତି ଉପ ମନ୍ତ୍ରୀ ସାମତ ବେକଟୁରେରାଭିଚ୍‍ ସଟମାନୋଭ,  ଉଜବେକିସ୍ତାନ ସରକାରଙ୍କ ସଂସ୍କୃତି ଏବଂ ପର୍ଯ୍ୟଟନ ପ୍ରଥମ ଉପ ମନ୍ତ୍ରୀ ଆଜାମୋଭ ଉଲୁଗବେକ୍ ଆକ୍ସମାଟୋଭିଚ୍ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିବାବେଳେ ଅନଲାଇନ୍ ମୋଡ୍ ମାଧ୍ୟମରେ ରୁଷର ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟର ଉପ ମନ୍ତ୍ରୀ ଭ୍ଲାଦିମିର ଇଭେଗେନିଭିଚ୍ ଇଲିଚେଭ୍‌, ତାଜାକିସ୍ତାନ ସରକାରଙ୍କ ପର୍ଯ୍ୟଟନ ବିକାଶ କମିଟିର ଅଧ୍ୟକ୍ଷ ମୁମିନଜୋଦ କାମୋଲିଦ୍ଦିନ ଏବଂ ପାକିସ୍ତାନ ସରକାରଙ୍କ ପର୍ଯ୍ୟଟନ ଏବଂ କ୍ରୀଡ଼ା ସଂକ୍ରାନ୍ତୀୟ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଆଉନ ଚୌଧରୀ ଯୋଗ ଦେଇଥିଲେ। ଏହି ବୈଠକରେ ଏସସିଓ ସଦସ୍ୟ ଦେଶର ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ, ସାଂଘାଇ ସହଯୋଗ ସଂଗଠନର ସଚିବାଳୟର ପ୍ରତିନିଧି ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୋଗ ଦେଇଥିଲେ।

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ବିକାଶ ଉପରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ମିଳିତ କାର୍ଯ୍ୟ ଯୋଜନାକୁ ଏସ୍‍ସିଓ ପର୍ଯ୍ୟଟନ ମନ୍ତ୍ରୀମାନେ ଚୂଡ଼ାନ୍ତ ଏବଂ ଅନୁମୋଦନ କରିଛନ୍ତି। ଅନୁମୋଦିତ ମିଳିତ କାର୍ଯ୍ୟ ଯୋଜନାରେ ନିମ୍ନଲିଖିତ ଅଗ୍ରାଧିକାର ଉପାଦାନଗୁଡ଼ିକ ଅଛି –

  • ଏସସିଓ ପର୍ଯ୍ୟଟନ ବ୍ରାଣ୍ଡର ପ୍ରଚାର
  • ପର୍ଯ୍ୟଟନରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କର ସାଂସ୍କୃତିକ ଐତିହ୍ୟର ପ୍ରଚାର
  • ପର୍ଯ୍ୟଟନ କ୍ଷେତ୍ରରେ ସୂଚନା ଏବଂ ଡିଜିଟାଲ୍ ଜ୍ଞାନକୌଶଳର ଅଂଶୀଦାର ଏବଂ ଆଦାନ ପ୍ରଦାନ
  • ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନରେ ପାରସ୍ପରିକ ସହଯୋଗର ପ୍ରୋତ୍ସାହନ
  • ସେବାଗୁଡିକର ଗୁଣବତ୍ତାର ଉନ୍ନତି କରିବା

ସହମତ ହୋଇଥିବା ମିଳିତ କାର୍ଯ୍ୟ ଯୋଜନା ଅନୁଯାୟୀ, ସଦସ୍ୟ ଦେଶମାନେ ବିଭିନ୍ନ କାର୍ଯ୍ୟକଳାପ ଯଥା ଏସ୍‍ସିଓ ପର୍ଯ୍ୟଟନ ପ୍ରଦର୍ଶନୀ, ଏସ୍‍ସିଓ ଖାଦ୍ୟ ମହୋତ୍ସବ, ପର୍ଯ୍ୟଟନ ଉପରେ ୱେବିନର୍ ଏବଂ ସେମିନାର, ଏହି ଅଞ୍ଚଳରେ ପର୍ଯ୍ୟଟନର ପ୍ରୋତ୍ସାହନ ତଥା ବିକାଶ ଉପରେ ବିଶେଷଜ୍ଞ ଅଧିବେଶନ କରିବେ।

ଏହି ବୈଠକରେ ୨୦୨୩ ରେ ଏସସିଓ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ବର୍ଷ ପାଇଁ କାର୍ଯ୍ୟ ଯୋଜନା ମଧ୍ୟ ଗ୍ରହଣ କରାଯାଇଥିଲା। ଏହି ଖସଡା ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କର ପର୍ଯ୍ୟଟନ ଉତ୍ପାଦକୁ ପ୍ରୋତ୍ସାହନ ଏବଂ ପ୍ରଦର୍ଶନ କରିବା ପାଇଁ କାର୍ଯ୍ୟକଳାପର ଏକ ତାଲିକା ଚିହ୍ନଟ କରାଯାଇଛି।

ବୈଠକ ପରେ ଏସସିଓ ସଦସ୍ୟ ଦେଶମାନଙ୍କର ପର୍ଯ୍ୟଟନ ପ୍ରଶାସନର ମୁଖ୍ୟଙ୍କ ମିଳିତ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇଟି ବିଶେଷଜ୍ଞ କାର୍ଯ୍ୟ ଗୋଷ୍ଠୀ (ଇଡବ୍ଲୁଜି) ବୈଠକ ପୂର୍ବରୁ ଏସସିଓ ପର୍ଯ୍ୟଟନ ପ୍ରଶାସନର ମୁଖ୍ୟମାନଙ୍କର ବୈଠକ ହୋଇଥିଲା। ପ୍ରଥମ ଇଡବ୍ଲୁଜି ବୈଠକ ୩୧.୦୧.୨୦୨୩ ରେ ଅନଲାଇନରେ ଅନୁଷ୍ଠିତ ହୋଇଥିଲାବେଳେ ଇଡବ୍ଲୁଜିର ଦ୍ୱିତୀୟ ବୈଠକ ୧୪-୧୫ ମାର୍ଚ୍ଚ ୨୦୨୩ ରେ “କାଶୀ” (ବାରଣାସୀ) ରେ ସମସ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।

“କାଶୀ” କୁ ଏସସିଓ ର ପ୍ରଥମ ପର୍ଯ୍ୟଟନ ଏବଂ ସାଂସ୍କୃତିକ ରାଜଧାନୀ ଭାବେ ଘୋଷଣା କରାଯାଇଛି। ଏହି ସ୍ୱୀକୃତି ସହରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପ୍ରତିଷ୍ଠିତ କରିବ। ଏହି ପଦକ୍ଷେପ ଆଧ୍ୟାତ୍ମିକତା, ରହସ୍ୟବାଦ, କାଶୀ ବିଷୟରେ ଜାଣିବା ଦ୍ୱାରା ଅଧିକ ଧ୍ୟାନ ଆକର୍ଷଣ କରିବ ଯାହାକି ଭାରତୀୟ ସଭ୍ୟତାର ମୂଳଦୂଆ ଅଟେ। ୨୦୨୪ ମସିହାରେ କାଜାଖସ୍ତାନରେ ଏସସିଓ ପର୍ଯ୍ୟଟନ ପ୍ରଶାସନ ମୁଖ୍ୟମାନଙ୍କର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ।

ଚୀନ୍‌, କାଜାଖସ୍ତାନ, କିର୍ଗିଜ୍ ଗଣତନ୍ତ୍ର ଏବଂ ଉଜବେକିସ୍ତାନ ସହିତ ଭାରତର ଚାରିଟି ଦ୍ୱିପାକ୍ଷିକ ବୈଠକ ମଧ୍ୟ ଏସସିଓ ପର୍ଯ୍ୟଟନ ପ୍ରଶାସନର ମୁଖ୍ୟଙ୍କ ବୈଠକରେ ଅନୁଷ୍ଠିତ ହୋଇଥିଲା।

ସାଂଘାଇ ସହଯୋଗ ସଂଗଠନ (ଏସସିଓ) ହେଉଛି ଏକ ଆନ୍ତଃ – ସରକାରୀ ସଂଗଠନ ଯାହାକି ୧୫ ଜୁନ୍ ୨୦୦୧ ରେ ସାଂଘାଇରେ ପ୍ରତିଷ୍ଠିତ ହୋଇଥିଲା। ଏସସିଓ ବର୍ତ୍ତମାନ ଆଠ ସଦସ୍ୟ ରାଷ୍ଟ୍ର (ଚୀନ୍‌, ଭାରତ, କାଜାଖସ୍ତାନ, କିର୍ଗିଜସ୍ତାନ, ଋଷ, ପାକିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ)କୁ ନେଇ ଗଠିତ।

Categories
ଜାତୀୟ ଖବର ବିଶେଷ ଖବର

ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜିଏକ ସ୍ମାରକୀ ମୁଦ୍ରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର‌୍ୟ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ଜନ୍ମାଷ୍ଟମୀ ସାଙ୍ଗକୁ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ଅପୂର୍ବ ସଂଯୋଗ । ଏହା ସତ୍ତ୍ୱେ ଯେପରି ସାଧନାରେ ଖୁସି ଓ ସନ୍ତୋଷପ୍ରାପ୍ତି ଉଭୟ ହୋଇଛି । ଆଜାଦୀ କା ଅମୃତ ମହୋତ୍ସବ କାଳରେ ହିଁ ଏହା ହେଉଛି ବୋଲି ସେ କହିଥିଲେ । ସେଥିପାଇଁ ଆଜି ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଓ କୋଟି କୋଟି କୃଷ୍ଣ ପ୍ରେମୀ ବିଶ୍ୱବାସୀ ଏହି ଅଭିଜ୍ଞତା ସାଉଁଟୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଭୁପାଦ ସ୍ୱାମୀ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଗାଢ ନିଷ୍ଠାର ଅବତାରଣା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତରେ ଜଣେ ମହାନ ଭକ୍ତଭାବେ ବିବେଚନା କରିଥିଲେ । ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ଲଢିଥିଲେ । ଅସହଯୋଗ ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ସ୍କଟିଶ କଲେଜରୁ ଡିପ୍ଲୋମା ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଯୋଗ ଓ ସିଧାସାଧା ଜୀବନ ଧାରଣ ପ୍ରଣାଳୀ ସମଗ୍ର ବିଶ୍ୱକୁ ପ୍ରସାରିତ ହୋଇଥିବାବେଳେ, ଆୟୁର୍ବେଦ ଭଳି ବିଜ୍ଞାନ ମଧ୍ୟ ବିଶ୍ୱବ୍ୟାପୀ ବେଶ୍ ଜନାଦୃତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଯେତେବେଳେ ଅନ୍ୟ ଦେଶକୁ ଯାଇଥାଏଁ ଓ ସେଠାକାର କେହି ସାକ୍ଷାତ କାଳରେ ହରେ କୃଷ୍ଣ ବୋଲି ଉଚ୍ଚାରଣ କରେ ଆମକୁ ଗର୍ବିତ ଓ ଆପଣାର ଭଳି ଲାଗେ । ଯେତେବେଳେ ମେକ ଇନ୍ ଇଣ୍ଡିଆ ସାମଗ୍ରୀ ପାଇଁ ସେହିଭଳି ସନ୍ତୋଷ ମିଳିବ ଓ ଆମେ ଇସ୍କନଠାରୁ ଅନେକ ଶିଖି ପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାସତ୍ୱ ସମୟରେ ଭକ୍ତି ଆନ୍ଦୋଳନ ହିଁ ଭାରତୀୟ ଚେତନାକୁ ବଂଚାଇ ରଖିଥିଲା । ଆଜି ବିଦ୍ୱାନମାନେ କଳନା କରିଛନ୍ତି ଯେ ଭକ୍ତି ଯୁଗରେ ସାମାଜିକ ବିପ୍ଳବ ସଂଗଠିତ ହୋଇ ନ ଥିଲେ ଦେଶର ସ୍ଥିତି ଯେ କ’ଣ ହୋଇଥାନ୍ତା ତାହା ଅନୁମାନ ମଧ୍ୟ କରିବା ମୁସ୍କିଲ ବୋଲି କହିଥିଲେ । ପ୍ରତି ପ୍ରାଣୀକୁ ବିଶ୍ୱାସ, ସାମାଜିକ ଉଚ୍ଚନୀଚ ଭାବନା ଓ ସୁବିଧା ଅସୁବିଧାର ଉର୍ଦ୍ଧ୍ୱକୁ ନେଇ ଯୋଡିଥାଏ । ସେଭଳି କଠିନ ସମୟରେ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କ ଭଳି ମହାନ୍ ସନ୍ଥ ସମାଜକୁ ଭକ୍ତିଭାବ, ବିଶ୍ୱାସ ଓ ଆତ୍ମବିଶ୍ୱାସ ଦ୍ୱାରା ଏକତାର ସୂତ୍ରରେ ବାନ୍ଧି ପାରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକା ନନ୍ଦ ଯେତେବେଳେ ବେଦାନ୍ତକୁ ପାଶ୍ଚାତ୍ୟକୁ ନେଇଯାଇଥିଲେ, ସେତେବେଳେ ଶ୍ରୀଲ ପ୍ରଭୁପାଦ ଏବଂ ଇସ୍କନ ଭକ୍ତିଯୋଗକୁ ବିଶ୍ୱାଭିମୁଖୀ କରାଇପାରିଥିଲେ । ସେ ଭକ୍ତି ବେଦାନ୍ତକୁ ବିଶ୍ୱ ଚେତନା ସହ ଯୋଡିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବିଭିନ୍ନ ଦେଶରେ ଶହ ଶହ ଇସ୍କନ ମନ୍ଦିର ଓ ଗୁରୁକୁଳ ଭାରତୀୟ ସଂସ୍କୃତିକୁ ଉଦ୍‌ଜୀବିତ ରଖିଛନ୍ତି । ଇସ୍କନ ପୃଥିବୀକୁ ଭାରତମାନେ ବିଶ୍ୱାସ, ଉତ୍ସାହ, ଆନନ୍ଦ ଓ ମାନବିକତାରେ ବିଶ୍ୱାସୀ ବୋଲି ବାର୍ତ୍ତା ଦେଇଛି । କଚ୍ଛର ଭୂମିକମ୍ପ ଓ ଉତ୍ତରାଖଣ୍ଡର ବର୍ଷାବିତ୍ପାତ ଓଡିଶା ଓ ବଙ୍ଗଳାରେ ବାତ୍ୟା ବେଳେ ଇସ୍କନର ସେବାଭାବ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ବୈଶ୍ୱିକ ମହାମାରୀ କାଳରେ ମଧ୍ୟ ଇସ୍କନ୍‌ର କାର‌୍ୟ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।