Categories
ଆଜିର ଖବର ଜାତୀୟ ଖବର

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ଗଣମାଧ୍ୟମ ସଂସ୍ଥାକୁ ପରାମର୍ଶ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ସବୁ ଅଂଶୀଦାରଙ୍କୁ କୌଣସି ରୂପରେ ବେଟିଂ/ଜୁଆ ଖେଳ ଉପରେ ବିଜ୍ଞାପନ/ପ୍ରଚାର ବିଷୟବସ୍ତୁ ପ୍ରସାରଣ କରିବା ଠାରୁ ତୁରନ୍ତ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ପାଳନ ନକଲେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜୁଆ ଆପ୍ ବ୍ୟବହାରକାରୀଙ୍କଠାରୁ ଯଥେଷ୍ଟ ଅର୍ଥ ଆଦାୟ କରିଥିବା ଏଜେଣ୍ଟମାନଙ୍କ ବିରୋଧରେ ନିକଟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ମନ୍ତ୍ରଣାଳୟ କହିଛି ଯେ ଜୁଆ/ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଉପଭୋକ୍ତା, ବିଶେଷକରି ଯୁବବର୍ଗ ଏବଂ ପିଲାମାନଙ୍କ ପାଇଁ ଗମ୍ଭୀର ଆର୍ଥିକ ଏବଂ ସାମାଜିକ-ଆର୍ଥିକ ବିପଦ ସୃଷ୍ଟି କରିଥାଏ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ବ୍ୟବସ୍ଥାର ବେଆଇନ ଅର୍ଥ କାରବାର ନେଟୱର୍କ ସହିତ ସମ୍ପର୍କ ରହିଛି, ଯାହା ଦେଶର ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି।

ମନ୍ତ୍ରଣାଳୟ ନିଜର ମାର୍ଗଦର୍ଶିକାରେ କହିଛି ଯେ ଏସବୁ ବେଆଇନ କାର୍ଯ୍ୟ ସହିତ ଏଭଳି ବିଜ୍ଞାପନ ପାଇଁ କଳାଧନ ବ୍ୟବହାର କରାଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ବିଜ୍ଞାପନ ମଧ୍ୟସ୍ଥ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ସମେତ କେତେକ ଗଣମାଧ୍ୟମ ସଂସ୍ଥା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଳି ପ୍ରମୁଖ କ୍ରୀଡ଼ା ଇଭେଣ୍ଟରେ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ଦେଉଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି । ଏହାବ୍ୟତୀତ ମନ୍ତ୍ରଣାଳୟ କହିଛି ଯେ ପ୍ରମୁଖ କ୍ରୀଡ଼ା ସମାରୋହ, ବିଶେଷ କରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସମୟରେ ଏଭଳି ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ।

ବେଟିଂ/ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ନ କରିବାକୁ ଗଣମାଧ୍ୟମ ପ୍ଲାଟଫର୍ମକୁ ଚେତାବନୀ ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଜାରି କରିଛି। ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥମାନଙ୍କୁ ମଧ୍ୟ ଭାରତୀୟ ଦର୍ଶକଙ୍କ ପ୍ରତି ଏଭଳି ବିଜ୍ଞାପନକୁ ଟାର୍ଗେଟ ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୧୩.୦୬.୨୦୨୨, ୦୩.୧୦.୨୦୨୨ ଏବଂ ୦୬.୦୪.୨୦୨୩ରେ ଏହି ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ ବେଟିଂ ଓ ଜୁଆ ଏକ ବେଆଇନ କାର୍ଯ୍ୟକଳାପ ଏବଂ ତେଣୁ କୌଣସି ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏଭଳି କାର୍ଯ୍ୟକଳାପର ବିଜ୍ଞାପନ/ପ୍ରୋତ୍ସାହନ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯, ପ୍ରେସ୍ କାଉନସିଲ ଅଧିନିୟମ ୧୯୭୮ ଇତ୍ୟାଦି ସମେତ ବିଭିନ୍ନ ଆଇନର ଉଲ୍ଲଂଘନ କରୁଛି।

ଅଧିକନ୍ତୁ, ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ନୈତିକତା ସଂହିତା) ନିୟମ, ୨୦୨୧ର ନିକଟରେ ସଂଶୋଧିତ ନିୟମ ୩(୧) (ବି) ରେ ବ୍ୟବସ୍ଥା ରହିଛି ଯେ ମଧ୍ୟସ୍ଥମାନେ ନିଜ ଆଡ଼ୁ ଯଥାର୍ଥ ପ୍ରୟାସ କରିବେ ଏବଂ ଏହାର କମ୍ପ୍ୟୁଟର ସମ୍ବଳକୁ ଉପଯୋଗ କରୁଥିବା ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଏପରି କୌଣସି ସୂଚନା ହୋଷ୍ଟ, ପ୍ରଦର୍ଶନ, ଅପଲୋଡ୍, ସଂଶୋଧନ, ପ୍ରକାଶ, ପ୍ରସାରଣ, ଷ୍ଟୋର୍, ଅପଡେଟ୍ କିମ୍ବା ଶେୟାର କରିବେ ନାହିଁ ଯାହାଏକ ଅନଲାଇନ୍ ଗେମ ପ୍ରକୃତିର ହୋଇଥିବ ଏବଂ ଏକ ଅନୁମୋଦିତ ଅନଲାଇନ୍ ଗେମ୍ ଭାବରେ ମାନ୍ୟତା ଲାଭ କରିନଥିବ; (x) ଅନୁମତିପ୍ରାପ୍ତ ଅନଲାଇନ ଗେମ୍‌ ପ୍ରକୃତିର ହୋଇନଥିବା ଏକ ଅନଲାଇନ ଗେମ ଅଥବା ଏପରି ଅନଲାଇନ ଗେମ୍‌ର ପ୍ରସ୍ତାବ ଦେଉଥିବା ଯେକୌଣସି ଅନଲାଇନ ଗେମ୍‌ ମଧ୍ୟସ୍ଥଙ୍କର ପ୍ରଚାର କରୁଥିବା ବିଜ୍ଞାପନ କିମ୍ବା ଛଦ୍ମ ବିଜ୍ଞାପନ ପ୍ରସାରଣ କରିବେ ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ନଖେଳିବା ପାଇଁ ଚାନ୍ଦପୁର ପୋଲିସର ଅଭିନଵ ଉପାୟ: ସଚେତନତା ବାର୍ତ୍ତା ମାଧ୍ୟମରେ ଦେଲା ଚେତାବନୀ

ନୟାଗଡ଼/ଚାନ୍ଦପୁର: ଜୁଆ ଖେଳନ୍ତୁ ନାହିଁ କି କାହାକୁ ଖେଳିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ଜୁଆ ଖେଳ ଦ୍ୱାରା ପରିବାର ସର୍ବସ୍ୱାନ୍ତ ହୋଇଯାଏ। ଯଦି କିଏ ଜୁଆ ଖେଳୁଛି ତେବେ ଆମକୁ ଖବର ଦିଅନ୍ତୁ।  ଏପରି କିଛି ସଚେତନତାର ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ।

ଖୋଦ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଚାନ୍ଦପୁର ଥାନା ଅଞ୍ଚଳରେ ଚାଲିଛି ଏପରି ପ୍ରଚାର। ପୋଲିସ କର୍ମଚାରୀ ମାନେ ହାତରେ ଡାକବାଜି ଯନ୍ତ୍ର ଧରି ବୁଲି ବୁଲି କରୁଛନ୍ତି ପ୍ରଚାର। ତେବେ ଆଗକୁ କୁମାର ପୂର୍ଣ୍ଣିମା ଥିବାବେଳେ ଚାନ୍ଦପୁର ଅଞ୍ଚଳରେ କେତେକ ଜୁଆଡ଼ି ସକ୍ରିୟ ହୋଇଉଠିଥିବାର ଖବର ପାଇଛି ପୋଲିସ। ତେଣୁ ଆଗୁଆ ପଦକ୍ଷେପ ସ୍ୱରୂପ ଚାନ୍ଦପୁର ପୋଲିସ ଆଜି ଏପରି ଏକ ଅଭିନଵ ଉପାୟ ହାତକୁ ନେଇଛି।

ଡାକବାଜି ଯନ୍ତ୍ର ଦ୍ୱାରା ଚାନ୍ଦପୁର ଅଞ୍ଚଳରେ ସଚେତନତା ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି ଆଇଆଇସି। ଜୁଆ ଖେଳ ଠୁ ଦୁରେଇ ରୁହନ୍ତୁ ଏବଂ ଯଦି କେଉଁ ବ୍ୟକ୍ତି ଜୁଆ ଖେଳେ କିମ୍ବା ଖେଳିବା ପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଉକ୍ତ ସୂଚନା ଚାନ୍ଦପୁର ଥାନାରେ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତ ଆଇଆଇସି ଶ୍ରୀ ଦାସ।

ସେହିପରି ଭାବେ ଯଦି କୌଣସି ବ୍ୟକ୍ତି ଜୁଆ ଖେଳୁଥିବା ବେଳେ ଧରାପଡନ୍ତି, ତେବେ ତାଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ସୂଚନା ଥାଉକି ଚାନ୍ଦପୁର ଅଞ୍ଚଳକୁ ଜୁଆ ମୁକ୍ତ କରିବା ପାଇଁ ଗତ ବର୍ଷରୁ ପ୍ରୟାସ ଜାରି ରଖିଛନ୍ତି ଆଇଆଇସି ଶ୍ରୀ ଦାସ। ଏହି ପରିପ୍ରେକ୍ଷୀରେ ଗତ ବର୍ଷ କୁମାର ପୂର୍ଣ୍ଣିମାରେ ୧୫ ଜଣ ଜୁଆଡ଼ିଙ୍କୁ ଚାନ୍ଦପୁର ପୋଲିସ ଗିରଫ ମଧ୍ୟ କରିଥିଲା। ତେବେ ଚାନ୍ଦପୁର ପୋଲିସର ଉକ୍ତ ଆଗୁଆ ପଦକ୍ଷେପକୁ ଅଞ୍ଚଳ ବାସି ସ୍ବାଗତ କରିବା ସହ ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟ୍ ଡାଉନ୍ ରେ ଚାଲିଥିଲା ଜୁଆ ଖେଳ: ୭ ଜୁଆଡିଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ସଟ୍ ଡାଉନ୍ ରେ ଲୋକେ ଘରେ ରହୁଥିବା ବେଳେ ଜୁଆଡି ବେଧଡକ ଭାବେ ଜୁଆ ଖେଳୁଥିବା ଦେଖାଯାଉଛି। ଜୁଆଡିମାନଙ୍କୁ ନା ରହୁଛି କରୋନା ମହାମାରୀର ଚିନ୍ତା ନା ପରିବାର ଚଳାଇବାର ସେମାନଙ୍କ ପାଖେ ନୈତିକ ଦାୟିତ୍ୱ ରହିଛି। ଜୁଆଡିମାନେ ବାରମ୍ବାର ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିଲେ ବି ସେଥିପ୍ରତି ନିଘା ନାହିଁ। ତେଣୁ ସେହି ଜୁଆଡିମାନଙ୍କ ଉପରେ ପୋଲିସ କଡା ନଜର ରଖୁଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରୁଛି। ହେଲେ ଏଭଳି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସେମାନେ ଆଦୌ ପ୍ରୟାସ କରୁନାହାନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଆଡ୍ଡା ଚାଲୁଥିବା ଦେଖାଯାଉଛି। ପୋଲିସ ବାରମ୍ବାର ସେହି ଜୁଆ ଆଡ୍ଡା ଉପରେ ଚଢାଉ କରି ଏହି ମହାମାରୀ ସମୟରେ ଅନେକ ଜୁଆଡିଙ୍କୁ ଗିରଫ କରୁଛି।

ଜୁଆ ଖେଳ ଚାଲିଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୁଆଡିମାନଙ୍କୁ ଧରିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଟାଙ୍ଗୀ ଥାନା ଉଗ୍ରତାରା ନିକଟସ୍ଥ କନ୍ତଳବାଇ ଜଙ୍ଗଲରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲିଥିବାର ପୋଲିସ ଜାଣିପାରିଥିଲା। ସେହି ଜୁଆ ଆଡ୍ଡା ଉପରେ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଜଙ୍ଗଲ ରାସ୍ତା ଦେଇ ଜୁଆଡିମାନେ ଖସି ପଳାଇଯିବା ପାଇଁ ସକ୍ଷମ ହେଉଥିଲେ।

କିନ୍ତୁ ଏଥର ଯୋଜନା ମୁତାବକ ଜୁଆଡିମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଚଢାଉରେ ୭ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିବା ସହ ନକଦ ୩ ହଜାର ଟଙ୍କା, ୫ ଟି ବାଇକ ଏବଂ ଦୁଇଟି ସାଇକେଲକୁ ଜବତ କରିଛି। ଗିରଫ ଜୁଆଡିମାନଙ୍କ ବିରୋଧରେ ୩ ଓପିଜି ଆଇନ ଅନୁଯାୟୀ ଟାଙ୍ଗୀ ଥାନାରେ କେସ ନମ୍ବର ୨୪୦/୨୧ ରେ ମାମଲା ରୁଜୁ ହୋଇଥିବାର ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।

ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକଙ୍କ ନେତୃତ୍ଵରେ ଏହି ଚଢାଉ କରାଯାଇଥିଲା।