ସଟ୍ ଡାଉନ୍ ରେ ଚାଲିଥିଲା ଜୁଆ ଖେଳ: ୭ ଜୁଆଡିଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

Published: Jul 19, 2021, 11:26 am IST

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ସଟ୍ ଡାଉନ୍ ରେ ଲୋକେ ଘରେ ରହୁଥିବା ବେଳେ ଜୁଆଡି ବେଧଡକ ଭାବେ ଜୁଆ ଖେଳୁଥିବା ଦେଖାଯାଉଛି। ଜୁଆଡିମାନଙ୍କୁ ନା ରହୁଛି କରୋନା ମହାମାରୀର ଚିନ୍ତା ନା ପରିବାର ଚଳାଇବାର ସେମାନଙ୍କ ପାଖେ ନୈତିକ ଦାୟିତ୍ୱ ରହିଛି। ଜୁଆଡିମାନେ ବାରମ୍ବାର ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିଲେ ବି ସେଥିପ୍ରତି ନିଘା ନାହିଁ। ତେଣୁ ସେହି ଜୁଆଡିମାନଙ୍କ ଉପରେ ପୋଲିସ କଡା ନଜର ରଖୁଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରୁଛି। ହେଲେ ଏଭଳି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସେମାନେ ଆଦୌ ପ୍ରୟାସ କରୁନାହାନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଆଡ୍ଡା ଚାଲୁଥିବା ଦେଖାଯାଉଛି। ପୋଲିସ ବାରମ୍ବାର ସେହି ଜୁଆ ଆଡ୍ଡା ଉପରେ ଚଢାଉ କରି ଏହି ମହାମାରୀ ସମୟରେ ଅନେକ ଜୁଆଡିଙ୍କୁ ଗିରଫ କରୁଛି।

ଜୁଆ ଖେଳ ଚାଲିଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୁଆଡିମାନଙ୍କୁ ଧରିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଟାଙ୍ଗୀ ଥାନା ଉଗ୍ରତାରା ନିକଟସ୍ଥ କନ୍ତଳବାଇ ଜଙ୍ଗଲରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲିଥିବାର ପୋଲିସ ଜାଣିପାରିଥିଲା। ସେହି ଜୁଆ ଆଡ୍ଡା ଉପରେ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଜଙ୍ଗଲ ରାସ୍ତା ଦେଇ ଜୁଆଡିମାନେ ଖସି ପଳାଇଯିବା ପାଇଁ ସକ୍ଷମ ହେଉଥିଲେ।

କିନ୍ତୁ ଏଥର ଯୋଜନା ମୁତାବକ ଜୁଆଡିମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଚଢାଉରେ ୭ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିବା ସହ ନକଦ ୩ ହଜାର ଟଙ୍କା, ୫ ଟି ବାଇକ ଏବଂ ଦୁଇଟି ସାଇକେଲକୁ ଜବତ କରିଛି। ଗିରଫ ଜୁଆଡିମାନଙ୍କ ବିରୋଧରେ ୩ ଓପିଜି ଆଇନ ଅନୁଯାୟୀ ଟାଙ୍ଗୀ ଥାନାରେ କେସ ନମ୍ବର ୨୪୦/୨୧ ରେ ମାମଲା ରୁଜୁ ହୋଇଥିବାର ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।

ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକଙ୍କ ନେତୃତ୍ଵରେ ଏହି ଚଢାଉ କରାଯାଇଥିଲା।

Related posts