Categories
ଆଜିର ଖବର ରାଜ୍ୟ ଖବର

ଦେବଗଡ ବାରକୋଟରେ ହେବ ଅତିରିକ୍ତ ସିଭିଲ୍ ଜଜ୍ ତଥା ଜେଏମଏଫସି କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି। ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ନୂତନ କୋର୍ଟ ପାଇଁ ଆଇନ ବିଭାଗ ପକ୍ଷରୁ ଆବଶ୍ୟକୀୟ ୧୨ଟି ଗେଜେଟେଡ୍ ଓ ଅଣଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ବିଭିନ୍ନ କାରଣରୁ ପଡିରହିଥିବା ମାମଲାଗୁଡିକ ତୁରନ୍ତ ଫଇସଲା ନିମନ୍ତେ ଏହି ନୂତନ କୋର୍ଟ ସହାୟକ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ସଂସ୍ଥାରୁ ସୁନା ଠକେଇ ମାମଲା: ଅଭିଯୁକ୍ତ ଶାଖା ପ୍ରବନ୍ଧକଙ୍କୁ ଜେଲ ଦଣ୍ଡାଦେଶ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଏକ ଘରୋଇ ସୁନା ବନ୍ଧକ ଶାଖାରେ ନକଲି ସୁନା ବନ୍ଧକ ରଖି ଜନସାଧାରଣଙ୍କ ଅସଲି ସୁନା ହଡ଼ପ ମାମଲାରେ ଅଭିଯୁକ୍ତ ଥିବା ଉକ୍ତ ଶାଖା ପ୍ରବନ୍ଧକଙ୍କୁ ଆଜି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବାଣପୁର ଜେଏମଏଫସି କୋର୍ଟ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ଶାଖା ପ୍ରବନ୍ଧକ ସଚିନ ପ୍ରଧାନ ଗତ ବର୍ଷ ଫେବୃୟାରୀ ୧୯ ତାରିଖରେ ଉକ୍ତ ଶାଖାରେ ବନ୍ଧକ ଥିବା ସୁନା ଜିନିଷ ହଡପ କରି ନକଲି ସୁନା ବନ୍ଧକ ରଖି ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କାଗଜପତ୍ରରେ ସୁନା ଋଣ କରି ଟଙ୍କା ଜାଲିଆତି ଘଟଣାରେ ଗିରଫ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଜେଏମଏଫସି କୋର୍ଟରେ ଜିଆର କେସ ନମ୍ବର ୭୩/୨୨, ଆଇପିସି ଦଫା ୪୦୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୩୪ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ଏହାର ବିଚାର ପ୍ରକ୍ରିୟା ଜାରି ରହିଥିଲା। ଅଭିଯୁକ୍ତ ସଚିନ ଗତ ବର୍ଷ ମାର୍ଚ୍ଚ ୨ ତାରିଖରୁ ଜେଲରେ ରହିଥିବା ବେଳେ ଇତି ମଧ୍ୟରେ ୧୪ ଜଣଙ୍କ ସାଖ୍ୟ ପ୍ରମାଣକୁ ଭିତ୍ତି କରି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଦଫା ୪୦୯ ଓ ୪୭୧ ରେ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଭରିବା ରାୟ ପ୍ରକାଶ କରିଛନ୍ତି। ଏବଂ ଜରିମାନା ଅନାଦେୟ ହେଲେ ଆଉ ଏକ ମାସ
କାରାଦଣ୍ଡ ଦଣ୍ଡାଦେଶ ରହିଛି।

ଉକ୍ତ ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଜଳଧର ପ୍ରଧାନ ଓ ପ୍ରାଚୀପ୍ରଭା ନନ୍ଦ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି ପରିଚାଳନା କରୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

ଭୁବନ: ବେଆଇନ ମଦ ବିକ୍ରି ଅଭିଯୋଗରେ ସ୍ଥାନୀୟ ଜେଏମଏଫସି କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଜ୍ୟୋତିରଂଜନ ଜେନା ଓ ବେବିନା ଜେନା ବେଆଇନ ମଦ ବିକ୍ରି କରୁଥିବା ଖବର ପାଇ କାମାକ୍ଷାନଗର ଅବକାରୀ ବିଭାଗ ଏସ.ଆଇ ସ୍ୱପ୍ନାରାଣୀ ସାହୁ ଗତ ୮.୩.୨୦୧୯ ରିଖରେ ଚଢାଉ କରି ତାଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଥିଲେ।

ଏ ସଂପର୍କରେ ୨(ଏ)ସି.ସି କେଶ ନଂ-୩/୨୦୧୯ ର ଶୁଣାଣି କରି ଜେଏମଏଫସି ଶ୍ରୀଚନ୍ଦନ ଦାସ ଓଡିଶା ଏକସାଇଜ ଆକ୍ଟ ୨୦୦୮ ଦଫା ୫୨(ଏ)(ଆଇ) ଆଧାରରେ ଜ୍ୟୋତିରଂଜନ ଓ ବେବିନାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଜରିମାନା ଅନାଦୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ଆଦେଶ ମଧ୍ୟ ଦେଇଥିଲେ। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ମହେନ୍ଦ୍ର କୁମାର ମହାପାତ୍ର କେଶ ପରିଚାଳନା କରୁଥିବା ବେଳେ ନନ କ୍ୟାଡର ଏପିପି କେଶବ ଚନ୍ଦ୍ର ପଣ୍ଡା ସହାୟତା କରିଥିଲେ।