ନୂଆଦିଲ୍ଲୀ: ବର୍ତ୍ତମାନ ବାଇକ୍ ଗୁଡିକ ଆକାଶରେ ଉଡୁଥିବା ଦେଖିବାକୁ ମିଳିବ। ଏବେ ଆକାଶରେ ଉଡ଼ୁଥିବା ବାଇକ୍ ର ବୁକିଂ ଆରମ୍ଭ ହୋଇଛି। ଆମେରିକାର ବିମାନ କମ୍ପାନୀ ଜେଟପ୍ୟାକ୍ ଦୁନିଆର ପ୍ରଥମ ଫ୍ଲାଇଙ୍ଗ ବାଇକ୍ ପାଇଁ ବୁକିଂ ନେବା ଆରମ୍ଭ କରିଛି। ଏହି ବାଇକ୍ ରେ ୮ ଟି ଶକ୍ତିଶାଳୀ ଜେଟ୍ ଇଞ୍ଜିନ୍ ବ୍ୟବହୃତ ହୋଇଛି, ଯାହା ୩୦ ମିନିଟରେ ୯୬ କିଲୋମିଟର ଯାତ୍ରା କରିବାର କ୍ଷମତା ରଖେ।
ଡିଜାଇନ୍ ଏହିପରି ହେବ:
ଏହାର ମୂଳ ଡିଜାଇନ୍ ରେ ଚାରୋଟି ଜେଟ୍ ଇଞ୍ଜିନ୍ ବ୍ୟବହୃତ ହୋଇଥିବାବେଳେ ଆଠଟି ଜେଟ୍ ଇଞ୍ଜିନ୍ ଏହାର ଅନ୍ତିମ ଡିଜାଇନ୍ ରେ ଦେଖାଯିବ। ଏହାର ଅର୍ଥ ହେଉଛି ଚାରୋଟି କୋଣରେ ଦୁଇଟି ଲେଖାଏଁ ଜେଟ୍ ଇଞ୍ଜିନ୍ ବ୍ୟବହାର କରାଯିବ। ଯାହା ଆରୋହୀଙ୍କୁ ସୁରକ୍ଷା ଦେବାରେ ସକ୍ଷମ ହେବ। ଏହି ବାଇକ୍ ୨୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବହନ କରିବାକୁ ସକ୍ଷମ ହେବ।
ବେଗ ଘଣ୍ଟା ପ୍ରତି ୪୦୦ କିଲୋମିଟରରୁ ଅଧିକ ହେବ:
ଏହି ମୋଟରସାଇକେଲ ୨୫୦ ଏମପିଏଚ (୪୦୦ କିମି/ଘଣ୍ଟା) ବେଗରେ ବାୟୁରେ ଉଡ଼ିବାରେ ସକ୍ଷମ ହେବ। ତଥାପି, ଜଣେ ଭଲ ପାଇଲଟ୍ ଆରୋହୀ ମଧ୍ୟ ଏହି ବେଗରେ ଉଡ଼ିବା କଷ୍ଟକର ହୋଇପାରେ।
କମ୍ପାନୀର କହିବାନୁସାରେ, ଜଣେ ଭଲ ପାଇଲଟ୍ ଏହି ବାଇକକୁ ଆକାଶରେ ୧୬ ହଜାର ଫୁଟ ଉଚ୍ଚକୁ ନେଇପାରିବେ, କିନ୍ତୁ ଏହି ଉଚ୍ଚତାକୁ ଗଲେ ଏହାର ଇନ୍ଧନ ସରିଯିବ ଏବଂ ପାଇଲଟ୍ ଆରୋହୀ ସୁରକ୍ଷିତ ଭାବରେ ଭୂମିରେ ଫେରିବା ପାଇଁ ପାରାଚ୍ୟୁଟ୍ ଆବଶ୍ୟକ କରିବେ।
ମୂଲ୍ୟ:
ଜେଟପ୍ୟାକ୍ ଆଭିଏସନ କମ୍ପାନୀ ଏହି ବାଇକ୍ ପାଇଁ ବୁକିଂ ନେବା ଆରମ୍ଭ କରିଛି। କମ୍ପାନୀ ଏହାର ପ୍ରାରମ୍ଭିକ ମୂଲ୍ୟ ୩.୧୫ କୋଟି ଟଙ୍କା ରଖିଛି। ଏହି ବାଇକ୍ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ବଜାରରେ ଲଞ୍ଚ ହୋଇପାରିବ।