Categories
ବିଶେଷ ଖବର

ମମତା ବାନାର୍ଜୀଙ୍କ ଆକ୍ଷେପ: ବିଜେପି ଓ ଇଣ୍ଡି ମେଣ୍ଟ ନେତାଙ୍କ ମଧ୍ୟରେ କୋଳାକୋଳି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଟିଏମସି-ବିଜେପି ବିରୋଧରେ ଲଢ଼େଇ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି। ଅପର ପକ୍ଷରେ ପଶ୍ଚିମବଙ୍ଗରେ କୌଣସି ଦଳ ସହ ଆସନ ବୁଝାମଣା କରିବାକୁ ସେ ମନା କରିଦେଇଛନ୍ତି।

ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦେଗଙ୍ଗାଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, ବିରୋଧୀ ଇଣ୍ଡି ମେଣ୍ଟ ସମଗ୍ର ଦେଶରେ ବିଜେପିକୁ ଟକ୍କର ଦେବ ଏବଂ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଏହି ଲଢ଼େଇର ନେତୃତ୍ୱ ନେବ।
ସିପିଆଇ(ଏମ୍) ଓ କଂଗ୍ରେସ ପଶ୍ଚିମବଙ୍ଗରେ ବିଜେପି ସହ ମିଶିଥିବା ସେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗରେ ସିପିଆଇ(ଏମ୍), ବିଜେପି ଓ କଂଗ୍ରେସ ମେଣ୍ଟ କରି ଆମ ବିରୋଧରେ ସକ୍ରିୟଭାବେ ପ୍ରଚାର କରୁଛନ୍ତି।

ନାଗରିକତା ବିବାଦରୁ ରାଜନୈତିକ ଫାଇଦା ଉଠାଉଛି ବିଜେପି: ମମତା ବାନାର୍ଜୀ

ମମତା ବାନାର୍ଜୀ କହିଛନ୍ତି, ନାଗରିକତା ପ୍ରସଙ୍ଗକୁ ବିଜେପି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି। ଯଦି ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ନାଗରିକତା ନାହିଁ, ତେବେ ସେମାନେ ରାଜ୍ୟ ଓ କେନ୍ଦ୍ରୀୟ ଉନ୍ନୟନ ଯୋଜନାର ସୁଫଳ କେମିତି ପାଉଛନ୍ତି ? ଆପଣମାନେ ସମସ୍ତେ ଏହି ଦେଶର ନାଗରିକ ଅଟନ୍ତି। ଯଦି ଆପଣ ନାଗରିକ ନୁହଁନ୍ତି, ତେବେ ଆପଣ କିପରି ମାଗଣା ରାସନ, ସ୍ୱାସ୍ଥ୍ୟ ଯୋଜନାର ଲାଭ ନେଉଛନ୍ତି। ପୂର୍ବରୁ ନାଗରିକତା ଦେବା ଜିଲ୍ଲାପାଳଙ୍କ କାମ ଥିଲା, କିନ୍ତୁ ଏବେ ରାଜନୈତିକ ଫାଇଦା ପାଇଁ ବିଜେପି ସେହି କ୍ଷମତା ଛଡ଼ାଇ ନେଇଛି।

ବିଜେପି ଲୋକଙ୍କ ମଧ୍ୟରେ ଭେଦଭାବ କରୁଛି

ଗୃହମନ୍ତ୍ରୀ ଅମିତ ଶାହ କିଛିଦିନ ତଳେ କହିଥିଲେ ଯେ ସିଏଏ ଲାଗୁ ହେବାରୁ କେହି ଅଟକାଇ ପାରିବେ ନାହିଁ। ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗ ରାଜନୈତିକ ଏଜେଣ୍ଡା ପାଇଁ ଉଠାଯାଉଛି। ସେମାନେ ଲୋକଙ୍କୁ ବିଭାଜନ କରିବାକୁ ଚାହୁଁଛନ୍ତି। ସେମାନେ କାହାକୁ ନାଗରିକତା ଦେବାକୁ ଚାହୁଁଛନ୍ତି ଏବଂ ସେମାନେ କାହାକୁ ନାଗରିକତା ଦେବାକୁ ଚାହାଁନ୍ତି ନାହିଁ। ଯଦି ଗୋଟିଏ ସମ୍ପ୍ରଦାୟକୁ ନାଗରିକତା ମିଳୁଛି, ତେବେ ଅନ୍ୟ ସମ୍ପ୍ରଦାୟକୁ ମଧ୍ୟ ନାଗରିକତା ମିଳିବା ଦରକାର। ଏହି ଭେଦଭାବ ଭୁଲ, ଆମେ ଏହି ଭେଦଭାବର ବିରୁଦ୍ଧରେ ଅଛୁ।

ମମତା ବାନାର୍ଜୀ ୧୯୭୧ ଏବଂ ତା’ପରେ ବାଂଲାଦେଶରୁ ଆସିଥିବା ଲୋକଙ୍କୁ ଜମି ଅଧିକାର ଦେବା ପାଇଁ ଟିଏମସି ସରକାରଙ୍କ ଯୋଜନା ବିଷୟରେ କହିଥିଲେ।

ଶରଣାର୍ଥୀମାନେ ଯେପରି ଶରଣାର୍ଥୀ ନ ରହିବେ ସେଥିପାଇଁ ସେମାନଙ୍କୁ ଜମି ଅଧିକାର ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମମତା ବାନାର୍ଜୀଙ୍କ ଦଳ ଟିଏମସି ୨୦୧୯ରେ ସଂସଦରେ ପାରିତ ହୋଇଥିବା ସିଏଏକୁ ବିରୋଧ କରିଆସୁଛି।