Categories
ବିଶେଷ ଖବର

ଆତଙ୍କବାଦ ସମେତ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ମଞ୍ଚ: କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସମେତ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ ପରାମର୍ଶ ଜାରି କରିଛି।

ନିକଟରେ ବିଦେଶରେ ରହୁଥିବା ଜଣେ ଅପରାଧିକ ବ୍ୟକ୍ତି ଟେଲିଭିଜନ ଚ୍ୟାନେଲ ଆଲୋଚନାରେ ସାମିଲ ହେବା ପରେ ଏପରି ମାର୍ଗଦର୍ଶିକା ଜାରି କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଆତଙ୍କବାଦ ଭଳି ଗମ୍ଭୀର ମାମଲା ରହିଛି ଏବଂ ସେ ଭାରତୀୟ ଆଇନ ଦ୍ୱାରା ପ୍ରତିବନ୍ଧିତ ଏକ ଏକ ଆତଙ୍କବାଦ ଗୋଷ୍ଠୀ ସହ ସମ୍ପୃକ୍ତ ରହିଛନ୍ତି। ଆଲୋଚନା ସମୟରେ ବ୍ୟକ୍ତି ଜଣକ ଦେଶର ସାର୍ବଭୌମତ୍ୱ/ଅଖଣ୍ଡତା, ଭାରତର ନିରାପତ୍ତା, ବିଦେଶୀ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଦେଶରେ ଜନଶୃଙ୍ଖଳା ବିଗିଡ଼ିବାର ସମ୍ଭାବନା ଥିବା ଅନେକ ମନ୍ତବ୍ୟ ଦେଇଥିଲେ।

ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ, କେନ୍ଦ୍ର ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିଛନ୍ତି ଏବଂ ସମ୍ବିଧାନ ଅଧୀନରେ ଏହାର ଅଧିକାରକୁ ସମ୍ମାନ ଦିଅନ୍ତି, କିନ୍ତୁ ଟିଭି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥା ସମେତ ଏହାର ଧାରା ୨୦ର ଉପଧାରା (୨)କୁ ପାଳନ କରିବା ଆବଶ୍ୟକ।

Categories
ବିଶେଷ ଖବର

କେନ୍ଦ୍ରର ଚେତାବନୀ: ଏଣିକି ବିଚଳିତ ଓ ଭୟଭୀତ କରୁଥିବା ଫୁଟେଜ ପ୍ରଦର୍ଶନ କରିପାରିବେନି ଟିଭି ଚ୍ୟାନେଲ

ନୂଆଦିଲ୍ଲୀ: ଦୁର୍ଘଟଣା, ମୃତ୍ୟୁ ଓ ମହିଳା, ଶିଶୁ ବୟସ୍କଙ୍କ ପ୍ରତି ହିଂସା ଭଳି ଆଚରଣ ଅରୁଚିକର ଓ ଶିଷ୍ଟତା ସହ ସାଲିସ ଭଳି ହୋଇଥିବାରୁ ଏଭଳି ଖବର ପ୍ରସାର ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି (୦୯.୦୧.୨୦୨୩) ଟିଭି ଚ୍ୟାନେଲଗୁଡିକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଟେଲିଭିଜନ ଚ୍ୟାନେଲଗୁଡିକ ପକ୍ଷରୁ ସାବଧାନତା ଅବଲମ୍ବନ ନ କରିବାର ଅନେକ ଘଟଣା ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡିକ ଲୋକମାନଙ୍କ ମୃତ ଶରୀର, ଆହତ ବ୍ୟକ୍ତିମାନଙ୍କର ରକ୍ତ ଜୁଡୁବୁଡୁ ଶରୀରର ଫଟୋ ଏବଂ ଭିଡିଓ, ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନିର୍ଦ୍ଦୟଭାବେ ମାଡ ମରାଯାଉଥିବାର ଖୁବ୍ ନିକଟରୁ ନିଆଯାଉଥିବା ଚିତ୍ର, ଶିକ୍ଷକଙ୍କ ଦ୍ୱାରା ମାଡ ଖାଇଥିବା ଶିଶୁର କ୍ରନ୍ଦନ ଓ ଚିତ୍କାର ଇତ୍ୟାଦି ବାରମ୍ବାର ଅନେକ ସମୟ ପର୍ଯ୍ୟନ୍ତ ଦେଖାଉଛନ୍ତି। ଏଗୁଡିକୁ ଝାପ୍ସା କରି ବା ଦୂରରୁ ନ ଦେଖାଇବା ଯୋଗୁଁ ଏହି ସଟ୍ ଗୁଡିକ ଆହୁରି ଭୟଙ୍କର ହେଉଛି। ଯେଭଳି ଏହାର ଖବର ପ୍ରସାରିତ ହେଉଛି ତାହା ଦର୍ଶକମାନଙ୍କ ନିମନ୍ତେ ଅତ୍ୟନ୍ତ ଅରୁଚିକର ଓ ଦୁଃଖଦାୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିଭିନ୍ନ ଶ୍ରେଣୀର ଦର୍ଶକଙ୍କ ଉପରେ ଏଭଳି ସମ୍ବାଦ କିପରି ପ୍ରଭାବ ପକାଉଛି ତା’ ଉପରେ ମାର୍ଗଦର୍ଶିକାରେ ଆଲୋଚନା କରାଯାଇଛି। ଏଭଳି ଖବର ପିଲାମାନଙ୍କ ଉପରେ ଖରାପ ମନସ୍ତାତ୍ତ୍ୱିକ ପ୍ରଭାବ ପକାଇବ ବୋଲି ମଧ୍ୟ କୁହାଯାଇଛି। ଏଥିରେ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପଡୁଥିବାରୁ ଏହା ମାନହାନୀ କାରକ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଟେଲିଭିଜନ ସାଧାରଣତଃ ପୂରା ପରିବାର ମିଳିମିଶି ଦେଖୁଥାନ୍ତି। ଏଥିରେ ବୟସ୍କ, ମଧ୍ୟବୟସ୍କ, ଛୋଟ ପିଲା ଓ ବିଭିନ୍ନ ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ଦେଖୁଥିବାରୁ ପ୍ରସାରଣକାରୀମାନଙ୍କ ଦାୟିତ୍ୱ ବୋଧ ଓ ଶୃଙ୍ଖଳାଜ୍ଞାନ ରହିବା ଆବଶ୍ୟକ ଯାହା କାର୍ଯ୍ୟକ୍ରମ ଓ ବିଜ୍ଞାପନ ସଂହିତାରେ ମଧ୍ୟ ଦର୍ଶାଯାଇଛି।

ମନ୍ତ୍ରଣାଳୟ ଏକଥା ମଧ୍ୟ ହୃଦୟଙ୍ଗମ କରିଛି ଯେ ଅଧିକାଂଶ କ୍ଷେତ୍ରରେ ଭିଡିଓଗୁଡିକୁ ସାମାଜିକ ଗଣମାଧ୍ୟମରୁ ନିଆଯାଇଥିବା ବେଳେ କାର୍ଯ୍ୟକ୍ରମ ସଂହିତାର ନିର୍ଦ୍ଦେଶାବଳୀ ଅନୁସାରେ ଖାପ ଖୁଆଇବା ପାଇଁ ଏଗୁଡିକ ବିନା ସମ୍ପାଦକୀୟ ହସ୍ତକ୍ଷେପ ଓ ସଂଶୋଧନରେ ପ୍ରସାରିତ ହେଉଛି।

ନିକଟରେ ପ୍ରସାରିତ କେତେକ ଖବରର ଉଦାହାରଣ ନିମ୍ନରେ ପ୍ରଦତ୍ତ ହେଲା…

୧. ୩୦.୧୨.୨୦୨୨ରେ ପ୍ରସାରିତ ଭିଡିଓରେ ଦୁର୍ଘଟଣାରେ ଆହତ ଜଣେ କ୍ରିକେଟ ଖେଳାଳୀଙ୍କ ଯନ୍ତ୍ରଣାଦାୟକ ଖବରର ଚିତ୍ର ଝାପ୍ସା କରା ନଯାଇ ପ୍ରସାରିତ ହୋଇଛି।

୨.୨୮.୮.୨୦୨୨ ଦିନ ଜଣେ ବ୍ୟକ୍ତି ଆଉ ଜଣେ ମୃତବ୍ୟକ୍ତିର ଶରୀର ଘୋଷାଡି ଘୋଷାଡି ନେବା ସହ ମୃତବ୍ୟକ୍ତିର ମୁହଁ,ରକ୍ତରଞ୍ଜିତ ହୋଇଥିବା ଏକ ମନକୁ ଦୋହଲାଇ ଦେବାଭଳି ଭିଡିଓ ଚିତ୍ର।

୩.୦୬-୦୭-୨୦୨୨ରେ ଶିକ୍ଷକ ବିହାରର ପାଟନାରେ ଜଣେ ପାଞ୍ଚବର୍ଷର ପିଲାକୁ ଶ୍ରେଣୀରେ ସେ ବେହୋସ ହେବା ପର୍ଯ୍ୟନ୍ତ ନିର୍ଦ୍ଦୟଭାବେ ପିଟି ଚାଲିଥିବା ଦୃଶ୍ୟ । ପିଲାର ଯନ୍ତ୍ରଣାଦାୟକ କାନ୍ଦକୁ ଓ ତା ପ୍ରତି ଦୟାକରିବା ନିବେଦନ ଚିତ୍କାର ମ୍ୟୁଟ ନ କରି ଏହି କ୍ଲିପ ନଅ ମିନିଟ୍ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା।

୪. ୦୪-୦୬-୨୦୨୨ରେ ଜଣେ ପଞ୍ଜାବୀ ଗାୟକଙ୍କ ରକ୍ତାକ୍ତ ଶରୀର ଚିତ୍ର ଦେଖାଯାଇଥିଲା।

୫.୨୫-୫-୨୦୨୨ଦିନ ଆସାମର ଚିରାଙ୍ଗ ଜିଲ୍ଲାରେ ଜଣେ ବ୍ୟକ୍ତି ତାର ଦୁଇ ନାବାଳକ ପୁତ୍ରଙ୍କୁ ବାଡିରେ ଅତ୍ୟନ୍ତ ନିର୍ଦ୍ଦୟଭାବେ ପିଟୁଥିବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଭିଡିଓରେ ବ୍ୟକ୍ତିଜଣକ ନିର୍ଦ୍ଦୟଭାବେ ପିଟୁଥିବା ଦୃଶ୍ୟକୁ ଝାପ୍ସା ନ କରି କିମ୍ବା ପିଲା ଦୁଇଜଣଙ୍କ ଯନ୍ତ୍ରଣା ଜର୍ଜରିତ କ୍ରନ୍ଦନକୁ ମ୍ୟୁଟ ନ କରି ପ୍ରଦର୍ଶନ କରାଯାଇଥିଲା।

୬.୧୬-୦୫-୨୦୨୨ ଦିନ ଜଣେ ମହିଳା ଆଡଭୋକେଟଙ୍କୁ ତାଙ୍କ ପଡୋଶୀ କର୍ଣ୍ଣାଟକର ବାଗଲକୋଟରେ ନିଷ୍ଠୁରଭାବେ ଆକ୍ରମଣ ଘଟଣାର ଚିତ୍ର ବିନା ସମ୍ପାଦନାରେ ବାରମ୍ବାର ପ୍ରଦର୍ଶନ କରାଯାଇଥିଲା।

୭. ତାମିଲନାଡୁର ବିରୁଦ୍ଧ ନଗର ଜିଲ୍ଲାର ରାଜାପାଲାୟମ୍ରେ ୦୪-୦୫-୨୦୨୨ଦିନ ଜଣେ ବ୍ୟକ୍ତି ନିଜ ଭଉଣୀକୁ ହତ୍ୟା କରିବା ଦୃଶ୍ୟ ପ୍ରଦର୍ଶିତ ହୋଇଛି।

୮. ଛତିଶଗଡର ବିଳାସପୁର ଜିଲ୍ଲାରେ ୦୧.୦୫.୨୦୨୨ ଦିନ ଜଣେ ବ୍ୟକ୍ତିଙ୍କୁ ମୁଣ୍ଡ ତଳକୁ କରି ଗଛରେ ଝୁଲାଇ ପାଞ୍ଚଜଣ ବ୍ୟକ୍ତି ନିର୍ଦ୍ଦୟଭାବେ ପିଟିବାର ଦୃଶ୍ୟ।

୯. ୧୨-୦୪-୨୦୨୨ ଦିନ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ମୃତଦେହର ଦୁଃଖଦ ଦୃଶ୍ୟ ବାରମ୍ବାର ଝାପ୍ସା ନ କରି ଦେଖାଇବା।

୧୦. ୧୧-୦୪-୨୦୨୨ ଦିନ କେରଳର କୋଲାମଠାରେ ଜଣେ ବ୍ୟକ୍ତି ତା’ର ୮୪ବର୍ଷୀୟା ମାଆଙ୍କୁ ଅଗଣାରେ ଘୋଷାରି ପିଟୁଥିବା ଦୃଶ୍ୟକୁ ୧୨ ମିନିଟ୍ ପର୍ଯ୍ୟନ୍ତ ଝାପ୍ସା ନ କରି ଦେଖାଯାଇଥିଲା।

୧୧. ୦୭.୦୪.୨୦୨୨ରେ ଜଣେ ବୃଦ୍ଧ ତା’ର ପୁଅକୁ ନିଆଁରେ ଜଳାଇ ଦେବା ଭଳି ବ୍ୟକ୍ତ କରିବା ପରି ଭିଡିଓ ସାମ୍ନାକୁ ଆସିଥିଲା। ବ୍ୟକ୍ତି ଜଣଙ୍କ ଦିଆସିଲି ଜଳାଇ ତା ପୁଅ ଉପରକୁ ଫୋଫାଡିବା ଓ ତା’ର ସମଗ୍ର ଶରୀର ନିଆଁ ଦ୍ୱାରା ଆବୃତ୍ତ ହେବା ଚିତ୍ର ବାରମ୍ବାର ଦେଖାଯାଇଥିଲା।

୧୨. ୨୨-୦୩-୨୦୨୨ରେ ଆସାମର ମୋରିଗାଓଁରେ ଏକ ୧୪ ବର୍ଷୀୟ ନାବାଳକକୁ ମାଡଦେବା ଓ ସେ ଛାଡିଦେବା ପାଇଁ ଆକୁଳ ଚିତ୍କାର ଦୃଶ୍ୟ ଝାପସା ନ କରି ବା ମ୍ୟୁଟ ନ କରି ଦେଖାଯାଇଥିଲା।

ଏ ପ୍ରକାର ପ୍ରସାରଣ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ତଥା ପିଲା, ମହିଳା ଓ ବୃଦ୍ଧ-ବୃଦ୍ଧା ନିର୍ବିଶେଷରେ ସମସ୍ତେ ଟେଲିଭିଜନ ଦେଖୁଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଟେଲିଭିଜନ ଚ୍ୟାନେଲଗୁଡିକୁ ଏପରି ହିଂସାତ୍ମକ ଓ ଦୁର୍ଘଟଣାଜନିତ ଭିଡିଓ ପ୍ରସାରଣ ନ କରି କାର୍ଯ୍ୟକ୍ରମ ସଂହିତା ପାଳନ କରିବାକୁ ପରାମର୍ଶ ଦେଇ ମାର୍ଗଦର୍ଶିକା ଜାରି କରିଛି।

Categories
ବିଶେଷ ଖବର

ଏଣିକି ଟିଭି ଚ୍ୟାନେଲ ଉପରେ ହେବ କାର୍ଯ୍ୟାନୁଷ୍ଠାନ!, ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ କଭରେଜ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡ ସ୍ପିକର ଉପରେ ବିତର୍କ ପ୍ରଦର୍ଶନକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ଏହା ସହିତ, ନ୍ୟୁଜ୍ ଚ୍ୟାନେଲଗୁଡିକ ପାଇଁ ଗାଇଡଲାଇନ ଜାରି କରି, ସାମାଜିକ ବିରୋଧୀ, ଅସଂସଦୀୟ ତଥା ଉତ୍ତେଜକ ହେଡଲାଇନରୁ ଦୂରେଇ ରହିବାକୁ କୁହାଯାଇଛି। କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ ଆକ୍ଟ) ୧୯୯୫ ର ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରନ୍ତୁ ବୋଲି କେନ୍ଦ୍ର କହିଛି।

ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଏହି ନିର୍ଦ୍ଦେଶ ପାଳନ ନହୁଏ ତେବେ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ପରାମର୍ଶଦାତା ଦର୍ଶାଇଛନ୍ତି ଯେ, ଟେଲିଭିଜନ୍ ନେଟୱାର୍କ (ନିୟମାବଳୀ) ଅଧିନିୟମ, ୧୯୯୫ ର ଧାରା ୨୦ ଟିଭି ଚ୍ୟାନେଲ ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ କ୍ଷମତା ପ୍ରଦାନ କରିଥାଏ। ମାର୍ଗଦର୍ଶିକାରେ ଏହା ଉଲ୍ଲେଖ କରାଯାଇଛି ଯେ, ଯଦି କୌଣସି କାର୍ଯ୍ୟକ୍ରମ ନିର୍ଦ୍ଦେଶନାମା ପାଳନ ନକରନ୍ତି, ତା’ହେଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

lu6sm9q

ଜାହାଙ୍ଗୀରପୁରୀ ଘଟଣା ଏବଂ ବିଭିନ୍ନ ବିତର୍କ ଶୋ’କୁ ବିରୋଧ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲକୁ ଏକ ପରାମର୍ଶଦାତା ଜାରି କରିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦୋହରାଇଛି ଯେ, ବିଭିନ୍ନ ସମୟରେ ଟିଭି ଚ୍ୟାନେଲଗୁଡିକରେ ସାମାଜିକ ପରିବେଶରେ ଯାଞ୍ଚ ହୋଇନଥିବା, ବିଭ୍ରାନ୍ତିକର, ସମ୍ବେଦନଶୀଳ ଏବଂ ଗ୍ରହଣୀୟ ଭାଷା ବ୍ୟବହାର କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ମନୋରଂଜନ ସିନେମା

ଟିଭି ଚ୍ୟାନେଲ ପାଇଁ ନୂଆ ଆଇନ, ଏଣିକି ଲୋକଙ୍କ ଅଭିଯୋଗ ପାଇଁ କରିବେ ବୈଧାନିକ ବ୍ୟବସ୍ଥା

ଭୁବନେଶ୍ବର, କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ ନାଗରିକ ମାନଙ୍କର ଆପତ୍ତି କିମ୍ବା ଅଭିଯୋଗର ସମାଧାନ ଲାଗି ଏକ ବୈଧାନିକ ବ୍ୟବସ୍ଥା ରହିବ।

ବର୍ତ୍ତମାନ, ନିୟମାବଳୀ ଅନ୍ତର୍ଗତ ରହିଥିବା ବ୍ୟବସ୍ଥା ଅନୁଯାୟୀ, ଏକ ଆନ୍ତଃମନ୍ତ୍ରିସ୍ତରୀୟ ସମିତି ଦ୍ୱାରା କାଯ୍ୟକ୍ରମ/ବିଜ୍ଞାପନ ସଂହିତାର ଉଲ୍ଲଙ୍ଘନ ସଂକ୍ରାନ୍ତରେ ନାଗରିକମାନଙ୍କର ଅଭିଯୋଗର ସମାଧାନ ଲାଗି ସଂସ୍ଥାଗତ ବ୍ୟବସ୍ଥା ରହିଛି। ଅନୁରୂପ ଭାବେ, ଅଭିଯୋଗଗୁଡ଼ିକର ସମାଧାନ ଲାଗି ବିଭିନ୍ନ ପ୍ରସାରଣକାରୀଙ୍କର ଏକ ସ୍ୱ-ନିୟାମକ ବ୍ୟବସ୍ଥା ରହିଛି। ତେବେ ଅଭିଯୋଗ ସମାଧାନ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏକ ବୈଧାନିକ ବ୍ୟବସ୍ଥା କରିବାର ଆବଶ୍ୟକତା ଅନୁଭୂତ ହେଉଥିଲା।

କେତେକ ପ୍ରସାରଣକାରୀମାନେ ମଧ୍ୟ ସେମାନଙ୍କର ସଂଘ ବା ସଂସ୍ଥାଗୁଡ଼ିକୁ ଆଇନଗତ ମାନ୍ୟତା ଦେବା ନିମନ୍ତେ ଅନୁରୋଧ କରିଥିଲେ। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ୨୦୦୦ ମସିହାର ମାମଲା ସଂଖ୍ୟା ଡବ୍ଲୁପି (ସି)ନଂ. ୩୮୭- “କମନ୍ କଜ୍ ଭର୍ସେସ୍ ୟୁନିଅନ୍ ଅଫ୍ ଇଣ୍ଡିଆ ଆଣ୍ଡ ଅଦର୍ସ” ମାମଲାରେ ଦେଇଥିବା ରାୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅଭିଯୋଗ ସମାଧାନ ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଅଭିଯୋଗ ସମାଧାନ ବ୍ୟବସ୍ଥାର ଔପଚାରିକରଣ ନିମନ୍ତେ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

ଉପରୋକ୍ତ ପୃଷ୍ଠଭୂମିରେ, ଏହି ବୈଧାନିକ ବ୍ୟବସ୍ଥା ପ୍ରଦାନ କରିବା ଲାଗି କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀରେ ସଂଶୋଧନ କରାଯାଇଛି, ଯାହାକି ପାରଦର୍ଶୀ ଓ ନାଗରିକଙ୍କ ପାଇଁ ଲାଭଦାୟକ ହେବ। ଏଥିସହିତ, ପ୍ରସାରଣକାରୀମାନଙ୍କର ସ୍ୱ-ନିୟାମକ ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ।

ବର୍ତ୍ତମାନ ଦେଶରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଅନୁମତିପ୍ରାପ୍ତ ୯୦୦ରୁ ଅଧିକ ଟେଲିଭିଜନ ଚ୍ୟାନେଲ୍ ରହିଛନ୍ତି। ଏମାନଙ୍କୁ କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ ଅଧୀନରେ ଦିଆଯାଇଥିବା କାର‌୍ୟ୍ୟକ୍ରମ ଓ ବିଜ୍ଞାପନ ସଂହିତାକୁ ପାଳନ କରିବାକୁ ହୋଇଥାଏ। ଉପରୋକ୍ତ ବିଜ୍ଞପ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି କାରଣ ଅଭିଯୋଗ ସମାଧାନ ନିମନ୍ତେ ଏହା ଏକ ଦୃଢ଼ ସଂସ୍ଥାଗତ ବ୍ୟବସ୍ଥା ଯୋଗାଇ ଦେବ। ଏଥିସହିତ ପ୍ରସାରଣକାରୀ ଏବଂ ସେମାନଙ୍କର ସ୍ୱ-ନିୟାମକ ସଂସ୍ଥାଗୁଡ଼ିକ ଉପରେ ଏକ ଉତ୍ତରଦାୟିତ୍ୱ ଏବଂ ଦାୟିତ୍ୱ ନ୍ୟସ୍ତ କରିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅନଲାଇନ ଗେମିଂ ବିଜ୍ଞାପନ ପାଇଁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ଗାଇଡଲାଇନ ଜାରି କଲା ଏଏସସିଆଇ

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଘରୋଇ ଟିଭି ଚ୍ୟାନେଲକୁ ଏହି ମାର୍ଗଦର୍ଶିକାର ପାଳନ କରିବା ଲାଗି କୁହାଯାଇଛି। ବିଧି ଓ ଆଇନ ଦ୍ୱାରା ନିଷିଦ୍ଧ କୌଣସି ପ୍ରକାରର ଗତିବିଧିକୁ ଏପରି ବିଜ୍ଞାପନ ପ୍ରୋତ୍ସାହିତ କରିବା ଅନୁଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ “ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ଉପରେ ବହୁସଂଖ୍ୟକ ବିଜ୍ଞାପନ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରାଯାଇଛି ଯେ ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି, ଗ୍ରାହକମାନଙ୍କୁ ଏହା ସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ କୁହାଯାଉ ନାହିଁ। ତେଣୁ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, ୨୦୧୯ ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ଏଥିରେ କଡ଼ାକଡ଼ି ଭାବେ ପାଳନ କରାଯାଇନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପରାମର୍ଶ ବୈଠକ ପରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ, ଏଏସସିଆଇ, ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ, ଅଲଇଣ୍ଡିଆ ଗେମିଂ ଫେଡରେସନ, ଫେଡରେସନ ଅଫ ଇଣ୍ଡିଆନ ଫାଣ୍ଟାସି ସ୍ପୋର୍ଟ୍ସ ଏବଂ ଅନଲାଇନ ରମ୍ମି ଫେଡରେସନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏଏସସିଆଇର ଗାଇଡଲାଇନ ଅନୁଯାୟୀ, ଏପରି ପ୍ରତ୍ୟେକ ଗେମିଂ ବିଜ୍ଞାପନ ସହିତ ସତର୍କ ସୂଚନା ରହିବା ଆବଶ୍ୟକ: “ଏହି ଗେମରେ ଆର୍ଥିକ ବିପଦର ଏକ ତତ୍ତ୍ୱ ସାମିଲ ରହିଛି ଏବଂ ଏହାର ନିଶା ମଧ୍ୟ ହୋଇପାରେ। ଦୟାକରି ଉତ୍ତରଦାୟିତ୍ୱର ସହ ଏବଂ ନିଜର ରିସ୍କ ଅନୁଯାୟୀ ହିଁ ଏହାକୁ ଖେଳନ୍ତୁ”। ଏପରି ଚେତାବନୀକୁ ବିଜ୍ଞାପନରେ ଅତିକମରେ ୨୦ ପ୍ରତିଶତ ସ୍ଥାନ ଦେବା ଆବଶ୍ୟକ। ଏହି ଦିଶାନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଗେମିଂ ବିଜ୍ଞାପନରେ ୧୮ ବର୍ଷରୁ କମ ବୟସର ୟୁଜର୍ସ ପାଇଁ “ଅସଲ ଟଙ୍କା ଜିତିବା ଲାଗି ଅନଲାଇନ ଗେମିଂ” ଖେଳ ଖେଳିବା ବୋଲି ଦର୍ଶାଯାଇପାରିବ ନାହିଁ। ଏହା ମଧ୍ୟ ଦର୍ଶାଯାଇପାରିବ ନାହିଁ ଯେ ଏପରି ୟୁଜର୍ସ ଏହି ଗେମ ଖେଳିପାରିବେ। ଅନଲାଇନ ଗେମିଂ ରୋଜଗାରର ବିକଳ୍ପ ପ୍ରଦାନ କରିଥାଏ ଏବଂ ଏଗୁଡ଼ିକୁ ଖେଳୁଥିବା ଲୋକ ଅନ୍ୟମାନଙ୍କ ଠାରୁ ଅଧିକ ସଫଳ ହୋଇଥାନ୍ତି ବୋଲି ମଧ୍ୟ ବିଜ୍ଞାପନରେ ଦର୍ଶାଯାଇପାରିବ ନାହିଁ।

ସୂଚନାଯୋଗ୍ୟ ଯେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ୧୯୮୫ରେ ପ୍ରତିଷ୍ଠା ହୋଇଥିଲା। ଏହା ଭାରତରେ ବିଜ୍ଞାପନ ଉଦ୍ୟୋଗଗୁଡ଼ିକ ପାଇଁ ମୁମ୍ବାଇସ୍ଥିତ ସ୍ୱନିୟାମକ ସ୍ୱେଚ୍ଛାକୃତ ସଂଗଠନ ଅଟେ। ଏହାର ଉଦ୍ଦେଶ୍ୟ ହେଉଛି ବିଜ୍ଞାପନ ସ୍ୱ-ନିୟନ୍ତ୍ରଣକୁ ଏହାର କୋଡ ଅନୁରୂପ କରିବା। କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଅନ୍ତର୍ଗତ ଟେଲିଭିଜନ ନେଟୱର୍କଗୁଡ଼ିକ ଲାଗି ଏଏସସିଆଇ ଦ୍ୱାରା ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ପାଳନ କରିବା ବାଧ୍ୟତାମୂଳକ ଅଟେ।