Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ଖେଳାଳୀଙ୍କ ଗହଣରେ ବିଜୟ ଉତ୍ସବ ପାଳିଲେ କ୍ରୀଡ଼ାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା

ଭୁବନେଶ୍ୱର, ଭାରତୀୟ ପୁରୁଷ ହକି ଦଳ ଆଜି ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ହକି ଖେଳାଳିଙ୍କ ଗହଣରେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମସ୍ତ ହକିପ୍ରେମୀମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି ହାଇପରଫର୍ମାନ୍ସ ସେଣ୍ଟର ପରିସରରେ ହକି ଖେଳାଳୀଙ୍କୁ ମିଠା ଖୁଆଇବା ସହ ଅଲିମ୍ପିକ୍‌ ବିଜୟର ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଭାରତୀୟ ପୁରୁଷ ହକି ଦଳ ଆଜି ନିଜର ଅଦମ୍ୟ ପରାକାଷ୍ଠା ସହ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଆଜିର ଦିନ ସମଗ୍ର କ୍ରୀଡ଼ା ଇତିହାସରେ ଏକ ଗୌରବମୟ ଦିନ ହୋଇ ରହିବା ସହ ଆଗାମୀ ପିଢ଼ିର ଖେଳାଳୀମାନଙ୍କୁ ବେଶ୍‌ ପ୍ରେରଣା ଯୋଗାଇବ । ଆସନ୍ତକାଲି ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବାକୁ ଯାଉଥିବାବେଳେ ଆଜିର ଉତ୍ସାହ ସେମାନଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି ।

ବିଗତ ୮/୧୦ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଭଲପାଇବା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତା ଆଜି ଆମକୁ ସଫଳତାର ସୋପାନରେ ପହଞ୍ଚାଇପାରିଛି। ମୁଖ୍ୟମନ୍ତ୍ରୀ ଭାରତର ପୁରୁଷ ଓ ମହିଳା ହକି ଦଳକୁ ୫ ବର୍ଷ ପାଇଁ ପ୍ରାୟୋଜନ କରିବା ପାଇଁ ଯେଉଁ ନର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଆମେ ତାକୁ ପାଳନ କରିଆସୁଛୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରି ଭାରତୀୟ ପୁରୁଷ ହକି ଦଳ ଆଜି ଯେଉଁ ଅଦ୍ଭୂତପୂର୍ବ ବିଜୟ ହାସଲ କଲେ ତାହା ବର୍ତ୍ତମାନର କ୍ରୀଡ଼ାବିତ୍‌ଙ୍କୁ ବେଶ୍‌ ପ୍ରେରଣା ଯୋଗାଇବ । ଏହି ପରିପ୍ରେକ୍ଷୀରେ ଆଗାମୀ ପିଢ଼ିର ଖେଳାଳୀମାନଙ୍କ ଲାଗି ଆମ ସରକାର ସ୍ପୋନସର୍‌ସିପ୍‌ ସହ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା, ହାଇ ପରଫର୍ମାନ୍ସ ସେଣ୍ଟର ଏବଂ ତୃଣମୂଳ ସ୍ତରରୁ କୋଚିଂ ପ୍ରଦାନ ଲାଗି ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ । ଆମର ଦୃଢ଼ ପ୍ରଚେଷ୍ଠା ଆଗାମୀ ଦିନରେ ଓଡ଼ିଶାରେ ବହୁତ ଭଲ ଖେଳାଳୀ ସୃଷ୍ଟି କରି ଆମ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଭାରତୀୟ ଦଳର ସମସ୍ତ ଖେଳାଳୀ, କୋଚ, ଅଫିସିଆଲ୍‌, ହକି ଇଣ୍ଡିଆ, ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ମାଟିିରେ ଭାରତୀୟ ବିଜୟ ପତାକା ଉଡ଼ାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ଫେରିବା ପରେ ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ, ପ୍ରଥମ ଭାରତୀୟ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସ କ୍ରୀଡ଼ାରେ ପଦକ ଜିତି ଇତିହାସ ରଚିଥିବା ତାରକା ବ୍ୟାଡମିଣ୍ଟନ ଖେଳାଳୀ ପି. ଭି. ସିନ୍ଧୁ ସ୍ଵଦେଶ ଫେରିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିପକ୍ଷ ଖେଳାଳୀ ହି ବିଂ ଜିଆଓଙ୍କୁ ସିଧାସଳଖ ଗେମରେ ପରାସ୍ତ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ସିନ୍ଧୁ ଓ ତାଙ୍କ କୋଚ ପାର୍କ ତାଏ ସ୍ୟାଙ୍ଗଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଶ୍ରୀ ଠାକୁରଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସ୍କୃତି, ପଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଷିଥ ପରମାଣିକ, କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସିନ୍ଧୁଙ୍କ ମାତାପିତା ପି ବିଜୟା ଏବଂ ପିଭି ରମନା ହାଇଦ୍ରାବାଦରୁ ଏହି କାର‌୍ୟ୍ୟକ୍ରମ ପାଇଁ ବିଶେଷ ଭାବେ ଯାତ୍ରା କରିଥିଲେ। ସାଂସଦ ଶ୍ରୀ ଶ୍ୟାମବାବୁ ରାଓ, ବନ୍ଦି ସଞ୍ଜୟ କୁମାର, ଅରବିନ୍ଦ ଧର୍ମପୁରୀ ଏବଂ ଟିଜି ଭେଙ୍କଟେଶ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ଠାକୁର କହିଥିଲେ, “ପିଭି ସିନ୍ଧୁ ଭାରତର ପରିଚୟ ଓ ପ୍ରେରଣା ଏବଂ ଦେଶ ପାଇଁ ଖେଳିବାକୁ ସ୍ଵପ୍ନ ଦେଖୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ସେ ଅନୁପ୍ରାଣିତ କରିଛନ୍ତି । ପିଭି ସିନ୍ଧୁ ଭାରତର ମହାନ ଅଲିମ୍ପିଆନମାନଙ୍କ ମଧ୍ୟରୁ ଅନ୍ୟତମ । ସେ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସିନ୍ଧୁ ପଦକ ଜିତିବା ପରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ସିନ୍ଧୁ ତାଙ୍କର ପ୍ରଦର୍ଶନ ଦ୍ବାରା ୧୩୦ କୋଟି ଭାରତୀୟଙ୍କୁ ଗୌରବାନ୍ବିତ କରିଛନ୍ତି।

କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉଲ୍ଲସିତ ଦେଖାଯାଉଥିବା ସିନ୍ଧୁ କହିଥିଲେ ଯେ ସେ ସେମିଫାଇନାଲରେ ବିଜୟୀ ହୋଇପାରି ନ ଥିବାରୁ ଦୁଃଖିତ, ତେବେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଥିବାରୁ ଆନନ୍ଦିତ। କାର‌୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ ଯେ ସିନ୍ଧୁ ଜଣେ ମହାନ କ୍ରୀଡ଼ା ତାରକା ଏବଂ ସେ ବାରମ୍ବାର ଏହାକୁ ପ୍ରମାଣିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରମାଣିକ ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଅଲିମ୍ପିକ୍ସ ପାଇଁ ସିନ୍ଧୁଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାର ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କୁ ୫୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ଏବଂ ତାଙ୍କ ପାଇଁ ହାଇଦ୍ରାବାଦରେ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଆୟୋଜନ କରିବା ଲାଗି ସୁବିଧା ଯୋଗାଇ ଦିଆଯାଇଥିଲା। ତେଲଙ୍ଗାନା ସରକାରଙ୍କ ସହ ମିଶି ତାଙ୍କ ପାଇଁ ଅଲିମ୍ପିକ୍ସ ଗେମ ପୂର୍ବରୁ ଗୋଚ୍ଛିବୋଲି ଷ୍ଟାଡିୟମରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିଲା।

ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ୪୯ କିଗ୍ରା ବର୍ଗରେ ରୋପ୍ୟ ପଦକ ହାସଲ କରିବା ପରେ ଦ୍ବିତୀୟ ଭାରତୀୟ ଖେଳାଳୀ ଭାବେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି। ସେହିପରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଥିବା ବକ୍ସର ଲୋଭଲିନା ବୋର୍ଗୋହେନ ୬୯ କିଗ୍ରା ବର୍ଗର ସେମି ଫାଇନାଲରେ ତୁର୍କୀର ବୁସେନାଜ ସୁର୍ମେନେଲିଙ୍କୁ ବୁଧବାର ଦିନ ଭେଟିବେ।