Categories
ଆଞ୍ଚଳିକ

ବାଣପୁର ବଜାରରେ ମାଟି କାମୁଡ଼ିଛି ଟ୍ରାଫିକ ବ୍ୟବସ୍ଥା, ସମସ୍ୟା ପ୍ରତି ଦୃଷ୍ଟି ଦେବେ କି ଜିଲ୍ଲାପାଳ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଦିନକୁ ଦିନ ଜନସଂଖ୍ୟା ବଢୁଥିବା ବେଳେ ତଦନୁଯାୟୀ ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବିଡମ୍ବନାର ବିଷୟ ଉକ୍ତ ସହରର ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଦିନ ତମାମ ସହରର ମୁଖ୍ୟ ରାସ୍ତା ଗାଡ଼ି ମୋଟର ଦ୍ୱାରା ଅବରୋଧ ହୋଇ ରହୁଛି। କିନ୍ତୁ ଏଥି ପ୍ରତି ପ୍ରଶାସନ କିମ୍ବା ପୋଲିସର ନିଘା ନାହିଁ।

ବିଷରପାଟଣା ଠାରୁ ଆରମ୍ଭ କରି ପଲଟନ ପଡିଆ ପର୍ଯ୍ୟନ୍ତ ସଦାବେଳେ ରାସ୍ତା ଜାମ ରହୁଛି। ଯାହାଦ୍ୱାରା ଘଣ୍ଟାଘଣ୍ଟା ଧରି ନିରୀହ ଜନସାଧାରଣମାନେ ହଇରାଣ ହେଉଛନ୍ତି। ବେଳେ ବେଳେ ଆମ୍ବୁଲାନ୍ସ ଗାଡ଼ିକୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ରୋଡ଼ରେ ଛିଡା ହେବାକୁ ପଡୁଛି। ତେବେ ପାର୍କିଙ୍ଗ ନିମନ୍ତେ ଏନଏସି ପକ୍ଷରୁ ଅଦ୍ୟାବଧି କୌଣସି ସ୍ଥାନ ନିରୂପଣ କରାଯାଉନାହିଁ, ଯାହା ଫଳରେ ଅମାନିଆ ମାନେ ମନ ଇଛା ଗାଡ଼ି ମୋଟର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରଖି ରାସ୍ତା ଅବରୋଧ କରୁଛନ୍ତି।

ଅନୁରୂପ ଭାବେ ସହରର ମୁଖ୍ୟ ରାସ୍ତାରେ ସନ୍ଧ୍ୟା ହେଲେ ଏକାଧିକ ଗାଇଗୋରୁ ଏହାକୁ ଅବରୋଧ କରିରଖୁଛନ୍ତି। ଯାହାଫଳରେ ଛୋଟ ମୋଟ ଦୁର୍ଘଟଣା ପ୍ରତିଦିନ ଘଟୁଛି। ଅପରପକ୍ଷରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ ଉଦାସୀନତା ଦେଖାଯାଇଛି।

ଟ୍ରାଫିକ ନିୟନ୍ତ୍ରଣରେ ପୋଲିସର ଭୂମିକା ଥିଲେ ସୁଦ୍ଧା ପୋଲିସ କହୁଛି ପାର୍କିଙ୍ଗ ବ୍ୟବସ୍ଥା ଏନଏସି ର କାମ। ବାଣପୁରରେ ନିହାତି ଟ୍ରାଫିକ ପୋଲିସ ଦରକାର ଥିବା ବେଳେ ବିଭାଗୀୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉନି। ସେହିପରି ଭାବେ ଏନଏସି ନଗରପାଳ ପ୍ରତିଦିନ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ସେ ମଧ୍ୟ ନିରବଦ୍ରଷ୍ଟା।

ତେବେ ଉକ୍ତ ଦିଗରେ ପଦକ୍ଷେପ ନେବା ପାଇଁ ବାଣପୁର ତହସିଲଦାରଙ୍କ କ୍ଷମତା ଥିଲେ ସୁଦ୍ଧା ତହସିଲଦାର ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯଦି ତହସିଲ, ଏନଏସି ଓ ପୋଲିସ ପରସ୍ପରକୁ ଦୋଷାରୋପ କରିବେ, ତେବେ ବାଣପୁର ସହରରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଧୁରିବ ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ: ଟ୍ରାଫିକ ବ୍ୟବସ୍ଥା ସୁଧାରିବାପାଇଁ ଅଣ୍ଟା ଭିଡିଲା ପୋଲିସ ପ୍ରଶାସନ, ଆଜିଠୁ ଲାଗୁ ହେଉଛି ଏହିସବୁ ନିୟମ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ ଦାସ। ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟାହ୍ନରେ ବାଲୁଗାଁ  ଥାନା ପରିସରରେ ଏସ.ଡ଼ି.ପି.ଓ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବାଲୁଗାଁ ଆଇ.ଆଇ.ସି, ଏନ.ଏ.ସି କାର୍ଯ୍ଯନିର୍ବହୀ ଅଧିକାରୀଣି, ଅଗ୍ନିଶମ ଅଧିକାରୀ  ଏବଂ ବାଲୁଗାଁର ସମସ୍ତ ବ୍ୟବସାୟୀ ସଂଗଠନର  କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଉକ୍ତ ବୈଠକରେ  ଟ୍ରାଫିକ ନିୟନ୍ତ୍ରଣ  ଉପରେ ବିସ୍ତୃତ ଆଲୋଚନା ସହ  ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଆଲୋଚନା କରାଯାଇ ପୋଲିସ ପ୍ରଶାସନ ତରଫରୁ ଏନେଇ ନିଷ୍ପତ୍ତି ସବୁ ନିଆଯାଇଅଛି ଯାହା ଆଜିଠାରୁ ବାଲୁଗାଁ ସହରରେ ଲାଗୁ ହେବ।

-ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନୀ ସେମାନଙ୍କ ଦୋକାନ ଘରର ସିମେଣ୍ଟ ଷ୍ଟ୍ରକ୍ଚର ମଧ୍ୟରେ ଜିନିଷପତ୍ର ରଖିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକୁ ମଡାଇ କିଛି ରଖିବେ ନାହିଁ ବୋଲି କୁହାଯାଇଛି।

-ସେହିପରି ଚିଲିକାରୋଡର ଦୋକାନୀ ମାନେ ଏନ.ଏ.ସି ଡ୍ରେନ ଉପରେ କୌଣସି ଜିନିଷ ରଖିବେ ନାହିଁ।

-କୌଣସି ଦୋକନୀ ତାଙ୍କ ଦୋକାନ ସମ୍ମୁଖରେ କୌଣସି ଉଠା ଦୋକାନୀଙ୍କୁ ବସିବା କିମ୍ବା ଠେଲା ଗାଡି ରଖିବା ପାଇଁ ପ୍ରଶୟ ଦେବେ ନାହିଁ।

-ଦୋକାନ ଆଗରେ ନିଜର, ନିଜ ଷ୍ଟାଫଙ୍କର କିମ୍ବା ଗ୍ରାହକଙ୍କର ଗାଡି ପାର୍କିଂ କରିବେ ନାହିଁ।

-ନିଜର ଜିନିଷପତ୍ର ଲୋଡିଂ ବା ଅନଲୋଡିଂ କେବଳ ରାତ୍ର ୯ ଘଟିକା ଠାରୁ ସକାଳ ୮ ଘଟିକା ମଧ୍ୟରେ  ଏବଂ ଅପରାହ୍ନ ୧ ଘଟିକା ଠାରୁ ୩ ଘଟିକା ମଧ୍ୟରେ କରିବା ପାଇଁ ସମୟ ଧାର୍ଯ୍ଯ କରାଯାଇଅଛି।

ସେହିପରି ଏନ୍‌ଏସିକୁ ମଧ୍ୟ କିଛି ଦାୟିତ୍ବ ଦିଆଯାଇଛି। ତାହା ନିମ୍ନରେ ପ୍ରଦତ୍ତ:

୧) ବଜାର ମଧ୍ୟରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ ହଟାଇବେ।

୨) ଉଠା ଦୋକନୀ ତଥା ଠେଲା ଗାଡି ବ୍ୟବସାୟୀ ମାନଙ୍କୁ ବଜାରର ଉଭୟ ପାର୍ଶ୍ବ ଯଥା ଏନ.ଏ.ସି ଅଡିଟୋରିୟମ ହଲ ନିକଟରେ ଏବଂ ପେଟ୍ରୋଲ ପମ୍ପଠାରୁ ବାଲୁଗାଁ ଥାନା ରୋଡ଼ ମଧ୍ୟରେ  ସେମାନଙ୍କ ବ୍ଯବସାୟ କରିବା ପାଇଁ ସୁବିଧା କରାଇବେ।

୩) ସେହିପରି ଗ୍ରାହକମାନଙ୍କ ମୋଟର ସାଇକେଲ ଓ ଅଟୋ ଗୁଡିକୁ ମଧ୍ଯ ବଜାରର ଉଭୟ ପାର୍ଶ୍ବରେ ପାର୍କିଂ କରିବାର ବ୍ୟବସ୍ଥା କରିବେ।

ଉପରୋକ୍ତ ନିୟମରେ  ଖିଲାପ କଲେ ପ୍ରଶାସନ ଜିନଷ ପତ୍ର ତଥା ଗାଡି ଇତ୍ଯାଦିକୁ ସିଜ୍ କରିପାରିବେ ଏବଂ  ଆବଶ୍ୟକ ସ୍ଥଳେ କେସ  ମଧ୍ୟ ଦେଇପାରିବେ।

ବାଲୁଗାଁ ସହରରେ ଏହି ସମସ୍ତ ନିୟମ ଆଜିଠାରୁ ଲାଗୁ କରାଯାଇଛି, ତେବେ ନିୟମ ସମ୍ପର୍କରେ ଜନସଚେତନତା ପାଇଁ ଏହି ନିୟମରେ ସାତଦିନ କୋହଳ କରାଯାଇଛି। ତେବେ ଧାର୍ଯ୍ୟ କୋହଳ ସମୟ ବାଦ୍‌ ଏହି ନିୟମକୁ କଡାକଡି କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି। ଏହି ନିୟମ ସମ୍ପର୍କରେ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ସୂଚନା ଦେବା ସହ  ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସହଯୋଗ ଲୋଡିଛନ୍ତି। ଟ୍ରାଫିକକୁ ନିୟନ୍ତ୍ରଣ କରିବାପାଇଁ ବାଲୁଗାଁ ପୋଲିସର ଏହା ଏକ  ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ତେବେ ଏହା କେତେ ଫଳପ୍ରଦ ହେବ ଆଗାମୀ ଦିନରେ ଜଣାପଡିବ।