ବାଣପୁର ବଜାରରେ ମାଟି କାମୁଡ଼ିଛି ଟ୍ରାଫିକ ବ୍ୟବସ୍ଥା, ସମସ୍ୟା ପ୍ରତି ଦୃଷ୍ଟି ଦେବେ କି ଜିଲ୍ଲାପାଳ?

Published: May 27, 2022, 9:32 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଦିନକୁ ଦିନ ଜନସଂଖ୍ୟା ବଢୁଥିବା ବେଳେ ତଦନୁଯାୟୀ ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବିଡମ୍ବନାର ବିଷୟ ଉକ୍ତ ସହରର ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଦିନ ତମାମ ସହରର ମୁଖ୍ୟ ରାସ୍ତା ଗାଡ଼ି ମୋଟର ଦ୍ୱାରା ଅବରୋଧ ହୋଇ ରହୁଛି। କିନ୍ତୁ ଏଥି ପ୍ରତି ପ୍ରଶାସନ କିମ୍ବା ପୋଲିସର ନିଘା ନାହିଁ।

ବିଷରପାଟଣା ଠାରୁ ଆରମ୍ଭ କରି ପଲଟନ ପଡିଆ ପର୍ଯ୍ୟନ୍ତ ସଦାବେଳେ ରାସ୍ତା ଜାମ ରହୁଛି। ଯାହାଦ୍ୱାରା ଘଣ୍ଟାଘଣ୍ଟା ଧରି ନିରୀହ ଜନସାଧାରଣମାନେ ହଇରାଣ ହେଉଛନ୍ତି। ବେଳେ ବେଳେ ଆମ୍ବୁଲାନ୍ସ ଗାଡ଼ିକୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ରୋଡ଼ରେ ଛିଡା ହେବାକୁ ପଡୁଛି। ତେବେ ପାର୍କିଙ୍ଗ ନିମନ୍ତେ ଏନଏସି ପକ୍ଷରୁ ଅଦ୍ୟାବଧି କୌଣସି ସ୍ଥାନ ନିରୂପଣ କରାଯାଉନାହିଁ, ଯାହା ଫଳରେ ଅମାନିଆ ମାନେ ମନ ଇଛା ଗାଡ଼ି ମୋଟର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରଖି ରାସ୍ତା ଅବରୋଧ କରୁଛନ୍ତି।

ଅନୁରୂପ ଭାବେ ସହରର ମୁଖ୍ୟ ରାସ୍ତାରେ ସନ୍ଧ୍ୟା ହେଲେ ଏକାଧିକ ଗାଇଗୋରୁ ଏହାକୁ ଅବରୋଧ କରିରଖୁଛନ୍ତି। ଯାହାଫଳରେ ଛୋଟ ମୋଟ ଦୁର୍ଘଟଣା ପ୍ରତିଦିନ ଘଟୁଛି। ଅପରପକ୍ଷରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ ଉଦାସୀନତା ଦେଖାଯାଇଛି।

ଟ୍ରାଫିକ ନିୟନ୍ତ୍ରଣରେ ପୋଲିସର ଭୂମିକା ଥିଲେ ସୁଦ୍ଧା ପୋଲିସ କହୁଛି ପାର୍କିଙ୍ଗ ବ୍ୟବସ୍ଥା ଏନଏସି ର କାମ। ବାଣପୁରରେ ନିହାତି ଟ୍ରାଫିକ ପୋଲିସ ଦରକାର ଥିବା ବେଳେ ବିଭାଗୀୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉନି। ସେହିପରି ଭାବେ ଏନଏସି ନଗରପାଳ ପ୍ରତିଦିନ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ସେ ମଧ୍ୟ ନିରବଦ୍ରଷ୍ଟା।

ତେବେ ଉକ୍ତ ଦିଗରେ ପଦକ୍ଷେପ ନେବା ପାଇଁ ବାଣପୁର ତହସିଲଦାରଙ୍କ କ୍ଷମତା ଥିଲେ ସୁଦ୍ଧା ତହସିଲଦାର ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯଦି ତହସିଲ, ଏନଏସି ଓ ପୋଲିସ ପରସ୍ପରକୁ ଦୋଷାରୋପ କରିବେ, ତେବେ ବାଣପୁର ସହରରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଧୁରିବ ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

Related posts