Categories
ଆଜିର ଖବର ରାଜ୍ୟ ଖବର ସିନେମା

ବିଶ୍ୱ ମହିଳା ଦିବସରେ ଅନୁପମ ପଟ୍ଟନାୟକଙ୍କ ନୂଆ ଚଳଚ୍ଚିତ୍ର “ତ୍ରିକନ୍ୟା”

ଭୁବନେଶ୍ଵର: ଗ୍ୟାଙ୍ଗସ ଅଫ ପୁରୀ ଏବଂ ବାସ୍ତବଧର୍ମୀ ଚଳଚ୍ଚିତ୍ର ପ୍ରତୀକ୍ଷା ବେଶ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନର ରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଛନ୍ତି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା”। ବିଶ୍ୱ ମହିଳା ଦିବସ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଭୁବନେଶ୍ୱର ଶୀତଲ ହୋଟେଲରେ ତ୍ରିକନ୍ୟାର ଟ୍ରେଲର ରିଲିଜ୍ ହୋଇଯାଇଛି।

ଟ୍ରେଲର ରିଲିଜ୍ ଅବସରରେ ଉପଦେଷ୍ଟା ସୀମା ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ସହ ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢିଆରୀ, ଗୀତିକାର ସ୍ଥିତ ପଟ୍ଟନାୟକ, ଅଭିନେତା ସୁକାନ୍ତ ରଥ, ପାର୍ଥ ସାରଥୀ, ନିଶାନ୍ତ ମାଜିଥିଆ, ଅମନ, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ନିଭି, ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀ କୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚି କୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି। ତ୍ରିକନ୍ୟା ର କାହାଣୀ ସମ୍ପୂର୍ଣ୍ଣ ନିଆରା। ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ର ର କାହାଣୀ ଗତିଶୀଳ। ଅଭିନୟ ରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି।

କାହାଣୀ ଓ ଲେଖକ ମାନସ ପଢ଼ିଆରୀ, ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା। ଶ୍ରୀକାନ୍ତ ପଣ୍ଡା ଙ୍କ ସହିତ ମିଳିତ ଭାବେ ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚିତ୍ରତ୍ତୋଳନ କରିଛନ୍ତି ଦୀପକ କୁମାର, ରଶ୍ମି ରଞ୍ଜନ ଦାସ ସମ୍ପାଦନା ଏବଂ ଶକ୍ତି ସ୍ୱରୂପ ଦ୍ବିବେଦୀ ସାଉଣ୍ଡ ଡିଜାଇନିଂ କରିଛନ୍ତି। ତ୍ରିକନ୍ୟା ରେ ତିନିଟି ଗୀତ ଅଛି। କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡ଼ି. ଅଭିଷେକ, ସଞ୍ଚିତା, ଅବିନାଶ ଦାଶ ଓ ଅନ୍ତରା ଚକ୍ରବର୍ତ୍ତୀ।

ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ତାଙ୍କର ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତା କୁ ପ୍ରମାଣିତ କରିଛନ୍ତି। ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତି କୁ ଗୁରୁତ୍ୱ ଦେଇ ଅନୁପମ ଥିଏଟର ପ୍ରତି ଦର୍ଶକ ଙ୍କ ଆଗ୍ରହ ବଢେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ତେବେ ଆସନ୍ତା ବିଶ୍ୱ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ତ୍ରିକନ୍ୟା ନିଶ୍ଚିତ ଭାବେ ଦର୍ଶାକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ “ପ୍ରଥା” ର ଟ୍ରେଲର ଆଜି ବହୁ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ପ୍ରଦର୍ଶନ ହୋଇଯାଇଛି। ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟର ଆକ୍ସନ ଫିଲ୍ମର ଟ୍ରେଲର ଦେଖି ଉପସ୍ଥିତ ସମସ୍ତ ଦର୍ଶକ ବେଶ ଉତ୍ସାହିତ ଥିଲେ।

ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ସିନେପଲିସ ପ୍ରେକ୍ଷାଳୟରେ ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ ଶୈଳୀ କେତେ ଉଚ୍ଚରେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବଖାଣି ଥିଲେ।

ଶିଶୁ କଳାକାରରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକଙ୍କୁ, ହେଲେ ମୁମ୍ବାଇର ଅଭିନେତ୍ରୀ ସିମ୍ରନ୍ କୌରଙ୍କ ଉପରେ ଦର୍ଶକଙ୍କ ନଜର ଜୋର ଥିଲା।

ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲରେ ଗୁଣୁଗୁଣୁ ଶୁଭୁଥିଲା।  ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନରେ ଅତିଥି ଭାବେ ବରିଷ୍ଠ ଅଭିନେତ୍ରୀ ତନ୍ଦ୍ରା ରାୟ, କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ଅଗଷ୍ଟ ୨୧ ତାରିଖ ରେ ପ୍ରଥା ର ପ୍ରଥମ ଗ୍ଲିମ୍ପସେସ୍ ରିଲିଜ ହେଇଯାଇଛି ଏବଂ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ନବ ନିର୍ମିତ ଓଡିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”ର ଟ୍ରେଲର ଓ ଅଡିଓ ରିଲିଜ୍

ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନର ସର୍ବଭାରତୀୟ ସ୍ତରରେ ନବ ନିର୍ମିତ ଚଳଚ୍ଚିତ୍ର ପ୍ରତୀକ୍ଷାର ଟ୍ରେଲର ଓ ଅଜିଓ ରିଲିଜ୍‌ ଭୁବନେଶ୍ବରଠାରେ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅତୀତରେ ହାକିମ ବାବୁ, ପୁଅ ମୋର କଳା ଠାକୁର, ତୁଳସୀଅପା ଏବଂ ସମ୍ପ୍ରତି ବ୍ଲକବଷ୍ଟର ୱେବ୍‌ ସିରିଜ୍ – ଗ୍ୟାଙ୍ଗସ୍ ଅଫ୍ ପୁରୀର ନିର୍ମାତା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସର ଏକ ବହୁ ପ୍ରତୀକ୍ଷିତ ପୂର୍ଣାଙ୍ଗ ଚଳଚ୍ଚିତ୍ର “ପ୍ରତୀକ୍ଷା” ଆଗାମୀ ଡିସେମ୍ବର ୨ ଦିନ ସମଗ୍ର ଓଡିଶାରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ପ୍ରତୀକ୍ଷା ହେଉଛି ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ୍ତ ପରିବାରର ସ୍ବପ୍ନ, ନିରାଶ ଏବଂ ଆକାଂକ୍ଷା ଆଧାରିତ କାହାଣୀ।

ସଞ୍ଜୟ, ଜଣେ ଦକ୍ଷ କିନ୍ତୁ ବେଳାର ସ୍ନାତକ, ସରକାରୀ ଚାକିରି ପାଇବାକୁ ଜିଦ୍ ଧରିଛନ୍ତି।  ତାଙ୍କ ବାପା ବିପିନ୍ ଯେ କୌଣସି ଚାକିରୀ କରିବାକୁ ସଞ୍ଜୟଙ୍କୁ ପରାମର୍ଶ ଦେଇଛନ୍ତି। କାରଣ ତାଙ୍କର ଅବସର ସମୟ ଆସୁଛି। ସାରା ପରିବାର ଆଶଙ୍କା ଓ ସମ୍ଭାବନାର ଦୋଛକିରେ ରହିଛି। ଏତିକିବେଳେ ଏକ ଘଟଣା ସଞ୍ଜୟ ଏବଂ ସାରା ପରିବାରର ଭାଗ୍ୟକୁ ବଦଳାଇ ଦେଉଛି।

ସଞ୍ଜୟ ଯେତେବେଳେ ନିଜ ବେକାର ସମସ୍ୟାର ସମାଧାନ ପାଇଁ ପନ୍ଥା ପାଉନାହାନ୍ତି, ସେତିକିବେଳେ ଏମିତି କିଛି ଘଟୁଛି ଯେ ସମସ୍ୟାର ସମାଧାନ ହୋଇଯାଇଛି, କିନ୍ତୁ ତାଙ୍କ
ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସମ୍ପଦକୁ ସେ ହରାଉଛନ୍ତି। ଚାରିପାଖରେ ଥିବା ସମସ୍ୟାର ସମାଧାନ ଯେମିତି ସେ ହରାଇବା ଘଟଣାକୁ ଅପେକ୍ଷା କରି ରହିଥାଏ।

ଯଦିଓ କାହାଣୀଟି ମୁଖ୍ୟତଃ ଅସୁସ୍ଥ ପିତାଙ୍କ ସହିତ ଘଟିବାକୁ ଥିବା ଘଟଣା ଉପରେ ପର୍ଯ୍ୟବେଷିତ, ତେବେ ସେହି ଗୋଟିଏ ଆଧାରରେ ଏହା ସୀମିତ ନୁହେଁ। ଚଳଚ୍ଚିତ୍ରରେ ଏକ ସମାନ୍ତରାଳ ଥିମ୍ ଅଛି: ବେକାର ପୁଅ ଚାକିରୀ ପାଇବାକୁ ଅପେକ୍ଷା କରିଥିବାବେଳେ ତାହାର ଗାର୍ଲଫ୍ରେଣ୍ଡ୍ ସେମାନଙ୍କ ବିବାହକୁ ଅପେକ୍ଷା କରିଥାଏ।

“ପ୍ରତୀକ୍ଷା” ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ବ୍ୟାନର ଦ୍ବାରା ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର। ଉଭୟ ବ୍ୟବସାୟିକ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର କ୍ଷେତ୍ରରେ ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ଓଡିଶାରେ ଅନ୍ୟତମ ମାଇଲସ୍ତମ୍ଭ ସ୍ଥାପନ କରିଛି।। ହାକିମ ବାବୁ, ପୁଅ ମୋର କଳା ଠାକୁର, ଚକା ଆଖୁ ସବୁ ଦେଖୁଚି, ଆସୁଛି ମୋ କାଳିଆ ସୁନା ସହିତ, ପ୍ରଥମ ଓଡିଆ ବାୟୋପିକ୍ ତୁଳସୀ ଅପା ଅମୀୟ ପଟ୍ଟନାୟକ ପ୍ରତିକୃତିର ଶ୍ରେଷ୍ଠତମ ଅବଦାନ।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ବିଶ୍ବାସ କରନ୍ତି ଯେ ଅମୀୟ ପଟ୍ଟନାୟକ ପ୍ରତିକୃଳ୍ପ ଆଗାମୀ ଚଳଚ୍ଚିତ୍ର ପ୍ରତୀକ୍ଷା ଓଡ଼ିଆ ଚଳଚ୍ଚିତ୍ରର ହୃଦ ଗୌରବକୁ ଫେରାଇ ଆଣିବା ସହିତ ସମ୍ପ୍ରତି ଚଳଚ୍ଚିତ୍ରରୁ ହଜିଯାଉଥିବା ଓଡ଼ିଆ ପରିଚର୍ଯ୍ୟା ସହିତ‌ ଦର୍ଶକଙ୍କୁ ପରିଚିତ କରାଇବ। ଚଳଚ୍ଚିତ୍ର “ପ୍ରତୀକ୍ଷା”, ଶାରଳା ପୁରସ୍କାର ବିଜେତା ଲେଖକ ଗୌରହରି ଦାସଙ୍କ ଦ୍ବାରା ଲିଖତ ଏକ କ୍ଷୁଦ୍ର ଗଳ୍ପରୁ ଅନୁପ୍ରାଣିତ ହୋଇଛି। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁପମ ଏବଂ ତାଙ୍କ ସହଯୋଗୀମାନେ ବହୁ ପରିଶ୍ରମ କରିଛନ୍ତି।

କାହାଣୀକୁ ଚଳଚ୍ଚିତ୍ର ରୂପ ଦେବାକୁ ତିନି ବର୍ଷ ସମୟ ନେଇଛନ୍ତି। ଏହି ଚଳଚ୍ଚିତ୍ରଟି ଭୁବନେଶ୍ବରରେ ସୁଟିଂ କରାଯାଇଛି। କାହାଣୀଟି ଭୁବନେଶ୍ବର ଆଧାରିତ ହୋଇଥିବାରୁ ପ୍ରାମାଣିକ ଲୁକ୍ ଏବଂ ଅନୁଭବ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି।

ଚଳଚ୍ଚିତ୍ର ପ୍ରତୀକ୍ଷାର ପ୍ରମୁଖ ଭୂମିକାରେ ଅଛନ୍ତି ଦୀପାନ୍ବିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ, ସୁଶୀଲ ମିଶ୍ର, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ ଏବଂ ସ୍ବତନ୍ତ୍ର ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର।

ଚଳଚ୍ଚିତ୍ରର ମିଡିଆ ପ୍ଲାନର ଅଛନ୍ତି ଓଲିଉଡ୍ ର ଖ୍ୟାତିସମ୍ପନ୍ନ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରୋଷନ ବିଷୋୟୀ, କ୍ୟାମେରା ପରିଚାଳନା କରିଛନ୍ତି ଦୀପକ କୁମାର, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ।

କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ,ବିକାଶ ରଥ,ହ୍ୟୁମାନ ସାଗର,ଏବଂ ବିଶ୍ବଜିତ୍ ମହାପାତ୍ର।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବଡ ପରଦାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ବୋଉର ହାତ ବାକ୍ସ’: ବୁଦ୍ଧିଜିଵୀଙ୍କ ଦୃଢୋକ୍ତି

ଭୂବନେଶ୍ବର: ଭୂବନେଶ୍ବର ଠାରେ ଏକ ପଞ୍ଚତାରକା ହୋଟେଲ୍ ରେ ନୂଆ ଚଳଚ୍ଚିତ୍ର “ବୋଉର ହାତ ବାକ୍ସ ” ର ଅଫିସିଆଲ୍‌ ଟ୍ରେଲର ରିଲିଜ୍ ହୋଇ ବୁଦ୍ଧିଜିବୀଙ୍କ ଦ୍ବାରା ଆଦୃତି ଲାଭ କରିଥିଲା।

ଏହି ଅବସରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳକ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଅନ୍ୟତମ ଅତିଥି ଭାବେ ନିର୍ଦ୍ଦେଶକ ନାରାୟଣ ପତି, ବରିଷ୍ଠ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ବିନି ପଟ୍ଟନାୟକ, ସୂର୍ଯ୍ୟ ରଥ ଅଭିନେତ୍ରୀ ସୁଶ୍ରୀ ସବିତା ପ୍ରମୁଖ ଉପସ୍ଥିତ ଥିଲେ।

ମୁକ୍ତିଲାଭ ପୂର୍ବରୁ ଏବେ ବେଶ ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ‘ବୋଉର ହାତ ବାକ୍ସ’। ଗାଁରେ ଥିବା ପରିବାର ଓ ସହରରେ ରହୁଥିବା ପୁଅକୁ ନେଇ କାହାଣୀ ଗତିଶୀଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ‘ବୋଉର ହାତ ବାକ୍ସ’କୁ ଅତି ନିଖୁଣ ଭାବେ ନିର୍ଦ୍ଦେଶକ ନାରାୟଣ ପତି ସଜାଇଛନ୍ତି। ଓଡିଆ ପରିବାରର ଶବ୍ଦ ଚାତୁରୀ ଏହି ସିନେମାରେ ଦେଖିବାକୁ ମିଳିଛି। ପରିବାର ଭିତରେ ଥିବା ସ୍ନେହ ଓ ସମ୍ପର୍କକୁ ବଡପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ପତି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।

ସିନେମାରେ ବୋଉ ଭୂମିକାରେ ଅଭିନୟ କରିଛନ୍ତି ଲୋପାମୁଦ୍ରା ମିଶ୍ର। ସେ ପ୍ରଥମ ଥର ପାଇଁ ବଡ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ପୂର୍ବରୁ ଯଦିଓ ସେ ବଡପରଦାରେ ଦେଖା ଦେଇଛନ୍ତି କିନ୍ତୁ ପ୍ରଥମ କରି ତାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଗାଁରେ ରହୁଥିବା ମା’ର, ମାଇଲ ମାଇଲ ଦୂର ସହରରେ ରହୁଥିବା ପୁଅ ପ୍ରତି ଥିବା ବାତ୍ସଲ୍ୟ ମମତା ଓ ଅନାବିଳ ପ୍ରେମକୁ ଅଭିନୟ ମାଧ୍ୟମରେ ଦର୍ଶାଯାଇଛି। ଯାହାକୁ ଅତି ସୁନ୍ଦର ଭାବେ ତୋଳି ଧରିଛନ୍ତି ଲୋପାମୁଦ୍ରା। ପରିବାର ପ୍ରତି ଦାୟିତ୍ୱ, ବୟସ୍କ ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ ଓ ଘର ଠାରୁ ଦୂରରେ ରହୁଥିବା ପୁଅ ପ୍ରତି ସମ୍ବେଦନଶୀଳତା କିଭଳି ରହିବା ଦରକାର ତାହା ସିନେମାରେ ଅଭିନୟ କରି ଦେଖାଇଛନ୍ତି ଲୋପାମୁଦ୍ରା। ଏକଦମ ଗମ୍ଭୀର ଅଭିନୟ ଜରିଆରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ଲୋପାମୁଦ୍ରାଙ୍କ ଅଭିନୟ। ବରିଷ୍ଠ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ନାରାୟଣ ପତିଙ୍କ ନିର୍ଦ୍ଦେଶନାରେ ବୋଉ ଚରିତ୍ରର ନିଖୁଣ ଅଭିନୟ କରାଯାଇଛି।

ଏକ ମଧ୍ୟବିତ୍ତ ପରିବାରରେ ବୋଉ ଚରିତ୍ର ଯେଭଳି ହୋଇଥାଏ ସିନେମାରେ ଏକଦମ ସେଭଳି ଦେଖାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି ନିର୍ଦ୍ଦେଶକ। ସ୍ନେହ ଦେବାରେ ଉଣା ନାହିଁ କି କିଛି ପାଇବାର ଆଶା ନାହିଁ। ପରିବାର ପାଇଁ ସନ୍ତୁଳି ହେଉଥିବା ଚରିତ୍ରଟି ହେଉଛି ବୋଉ। ଓଡିଆ ଘରମାନଙ୍କରେ ପିଲାମାନଙ୍କ ପାଇଁ ସବୁ ବୋଉ ମାନେ ହାତ ବାକ୍ସ ଗୋଟିଏ ଲେଖାଏଁ ରଖିଥାନ୍ତି। କିନ୍ତୁ ସେଥିରେ କଣ ଥାଏ ତାହା କାହାକୁ ବି ଜଣା ନଥାଏ। କେବେ ପିଲାଙ୍କୁ ଦେଖାଇ ଦେଇନଥିବା ସେ ହାତ ବାକ୍ସ ଭିତରେ ସତରେ କଣ ରହିଥାଏ ତାହା ଏହି ସିନେମାରେ ପୁଅ ଦେଖିପାରୁଛି କି ନାହିଁ ସିନେମା ମୁକ୍ତିଲାଭ ପରେ ଜଣାପଡିବ।

ଦେହରେ ବେଶୀ ଦାମିକିଆ ଶାଢ଼ୀ ନାହିଁ କି ମୂଲ୍ୟବାନ ଅଳଙ୍କାର ବି ନାହିଁ। ବୟସ୍କଙ୍କ ଭଳି କପାଳ ଉପରକୁ ଥିବା କେଶ ଗୁଡିକ ହାଲୁକା ଧଳା ହୋଇଯାଇଛନ୍ତି। ଲାଲ ଟୋପା ସିନ୍ଦୂର ସହ ସୀନ୍ଥିରେ ସିନ୍ଦୂର ଝଟକୁଛି। ଗୁମସୁମ ମୁହଁ, ଗମ୍ଭୀର ଚେହେରା, ଅଳ୍ପହସ ସହ ଯେଉଁ ପୋଷ୍ଟରଟି ସାମ୍ନାକୁ ଆସିଛି ତାହା ହିଁ ବୁଝାଇ ଦେଇଛି ବୋଉ ଶବ୍ଦର ଅର୍ଥ କଣ? ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଗତ କିଛି ବର୍ଷ ଧରି ଓଡିଆ ସିନେମାରେ ପାରିବାରିକ କାହାଣୀକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ବେଳେ ନିର୍ଦ୍ଦେଶକ ନାରାୟଣ ପତି ଓ ନିର୍ମାତା ସଂଜୟ ଦାସ ପାରମ୍ପାରିକ ସିନେମା ଠୁ ଦୂରକୁ ଯାଇ ନୂଆ କିଛି କରିବାକୁ ପ୍ରୟାସ କରିଛନ୍ତି।

ଡ. ଆରତୀ ପାଟ୍ଟଯୋଶୀଙ୍କ ବଳିଷ୍ଠ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ଟ୍ୟ ଓ ନିର୍ଦ୍ଦେଶନା ସିନେମାକୁ ଜୀବନ୍ତ କରିଛି। ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଗୀତ ରଚନା କରିଥିବା ବେଳେ ସଂଗୀତରେ ସଜାଇଛନ୍ତି କ୍ଷୀତିପ୍ରକାଶ ମହାପାତ୍ର।

ବିରଜା ପ୍ରସନ୍ନ କର ଚିତ୍ର ଉତ୍ତୋଳନ କରିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ସିନେମାର ମିଡିଆ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର ପୋଷ୍ଟର ଓ ମ୍ୟୁଜିକ ରିଲିଜ ପୂର୍ବରୁ ହୋଇଥିବା ବେଳେ ଖୁବଶୀଘ୍ର ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।