ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ସରକାର ପ୍ରସ୍ତୁତିକୁ ଜୋରଦାର କରିଛି। ଏହି ପରିପ୍ରେକ୍ଷୀରେ, ରାଜ୍ୟର ସମସ୍ତ ମନ୍ତ୍ରୀ ଓ ବିଧାୟକ ନିଜ ନିର୍ବାଚନମଣ୍ଡଳୀକୁ ଛାଡ଼ି ଅନ୍ୟ ନିର୍ବାଚନମଣ୍ଡଳୀର ସାଂଗଠନିକ ସ୍ଥିତି ବୁଝିବାକୁ ଯିବେ। ଏହି ପ୍ରବାସ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଉପମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣ ଓ ବିଧାୟକମାନେ ଉପସ୍ଥିତ ଥିଲେ। ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ବୈଠକକୁ ଯାଇଥିଲେ, କିନ୍ତୁ ଅଳ୍ପ ସମୟ ପରେ ଫେରି ଆସିଥିଲେ।
ବୈଠକରେ ଆଗାମୀ ନିର୍ବାଚନ ପାଇଁ ବିଜେପିର ପ୍ରତି ନିର୍ବାଚନମଣ୍ଡଳୀରେ ସଂଗଠନକୁ ମଜବୁତ କରିବା, ଦୋଷ ତ୍ରୁଟି ସଂଶୋଧନ କରିବା, କର୍ମୀଙ୍କ କଥା ବୁଝିବା ଏବଂ ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବା ଉପରେ ଆଲୋଚନା ହୋଇଥିଲା। ନିଜ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ଦୋଷ ତ୍ରୁଟି ସମ୍ପର୍କରେ ଜଣାଇବେ ନାହିଁ, ତେଣୁ ଅନ୍ୟ ନିର୍ବାଚନମଣ୍ଡଳୀ ଗସ୍ତ କରି ଦଳୀୟ ସ୍ଥିତି ଓ ସରକାରୀ କାର୍ଯ୍ୟକ୍ରମର ତଦାରଖ କରାଯିବ। ବିଧାୟକମାନେ ଅନ୍ୟ ବିଧାନସଭା କ୍ଷେତ୍ରର ସ୍ଥିତି ବୁଝିବେ। ମନ୍ତ୍ରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଲୋକଙ୍କଠାରୁ ସିଧା ପଚାରି ବୁଝିବେ। ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ଏହି ପ୍ରବାସ କାର୍ଯ୍ୟକ୍ରମ ଯୋଜନା କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଧାୟକମାନେ ଅନ୍ୟ ନିର୍ବାଚନମଣ୍ଡଳୀ ବୁଲି ସାଂଗଠନିକ ସ୍ଥିତିର ସମୀକ୍ଷା କରିବେ। ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅପିଲ କରାଯାଇଛି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦିଆଯାଇଛି।


