Categories
ଆଜିର ଖବର ରାଜ୍ୟ ଖବର

ଲଳିତଗିରିର ଶୁଖୁଆପଡ଼ା ପାହାଡ଼ର ବୌଦ୍ଧକିର୍ତ୍ତୀକୁ ଧ୍ୱଂସ କରିବାକୁ ସରକାରୀ ଚକ୍ରାନ୍ତ-ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର : ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧକିର୍ତ୍ତୀସ୍ଥଳ ଲଳିତଗିରିର ଶୁଖୁଆପଡ଼ା ପାହାଡ଼ରେ ସପ୍ତମ ଶତାବ୍ଦୀର ଅନେକ ବୌଦ୍ଧକିର୍ତ୍ତୀ ରହିଛି। କିନ୍ତୁ ରାଜ୍ୟ ସରକାର ଏହି ପାହାଡ଼ରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ ପାଇଁ ଓଡ଼ିିଶା ରାଜ୍ୟ ଖଣି ନିଗମକୁ ଲିଜ୍ ସୂତ୍ରରେ ଦେଇ ଓଡ଼ିଶାର ବୌଦ୍ଧକିର୍ତ୍ତୀ ଓ ଐତିହ୍ୟକୁ ନଷ୍ଟ କରିବାର ଏକ ବିଦ୍ଧିବଦ୍ଧ ଚକ୍ରାନ୍ତ କରିଛନ୍ତି ବୋଲି ଭାରତୀୟ ମହାବୋଧି ସମିତିର ରାଷ୍ଟ୍ରୀୟ ଉପସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗୁରୁତର ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡଃ ଜ୍ଞାନେନ୍ଦ୍ର କହିଛନ୍ତି ଯେ, ୨୦୦୫ ମସିହାରେ ଯାଜପୁର ଜିଲ୍ଲାପାଳ ଏହି ଶୁଖୁଆପଡ଼ା ପାହାଡ଼ରୁ ମୋରମ ଖନନ ପାଇଁ ଲିଜ୍ ଦେଇଥିଲେ। କିନ୍ତୁ ସେତେବେଳେ ବୌଦ୍ଧଧର୍ମ ପ୍ରତି ପ୍ରତିବଦ୍ଧ ଥିବା ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ବୁଦ୍ଧାୟନ ତରଫରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ଜନହିତ ମାମଲା କରାଯିବା ପରେ ମାନ୍ୟବର କୋର୍ଟ ଏକ ଯୁଗ୍ମ କମିଟି ଗଠନ କରିଥିଲେ ଓ ଯୁଗ୍ମ କମିଟି ତାଙ୍କ ରିପୋର୍ଟରେ ଲିଜ୍ ନ ଦେବା ପାଇଁ ମତପୋଷଣ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲଳିତଗିରିର ଲଣ୍ଡା ପାହାଡ଼କୁ ଏ.ଏସ୍‌.ଆଇ କର୍ତ୍ତୃପକ୍ଷ ଠିକଣା ଭାବେ ତଦାରଖ କରୁଥିବା ବେଳେ ଶୁଖୁଆପଡ଼ା ପାହାଡ଼ରୁ ବୌଦ୍ଧକିର୍ତ୍ତୀ, ହାତୀଖାଲରୁ ବାହାରିଥିବା ଛଅଗୋଟି ବିରାଟ ବୌଦ୍ଧମୂର୍ତ୍ତି ଏ.ଏସ୍‌.ଆଇ. କର୍ତ୍ତୃପକ୍ଷ ନେଇ ଲଳିତଗିରି ସଂଗ୍ରହାଳୟରେ ରଖିଛନ୍ତି। କିନ୍ତୁ ଏହି ପାହାଡ଼ର ଶୀର୍ଷଦେଶରେ ପାରାଭାଡ଼ି ଅବସ୍ଥିତ ଏହା ଏକ ବିରାଟ ବୌଦ୍ଧସ୍ତୁପ। ଭବିଷ୍ୟତରେ ଏହାର ଖନନ ହେଲେ ଭଗବାନ ବୁଦ୍ଧ ଓ ସାରିପୁତଙ୍କର ରିଲିକ୍ସ ବାହାରିବାର ସମ୍ଭାବନା ଅଛି। ଏଥିସହିତ ଏହି ପାହାଡ଼ରେ ଥିବା ଘଣ୍ଟିଆଶୁଣି ଓ ସାଧୁଗୁମ୍ଫା ଭଳି ସ୍ଥାନଗୁଡ଼ିକରେ ବହୁ ବୌଦ୍ଧକିର୍ତ୍ତୀ ରହିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବା ନାମରେ ଶୁଖୁଆପଡ଼ା ପାହାଡ଼ରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ କରିବା ପାଇଁ ରାଜ୍ୟ ଖଣି ନିଗମ ଦ୍ୱାରା ଉନ୍ନତମାନର ମେସିନ୍ ଲଗାଇ ବୌଦ୍ଧ କିର୍ତ୍ତୀରାଜିକୁ ଧ୍ୱଂସ କରିବାକୁ ଯେଉଁ ଚେଷ୍ଟା କରିଛନ୍ତି, ତାହାକୁ କରିବାକୁ ଦିଆଯିବ ନାହିଁ ବୋଲି ଡଃ ଜ୍ଞାନେନ୍ଦ୍ର କହିବା ସହ, ସରକାର ତୁରନ୍ତ ରାଜ୍ୟ ଖଣି ନିଗମକୁ ଦେଇଥିବା ଲିଜ୍‌କୁ ବାତିଲ୍ କରିବା ସହ ପାହାଡ଼ରୁ ପଥର ଖନନ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦୃଢ ଦାବି କରିଛନ୍ତି ଓ ରାଜ୍ୟର ସମସ୍ତ ବୌଦ୍ଧଧର୍ମର ଶ୍ରଦ୍ଧାଳୁମାନେ ଏହାର ବିରୋଧ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଡ଼ାକ୍ତରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, କରୋନାର ସଙ୍କଟମୟ ସମୟରେ ଦେବଦୂତ ଭଳି କାର୍ଯ୍ୟ କରିଥିବା ବରିଷ୍ଠ ଡ଼ାକ୍ତର କର୍ଣ୍ଣେଲ ବିରଞ୍ଚି ନାରାୟଣ ପାଣିଙ୍କୁ ଗତକାଲି ରକ୍ଷାବନ୍ଧନର ପବିତ୍ର ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ବ୍ୟାଚ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ସେ ଭାବବିହ୍ୱଳ ହୋଇ କହିଥିଲେ ଯେ, ଭଗବାନ ଆମକୁ ଯେଉଁ ବିଦ୍ୟାରେ ପ୍ରବୀଣ କରିଛନ୍ତି, ତାହାକୁ ଆମେ କେବଳ ପ୍ରୟୋଗ କରିଛୁ । ସମସ୍ତ ଡ଼ାକ୍ତରଙ୍କର ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା
କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ, ଶ୍ରୀମତୀ ବିଜ୍ଞାନ ପ୍ରଜ୍ଞା ତ୍ରିପାଠୀ, ଶ୍ରୀମତୀ ନନ୍ଦିନୀ ଜେନା, ବିଜୟ କୁମାର ଜେନା ଓ ଶ୍ରୀମତୀ ଅତସୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ୨୪, କୋକିଳା କଟେଜ, ସୁନ୍ଦରପଦାଠାରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଫ୍ୟାଶନ ଡ଼ିଜାଇନର ସବ୍ୟସାଚୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାସ ଶେଷପର୍ଯ୍ୟନ୍ତ ଲକ୍‌ଡ଼ାଉନ ବଢୁ କିନ୍ତୁ ହୋମ ଡ଼େଲିଭରୀ ମଦ ବନ୍ଦ ହେଉ: ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ୯ଟି ହସ୍ପିଟାଲ ବୁଲି ଶେଷରେ ଆଖି ବୁଜିଲେ ନବବଧୁ ଭଳି ସମ୍ବାଦକୁ ଦେଖିଲା ପରେ ମନ ଭିତରେ ସ୍ୱତଃ ରାଜ୍ୟ ସରକାରଙ୍କ କଥା ଓ କାମ ଉପରେ ଏଭଳି ଏକ ବିବୃତ୍ତି ଦେବାକୁ ବାଧ୍ୟ ହେଉଛି ବୋଲି ଏକ ପ୍ରେସ୍ ବିବୃତ୍ତିରେ ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି।

ମୃତକଜଣକ କାହାର ଭଉଣୀ, କାହାର ଝିଅ ଓ କାହାର ସ୍ତ୍ରୀ ହୋଇଥାଇପାରେ। କିନ୍ତୁ ରାଜ୍ୟ ସରକାର ଗଣମାଧ୍ୟମରେ ଯେଉଁ ତଥ୍ୟ ଦେଉଛନ୍ତି ଏହା ଯେ ସମ୍ପୂର୍ଣ୍ଣ ଭୁଲ୍ ତାହା ସ୍ୱର୍ଣ୍ଣଲତାଙ୍କ ଦାରୁଣ ମୃତ୍ୟୁରୁ ପ୍ରମାଣିତ ହୋଇଛି। ସରକାରଙ୍କ ସମସ୍ତ କାର୍ଯ୍ୟକୁ ଆମେ ନକରାତ୍ମକ ଦୃଷ୍ଟିରେ ଦେଖୁନାହୁଁ। କିନ୍ତୁ ତଦାରଖ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ଆହୁରି କଠୋର ଓ ସକ୍ରିୟ ହେବାର ଆବଶ୍ୟକତା ଅଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସରକାରଙ୍କ ସଟ୍‌ଡ଼ାଉନ ଓ ଲକ୍‌ଡ଼ାଉନ ହେବା ୧୨ ଦିନ ହୋଇଗଲା। ସଂକ୍ରମଣ କମିବାର ନାଁ ଧରୁନାହିଁ, ବରଂ ସଂକ୍ରମଣ ଗ୍ରାମାଭିମୁଖୀ ହେଲାଣି। ଏଣୁ ଲକଡ଼ାଉନ ଓ ସଟଡ଼ାଉନକୁ କଠୋର ଭାବେ କାର୍ଯ୍ୟକାରୀ କରିବା ସହ ସକାଳ କୋହଳ ସମୟକୁ ଆଉ ଦୁଇଘଣ୍ଟା କମାଇ ଦିଆଯାଉ। ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନକୁ ସେ ଦୃଢତାର ସହ ସମର୍ଥନ ଦେଇଛନ୍ତି।

ଏଭଳି ବିପତ୍ତି ସମୟରେ ସକରାରଙ୍କ ମଦ ଘରେ ପହଞ୍ଚାଇବା ବ୍ୟବସ୍ଥାକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଘରେ ବିଭିନ୍ନ ମାନସିକ ଅବସାଦ ଓ ଦୁଶ୍ଚିନ୍ତାରେ ସାଧାରଣ ପରିବାର ଲୋକ ଥିବାବେଳେ ମଦର ହୋମ୍ ଡ଼େଲିଭରି ନିଷ୍ପତ୍ତି ଏକ ବିକୃତ ମସ୍ତିଷ୍କ ନିଷ୍ପତ୍ତି ବୋଲି ଡଃ ଜ୍ଞାନେନ୍ଦ୍ର କହିବା ସହ ତୁରନ୍ତ ବନ୍ଦ କରିବା ପାଇଁ ସେ ସରକାରଙ୍କ ଠାରେ ଦୃଢ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପରିସ୍ଥିତି ଅସମ୍ଭାଳ, ମଇ ୧୫ ପର୍ଯ୍ୟନ୍ତ ସଟ୍‌ଡାଉନ କରିବା ଉଚିତ ପଦକ୍ଷେପ ହେବ: ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡାଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ କରିବା ସହ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ କରୋନାର ଜଟିଳ ସ୍ଥିତି ଦେଖିଲା ପରେ, ସଟଡାଉନ ହିଁ ଏକମାତ୍ର ଉପାୟ ବୋଲି ମାନିବାକୁ ପଡ଼ିବ। ସାଧାରଣ ଭାବେ ଶ୍ରମିକ, ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେବେ ସତ କିନ୍ତୁ ଏ ସବୁଠାରୁ ମଣିଷ ଜୀବନ ଯଥେଷ୍ଟ ମୂଲ୍ୟବାନ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।

ରାଜ୍ୟ ସରକାର ତୁରନ୍ତ ସଟଡ଼ାଉନ କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସଂଗ୍ରହ ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କୋହଳ ବ୍ୟବସ୍ଥା କରିବାକୁ ସେ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି କରିଛନ୍ତି। ସମସ୍ତ ଜରୁରୀକାଳୀନ ସେବା ପୂର୍ବଭଳି କାର୍ଯ୍ୟ କରିବା ସହ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ହେବାକୁ ସେ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ଡେରି ହେଲେ ନେଡ଼ିଗୁଡ଼ କହୁଣିକୁ ବୋହିଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଡଃ ଜ୍ଞାନେନ୍ଦ୍ର ଚେତାବନୀ ଦେଇଛନ୍ତି।