ମାସ ଶେଷପର୍ଯ୍ୟନ୍ତ ଲକ୍‌ଡ଼ାଉନ ବଢୁ କିନ୍ତୁ ହୋମ ଡ଼େଲିଭରୀ ମଦ ବନ୍ଦ ହେଉ: ଡଃ ଜ୍ଞାନେନ୍ଦ୍ର

Published: May 16, 2021, 8:44 pm IST

ଭୁବନେଶ୍ୱର: ୯ଟି ହସ୍ପିଟାଲ ବୁଲି ଶେଷରେ ଆଖି ବୁଜିଲେ ନବବଧୁ ଭଳି ସମ୍ବାଦକୁ ଦେଖିଲା ପରେ ମନ ଭିତରେ ସ୍ୱତଃ ରାଜ୍ୟ ସରକାରଙ୍କ କଥା ଓ କାମ ଉପରେ ଏଭଳି ଏକ ବିବୃତ୍ତି ଦେବାକୁ ବାଧ୍ୟ ହେଉଛି ବୋଲି ଏକ ପ୍ରେସ୍ ବିବୃତ୍ତିରେ ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି।

ମୃତକଜଣକ କାହାର ଭଉଣୀ, କାହାର ଝିଅ ଓ କାହାର ସ୍ତ୍ରୀ ହୋଇଥାଇପାରେ। କିନ୍ତୁ ରାଜ୍ୟ ସରକାର ଗଣମାଧ୍ୟମରେ ଯେଉଁ ତଥ୍ୟ ଦେଉଛନ୍ତି ଏହା ଯେ ସମ୍ପୂର୍ଣ୍ଣ ଭୁଲ୍ ତାହା ସ୍ୱର୍ଣ୍ଣଲତାଙ୍କ ଦାରୁଣ ମୃତ୍ୟୁରୁ ପ୍ରମାଣିତ ହୋଇଛି। ସରକାରଙ୍କ ସମସ୍ତ କାର୍ଯ୍ୟକୁ ଆମେ ନକରାତ୍ମକ ଦୃଷ୍ଟିରେ ଦେଖୁନାହୁଁ। କିନ୍ତୁ ତଦାରଖ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ଆହୁରି କଠୋର ଓ ସକ୍ରିୟ ହେବାର ଆବଶ୍ୟକତା ଅଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସରକାରଙ୍କ ସଟ୍‌ଡ଼ାଉନ ଓ ଲକ୍‌ଡ଼ାଉନ ହେବା ୧୨ ଦିନ ହୋଇଗଲା। ସଂକ୍ରମଣ କମିବାର ନାଁ ଧରୁନାହିଁ, ବରଂ ସଂକ୍ରମଣ ଗ୍ରାମାଭିମୁଖୀ ହେଲାଣି। ଏଣୁ ଲକଡ଼ାଉନ ଓ ସଟଡ଼ାଉନକୁ କଠୋର ଭାବେ କାର୍ଯ୍ୟକାରୀ କରିବା ସହ ସକାଳ କୋହଳ ସମୟକୁ ଆଉ ଦୁଇଘଣ୍ଟା କମାଇ ଦିଆଯାଉ। ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନକୁ ସେ ଦୃଢତାର ସହ ସମର୍ଥନ ଦେଇଛନ୍ତି।

ଏଭଳି ବିପତ୍ତି ସମୟରେ ସକରାରଙ୍କ ମଦ ଘରେ ପହଞ୍ଚାଇବା ବ୍ୟବସ୍ଥାକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଘରେ ବିଭିନ୍ନ ମାନସିକ ଅବସାଦ ଓ ଦୁଶ୍ଚିନ୍ତାରେ ସାଧାରଣ ପରିବାର ଲୋକ ଥିବାବେଳେ ମଦର ହୋମ୍ ଡ଼େଲିଭରି ନିଷ୍ପତ୍ତି ଏକ ବିକୃତ ମସ୍ତିଷ୍କ ନିଷ୍ପତ୍ତି ବୋଲି ଡଃ ଜ୍ଞାନେନ୍ଦ୍ର କହିବା ସହ ତୁରନ୍ତ ବନ୍ଦ କରିବା ପାଇଁ ସେ ସରକାରଙ୍କ ଠାରେ ଦୃଢ ଦାବୀ କରିଛନ୍ତି।

Related posts