Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବଜରଙ୍ଗ ଦଳର ହନୁମାନ ଜୟନ୍ତୀ ଉପଲକ୍ଷେ ବିଶାଳ ରାଲି: ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ରାଲି। ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ତେବେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉକ୍ତ ରାଲିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ। ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀରେ ହୋଲି ଖେଳିଲେ ଡ୍ରିମ ଗାର୍ଲ ହେମା ମାଳିନୀ, ଭିତରେ ଥିବା ଫଟୋ ଦେଖିଲେ ହେବେ ଖୁସି

ଭୁବନେଶ୍ବର: ଡ୍ରିମ ଗାର୍ଲ ହେମା ମାଳିନୀ ଓଡିଶା ଗସ୍ତରେ ଅଛନ୍ତି। ସେ ଦୁଇଦିନ ଧରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବା ପରେ ଆଜି ହୋଲି ଉପଲକ୍ଷେ ସେ ପୁରୀ ଗସ୍ତ କରିଥିଲେ। ଆଜି ସକାଳୁ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ପୁରୀ ଲୋକଙ୍କ ସହିତ ହୋଲି ଖେଳିଥିଲେ। ଦେଖନ୍ତୁ ଏହି ଫଟୋ…

ଏହି ଅବସରରେ ତାଙ୍କ ସହିତ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ଉଭୟ ହୋଲି ଉତ୍ସବକୁ ବେଶ ଉପଭୋଗ କରିଥିଲେ। ସେ ମଥୁରାରୁ ଆସି ପୁରୀରେ ହୋଲି ଖେଳିଥିବାରୁ ହେମା ନିଜକୁ ଧନ୍ୟ ମନେ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରିୟବ୍ରତ ହେଲେ ପୁରୀ ସାଂସଦ ଡାଃ ସମ୍ବିତ ପାତ୍ରଙ୍କ ପ୍ରତିନିଧି

ରଣପୁର: ୨୦୨୪ ନିର୍ବାଚନରେ ପୁରୀ ସାଂସଦ ଭାବେ ବିଜେପିରୁ ଡ଼ଃ ସମ୍ବିତ ପାତ୍ର ନିର୍ବାଚିତ ହୋଇଛନ୍ତି। ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ରଣପୁର ତ୍ରିଲୋଚନ ପ୍ରହରାଜଙ୍କ ପୁତ୍ର ପ୍ରିୟବ୍ରତ ପ୍ରହରାଜଙ୍କୁ ସାଂସଦ ପ୍ରତିନିଧି ଭାବେ ସାଂସଦ ଡ଼. ସମ୍ବିତ ପାତ୍ର ମନୋନୟନ କରିଛନ୍ତି। ପ୍ରିୟବ୍ରତ ପ୍ରହରାଜ ସାଂସଦ ପ୍ରତିନିଧି ଭାବେ ମନୋନୟନ ହେବା ପରେ ସାଂସଦ ଶ୍ରୀ ପାତ୍ର ଓ ରଣପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଜନସାଧାରଣଙ୍କ ସମସ୍ୟାକୁ ସାଂସଦଙ୍କ ନିକଟରେ ଉପସ୍ଥାପନା କରିବା ସହିତ ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦୁଇଟି ସଂଖ୍ୟାଲଘୁ ପ୍ରାଧାନ୍ୟ ଆସନ ଜିତିଲା ବିଜେପି: ବିରୋଧୀ ମେଣ୍ଟକୁ ଟାର୍ଗେଟ କଲେ ସଂବିତ

ନୁଆଦିଲ୍ଲୀ: ତ୍ରିପୁରାର ଦୁଇଟି ଆସନର ଉପ-ନିର୍ବାଚନରେ ​​ବିଜେପିର ବିଜୟ ପରେ ଦଳର ମୁଖପାତ୍ର ଡଃ ସମ୍ବିତ ପାତ୍ର ବିରୋଧୀ ମେଣ୍ଟ ‘I.N.D.I.A. ‘ ଉପରେ ଆକ୍ରମଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଡଃ ପାତ୍ର ଲେଖିଛନ୍ତି ଯେ, ତ୍ରିପୁରା ଉପ-ନିର୍ବାଚନରେ କେବଳ ‘ଘମଣ୍ଡିଆ ଆଲାଇନ୍ସ’ର ଗର୍ବ’ ଭାଙ୍ଗି ନାହିଁ ‘, ଏହା ହେଉଛି ସେମାନଙ୍କର ‘ବଡ ପରାଜୟ’। ଜନସାଧାରଣ ସେମାନଙ୍କ ମେଣ୍ଟକୁ ଠକବନ୍ଧନ ବୋଲି ପ୍ରମାଣ କରିଛନ୍ତି।

ବିଜେପି ନେତା କହିଛନ୍ତି ଯେ, ଉଭୟ ଆସନ ସଂଖ୍ୟାଲଘୁ ପ୍ରାଧାନ୍ୟ ଏବଂ ଘମଣ୍ଡିଆ ମେଣ୍ଟର ମିଳିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ବକ୍ସନଗର ଏବଂ ଧନପୁରରେ ବିଜେପିର ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଜବୁତ ତଥା ସର୍ବମାନ୍ୟ ନେତୃତ୍ୱର ପ୍ରମାଣ। ସାବକା ସାଥ, ସାବକା ବିକାଶ’ ର ମୂଳମନ୍ତ୍ର ସଫଳ ହୁଏ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଭୋଟ ହାସଲ ପାଇଁ ବିଜେପି ନେତା ସମ୍ବିତ ପାତ୍ର କରୁଛନ୍ତି ତଳି ରୁଆ ନାଟକ !!!

ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ ବିଜେପିର ଆଶାୟୀ ପ୍ରାର୍ଥୀ ସମ୍ବିତ ପାତ୍ର ଖୁବ ଜୋରରେ ଲୋକଙ୍କ ମନ ଜିଣିବାରେ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ସେହି ପରିପ୍ରେକ୍ଷୀରେ ସମ୍ବିତ ପାତ୍ର ପିପିଲିର ଏକ ଧାନ ବିଲରେ ତଳି ରୁଆଉ ଥିବାର ଦେଖିବାକୁ ମିଳିଛି। ସମ୍ବିତ ଏହାକୁ ନେଇ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ବେଶ ପ୍ରଚାର ମଧ୍ୟ କରିଛନ୍ତି।

ତେବେ ସମ୍ବିତଙ୍କ ତଳିରୁଆରେ ତାଙ୍କର ବେଶଭୂଷା ଦେଖିଲେ କୌଣସି କଳାକାରଙ୍କଠାରୁ ବି କମ ହେବ ନାହିଁ। କାରଣ ସେ ଯେପରି ବେଶରେ କାଦୁଅ ସରସର ଧାନ ବିଲରେ କାମ କରୁଛନ୍ତି ତାହା ଏକ ପକ୍କା ଅଭିନେତା ପରି ଜଣାପଡୁଛି। ସେ ଧୋବ ଫରଫର ନୂଆ ଧୋତି ଏବଂ ଧଲା ଗଂଜି ପିନ୍ଧି ତଳି ରୁଆଉଛନ୍ତି। ତାଙ୍କ ତଳି ରୁଆ ତରିକା ଭୁଲ ହୋଇପାରେ ତାହା ବଡ କଥା ନୁହେଁ ହେଲେ ସେ ଯେଉଁ ପୋଷାକରେ କାଦୁଅ ସରସର ବିଲରେ ଅଛନ୍ତି ତାହାକୁ ନେଇ ଚର୍ଚ୍ଚା।

ଯେଉଁମାନେ ପ୍ରକୃତ ଚାଷୀ ସେମାନେ କେବେ ଧାନ ବିଲକୁ ଧୋବ ଫରଫର ଧୋତି ପିନ୍ଧି ତଳି ରୁଆନ୍ତି ନାହିଁ। ଏପରିକି ନୂଆ ଗଂଜି ପିନ୍ଧି କେହି ବିଲରେ କାମ କରେ ନାହିଁ। କେବଳ ପୂଜା ପାର୍ବଣ କିମ୍ବା ଅଖିମୁଠି ଅନୁକୂଳରେ ଚାଷୀ ନୂଆ ଲୁଗା ପିନ୍ଧି ବିଲକୁ ଯାଏ। ହେଲେ ସମ୍ବିତ ଯେପରି ବେଶ ଭୂଷାରେ ତଳି ରୁଆଉଛନ୍ତି ତାହାକୁ ଯେ କେହି ଦେଖିଲେ ସମାଲୋଚନା କରୁଛି। ଏସବୁ ଭୋଟ ହାତେଇବା ପାଇଁ ନାଟକ ବୋଲି ଯେକେହି ଦେଖି କହିବାରେ ଲାଗିଛି।

ସମ୍ବିତ ତଳି ରୁଆଇବେ ବୋଲି ସଂପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ହୋଇ ଆସିଛନ୍ତି। ବେଶଭୂଷା ହୋଇ ଏହି ବିଲରେ କାମ କରି ଫଟୋ ଉଠାଇବେ ବୋଲି ପ୍ରସ୍ତୁତି ହୋଇଛନ୍ତି। ତାଙ୍କ ସାଥିରେ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକ ମଧ୍ୟ ସୁନ୍ଦର ବେଶଭୂଷାରେ ସମ୍ବିତଙ୍କ ସହିତ ତଳି ରୁଆଛନ୍ତି। ସେ ରାହୁଳ ଗାନ୍ଧିଙ୍କ ପରି ହଠାତ ବିଲ ଭିତରକୁ ଫୁଲ ପ୍ୟାଣ୍ଟ ଉପରକୁ ଟେକି ପଶି ନାହାଁନ୍ତି।

ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧି ବିଲ ଭିତରକୁ ଯାଇ ଚାଷୀଙ୍କ ସହିତ କାମ କରିଥିଲେ ତଳି ରୁଆଉ ଥିଲେ। ହେଲେ ତାହା ଯେ କେହି ଦେଖିବ ସେ କେବେ ବି ନାଟକ କହିବ ନାହିଁ। କାରଣ ରାହୁଳ ରାସ୍ତାରେ ଯାଉଥିବା ବେଳେ ହଠାତ ଗାଡି ଅଟକାଇ ନିଜ ଫୁଲ ପ୍ୟାଣ୍ଟକୁ ଉପରକୁ ଟେକି କାଦୁଅ ବିଲରେ ପଶିଥିଲେ। ହେଲେ ସମ୍ବିତଙ୍କ ଏହି ତଳି ରୁଆ ପୁରା ପୂର୍ବ ପ୍ରସ୍ତୁତି ଏବଂ ଲୁଗାପଟା କିଣାକିଣି କରି ବିଲ ଭିତରକୁ ଯାଇଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି।

ରାହୁଳ ଗାନ୍ଧିଙ୍କ ତଳି ରୁଆକୁ ନେଇ ସେତେବେଳେ ବିଜେପି ତରଫରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହା ରାହୁଳ ବାବାଙ୍କ ନାଟକ ବୋଲି କୁହାଯାଉଥିଲା। ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ସଂସଦରେ ରାହୁଳଙ୍କ ଏହି ଚାଷୀମାନଙ୍କ ସହ କାମକୁ ନେଇ ସମାଲୋଚନା କରିଥିଲେ। ହେଲେ ଏବେ ଖୋଦ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଏପରି କାମକୁ ଦଳ କେଉଁ ଦୃଷ୍ଟିରେ ଦେଖିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବରୁ ସମ୍ବିତ ଜଗନ୍ନାଥଙ୍କୁ ମୂର୍ତ୍ତିକୁ ମୁଣ୍ଡରେ ମୁଣ୍ଡାଇ ବଡଦାଣ୍ଡରେ ଏକ ରାଜନୈତିକ ରାଲି କରିବା ନେଇ ବେଶ ସମାଲୋଚନା କରାଯାଇଥିଲା। ଏପରିକି 2019 ଲୋକସଭା ନିର୍ବାଚନ ବେଳେ ମୋତେ ଜଗନ୍ନାଥ ଡାକିଛନ୍ତି ବୋଲି କହି ସମ୍ବିତ ପୁରୀ ନିର୍ବାଚନ ମଣ୍ଡଳିରେ ବେଶ ତୁମ୍ବିତୋଫାନ କଲେ। ଭାବି ଥିଲେ ଜଗନ୍ନାଥ ପ୍ରେମୀ ପୁରୀ ଲୋକସଭା ଲୋକେ ଏହି କଥାରେ ଭାସିଯାଇ ତାଙ୍କ ଉପରେ ଭୋଟ ଗଦେଇ ଦେବେ। ହେଲେ ଶେଷରେ ସେ ହାରିବା ହିଁ ସାର ହୋଇଥିଲା।

ଏଥର ମଧ୍ୟ ସମ୍ବିତ ଏହି ପରି ବିଭିନ୍ନ ନାଟକ କରିବାରେ ଲାଗିଛନ୍ତି। ଦଳିତଙ୍କ ଘରେ ଖାଇବା ହେଉ କିମ୍ବା କେଉଁ ଉତ୍ସବରେ ବାଜା ବଜାଇବା ହେଉ, ଏହିପରି ନାଟକ ଜାରୀ ରଖିଛନ୍ତି। ହେଲେ ଏଥର ମଧ୍ୟ ତାଙ୍କୁ ଭୋଟରମାନେ କେତେ ବିଶ୍ବାସକୁ ନେବେ ତାହା ହିଁ ପ୍ରଶ୍ନ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ପାଇଁ କେନ୍ଦ୍ର ବିଜେପିର ଜୋରଦାର ପ୍ରୟାସ, କାରଣ କଣ

ପ୍ରକାଶ ଭୋଳ

ଭୁବନେଶ୍ବର: ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ଦରକାର। ଏହା ଚାହୁଛି ରାଷ୍ଟ୍ରୀୟ ବିଜେପି। ସେତିକି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚାହୁଛନ୍ତି ଓଡିଶାର କେମିତି ହେଲେ ସମ୍ବିତ ପାତ୍ର ଜିତିବା ଦରକାର। ପ୍ରକୃତ କାରଣ କଣ ଜଣାପଡି ନ ଥିଲେ ମଧ୍ୟ ଓଡିଶାରୁ ସମ୍ବିତ ପାତ୍ର ନେତୃତ୍ବ ନେବାରେ ଉପଯୁକ୍ତ ବୋଲି ଦିଲ୍ଲୀରେ ଦଳ ଚିନ୍ତା କରିଛି।

ସେଥିପାଇଁ ସମ୍ବିତ, ଗଣ୍ଡାଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭର୍ତ୍ତି କରି ସାରିଲେଣି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୀରେ ବହୁ କାର୍ଯ୍ୟକ୍ରମ କରି ସମ୍ବିତଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିଛନ୍ତି। ସେ ପୁରୀ ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ରଘୁରାଜପୁର ଏବଂ ପିପିଲିରେ ମଧ୍ୟ ଛୋଟଛୋଟ କାର୍ଯ୍ୟକ୍ରମ କରିଛନ୍ତି। ସେସବୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି ଏହା ଦ୍ବାରା ପୁରୀରେ ସମ୍ବିତ ପାତ୍ରଙ୍କ ପତିୟାରା ବଢିବାରେ ଲାଗିଛି।

ଏହା ପୂର୍ବରୁ ପୁରୀ ଗସ୍ତରେ ଆସିଥିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ ମଧ୍ୟ ପୁରୀ ଲୋକସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ପିପିଲିରେ ସେ ତ୍ରିରଙ୍ଗା ଯାତ୍ରା ମଧ୍ୟ କରି ଏକ ବଡ ଶୋଭାଯାତ୍ରାରେ ସମ୍ବିତ ପାତ୍ରଙ୍କ ସହ ବୁଲିଥିଲେ। ସେହିପରି ପୂର୍ବରୁ ପୁରୀ ସଂସଦୀୟ କ୍ଷେତ୍ରର ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ବଡ ସଭା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଯାହା ସମ୍ବିତଙ୍କ ପାରିବା ପଣିଆକୁ ପ୍ରତିପାଦନ କରିଛି।

କେବଳ ଯେ କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ତାହା ନୁହେଁ ଖୋଦ ସମ୍ବିତ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରତି ପଞ୍ଚାୟତ ଏକା ଏକା ବୁଲି ସାରିଲେଣି। ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀର ଛୋଟବଡ ସମସ୍ତ କାର୍ଯ୍ୟକ୍ରମରେ ସେ ସିଧା ଲୋକଙ୍କ ପାଖରେ ହାଜର ହେଉଛନ୍ତି।  ସାଧାରଣ ନିର୍ବାଚନକୁ ଢେର ଦିନ ବାକିଥିଲେ ମଧ୍ୟ ସମ୍ବିତଙ୍କ ଏପରି ମାରଥନ ଗସ୍ତ ବର୍ତ୍ତମାନ ତାଙ୍କର ଜିତିବା ରାସ୍ତାକୁ ସୁଗମ କରିବାରେ ଲାଗିଛି।

ଅନ୍ୟପଟେ ପୁରୀ ଲୋକସଭା ଆସନରେ ବିଜେଡିର ନିଷ୍କ୍ରିୟତା ସମ୍ବିତଙ୍କ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି। ପୁରୀ ସାଂସଦ ପିନାକୀ ମିଶ୍ର ଦିଲ୍ଲୀରୁ ଆଉ ଓଡିଶା ଆସୁ ନାହାଁନ୍ତି। ଆସିଲେ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳିରେ ମୁଣ୍ଡ ପୁରାଉ ନାହାଁନ୍ତି। ସେ କୁଆଡେ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ପିନାକୀ ତାଙ୍କ କର୍ମିମାନଙ୍କୁ କହିସାରିଲେଣି। ଫଳରେ ସମ୍ବିତଙ୍କ ପାଇଁ ବିଲେଇ କପାଳକୁ ଶିକା ଛିଣ୍ଡିବା ପରି ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ସାଧାରଣରେ ଏକ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ ଯେ, କେନ୍ଦ୍ର ବିଜେପି କଣ ପାଇଁ ସମ୍ବିତଙ୍କ ଜିତିବାକୁ ଗୁରୁତ୍ବ ଦେଉଛି। ଏହାର ଉତ୍ତରରେ ଏତିକି କୁହାଯାଇ ପାରିବ ଯେ, ଭବିଷ୍ୟତରେ ଓଡିଶାରେ ବିଜେପିର ମୁହଁ ହେବେ ସମ୍ବିତ ପାତ୍ର। କାରଣ ପୂର୍ବରୁ ଯେଉଁମାନଙ୍କୁ ଦଳ ଓଡିଶାର ମଙ୍ଗୁଆଳ କରି ଛାଡିଥିଲେ ତାଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଫଳରେ ଓଡିଶାରେ ବିଜେପି ଯେପରି ସଫଳତା ପାଇବା କଥା ତାହା ହୋଇପାରୁ ନାହିଁ।

ହେଲେ ସେଥିରୁ ସମ୍ବିତ ସଂପୂର୍ଣ୍ଣ ଅଲଗା। ସେ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣୀୟ ହୋଇପାରୁଛନ୍ତି। ସେଥିପାଇଁ ସେ ଚଳିତ ନିର୍ବାଚନରେ ଜିତିବା ପରେ ତାଙ୍କୁ ଶକ୍ତିଶାଳି କରାଯାଇ ଓଡିଶା ବିଜେପିର ମଙ୍ଗ ସମ୍ଭାଳିବା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ବିଜେପି କରିଛି। ଏଥିପାଇଁ ସମ୍ବିତଙ୍କ ପାଇଁ ଦିଲ୍ଲୀରୁ ଏକ ଟିମ ଭୁବନେଶ୍ବରରେ ରହି କାର୍ଯ୍ୟ କରୁଛନ୍ତି। ସମ୍ବିତଙ୍କ ନିର୍ବାଚନ ଜିତିବା ପାଇଁ ପୁରା ଟିମ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ରଣନୀତି ତିଆରି କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ କାଳୁପଡ଼ାଘାଟରେ ରହଣୀ କଲା ରାଜ୍ୟରାଣୀ ଏକ୍ସପ୍ରେସ: ସ୍ୱାଗତ କଲେ ବିଜେପି ନେତା

ଖୋର୍ଦ୍ଧା: ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଷ୍ଟେସନରେ ଆଜିଠାରୁ ରହଣୀ କରିଛି ରାଉରକେଲା-ଗୁଣୁପୁର ଏବଂ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ। ଆଜି ସକାଳେ ଆନୁଷ୍ଠାନିକ ଭାବେ ରାଜ୍ୟରାଣୀ ଏକ୍ସପ୍ରେସକୁ କାଳୁପଡ଼ା ଘାଟ ରେଳ ଷ୍ଟେସନ ପରିସରରେ ଉଦଘାଟନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ରେଳ ୟୁଜର୍ସ ଆସୋସିଏସନ କାଳୁପଡ଼ାଘାଟ ସଭାପତି ପ୍ରଫେସର ଚନ୍ଦ୍ରକାନ୍ତ ପାଇକରାୟ ଏବଂ ଶହ ଶହ ସଂଖ୍ୟାରେ ଉତ୍ସାହିତ ଅଞ୍ଚଳବାସୀ ଟ୍ରେନ ରହଣୀକୁ ସ୍ୱାଗତ କରିଥିଲେ।

ଏହି ସମାବେଶରେ ବିଗତ ଦୁଇ ଦିନ ତଳେ ବାଲେଶ୍ଵର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା ଏବଂ ସମୂହ ଦୀପ ଦାନ କରାଯାଇଥିଲା। ଗୁରୁତର ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହରିବୋଲ ହୁଳହୁଳି ଦେଇ ଟ୍ରେନ ରହଣୀକୁ ସ୍ୱାଗତ କରିଥିଲେ ଅଞ୍ଚଳବାସୀ। ଟ୍ରେନ ରହଣି ନିମନ୍ତେ ଡଃ ସମ୍ବିତ ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଜନସାଧାରଣ।

ଏଥିସହିତ ଆଗାମି ଦିନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ନେଇ ପ୍ରଚେଷ୍ଟା ଜାରି ରହିଥିବାର ଡ଼ା ପାତ୍ର ସୂଚନା ଦେଇଥିଲେ। ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ କାଳୁପଡ଼ାଘାଟ ରେଳ ଷ୍ଟେସନରେ ପ୍ରତିଦିନ ସକାଳ ୦୭:୧୩ ମିନିଟ ସମୟରେ ପହଞ୍ଚିବାକୁ ଥିବାବେଳେ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ପ୍ରତିଦିନ ରାତ୍ର ୦୮:୪୮ ମିନିଟରେ ପହଞ୍ଚିବ। ଏଥିପାଇଁ ଯାତ୍ରୀମାନେ ଆଜିଠାରୁ ସରଂକ୍ଷିତ ଏବଂ ତତ୍କାଳ ଟିକେଟ କାଟି ପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କାମ ଗୋଟିଏ, ପ୍ରଶଂସା ନେବାକୁ ଦୁଇ, ଅପରାଜିତା ବନାମ ସମ୍ବିତ ପାତ୍ରଙ୍କ ଲଢେଇ

ଭୁବନେଶ୍ବର: କାମ ହେଉଛି ଗୋଟିଏ। ହେଲେ ପ୍ରଶଂସା ନେବାକୁ ବିଜେପି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଆଉ କାମଟି ହେଲା ଖୋର୍ଦ୍ଧା ନିରାକାରପୁର ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଥିବା ନୂଆ ଜଗନ୍ନାଥ ସଡକ।

ପ୍ରସଂଗଟି ହେଲା ୪୦ କିଲୋମିଟର ଦୀର୍ଘ ଏହି ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ମାନ୍ୟତା ଦାବୀ କେବେଠାରୁ ହୋଇ ଆସୁଛି। କାରଣ ଏହି ରାସ୍ତାଟି ବ୍ରହ୍ମପୁର ଆଡୁ ଆସୁଥିବା ପୁରୀ ଯାତ୍ରୀଙ୍କ ପାଇଁ ବେଶ ସୁବିଧାଜନକ। ହେଲେ ଏହି ରାସ୍ତାଟିର ଅବସ୍ଥା ଭଲ ନ ଥିବାରୁ ଲୋକେ ଯିବାକୁ ପସନ୍ଦ କରୁ ନାହାଁନ୍ତି। ଏହି ରାସ୍ତାଟି ଏନଏଚ୍ ୧୬ ସହିତ ସଂଯୋଗ ଥିବାରୁ ଜାତୀୟ ରାଜପଥ ଘୋଷଣା ପାଇଁ ଦାବୀ ହେଉଛି।

ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ୨୦୨୨ ମସିହା ଡିସେମ୍ବର ୧୬ ତାରିଖରେ ସାକ୍ଷାତ କରି ଏକ ଦାବୀ ପତ୍ର ଦେଇଛନ୍ତି। ସେତେବେଳେ ମନ୍ତ୍ରୀ ନୀତିନ ଗଡକରୀ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯାହାକୁ ଅପରାଜିତା ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିଛନ୍ତି।

ହେଲେ ଏହି ନୂଆ ଜଗନ୍ନାଥ ସଡକ ପଥ ଉଭୟ ଭୁବନେଶ୍ବର ଏବଂ ପୁରୀ ସଂସଦୀୟ କ୍ଷେତ୍ର ମଧ୍ୟରେ ଆସୁଛି। କାଳେ ଅପରାଜିତା ସମସ୍ତ ପ୍ରଶଂସା ନେଇ ଯିବେ ସେଥିପାଇଁ ପୁରୀର ଆଶାୟୀ ସାଂସଦ ପ୍ରାର୍ଥି ସମ୍ବିତ ପାତ୍ର ମଧ୍ୟ ଛାଡିଲେ ନାହିଁ। ସେ ମଧ୍ୟ ଚଳିତ ମାସ ୧୭ ତାରିଖରେ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ। ଏହାର ଉତ୍ତର ମଧ୍ୟ ମିଳିଲା ସେହି ପୁରୁଣା କଥା। ଅନୁଧ୍ୟାନ କରି ପଦକ୍ଷେପ ନେବୁ ବୋଲି ମନ୍ତ୍ରୀ ଜଣାଇ ଦେଲେ।

ଉଭୟ ଅପରାଜିତା ଏବଂ ସମ୍ବିତ ପାତ୍ର ନିଜ ନିଜ ସାମାଜିକ ଗଣମାଧ୍ୟମରେ ଏହି କଥା ଲୋକଙ୍କୁ ଅବଗତ କରାଇ ମାଇଲେଜ ନେବାକୁ ଚେଷ୍ଠା କରିବାରେ ଲାଗିଛନ୍ତି। ଯାହାକୁ ନେଇ ଖୋର୍ଦ୍ଧା ଏବଂ ପୁରୀ ରାଜନୀତିରେ ବେଶ ଆଲୋଚନାର ବିଷୟ ପାଲଟିଛି।

Categories
ଆଞ୍ଚଳିକ

ଚିଲିକା: ସିଦ୍ଧେଶ୍ବରୀ ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସିଦ୍ଧେଶ୍ବରୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ସୌମ୍ୟ ରଂଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ବୈଠକରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର, ଦଳର ପ୍ରଦେଶ ସାଧାରଣ ସଂପାଦକ ତଥା ଚିଲିକା ବିଧାନସଭା କ୍ଷେତ୍ର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମୀୟ ଦାସ, ସହ-ପ୍ରଭାରୀ ଶଙ୍କର ପରିଡା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ଦାସ, ଦଳର ମାର୍ଗଦର୍ଶକ ତଥା ବରିଷ୍ଠ ଡ଼ାକ୍ତର ସୁରେନ୍ଦ୍ର ନାଥ ଦାସ,୧୩ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ରୋଜିତା ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବ୍ଲକ ଉପାଧ୍ୟକ୍ଷା ରିନା ଦେଇ, ଦଳ ବରିଷ୍ଠ ନେତା ଗୋଲଖ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ପୁରୀ ଲୋକସଭା କ୍ଷେତ୍ର ଓ ଚିଲିକା ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର କିପରି ବିଜୟ ହେବ ଏବଂ ବୁଥ୍ ସ୍ତର ଠାରୁ ଆରମ୍ଭ କରି ତ୍ରିଦେବ ଶକ୍ତି କେନ୍ଦ୍ର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଯୋଡ଼ି ହୋଇ କିପରି ସୁଚାର ରୂପେ କାର୍ଯ୍ୟ କରିବେ ସେ ବିଷୟରେ ନେତାମାନେ ମାର୍ଗଦର୍ଶନ କରିଥିଲେ।

ପରିଶେଷରେ ଦକ୍ଷ ସଂଗଠକ ତଥା ୧୩ ନଂ ଜୋନ୍ ଯୁବ ନେତା ତପନ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।