Categories
ଆଜିର ଖବର ଜାତୀୟ ଖବର

ଗୁଜରାଟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଗୁଜରାଟର ଧୋଲେରା ଏବଂ ଲୋଥାଲରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିବା ସହ କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧିର ଦୃଷ୍ଟିକୋଣ ସହିତ ସମନ୍ୱିତ।

ଡକ୍ଟର ମିଶ୍ର ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିର୍ମାଣାଧୀନ ଅହମ୍ମଦାବାଦ-ଧୋଲେରା ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ପରିଦର୍ଶନ କରିଥିଲେ। ଅହମ୍ମଦାବାଦ ଏବଂ ଧୋଲେରା ମଧ୍ୟରେ ଯାତ୍ରା ସମୟକୁ ୪୫ ମିନିଟକୁ ହ୍ରାସ କରିବା ଲାଗି ଏକ୍ସପ୍ରେସୱେର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ। ବିଶ୍ୱସ୍ତରୀୟ ସଡ଼କ ମାନକ ସହିତ ସମୟୋଚିତ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ର (ଡିଏସଆଇଆର)ଠାରେ ଡ. ମିଶ୍ର ଧୋଲେରା ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗ୍ରଗତିର ମୂଲ୍ୟାଙ୍କନ କରିଥିଲେ। ଅଧିକାରୀମାନେ ତାଙ୍କୁ ସୂଚନା ଦେଇଥିଲେ ଯେ, ୨୦୨୫ ମସିହା ଅକ୍ଟୋବର ମାସ ସୁଦ୍ଧା ମାଲ ପରିବହନ କାର୍ଯ୍ୟ ଆରମ୍ଭ ହେବ। ସମୟସୀମାକୁ ଅନୁସରଣ କରିବା ଏବଂ ଏକ୍ସପ୍ରେସୱେ ସହିତ ନିରବଚ୍ଛିନ୍ନ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡକ୍ଟର ମିଶ୍ର ଘରୋଇ ଚିପ୍ ଉତ୍ପାଦନରେ ଏକ ଫ୍ଲାଗସିପ୍ ପଦକ୍ଷେପ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ଫେବ୍ରିକେସନ୍ (ଫାବ୍) ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ସେ ମୋବାଇଲ୍ ଉପକରଣ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଆପ୍ଲିକେସନ୍ ପାଇଁ ଚିପ୍ ସମେତ ଏହାର ଉତ୍ପାଦନ ପରିସର ସମୀକ୍ଷା କରିଥିଲେ। ସେ ଧୋଲେରା ଇଣ୍ଡଷ୍ଟ୍ରିଆଲ୍ ସିଟି ଡେଭଲପମେଣ୍ଟ ଲିମିଟେଡ୍ (ଡିଆଇସିଡିଏଲ) ଦ୍ୱାରା ବିକଶିତ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ-ବିଦ୍ୟାଳୟ, ଡାକ୍ତରଖାନା ଏବଂ ଆବାସିକ କମ୍ପ୍ଲେକ୍ସ ମଧ୍ୟ ପରିଦର୍ଶନ କରିଥିଲେ। ସେ ବ୍ୟବହାରକାରୀଙ୍କ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇ ଅଂଶୀଦାରମାନଙ୍କ ମତାମତ ଏକୀକରଣ ପାଇଁ ଆହ୍ୱାନ କରିଥିଲେ।

ଡକ୍ଟର ମିଶ୍ର ଡିଆଇସିଡିଏଲ୍, ଡିଆଇଏସିଏଲ୍, ଏନଏଚଏଆଇ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏବଂ ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସୱେ, ଭୀମନାଥ-ଧୋଲେରା ମାଲ ପରିବହନ ରେଳ ସଂଯୋଗ, ଅହମ୍ମଦାବାଦ-ଧୋଲେରା ସେମି-ହାଇସ୍ପିଡ ରେଳ ଲାଇନ, ଧୋଲେରା ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ପ୍ରମୁଖ ପ୍ରକଳ୍ପଗୁଡ଼ିକର ସେ ସମୀକ୍ଷା କରିଥିଲେ। ଶ୍ରୀ ମିଶ୍ର ଧୋଲେରାକୁ ଏକ ବିଶ୍ୱସ୍ତରୀୟ ସ୍ମାର୍ଟ ଶିଳ୍ପ ସହର ଭାବେ ବିକଶିତ କରିବା ଲାଗି ଗୁଜରାଟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସମୟୋଚିତ ଭାବେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, କୁଶଳୀ ଶ୍ରମଶକ୍ତିର ଉପଲବ୍ଧତା ଏବଂ ସୁଦୃଢ଼ ଯୋଜନାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଡ. ମିଶ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନରେ ଏକ ଫ୍ଲାଗସିପ୍ ପଦକ୍ଷେପ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ (ଏନଏମଏଚସି) ପରିଦର୍ଶନ କରିଥିଲେ। ସେ ସେ ମନ୍ତ୍ରଣାଳୟର ସଚିବ ଶ୍ରୀ ଟି. ରାମଚନ୍ଦ୍ରନ ଏବଂ ମନ୍ତ୍ରଣାଳୟ, ଗୁଜରାଟ ସାମୁଦ୍ରିକ ବୋର୍ଡ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଏନଏଚଏଆଇ ଏବଂ ଭାରତୀୟ ରେଳବାଇର ଅନ୍ୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ, ଏନଏମଏଚସି ଭାରତର ସାମୁଦ୍ରିକ ଅତୀତ ପ୍ରତି ଏକ ଉପଯୁକ୍ତ ସମ୍ମାନ ଭାବେ କାର୍ଯ୍ୟ କରିବା ଉଚିତ। ସେ ଗଭୀର ଗବେଷଣା, ଶୈକ୍ଷିକ ସହଯୋଗ ଏବଂ ଏକ ସୁଚିନ୍ତିତ ଯୋଜନାବଦ୍ଧ ପରିଦର୍ଶକ ଅଭିଜ୍ଞତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଡକ୍ଟର ମିଶ୍ର ସ୍ଥାନୀୟ ପ୍ରଜାତି ବୃକ୍ଷରୋପଣ ଏବଂ ଜଳ ପରିଚାଳନା ବ୍ୟବସ୍ଥା ସମେତ ପରିବେଶଗତ ଦୀର୍ଘସ୍ଥାୟୀତ୍ୱ ପଦକ୍ଷେପଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ। ସେ ଏନଏମଏଚସିର ଅତୁଳନୀୟ ପରିସର ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ହରପ୍ପା ସଭ୍ୟତାରୁ ଭାରତର ସାମୁଦ୍ରିକ ଐତିହ୍ୟକୁ ବର୍ଣ୍ଣନା କରୁଥିବା କଳାକୃତିଗୁଡ଼ିକୁ ସଂଗୃହୀତ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ଡକ୍ଟର ମିଶ୍ର ଛଅଟି ଗ୍ୟାଲେରୀ ସମେତ ପର୍ଯ୍ୟାୟ ଆଇ-ଏ ନିର୍ମାଣ କାର୍ଯ୍ୟ ମଧ୍ୟ ନିରୀକ୍ଷଣ କରିଥିଲେ ଏବଂ ଅଗଷ୍ଟ ୨୦୨୫ ସୁଦ୍ଧା ଏହାର ସମାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଡକ୍ଟର ମିଶ୍ରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର, ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପସଚିବ ମଙ୍ଗେଶ ଘିଲଡିୟାଲ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଅହମ୍ମଦାବାଦ ଗସ୍ତ କରି ନିକଟରେ ଘଟିଥିବା ବିମାନ ଦୁର୍ଘଟଣା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ତୁରନ୍ତ ସହାୟତା, ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ପୀଡିତ ଓ ସେମାନଙ୍କ ପରିବାରକୁ ବ୍ୟାପକ ସହାୟତା ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଉପରେ ସେ ଜୋର ଦେଇଥିଲେ।

ଶ୍ରୀ ମିଶ୍ର ମେଘାନୀ ନଗରର ବି.ଜେ. ମେଡିକାଲ କଲେଜ ନିକଟରେ ଦୁର୍ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ। ସେଠାରେ ରାଜ୍ୟ ସରକାର, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଘଟଣାକ୍ରମ ଏବଂ ତୁରନ୍ତ ପ୍ରତିକ୍ରିୟା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ୍ ଗସ୍ତ ସମୟରେ, ଡକ୍ଟର ମିଶ୍ର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଥିଲେ, ଡିଏନଏ ନମୁନା ମେଳ ଖାଉଥିବା ଦେଖିଥିଲେ ଏବଂ ଏକ ସୁଗମ ଓ ସହାନୁଭୂତିପୂର୍ଣ୍ଣ ପ୍ରକ୍ରିୟା ସୁନିଶ୍ଚିତ କରି ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହତମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ହସ୍ପିଟାଲ ଅଧିକାରୀମାନଙ୍କୁ ସେମାନଙ୍କର ଚିକିତ୍ସା ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ​​

ଗାନ୍ଧୀନଗରର ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (ଏଫଏସଏଲ)ରେ, ଡକ୍ଟର ମିଶ୍ର ଡିଏନଏ ନମୁନା ମେଳ ପ୍ରକ୍ରିୟାର ସମୀକ୍ଷା କରିଥିଲେ ଏବଂ ବୈଜ୍ଞାନିକ ସଠିକତା ବଜାୟ ରଖି ଶୀଘ୍ର ଚିହ୍ନଟ ସମାପ୍ତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅହମ୍ମଦାବାଦର ସର୍କିଟ ହାଉସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ମିଶ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର, ଏଏଆଇବି ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଜାରି ରହିଥିବା ସହାୟତା, ଉଦ୍ଧାର ଏବଂ ତଦନ୍ତ ପ୍ରୟାସ ବିଷୟରେ ଆଲୋଚନା କରିଥିଲେ। ଏଏଆଇବି ଏକ ସବିଶେଷ ତଦନ୍ତ ଆରମ୍ଭ କରିଛି, ଏବଂ ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନଟିଏସବି) ଅନ୍ତର୍ଜାତୀୟ ପ୍ରୋଟୋକଲ ଅନୁଯାୟୀ ଏକ ସମାନ୍ତରାଳ ତଦନ୍ତ କରୁଛି କାରଣ ବିମାନଟି ଆମେରିକାରେ ନିର୍ମିତ। ଫ୍ଲାଇଟ୍ ଡାଟା ରେକର୍ଡର୍ (ଏଫଡିଆର) ଏବଂ କକପିଟ୍ ଭଏସ୍ ରେକର୍ଡର୍ (ସିଭିଆର) ଠାବ ଏବଂ ସୁରକ୍ଷିତ କରାଯାଇଛି ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ଡକ୍ଟର ମିଶ୍ର ପୀଡିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଏବଂ ସମ୍ପୃକ୍ତ ସମସ୍ତ ଏଜେନ୍ସି ମଧ୍ୟରେ ସମନ୍ୱିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରମୁଖ ସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର ଏବଂ ପିଏମଓର ଉପସଚିବ ମଙ୍ଗେଶ ଘିଲଡିୟାଲ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଉତ୍ତାପ ଜନିତ ବିପଦର ମୁକାବିଲା କରିବା ନିମନ୍ତେ ସୀମାପାର ସହଯୋଗ ପାଇଁ ଆହ୍ୱାନ ଦେଲେ ପି କେ ମିଶ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର, ଜାତିସଂଘ ମହାସଚିବଙ୍କ ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ ମୁକାବିଲା କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜେନେଭାରେ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ କାଳରେ ପ୍ରମୁଖ ଉଦବୋଧନ ଦେବା ଅବସରରେ ସେ ଉଲ୍ଲେଖ କରିଥିଲେ ଯେ, ବର୍ଦ୍ଧିତ ତାପମାତ୍ରା ଜନସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ଥିରତା ଏବଂ ପାରିବେଶିକ ନମନୀୟତା ପାଇଁ ଏକ ପଦ୍ଧତିଗତ ବିପଦ ସୃଷ୍ଟି କରୁଛି, ଏବଂ ଭାରତ ଆବଣ୍ଟିତ ଶିକ୍ଷା, ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ ଅତ୍ୟଧିକ ଉତ୍ତାପ ଜନିତ ବିପଦ ପରିଚାଳନା ପାଇଁ ସାଧାରଣ ଢାଞ୍ଚାକୁ ଆଗକୁ ବଢ଼ାଇବା ନିମନ୍ତେ ୟୁଏନଡିଆରଆରର ପଦକ୍ଷେପକୁ ସ୍ୱାଗତ କରୁଛି।

ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ ଏକ ସକ୍ରିୟ ଏବଂ ଭବିଷ୍ୟଦର୍ଶୀ – ଚିନ୍ତାଧାରା ସମ୍ପନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ସେ ସୂଚାଇଥିଲେ ଯେ , ଭାରତ ବିପର୍ଯ୍ୟୟ ପ୍ରତିକ୍ରିୟାଠାରୁ ଆଗକୁ ବଢ଼ି ସମନ୍ୱିତ ପ୍ରସ୍ତୁତି ଏବଂ ପ୍ରଶମନ ରଣନୀତି ଆଡ଼କୁ ଗତି କରିଛି। ୨୦୧୬ ମସିହାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ୨୦୧୯ ମସିହାରେ ସଂଶୋଧିତ ଉତ୍ତାପ ଲହରୀ ପରିଚାଳନା ଉପରେ ବ୍ୟାପକ ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରିଛି, ଯାହା ବିକେନ୍ଦ୍ରୀକୃତ ଉତ୍ତାପ କାର୍ଯ୍ୟ ଯୋଜନା (ଏଚଏପି) ପାଇଁ ମୂଳଦୁଆ ସ୍ଥାପନ କରିଥିଲା।

ସେ ଏ କ୍ଷେତ୍ରରେ ଅହମ୍ମଦାବାଦ ଉତ୍ତାପ କାର୍ଯ୍ୟ ଯୋଜନାର ଅଗ୍ରଗଣ୍ୟତାକୁ ସ୍ୱୀକାର କରିଥିଲେ, ଯାହା କିପରି ପ୍ରାରମ୍ଭିକ ଚେତାବନୀ, ଆନ୍ତଃ – ଏଜେନ୍ସି ସମନ୍ୱୟ ଏବଂ ଜନଗୋଷ୍ଠୀଙ୍କ ନିକଟରେ ପହଞ୍ଚ ଏହି ବିପଦରୁ ଅନେକ ସଂଖ୍ୟକ ଜୀବନକୁ ରକ୍ଷା କରି ପାରିବ ତାହା ପ୍ରଦର୍ଶନ କରିଥିଲା।

“୨୩ଟି ଉତ୍ତାପ – ପ୍ରବଣ ରାଜ୍ୟର ୨୫୦ରୁ ଅଧିକ ସହର ଏବଂ ଜିଲ୍ଲାରେ ଏନଡିଏମଏର ପରାମର୍ଶଦାତା, ବୈଷୟିକ ଏବଂ ସଂସ୍ଥାଗତ ବ୍ୟବସ୍ଥା ଦ୍ୱାରା ସମର୍ଥିତ କାର୍ଯ୍ୟକ୍ଷମ ଉତ୍ତାପ କାର୍ଯ୍ୟ ଯୋଜନା ରହିଛି’ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସୁଦୃଢ଼ ନିରୀକ୍ଷଣ ବ୍ୟବସ୍ଥା, ହସ୍ପିଟାଲ ପ୍ରସ୍ତୁତି ଏବଂ ସଚେତନତା ଅଭିଯାନ ଦ୍ୱାରା ଉତ୍ତାପ ଲହରୀ – ସମ୍ବନ୍ଧିତ ମୃତ୍ୟୁହାର ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି।

ଡକ୍ଟର ମିଶ୍ର ଏ ବାବଦରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ସମଗ୍ର ସରକାର ଏବଂ ସମଗ୍ର ସମାଜ, ସ୍ୱାସ୍ଥ୍ୟ, କୃଷି, ନଗର ଉନ୍ନୟନ, ଶ୍ରମ, ଶକ୍ତି, ଜଳ, ଶିକ୍ଷା ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟଗୁଡ଼ିକୁ ସାମିଲ କରିବା ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଗବେଷଣା ଗୋଷ୍ଠୀ, ନାଗରିକ ସମାଜ ସଂଗଠନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ସରକାରଙ୍କୁ ଉତ୍ତାପ କାର୍ଯ୍ୟ ଯୋଜନାକୁ ଉନ୍ନତ କରିବା ନିମନ୍ତେ ସହାୟତା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

“ଅତ୍ୟଧିକ ଉତ୍ତାପ ସମୁଦାୟଗୁଡ଼ିକୁ ଗଭୀର ଭାବରେ ପ୍ରଭାବିତ କରିଥାଏ ଏବଂ ଭାରତ ଏହାର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଏଥିରେ ପାରମ୍ପରିକ ଜ୍ଞାନ ଏବଂ ସ୍ଥାନୀୟ ଅଭିଜ୍ଞତାକୁ ସକ୍ରିୟ ଭାବରେ ସାମିଲ କରିଛି’ ବୋଲି ଡକ୍ଟର ମିଶ୍ର ଗୁରୁତ୍ୱରୋପ କରି କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ସ୍କୁଲଗୁଡ଼ିକ ଆଚରଣଗତ ପରିବର୍ତ୍ତନ ପାଇଁ ଉତପ୍ରେରକ ପାଲଟିଛନ୍ତି, ପିଲାମାନଙ୍କୁ ଜଳବାୟୁ ନମନୀୟତା ବିଷୟରେ ଶିକ୍ଷା ଦେଇଛନ୍ତି। ସେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ତ୍ୱରିତ ଏବଂ ପ୍ରଭାବଶାଳୀ ଜରୁରୀକାଳୀନ ପ୍ରତିକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ହସ୍ପିଟାଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିଶ୍ଚତ ରୂପେ ସୁଦୃଢ଼ କରାଯିବା ଆବଶ୍ୟକ।

ଭାରତର କେବଳ -ପ୍ରସ୍ତୁତି ପଦ୍ଧତିରୁ ଦୀର୍ଘକାଳୀନ ଉତ୍ତାପ ଲହରୀ ପ୍ରଶମନ ବ୍ୟବସ୍ଥାକୁ ପରିବର୍ତ୍ତନ, ଯେପରିକି ଶୀତଳ ଛାତ ପ୍ରଯୁକ୍ତି, ନିଷ୍କ୍ରିୟ ଶୀତଳନ କେନ୍ଦ୍ର, ସହରାଞ୍ଚଳ ସବୁଜୀକରଣ ଏବଂ ପାରମ୍ପରିକ ଜଳାଶୟର ପୁନରୁଦ୍ଧାର ଇତ୍ୟାଦି ସମ୍ପର୍କରେ ବିବରଣୀ ଦେଇ ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଭାରତ ସହରାଞ୍ଚଳ ଉତ୍ତପ୍ତ ଦ୍ୱୀପ (ଅର୍ବାନ୍ ହିଟ୍ ଆଇଲ୍ୟାଣ୍ଡ – ୟୁଏଚଆଇ)ର ମୂଲ୍ୟାଙ୍କନକୁ ମଧ୍ୟ ସହରାଞ୍ଚଳ ଯୋଜନାରେ ସାମିଲ କରୁଛି।
ଡକ୍ଟର ମିଶ୍ର ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ, ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ୍‌)ଗୁଡ଼ିକ ଏବେ ଉତ୍ତାପ ଲହରୀ ହ୍ରାସ ପାଇଁ ବ୍ୟବହାର କରାଯାଇ ପାରିବ, ଯାହା ସ୍ଥାନୀୟ ସରକାର, ଘରୋଇ କ୍ଷେତ୍ର ସଂସ୍ଥା, ଏନଜିଓ ଏବଂ ବ୍ୟକ୍ତିବିଶେଷଙ୍କୁ ନିବାରଣ ଏବଂ ପ୍ରଶମନ ପ୍ରକଳ୍ପଗୁଡ଼ିକୁ ସହଯୋଗାତ୍ମକ-ଅର୍ଥ ପ୍ରଦାନ କରିବାକୁ ଅନୁମତି ଦେଇଥାଏ, ଯାହା ଦ୍ୱାରା ମିଳିତ ଦାୟିତ୍ୱ ବହନ କରାଯାଇଥାଏ।

ଡକ୍ଟର ମିଶ୍ର ଏ କ୍ଷେତ୍ରରେ ସମ୍ପାଦନ କରାଯିବାକୁ ବକେୟା ରହିଥିବା ପ୍ରମୁଖ ଆହ୍ୱାନଗୁଡ଼ିକୁ ସ୍ୱୀକାର କରିଛନ୍ତି ଏବଂ ପ୍ରାରମ୍ଭିକ ସତର୍କତା ପ୍ରଣାଳୀକୁ ଉନ୍ନତ କରିବା ପାଇଁ ବାସ୍ତବ – ସମୟ ତଥ୍ୟ ଉପରେ ଆଧାରିତ ଏକ ସ୍ଥାନୀୟ ଉତ୍ତାପ – ଆର୍ଦ୍ରତା ସୂଚକାଙ୍କ ବିକଶିତ କରିବା ଉପରେ ବିଶ୍ୱବ୍ୟାପୀ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି, ଯେଉଁଗୁଡ଼ିକ ସୁଲଭ ଏବଂ ସଂସ୍କୃତି ଦୃଷ୍ଟିରୁ ଉପଯୁକ୍ତ ନିର୍ମାଣ ପ୍ରଯୁକ୍ତିବିଦ୍ୟା ଏବଂ ନିଷ୍କ୍ରିୟ ଶୀତଳନ ଉଦ୍ଭାବନକୁ ଆଗକୁ ବଢ଼ାଇବା ସହିତ ସମାନ ତାପଜନିତ ଚିନ୍ତାଗୁଡ଼ିକର ସମାଧାନ କରିବା ଭଳି ହୋଇଥିବ, କାରଣ ଅତ୍ୟଧିକ ତାପ ମହିଳା, ବାହାରେ କାମ କରୁଥିବା ଶ୍ରମିକ, ବୃଦ୍ଧ ଏବଂ ପିଲାମାନଙ୍କୁ ଅସମାନୁପାତୀ ଭାବରେ ପ୍ରଭାବିତ କରିଥାଏ।

“ଉତ୍ତାପ ଲହରୀ ହେଉଛି ସୀମାପାର ଏବଂ ବ୍ୟବସ୍ଥାଗତ ବିପଦ, ବିଶେଷ କରି ଘନ ଜନବହୁଳ ସହରାଞ୍ଚଳଗୁଡ଼ିକ ପାଇଁ’ ବୋଲି ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ଏବଂ ଆନ୍ତର୍ଜାତିକ ସମୁଦାୟକୁ ଉତ୍ତାପର ନମନୀୟତା ଉପରେ ପ୍ରଯୁକ୍ତି ଜନିତ ସହଯୋଗ ପ୍ରଦାନ, ତଥ୍ୟ ବଣ୍ଟନ ଏବଂ ମିଳିତ ଗବେଷଣା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ସେ ସଂସ୍ଥାଗତ ଏବଂ ଆର୍ଥିକ ସହାୟତା ବ୍ୟବସ୍ଥା ସହିତ ସୁଲଭ ଜ୍ଞାନ, ଗବେଷଣା ଏବଂ ବ୍ୟବହାରିକ ସମାଧାନ ପ୍ରଦାନ କରିବା ପାଇଁ ଏକ ସାଧାରଣ ଢାଞ୍ଚା ପ୍ରସ୍ତୁତ କରିବା ଲାଗି ଆହ୍ୱାନ ଦେଇଥିଲେ।

ଡକ୍ଟର ମିଶ୍ର ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ସହ ନିଜର ବିଶେଷଜ୍ଞତା, ବୈଷୟିକ କ୍ଷମତା ଏବଂ ସାଂଗଠନିକ ଶକ୍ତିକୁ ବାଣ୍ଟିବା ପାଇଁ ଭାରତର ପୂର୍ଣ୍ଣ ପ୍ରତିବଦ୍ଧତା ସମ୍ପର୍କରେ ଆଶ୍ୱସ୍ତ କରିଥିଲେ, ଯାହା ଦ୍ୱାରା ପ୍ରଚଣ୍ଡ ଗରମ ପ୍ରତି ଏକ ସ୍ଥିର, ସମନ୍ୱିତ ଏବଂ ସକ୍ରିୟ ବିଶ୍ୱସ୍ତରୀୟ ପ୍ରତିକ୍ରିୟା ସୁନିଶ୍ଚିତ ହୋଇ ପାରିବ।

****

SSP

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜିପିଡିଆରଆର ୨୦୨୫ରେ ବିଶ୍ୱ ବିପର୍ଯ୍ୟୟ ପ୍ରଶମନ ଏବଂ ଜନସ୍ୱାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଜେନେଭାଠାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବୈଶ୍ୱିକ ମଞ୍ଚ (ଜିପିଡିଆରଆର) ୨୦୨୫ ଅବସରରେ ଜି-20 ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) କାର୍ଯ୍ୟକାରୀ ଗୋଷ୍ଠୀ ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ, ସେ ବିକାଶର ଆବଶ୍ୟକତା ସହିତ ଆର୍ଥିକ ସାମର୍ଥ୍ୟର ଲାଭ ଉଠାଇ ବୈଶ୍ୱିକ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସକୁ ଆଗେଇ ନେବାରେ ଜି-20ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ଏବଂ ବୈଶ୍ୱିକ ଆହ୍ୱାନଗୁଡ଼ିକ ବିରୋଧରେ ସାମୂହିକ ନମନୀୟତା ସୃଷ୍ଟି କରିବା ଲାଗି ଆହ୍ୱାନ କରିଥିଲେ।

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଡ. ମିଶ୍ର ନମନୀୟ ଭବିଷ୍ୟତ ପାଇଁ ଅନ୍ତର୍ଜାତୀୟ ଭାଗିଦାରୀର ସମ୍ପ୍ରସାରଣ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଆଫ୍ରିକୀୟ ସଂଘ (ଏୟୁ) କୁ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ର ଏକ ନୂତନ ସଦସ୍ୟ ଭାବେ ଏୟୁ କମିଶନର ଶ୍ରୀ ମୋସେସ ଭିଲାକାଟି ଏବଂ ଫ୍ରାନ୍ସର ଓଏନୟୁ ଜେନେଭାର ସିଡିଆରଆଇ ସହ-ଅଧ୍ୟକ୍ଷ ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ୱାଗତ କରିଥିଲେ। ଏହି ମାଇଲଖୁଣ୍ଟ ୨୦୨୩ରେ ଭାରତର ଅଧ୍ୟକ୍ଷତା ସମୟରେ ସ୍ଥାୟୀ ଜି-୨୦ ସଦସ୍ୟ ଭାବରେ ଏୟୁର ଐତିହାସିକ ଅନ୍ତର୍ଭୂକ୍ତିକରଣକୁ ଅନୁସରଣ କରିଥାଏ।

ଡକ୍ଟର ମିଶ୍ର ଜେନେଭାରେ ଜିପିଡିଆରଆର ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଘେବ୍ରେୟସଙ୍କୁ ମଧ୍ୟ ଭେଟିଥିଲେ। ବୈଶ୍ୱିକ ଜନସ୍ୱାସ୍ଥ୍ୟ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଭାରତର ସହଯୋଗ ବିଷୟରେ ସେମାନେ ଆଲୋଚନା କରିଥିଲେ। ଶ୍ରୀ ମିଶ୍ର ୨୦୨୫ ଡିସେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶ୍ୱ ପାରମ୍ପରିକ ଔଷଧ ସମ୍ମିଳନୀ ପାଇଁ ଭାରତର ସମର୍ଥନକୁ ଦୋହରାଇଥିଲେ ଏବଂ ଗୁଜରାଟର ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜେନେଭାରେ ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ଜେନେଭାଠାରେ ୦୩ ଜୁନ ୨୦୨୫ ରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଅଷ୍ଟମ ବୈଶ୍ବିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ ନରୱେର ଅନ୍ତର୍ଜାତୀୟ ବିକାଶ ଉପମନ୍ତ୍ରୀ ସୁଶ୍ରୀ ଷ୍ଟାଇନ ରେନେଟ ହେହିମଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ।

ଡଃ ମିଶ୍ର ଏହି ମଞ୍ଚର ଉଦଘାଟନୀ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସ୍ଥିତିସ୍ଥାପକତା-ନିର୍ମାଣ ପ୍ରତି ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହା ଏକ ସୁରକ୍ଷିତ ଏବଂ ଅଧିକ ନମନୀୟ ଭବିଷ୍ୟତ ପାଇଁ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ସମର୍ପଣକୁ ସୁଦୃଢ଼ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଏମ ସମ୍ବଲପୁରର ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ଵର: ପାଞ୍ଚ ଟ୍ରିଲିୟନ ଅର୍ଥବ୍ୟବସ୍ଥା କେବଳ ଏକ ଜିଡିପି ସଂଖ୍ୟା ନୁହେଁ ବରଂ ଏହାର ଅର୍ଥ ହେଉଛି ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିବା, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ସଶକ୍ତିକରଣ ସୁନିଶ୍ଚିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର।

ଆଜି ଆଇଆଇଏମ ସମ୍ବଲପୁରର ନବମ ବାର୍ଷିକ ସମାବର୍ତ୍ତନ ସମାରୋହରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମୃତ କାଳର ସଂକଳ୍ପରୁ ପ୍ରେରଣା ନେବାକୁ ନିବେଦନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’ ଜରିଆରେ ଦେଶକୁ ଶୀର୍ଷ ସ୍ତରକୁ ନେଇଯିବା ଲାଗି ଚାହୁଁଛନ୍ତି। ଏହି ପ୍ରୟାସରେ ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତଙ୍କ ପ୍ରୟାସ ବଳରେ ଭାରତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ।

‘‘ସାମ୍ପ୍ରତିକ ଭୂ-ରାଜନୈତିକ ଓ ଆର୍ଥିକ ପରିଦୃଶ୍ୟରେ ସୁଯୋଗ ଓ ଆହ୍ୱାନ’’ ଶୀର୍ଷକ ବିଷୟବସ୍ତୁ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ବିଶ୍ୱ ଅର୍ଥବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଥିବାରୁ ଆମେ ସମସ୍ତେ ଏକ ଉତ୍ସାହଜନକ ଏବଂ ଆହ୍ବାନପୂର୍ଣ୍ଣ ସମୟରେ କାଳାତିପାତ କରୁଛୁ। ବିଶ୍ୱ ଯୋଗାଣ ଶୃଙ୍ଖଳରେ ବାଧା ଉତ୍ପନ୍ନ ହେବା ସହିତ, ଭୂ-ରାଜନୈତିକ ଉତ୍ତେଜନା ଏବଂ ପରିବର୍ତ୍ତିତ ବିଶ୍ୱ ବାଣିଜ୍ୟ ସ୍ଥିତି ସମେତ ଅନେକ ଜଟିଳ ଆହ୍ୱାନ ବିଶ୍ୱ ଅର୍ଥବ୍ୟବସ୍ଥା ଆଗରେ ଛିଡ଼ା ହୋଇଛି। ଡକ୍ଟର ମିଶ୍ର କହିଥିଲେ ଯେ, ବର୍ତ୍ତମାନ ଆମେ ଏକ ବ୍ୟାପକ ପ୍ରଯୁକ୍ତିଗତ ଘଟଣାକ୍ରମର ସାକ୍ଷୀ ହେଉଛୁ। ଅନୁରୂପ ଭାବେ ଯୋଗାଣ ଶୃଙ୍ଖଳ ପରିବର୍ତ୍ତନ ହେଉଛି ଏବଂ ବାଣିଜ୍ୟ ସମ୍ପର୍କ ପୁନଃ ପରିଭାଷିତ ହେଉଛି। ସେ କହିଥିଲେ, ଜଳବାୟୁ ଏବଂ ଦୀର୍ଘସ୍ଥାୟୀତ୍ୱକୁ ସବୁ ଆଲୋଚନାର କେନ୍ଦ୍ରରେ ରଖାଯିବା ଉଚିତ୍। ଭବିଷ୍ୟତ ଉତ୍ତରାଧିକାର ସୂତ୍ରରେ ମିଳିବ ନାହିଁ ବରଂ ଏଥିପାଇଁ ଆମକୁ ପ୍ରସ୍ତୁତି କରିବାକୁ ହେବ।

ଆଭ୍ୟନ୍ତରୀଣ ପରିବର୍ତ୍ତନ ଏବଂ ବିଶ୍ୱ ପରିଦୃଶ୍ୟ ବଦଳିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥିତି ସୁଦୃଢ଼ ହେବା ସକାରାତ୍ମକ ପରିବେଶ ସୃଷ୍ଟି କରୁଛି ବୋଲି ଡକ୍ଟର ମିଶ୍ର କହିବା ସହିତ ଭାରତର ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରମୁଖ ସଚିବ କହିଥିଲେ, ଆଭ୍ୟନ୍ତରୀଣ ଦୃଷ୍ଟିରୁ ଦେଖିଲେ, ଗୋଟିଏ ପଟେ ବିକାଶଶୀଳ ଅର୍ଥବ୍ୟବସ୍ଥା, ଯୁବ ଜନସଂଖ୍ୟା, ବିସ୍ତାରିତ ଭିତ୍ତିଭୂମି ଏବଂ ପ୍ରଯୁକ୍ତି ଆଧାରିତ ପ୍ରଗତି ଆମର ସାମର୍ଥ୍ୟ ହୋଇଥିବା ବେଳେ ବିଶ୍ବସ୍ତରରେ ଭାରତର ଭୂ-ରାଜନୈତିକ ପ୍ରଭାବ, ରଣନୀତିକ ଭାଗିଦାରୀ, ପ୍ରବାସୀ ଭାରତୀୟ, ବିଶ୍ବ ପ୍ରଭାବ ଦୃଷ୍ଟିରୁ ଭାରତର ସଫ୍ଟ ପାୱାର ଅନ୍ତର୍ଜାତୀୟ ସ୍ତରରେ ଦେଶର ସ୍ଥିତିକୁ ସୁଦୃଢ଼ କରିଛି ।

ଡକ୍ଟର ମିଶ୍ର ବିଶ୍ୱ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଭାରତର ଦକ୍ଷତାର ଉଦାହରଣ ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ୧୦୦ ୟୁନିକର୍ଣ୍ଣ ସହ ଆମେମାନେ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ ହୋଇପାରିଛୁ ।

ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଉପରେ ମତ ରଖି ଇଲେକ୍ଟ୍ରୋନିକ୍ସ, ଫାର୍ମା ଏବଂ ସୌର ଭଳି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଛି ବୋଲି ଡକ୍ଟର ମିଶ୍ର କହିଥିଲେ। ଏହା ପରିଚାଳନା, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳ ରଣନୀତି ଏବଂ ଉତ୍ପାଦନ ଉତ୍କର୍ଷତାରେ ଉତ୍ସାହଜନକ ଭୂମିକା ପାଇଁ ମାର୍ଗପ୍ରଶସ୍ତ କରିଛି ବୋଲି କହିଥିଲେ। ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ଦେଶରେ ଏବେ ୮୦ କୋଟିରୁ ଅଧିକ ଇଣ୍ଟରନେଟ ଉପଭୋକ୍ତା ରହିଛନ୍ତି। ଏଆଇ, ମସିନ ଲର୍ଣ୍ଣିଂ, ବ୍ଲକଚେନ୍ ଓ ଇଣ୍ଡଷ୍ଟ୍ରୀ ୪.୦ ଏବେ ବାସ୍ତବତାରେ ପରିଣତ ହୋଇଛି । ଭାରତର ଜଳବାୟୁ ପ୍ରତିବଦ୍ଧତାକୁ ରେଖାଙ୍କିତ କରି ଡକ୍ଟର ମିଶ୍ର ଦୃଢ଼ତାର ସହ କହିଥିଲେ ଯେ ଭାରତର ଲକ୍ଷ୍ୟ ହେଉଛି, ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବା। ଜାତୀୟ ସବୁଜ ଉଦଯାନ ମିଶ୍ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଆଦିରେ ଭାରତର ପ୍ରୟାସ ବିଷୟରେ ଆଲୋକପାତ କରି ସେ କହିଥିଲେ, ସବୁଜ ପ୍ରଯୁକ୍ତି, ସବୁ ପାଣ୍ଠିଯୋଗାଣ, ଇଭି, କାର୍ବନ ଟ୍ରେଡିଂ, ଚକ୍ରାକାର ଅର୍ଥବ୍ୟବସ୍ଥା ଆଦିରେ ପ୍ରଶିକ୍ଷିତ ଓ ଅଭିନବ ପ୍ରତିଭାଙ୍କର ଚାହିଦା ବଢ଼ିବ। ଏହି କ୍ଷେତ୍ରରେ ଦକ୍ଷତା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।

୨୦୦ ବିଲିୟନ ଡଲାର ଅତିକ୍ରମ କରିଥିବା ଆମର ଆଇଟି ରପ୍ତାନୀ ଉପରେ ଆଲୋକପାତ କରିବା ସହ ଡକ୍ଟର ମିଶ୍ର କହିଥିଲେ ଯେ ଆମର ଔଷଧ ବିଶ୍ୱ ପାଇଁ ଏକ ଜୀବନରେଖା ହୋଇ ରହିଛି। ସେ କହିଥିଲେ, “ମେଡ୍ ଇନ୍ ଇଣ୍ଡିଆ” ଉପରେ ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ସହିତ, ବିଶ୍ୱ ବଜାର ପୂର୍ବ ଅପେକ୍ଷା ଅଧିକ ସୁଗମ୍ୟ ହୋଇଛି । ଏହି ପରିପ୍ରେକ୍ଷୀରେ ସେ ବିଶ୍ୱକୁ ରପ୍ତାନୀ କରୁଥିବା ବ୍ୟବସାୟର ନେତୃତ୍ୱ ନେବାକୁ କିମ୍ବା ଭାରତୀୟ ମାଟିରୁ ବିଶ୍ୱ ଯୋଗାଣ ନେଟୱାର୍କ ପରିଚାଳନା କରିବାକୁ ଆହ୍ୱାନ ଦେଇଥିଲେ । ଡକ୍ଟର ମିଶ୍ର ନିର୍ଦ୍ଦିଷ୍ଟ ଭାବେ କହିଥିଲେ, ଭାରତକୁ ବାର୍ଷିକ ୮-୧୦ ନିୟୁତ ଗୁଣବତ୍ତାପୂର୍ଣ୍ଣ ରୋଜଗାର ଏବଂ ଏହାର ଅନୁରୂପ ଦକ୍ଷତା ଓ ଶିଳ୍ପ ଆବଶ୍ୟକତା ପୂରଣ କରିବାର ଆବଶ୍ୟକତା ରହିଛି । ସରକାରଙ୍କ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ଡକ୍ଟର ମିଶ୍ର ଏହି ଘରୋଇ କ୍ଷେତ୍ରରେ ଚାମ୍ପିଅନମାନଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି ଯେଉଁମାନେ ବଞ୍ଚିତମାନଙ୍କୁ ଡିଜିଟାଲ କୌଶଳ ପ୍ରଦାନ କରିବାରେ ସାହାଯ୍ୟ କରିପାରିବେ କିମ୍ବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇପାରିବେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଉଲ୍ଲେଖ କରିଥିଲେ ଯେ ଏହି ଅନୁଷ୍ଠାନଟିର ଡିଜାଇନ ସମସାମୟିକ ସମ୍ବଲପୁରୀ କଳା ସହିତ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନିର୍ମିତ ହୋଇଛି। ସେ କହିଥିଲେ ଯେ ଆଇଆଇଏମ ସମ୍ବଲପୁର ମ୍ୟାନେଜମେଣ୍ଟ ବା ପ୍ରବନ୍ଧନ ଶିକ୍ଷାରେ ଉତ୍କର୍ଷତା ହାସଲ କରିବାରେ ଖ୍ୟାତି ଅର୍ଜନ କରିଛି । ଏହାର ମୂଳ ଆଦର୍ଶ ହେଉଛି ନବସୃଜନ, ବିଶ୍ବସନୀୟତା ଏବଂ ସମାବେଶୀତା। ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ୨୦୨୧ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଫେବୃଆରୀ ୨୦୨୪ରେ କ୍ୟାମ୍ପସକୁ ଉଦଘାଟନ କରିଥିଲେ। ପଶ୍ଚିମ ଓଡ଼ିଶାର କୁଶଳୀ ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରିକଳ୍ପିତ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ଆଇ.ଆଇ.ଏମ୍. ସମ୍ବଲପୁରକୁ ପ୍ରଶଂସା କରିଥିଲେ।

ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଏହି ପ୍ରତିଷ୍ଠାନ ସରକାରଙ୍କ ଆଧୁନିକ ପଦକ୍ଷେପର ଏକ ପ୍ରମୁଖ ବାହକ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉତ୍କର୍ଷତା କେନ୍ଦ୍ରର ପରିକଳ୍ପନାକୁ ଅନୁସରଣ କରିଥାଏ ଏବଂ ବୈଷୟିକ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବା ଏହାର ଲକ୍ଷ୍ୟ। ଡକ୍ଟର ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ଆଇଆଇଏମ ସମ୍ବଲପୁରରେ କେବଳ ବିଶ୍ୱସ୍ତରୀୟ ଭିତ୍ତିଭୂମି ନାହିଁ, ବରଂ ଏହା ଏପରି ଏକ ଅଞ୍ଚଳରେ ଅବସ୍ଥିତ ଯାହା ଆମ ଦେଶର ଇତିହାସ ଏବଂ ଐତିହ୍ୟରେ ରହିଛି। ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସମଲେଶ୍ୱରୀ ଏବଂ ଏହା ବୀର ସୁରେନ୍ଦ୍ର ସାଏଙ୍କ ଭୂମି ଯିଏ ୧୮୫୭ ସ୍ୱାଧୀନତା ସଂଗ୍ରାମର ବହୁ ପୂର୍ବରୁ ଔପନିବେଶିକ ଶାସନ ବିରୁଦ୍ଧରେ ଲଢ଼ିଥିଲେ।

ଡକ୍ଟର ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ସାହସୀ ଏବଂ ସହନଶୀଳ ହେବାକୁ ଉତ୍ସାହିତ କରିଥିଲେ। ଅଧ୍ୟବସାୟ ଏବଂ ଦୃଢ଼ ସଂକଳ୍ପ ଭଳି ଗୁଣକୁ ନେଇ ସେ ସମସ୍ତଙ୍କୁ ବିଫଳତାକୁ ଶିଖିବାର ଏବଂ ଆଗକୁ ବଢ଼ିବାର ଏକ ସୁଯୋଗ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ବଡ଼ ସ୍ୱପ୍ନ ଦେଖିବା, ଏବଂ ନିଜ ଦକ୍ଷତା ଉପରେ ବିଶ୍ୱାସ ରଖିବାକୁ ସେ ପରାମର୍ଶ ଦେଇଥିଲେ । ବିକାଶ, ଉତ୍ପାଦକତା ଏବଂ ନବସୃଜନକୁ ତ୍ୱରାନ୍ୱିତ କରିବା; ଆଜୀବନ ଶିକ୍ଷାକୁ ଗ୍ରହଣ କରିବା; ପ୍ରକୃତ ସମସ୍ୟାର ସମାଧାନ ପାଇଁ ଉଦ୍ୟୋଗୀ ମାର୍ଗ ଗ୍ରହଣ କରିବା, ନିଯୁକ୍ତି ସୃଷ୍ଟି କରିବା, ଭାରତ ପାଇଁ ନିର୍ମାଣ କରିବା; ଏବଂ ସର୍ବୋପରି ନୈତିକ, ସମାବେଶୀ ଏବଂ ଦୀର୍ଘସ୍ଥାୟୀ ହେବା ପାଇଁ ପରିଚାଳନା ବା ମ୍ୟାନେଜମେଣ୍ଟ କୁଶଳତା ଉପରେ ଡ. ମିଶ୍ର ଗୁରୁତ୍ୱାରୋପ କରିଥିଲେ।

‘ବସୁଧୈବ କୁଟୁମ୍ବକମ-ବିଶ୍ୱ ଏକ ପରିବାର’ ଭାବନା ଅନୁରୂପ ଲାଭ ଓ ପଦବୀ ଠାରୁ ଊର୍ଦ୍ଧ୍ବରେ ଚିନ୍ତା କରୁଥିବା ବ୍ୟକ୍ତି ପ୍ରକୃତ ନେତା ହୋଇଥା’ନ୍ତି । କେବଳ ବ୍ୟବସାୟ ନୁହେଁ ମୂଲ୍ୟବୋଧ, ବିବିଧତା ଓ ପରିବର୍ତ୍ତନର ପରିଚାଳନା ପାଇଁ ମ୍ୟାନେଜର ବା ପରିଚାଳକ ହେବାକୁ ଛାତ୍ରଛାତ୍ରୀଙ୍କୁ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଅନିଶ୍ଚିତତା ଭରା ବିଶ୍ୱରେ ଆମ ନୀତି ଏବଂ ଅଭ୍ୟାସଗୁଡ଼ିକର ଏକ ବ୍ୟାପକ ଢାଞ୍ଚା ରହିବା ଆବଶ୍ୟକ: ଡକ୍ଟର ପି.କେ. ମିଶ୍ର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବ୍ୟବସ୍ଥାରେ ଯେକୌଣସି ନୀତି ନିର୍ଦ୍ଧାରଣ କରିବା ସମୟରେ ଅନିଶ୍ଚିତତାକୁ ଧ୍ୟାନରେ ରଖି ଏକ ବ୍ୟାପକ ରୂପରେଖ ଏବଂ ଫଳାଫଳ ଆଧାରିତ ସୃଜନଶୀଳ ମାନସିକତା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ନୂଆଦିଲ୍ଲୀରେ ନିକଟରେ ଆୟୋଜିତ ବିଜନେସ ଷ୍ଟାଣ୍ଡାର୍ଡ ମନ୍ଥନ ଶିଖର ସମ୍ମିଳନୀରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ ଯେ, ସରକାର ‘ଆତ୍ମନିର୍ଭର’ ହେବା ଉପରେ ଧ୍ୟାନ ଦେଇ କୋଭିଡ-19 ମହାମାରୀ, ୟୁକ୍ରେନ-ରୁଷ ବିବାଦ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଅସ୍ଥିର ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିଥିଲେ। ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ସହିତ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ଉପରେ ସେ ଧ୍ୟାନ ଦେଇଛନ୍ତି। ବଦଳୁଥିବା ପରିସ୍ଥିତିରେ ଦେଖା ଦେଉଥିବା ସମସ୍ୟାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଅନେକ ସଂସ୍କାର ପ୍ରବର୍ତ୍ତନ କରିଥିବା ସେ କହିଛନ୍ତି।

ଭାରତୀୟ ଅର୍ଥବ୍ୟବସ୍ଥା କିଭଳି ଭାବେ ଅନେକ ଆହ୍ୱାନର ସାମ୍ନା କରିଥିଲା ତାହା ଡକ୍ଟର ମିଶ୍ର ଏହି ମତବିନିମୟ ଅବସରରେ କହିଥିଲେ। ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ଏବଂ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନକୁ ଭାରତ ଦୃଢ଼ ଭାବେ ମୁକାବିଲା କରିଥିଲା। କୋଭିଡ-19 ମହାମାରୀ ସମୟରେ ଯେତେବେଳେ ଭାରତ ସମେତ ସମଗ୍ର ବିଶ୍ୱ ଅଶାନ୍ତ ଅବସ୍ଥାରେ ଥିଲା, ସେତେବେଳେ ଭାରତ ଆହ୍ୱାନଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ଏବଂ ସଫଳତାର ସହ ମୁକାବିଲା କରିପାରିଥିଲା। ଏହି ସମୟରେ ଦେଶ କେତେକ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବା ସହିତ ଆର୍ଥିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ନେଇଥିଲା। ଅଭିବୃଦ୍ଧିର ଗତି ପୁନଃସ୍ଥାପିତ ହୋଇଥିଲା।

ସେ ସରକାରଙ୍କ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଏବଂ ଭାରତର ଉପଭୋଗ ଆଧାର ତଥା ଜନସାଂଖିକୀୟ ଲାଭର ଲାଭ ଉଠାଇବା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଭାରତର ଉତ୍ପାଦନ-ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ବିଷୟରେ ମତ ରଖି ଡକ୍ଟର ମିଶ୍ର ଏହାର ସକାରାତ୍ମକ ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ। ଏଥିସହିତ ଏହି ଯୋଜନାର ଦୀର୍ଘକାଳୀନ ମୂଲ୍ୟାଙ୍କନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବର୍ତ୍ତମାନ ଚାଲିଥିବା ସଂରକ୍ଷଣବାଦ ଏବଂ ୱାଶିଂଟନ୍ ସର୍ବସମ୍ମତିର ଭାଙ୍ଗିବା ପରିପ୍ରେକ୍ଷୀରେ ଡକ୍ଟର ମିଶ୍ର କହିଥିଲେ, ବିଶ୍ୱ ସହିତ ଭାରତର ଆର୍ଥିକ ସମ୍ପର୍କରେ ଆମର ନୀତିଗତ ଆଭିମୁଖ୍ୟ ଅତ୍ୟନ୍ତ ସୁସଂଗତ ରହିଛି। ସେ କହିଥିଲେ, ପାରସ୍ପରିକ ଲାଭପ୍ରଦ ଭିତ୍ତିରେ ଅନ୍ୟ ଦେଶଗୁଡ଼ିକ ସହିତ ସମ୍ପର୍କ ସ୍ଥାପନରେ ଭାରତର ବିଶ୍ୱାସକୁ ଜାରି କରାଯାଇଛି। ନିକଟରେ ଅଷ୍ଟ୍ରେଲିଆ, ୟୁଏଇ ଏବଂ ଇଏଫଟିଏ ସହିତ ହୋଇଥିବା ଏଫଟିଏର ଉଦାହରଣ ଦେଇ ସେ ବ୍ରିଟେନ ଏବଂ ୟୁରୋପୀୟ ସଂଘ ସହିତ ଚାଲିଥିବା ଆଲୋଚନା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଆଭିମୁଖ୍ୟ ଭାରତକୁ ପରିବର୍ତ୍ତିତ ଆହ୍ୱାନଗୁଡ଼ିକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏକ ନୂତନ ଆଭିମୁଖ୍ୟ ସହିତ ଅନିଶ୍ଚିତତାର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯେଉଁଠାରେ କେବଳ ବିପଦ ଆକଳନ ନୁହେଁ ବରଂ ଏକ ‘ଅଭଙ୍ଗୁର ବ୍ୟବସ୍ଥା’ ନିର୍ମାଣ କରିବା ମଧ୍ୟ ଆମର ଉଦ୍ଦେଶ୍ୟ ହେବା ଉଚିତ ବୋଲି ସେ କହିଥିଲେ । ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଆମ ବ୍ୟବସ୍ଥା କେବଳ ନମନୀୟ ହେବା ଉଚିତ ନୁହେଁ, ବରଂ ‘ଅଭଙ୍ଗୁର’ ମଧ୍ୟ ହେବା ଉଚିତ।

ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟ ଆମେରିକା ଗସ୍ତ ବିଷୟରେ ଉଲ୍ଲେଖ କରି ଏହାକୁ କେବଳ ସଙ୍କଟ ମୁକାବିଲା ପାଇଁ ଜବାବୀ ପଦକ୍ଷେପ ପରିବର୍ତ୍ତେ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଏବଂ ‘ସୁଯୋଗ’ ଦିଗରେ ଆଗକୁ ବଢ଼ିବା ଦୃଷ୍ଟିକୋଣରୁ ‘ଅତ୍ୟନ୍ତ ସକରାତ୍ମକ’ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ କେବଳ ଦ୍ୱିପାକ୍ଷିକ, ଆଞ୍ଚଳିକ ନୁହେଁ, ବରଂ ବିକଶିତ ହେଉଥିବା ବିଶ୍ୱ ବାଣିଜ୍ୟ ପରିବେଶରେ ବହୁପକ୍ଷୀୟ ସମ୍ପର୍କ ମଧ୍ୟ ଆର୍ଥିକ ପରିଦୃଶ୍ୟକୁ ବଦଳାଇ ଦେଉଛି। ଭାରତର ବ୍ୟାପକ ଉପଭୋକ୍ତା ଆଧାର ଏବଂ ଜନସାଂଖିକୀୟ ଲାଭକୁ ନେଇ ଡକ୍ଟର ମିଶ୍ର ବେଶ୍‌ ଆଶା ବ୍ୟକ୍ତ କରିଥିଲେ। ଏହା ଏକ ସୁଦୃଢ଼ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ବୈଷୟିକ ସାମର୍ଥ୍ୟ ଦ୍ୱାରା ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ଭାରତ ବାହ୍ୟ ଚାପର ମୁକାବିଲା କରିବା ଏବଂ ନିଜର ସ୍ଥିତି ଦୃଢ଼ ରଖି ବୁଝାମଣା କରିବାରେ ସକ୍ଷମ ହେବା ଉଚିତ।

ଆର୍ଥିକ ବିଶ୍ଳେଷକ ନାସିମ୍ ନିକୋଲାସ୍ ତାଲେବଙ୍କ କାର୍ଯ୍ୟକୁ ଉଦ୍ଧୃତ କରି ଡକ୍ଟର ମିଶ୍ର କହିଥିଲେ, କେବଳ ନମନୀୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଅଭଙ୍ଗୁର ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ୍‌ । ସେ କହିଥିଲେ ଯେ ନୀତିଗୁଡ଼ିକର ସ୍ଥିରତା ଉପରେ ଧ୍ୟାନ ଦେଇ ବିଶ୍ଳେଷଣାତ୍ମକ ଦୃଷ୍ଟିକୋଣ ସହିତ ପ୍ରସ୍ତୁତ କରାଯାଇଥାଏ।

ଭାରତର କୃଷି କ୍ଷେତ୍ର ଉପରେ ମତ ରଖି, ଡକ୍ଟର ମିଶ୍ର କହିଥିଲେ ଯେ ଦେଶର ମୋଟ ଶ୍ରମଶକ୍ତିର ପ୍ରାୟ 46 ପ୍ରତିଶତ ଏହି କ୍ଷେତ୍ରରେ ରହିଛି, ଯଦିଓ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ଏହାର ଅଂଶ 1970 ଦଶକରେ ପ୍ରାୟ 50 ପ୍ରତିଶତରୁ ବର୍ତ୍ତମାନ 18 ପ୍ରତିଶତକୁ ହ୍ରାସ ପାଇଛି। କୃଷିରେ ବିବିଧତା ଆଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ମିଶ୍ର ମତବ୍ୟକ୍ତ କରିଥିଲେ।

ପ୍ରଶାସନିକ ସେବା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଡକ୍ଟର ମିଶ୍ର କହିଥିଲେ ଯେ ପ୍ରଶାସନର ପରିବର୍ତ୍ତିତ ଆବଶ୍ୟକତା ସହିତ ତାଳ ଦେଇ ଏହି କ୍ଷେତ୍ରର ଆଧୁନିକୀକରଣ ଏବଂ ସୁଦୃଢ଼ୀକରଣ ପାଇଁ ଭାରତ ନିରନ୍ତର ଓ ବିକାଶଶୀଳ ପ୍ରୟାସ ପ୍ରଦର୍ଶନ କରୁଛି। ନିରନ୍ତର ନବସୃଜନ, ଆଜୀବନ ଶିକ୍ଷା ଏବଂ ସ୍ଥିର ବିଶ୍ୱସନୀୟତା ମଧ୍ୟ ଏହି ଆଭିମୁଖ୍ୟରେ ରହିଛି। ଗତ ଦଶନ୍ଧି ମଧ୍ୟରେ, କର୍ମଚାରୀ ପରିଚାଳନା ବ୍ୟବସ୍ଥାରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି। ‘ମିଶନ କର୍ମଯୋଗୀ’ ଏବଂ ’ସମନ୍ୱିତ ସରକାରୀ ଅନଲାଇନ ତାଲିମ’ (ଆଇଜିଓଟି) ମଞ୍ଚ ଭଳି ନୂତନ ପଦକ୍ଷେପଗୁଡ଼ିକ କାର୍ମିକ ପରିଚାଳନା କ୍ଷେତ୍ରରେ ଦକ୍ଷତା ଆଧାରିତ ଏବଂ ସାମଗ୍ରିକ ଆଭିମୁଖ୍ୟ ପ୍ରବର୍ତ୍ତନ କରିଛନ୍ତି। ପ୍ରଶାସନକୁ ଅଧିକ ସୁଗମ୍ୟ, ଦକ୍ଷ ଏବଂ ନାଗରିକ ଅନୁକୂଳ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ଭଳି କ୍ଷେତ୍ରରେ ସଂସ୍କାର ଜାରି ରହିବ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଡକ୍ଟର ମିଶ୍ର ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଦେଶ ଜଣେ ସମ୍ମାନସ୍ପଦ ନେତା, ବିଶିଷ୍ଟ ଅର୍ଥଶାସ୍ତ୍ରୀ ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି। ସ୍ୱର୍ଗତ ଡକ୍ଟର ସିଂହ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ଶିକ୍ଷାଦାନ କରୁଥିବା ସମୟରେ ତାଙ୍କର ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି।

ଡକ୍ଟର ମିଶ୍ର କହିଛନ୍ତି, ସେତେବେଳେ ସେ ସ୍ନାତକୋତ୍ତର କଳା ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ ଆସିଥିବା ତାଙ୍କ ଭଳି ଛାତ୍ର ପାଇଁ ଡକ୍ଟର ସିଂହଙ୍କ ଭଳି ଜ୍ଞାନୀ ପ୍ରାଧ୍ୟାପକଙ୍କୁ ପାଇବା ଆଶ୍ୱସ୍ତିର ବିଷୟ ଥିଲା। ତତ୍କାଳୀନ ସମୟରେ ଅମର୍ତ୍ତ୍ୟ ସେନ, ମୃଣାଳ ଦତ୍ତ ଚୌଧୁରୀ, ଏ.ଏମ. ଖୁସ୍ରୁ, କେ.ଏନ. ରାଜ, ସୁଖମୟ ଚକ୍ରବର୍ତ୍ତୀ, ଧର୍ମ କୁମାର ପ୍ରମୁଖଙ୍କ ଭଳି ଖ୍ୟାତନାମା ପ୍ରାଧ୍ୟାପକମାନେ ସେଠାରେ ଶିକ୍ଷାଦାନ କରୁଥିଲେ।

ଅନ୍ତର୍ଜାତୀୟ ବାଣିଜ୍ୟ ଭଳି ଜଟିଳ ବିଷୟକୁ ଖୁବ୍‌ ସହଜରେ ବୁଝାଇବାରେ ଡକ୍ଟର ମନମୋହନ ସିଂହଙ୍କର ଅସାଧାରଣ ସାମର୍ଥ୍ୟ ରହିଥିଲା। ତାଙ୍କର ପାଠ ପଢ଼ାଇବା ଶୈଳୀକୁ ସବୁ ଛାତ୍ରଛାତ୍ରୀ ବୁଝିପାରୁଥିଲେ ଏବଂ ଶିଖିପାରୁଥିଲେ। ଅତ୍ୟନ୍ତ ବିନମ୍ର ଏବଂ ସରଳ ସ୍ୱଭାବର ଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆହୁରି କହିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟରତ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାବେ ଡକ୍ଟର ମନମୋହନ ସିଂହଙ୍କ ସହିତ କାମ କରିବାର ସୁଯୋଗ ତାଙ୍କୁ ମିଳିଥିଲା। ଯେତେବେଳେ ବି ସେ ତାଙ୍କୁ ଭେଟୁଥିଲେ, ତାଙ୍କ ବ୍ୟବହାରରେ ଅନୁରୂପ ସରଳତା, ସଚ୍ଚୋଟତା ଓ ନମ୍ରତା ଦେଖିବାକୁ ମିଳୁଥିଲା।

ଏହି ଦୁଃଖଦ ସମୟରେ ତାଙ୍କର ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜି- ୨୦ ଡିଆରଆରଡବ୍ଲୁଜି ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କଲେ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲର ବେଲେମ୍ ଠାରେ ଅକ୍ଟୋବର ୩୦ ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ଜି- ୨୦ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆରଆରଡବ୍ଲୁଜି) ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଛନ୍ତି।

ଭାରତୀୟ ପ୍ରତିନିଧି ଦଳର ସକ୍ରିୟ ଅଂଶଗ୍ରହଣ ସହିତ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ପ୍ରଥମ ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସହମତି ପ୍ରକାଶ ପାଇଛି। ବିଭିନ୍ନ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଡଃ ପି. କେ. ମିଶ୍ର ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ଏବଂ ଭାରତରେ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ  ଅର୍ଥ ଯୋଗାଣକୁ ବୃଦ୍ଧି କରିବା ଦିଗରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଅଗ୍ରଗତି ବିଷୟରେ ବର୍ଣ୍ଣନା କରିଥିଲେ।

ଡକ୍ଟର ପି. କେ.  ମିଶ୍ର ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଜି- ୨୦ର ଭାରତୀୟ ଅଧ୍ୟକ୍ଷତା ସମୟରେ ନିର୍ଦ୍ଧାରିତ ହୋଇଥିବା ଡିଆରଆରଡବ୍ଲୁଜିର ପାଞ୍ଚଟି ପ୍ରାଥମିକତା ଉପରେ ଆଧାରିତ, ଯଥା ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ଡିଆରଆର ଫାଇନାନ୍ସିଂ, ପ୍ରତିରୋଧୀ ଭିତ୍ତିଭୂମି ଏବଂ ପ୍ରକୃତି ଭିତ୍ତିକ ସମାଧାନ। ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି କ୍ଷେତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ଭିତ୍ତିଭୂମି (ସିଡିଆରଆଇ)ର ବିଶ୍ୱସ୍ତରୀୟ ପଦକ୍ଷେପକୁ ସାମିଲ କରିଥିଲେ, ଯେଉଁଥିରେ ବର୍ତ୍ତମାନ ୪୦ଟି ଦେଶ ଏବଂ ୭ଟି ଅନ୍ତର୍ଜାତୀୟ ସଂଗଠନ ସଦସ୍ୟ ଅଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସେଣ୍ଡାଇ ଫ୍ରେମୱାର୍କ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ବିଶ୍ୱସ୍ତରରେ ବିପର୍ଯ୍ୟୟ ମୁକାବିଲା ବୃଦ୍ଧି ପାଇଁ ଜ୍ଞାନ ଆଦାନପ୍ରଦାନ, ପ୍ରଯୁକ୍ତି ଦେଣନେଣ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।

ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାର ମନ୍ତ୍ରୀଙ୍କ ସହ ଟ୍ରୋଇକା ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ଆୟୋଜକ ଦେଶ ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶ ଯଥା ଜାପାନ, ନରୱେ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଜର୍ମାନୀ ଏବଂ ନିମନ୍ତ୍ରିତ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

ଅତ୍ୟଧିକ ଉତ୍ତାପ ଉପରେ ୟୁଏନଏସଜିର ଆହ୍ୱାନରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ପାରମ୍ପରିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେବା ସହିତ ନିଆଯାଉଥିବା ଅଭିଜ୍ଞତା ଏବଂ ପଦକ୍ଷେପ ବିଷୟରେ ଜଣାଇଥିଲେ।

୨୦୨୩ରେ ଜି-୨୦ ର ଅଧ୍ୟକ୍ଷତା ସମୟରେ ଭାରତର ଉଦ୍ୟମରେ ପ୍ରଥମ ଡିଆରଆରଡବ୍ଲୁଜି ପ୍ରତିଷ୍ଠା କରାଯାଇଥିଲା। ଡଃ ମିଶ୍ର ଡିଆରଆରଡବ୍ଲୁଜିକୁ ଜାରି ରଖିବା ଏବଂ ଏହାକୁ ମନ୍ତ୍ରୀ ସ୍ତରକୁ ବୃଦ୍ଧି କରିବା ପାଇଁ ବ୍ରାଜିଲ ପ୍ରେସିଡେନ୍ସିକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଜି-୨୦ ଅଧ୍ୟକ୍ଷତାରେ ଡିଆରଆରଡବ୍ଲୁଜି ଉପରେ ଦକ୍ଷିଣ ଆଫ୍ରିକା ପ୍ରତି ଭାରତର ସମର୍ଥନକୁ ଦୋହରାଇଥିଲେ।

ଭାରତର ଅଂଶଗ୍ରହଣ ବୈଶ୍ୱିକ ଡିଆରଆର ପ୍ରୟାସରେ ଏହାର ବୃଦ୍ଧି ପାଉଥିବା ଭୂମିକା ଏବଂ ଏକ ସୁରକ୍ଷିତ ଏବଂ ଅଧିକ ସ୍ଥିର ବିଶ୍ୱ ଗଠନ ପାଇଁ ଏହାର ପ୍ରତିବଦ୍ଧତାକୁ ଦର୍ଶାଏ।

Categories
ଆଜିର ଖବର ଜାତୀୟ ଖବର

କୃଷି-ଆର୍ଥିକ ଗବେଷଣା କେନ୍ଦ୍ରର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର କୃଷି-ଆର୍ଥିକ ଗବେଷଣା କେନ୍ଦ୍ର (ଏଇଆରସି), ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ, ବଲ୍ଲଭ ବିଦ୍ୟାନଗର, ଗୁଜରାଟର ପ୍ରତିଷ୍ଠାଦିବସ କାର୍ଯ୍ୟକ୍ରମକୁ ଆଜି ସମ୍ବୋଧିତ କରିଛନ୍ତି। ଡକ୍ଟର ମିଶ୍ର ତାଙ୍କ ଅଭିଭାଷଣରେ ଗତ ୨୫ ବର୍ଷ ମଧ୍ୟରେ ଗୁଜରାଟର କୃଷି କ୍ଷେତ୍ରର ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରି ଜୀବିକା ଭିତ୍ତିକ ଅର୍ଥବ୍ୟବସ୍ଥାରୁ ରାଜ୍ୟ ଏକ ବିବିଧ ଏବଂ ବଜାର ଭିତ୍ତିକ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି ବୋଲି କହିଛନ୍ତି । ଗୁଜରାଟର କୃଷିଭିତ୍ତିକ ସଫଳତା ଅନ୍ୟ ଭାରତୀୟ ରାଜ୍ୟମାନଙ୍କ ପାଇଁ ଏକ ଆଦର୍ଶ ଭାବରେ କାର୍ଯ୍ୟ କରୁଛି ବୋଲି ସେ ଜୋର ଦେଇ କହିଛନ୍ତି।

ଦୀର୍ଘକାଳୀନ ଉତ୍ପାଦନ ଓ ପରିବେଶର ସୁରକ୍ଷା ପାଇଁ ଦୀର୍ଘସ୍ଥାୟୀ କୃଷି ପଦ୍ଧତିର ଆବଶ୍ୟକତା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଛନ୍ତି। ସେ ମୃତ୍ତିକା ପରୀକ୍ଷଣ, ସଂରକ୍ଷଣ ଚାଷ ଭଳି ରଣନୀତି ଏବଂ କୃଷି କାର୍ଯ୍ୟକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ରିମୋଟ୍ ସେନ୍ସିଂ, ଜିପିଏସ୍, ଡ୍ରୋନ୍ ଏବଂ ଏଆଇ ଭଳି ଉନ୍ନତ ଜ୍ଞାନକୌଶଳ ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ କୃଷି ବର୍ଜ୍ୟରୁ ଅକ୍ଷୟ ଶକ୍ତି ଓ ଜୈବ ଶକ୍ତି ଉତ୍ପାଦନ ପାଇଁ ସେ ପ୍ରୋତ୍ସାହିତ କରିଛନ୍ତି।

ଜଳବାୟୁ ପରିବର୍ତ୍ତନ ଆହ୍ଵାନ ସମ୍ପର୍କରେ ଅବତାରଣା କରି ଡକ୍ଟର ମିଶ୍ର ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଏବଂ କୃଷକମାନଙ୍କ ପାଇଁ ଠିକ୍ ସମୟରେ ପାଣିପାଗ ପରାମର୍ଶ ଦେବା ପାଇଁ ଜଳବାୟୁ-ସ୍ମାର୍ଟ ଅଭ୍ୟାସ ଅବଲମ୍ବନ ପାଇଁ ଆହ୍ୱାନ ଦେଇଛନ୍ତି। କୃଷି ଗବେଷଣା, ବିଶେଷକରି ଜଳବାୟୁ ସହନଶୀଳ ଫସଲ, ଦକ୍ଷତାପୂର୍ଣ୍ଣ ଜଳ ବ୍ୟବହାର ଏବଂ ଅଭିନବ ଖତସାର ବିକାଶରେ ପୁଞ୍ଜିନିବେଶର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଜମି ବ୍ୟବହାର, ଫସଲ ଢାଞ୍ଚା, ଜଳସେଚନ ପଦ୍ଧତି, ବୈଷୟିକ ଜ୍ଞାନକୌଶଳ ଗ୍ରହଣ, ବଜାର ଗତିଶୀଳତା ଏବଂ ଗ୍ରାମୀଣ ସାମାଜିକ-ଆର୍ଥିକ ଢାଞ୍ଚାରେ ଗୁଜରାଟର ଉଲ୍ଲେଖନୀୟ ପରିବର୍ତ୍ତନ ବିଷୟରେ ଡ. ମିଶ୍ର ଆଲୋକପାତ କରିଛନ୍ତି।  ଗୁଜରାଟର କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର କିପରି ଭାରତର ଜାତୀୟ ହାର ୫.୭ ପ୍ରତିଶତ ତୁଳନାରେ ୯.୭ ପ୍ରତିଶତ ସିଏଜିଆର ହାରରେ ବୃଦ୍ଧି ପାଇଛି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଲୋକପାତ କରିଛନ୍ତି ଏବଂ ଏହା ମୁଖ୍ୟତଃ ଆନୁସଙ୍ଗିକ କ୍ଷେତ୍ର ଦ୍ୱାରା ପରିଚାଳିତ ବୋଲି ସେ କହିଛନ୍ତି।

କୃଷି ମହୋତ୍ସବ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ପଦକ୍ଷେପର ଉଦାହରଣ ଦେଇ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବାରେ ଗୁଜରାଟର ସଫଳତା ବିଷୟରେ ମଧ୍ୟ ଡକ୍ଟର ମିଶ୍ର ଆଲୋଚନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଗୁଜରାଟ ହେଉଛି ଭାରତର ପ୍ରଥମ ରାଜ୍ୟ ଯେଉଁଠାରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରାଯାଇଥିଲା, ଯାହା ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଉଚ୍ଚ ଉତ୍ପାଦନକାରୀ କିସମ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ଉପରେ ଆଲୋକପାତ କରି ଡ. ମିଶ୍ର ବିଟି କପା ଗ୍ରହଣ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଛନ୍ତି । ଏହା ଫଳରେ ଅଧିକ ଅମଳ ହୋଇଛି ଏବଂ ବିଶେଷ କରି ଶୁଷ୍କ ଅଞ୍ଚଳରେ କୀଟନାଶକ ବ୍ୟବହାର ହ୍ରାସ ପାଇଛି । ସେ ଜୈବିକ କୃଷି କ୍ଷେତ୍ରରେ ଗୁଜରାଟର ନେତୃତ୍ୱକୁ ପ୍ରଶଂସା କରିବା ସହ ବିହନ ମହୋତ୍ସବ, ଜୈବିକ ଖାଦ୍ୟ ମହୋତ୍ସବ ଏବଂ ଜୈବିକ କୃଷକମାନଙ୍କର ଦ୍ୱିବାର୍ଷିକ ସମ୍ମିଳନୀ ଭଳି କାର୍ଯ୍ୟକଳାପକୁ ମଧ୍ୟ ପ୍ରଶଂସା କରିଛନ୍ତି। ନିକଟରେ ରାଜ୍ୟରେ ପ୍ରାକୃତିକ ଚାଷ ପଦ୍ଧତି ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

ଡକ୍ଟର ମିଶ୍ର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗୁଜରାଟର ସଫଳ ସମବାୟ ମଡେଲକୁ ପ୍ରଶଂସା କରିଛନ୍ତି, ଯାହା କୃଷି ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଛି ଏବଂ ଉଦ୍ୟାନ କୃଷି କ୍ଷେତ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଗୁଜରାଟକୁ ଲାଗି ଆରବ ସାଗରର ୧୬୦୦ କିଲୋମିଟର ସମୁଦ୍ର ଉପକୂଳ ଥିବାରୁ ରାଜ୍ୟର ମତ୍ସ୍ୟ ବିକାଶର ସମ୍ଭାବନା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଛନ୍ତି । ସେ ବିକଶିତ ଗୁଜରାଟ ୨୦୪୭ ସଂକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ, ଯାହାର ଉଦ୍ଦେଶ୍ୟ ହେଉଛି ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟାନ କୃଷି, ଦୁଗ୍ଧ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ବଜାର ସୁଯୋଗର ଉପଯୋଗ କରିବା। ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଜଙ୍ଗଲ କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ୧୮.୬% ରହିଛି ବୋଲି ସେ ଆଲୋକପାତ କରିଛନ୍ତି ।

ବଜାର ସଂସ୍କାର ସମ୍ପର୍କରେ ଡକ୍ଟର ମିଶ୍ର ଦର୍ଶାଇଛନ୍ତି ଯେ ଆଦର୍ଶ କୃଷି ଉତ୍ପାଦ ବଜାର ସମିତି (ଏପିଏମସି) ଆଇନ କାର୍ଯ୍ୟକାରୀ କରିବାରେ ଗୁଜରାଟ ପ୍ରଥମ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଥିରେ କୃଷକମାନେ ନିୟନ୍ତ୍ରିତ ବଜାର ବାହାରେ ଉତ୍ପାଦ ବିକ୍ରି କରିପାରିବେ । ୨୦୦୭ ମସିହାରେ ରାଜ୍ୟ ସରକାର କୃଷି ଜାତ ଦ୍ରବ୍ୟ ବିପଣନ ଆଇନରେ ସଂଶୋଧନ କରି ଚୁକ୍ତିଭିତ୍ତିକ ଚାଷ, ପ୍ରତ୍ୟକ୍ଷ ବିପଣନ, ଇ-ଟ୍ରେଡିଂ ଏବଂ କୃଷକ ବଜାର ପ୍ରତିଷ୍ଠା ର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିଥିଲେ।

ଡ. ପି.କେ ମିଶ୍ର ଜଳସମ୍ପଦ ପରିଚାଳନା, ଜଳସେଚନ କ୍ଷେତ୍ର ବୃଦ୍ଧି ଏବଂ ବିପଣନ ସଂସ୍କାର ଭଳି ଅନେକ ନୀତିଗତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯାହା ଅମଳ ଏବଂ ମୂଲ୍ୟ ବିପଦକୁ ହ୍ରାସ କରିବାରେ ସହାୟକ ହୋଇଥିଲା । ପୂର୍ବରୁ ରାଜ୍ୟରେ ଜଳସେଚନ କ୍ଷେତ୍ର ଜାତୀୟ ହାରାହାରୀ ଠାରୁ ବହୁତ କମ୍ ଥିବା ବେଳେ ଏବେ ଏହା ଜାତୀୟ ହାରାହାରୀ ଠାରୁ ୧୪ ପ୍ରତିଶତ ଅଧିକ ରହିଛି । ସମସ୍ତ ପଦକ୍ଷେପର ପରିଣାମ କୃଷି ପରିବର୍ତ୍ତନର ସାମାଜିକ-ଅର୍ଥନୈତିକ ପ୍ରଭାବ ପକାଇଛି ।

କୃଷି ସମବାୟ ଓ ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାଙ୍କ ଅଂଶଗ୍ରହଣ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ କରିଛି ବୋଲି ଡକ୍ଟର ମିଶ୍ର କହିଛନ୍ତି। ସେ ନାବାର୍ଡର ଏକ ରିପୋର୍ଟ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ଗୁଜରାଟରେ ୩୦,୦୦୦ରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଅଛି, ଯାହା ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରୁଛି, ଯାହା ଗ୍ରାମୀଣ ନିଯୁକ୍ତି ଏବଂ ଦାରିଦ୍ର୍ୟ ହ୍ରାସରେ ସହାୟକ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଡ. କିରିଟ୍ ସେଲାଟ ଓ ଅନ୍ୟମାନଙ୍କ ଦ୍ୱାରା ସମ୍ପାଦିତ ‘‘ଭବିଷ୍ୟତ କୃଷି – ବିକଶିତ ଭାରତ’’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହି ପୁସ୍ତକରେ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପରିକଳ୍ପନା ସହିତ ଯୋଡ଼ି ହୋଇ ଭାରତୀୟ କୃଷିକ୍ଷେତ୍ରରେ ଉପଲବ୍ଧି, ସମସ୍ୟା ଏବଂ ଆହ୍ୱାନଗୁଡ଼ିକର ସମାଧାନ ଅନୁସନ୍ଧାନ କରାଯାଇଛି।

ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ନିରଞ୍ଜନ ପଟେଲ, ଗୁଜରାଟ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପିକେ ଲହେରୀ; ଗୁଜରାଟର ପୂର୍ବତନ କୃଷି ସଚିବ ତଥା ଏନସିସିଏସଡିର ଅଧ୍ୟକ୍ଷ ଡକ୍ଟର କିରିଟ ଶେଲାଟ; ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଡକ୍ଟର କେଶବ ଡି ନାଏକ,  ଜୁନାଗଡ଼ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଏଆର ପାଠକ; ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଭାଇଲାଲ ଭାଇ ପଟେଲ ଏବଂ ବିଭିନ୍ନ ଅନୁଷ୍ଠାନର ଅଧ୍ୟାପକ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମୁକାବିଲାକୁ ନେଇ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମୁକାବିଲା ଉପରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶୀତ ଋତୁ ପାଖେଇ ଆସୁଥିବା ବେଳେ ଦିଲ୍ଲୀ-ଏନସିଆରରେ ପ୍ରତିକୂଳ ବାୟୁ ଗୁଣବତ୍ତା ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଅଂଶୀଦାରଙ୍କୁ ନେଇ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଶିଳ୍ପ ପ୍ରଦୂଷଣ, ଯାନବାହନ ପ୍ରଦୂଷଣ; ନିର୍ମାଣ ଓ ଉଚ୍ଛେଦ (ସିଆଣ୍ଡଡି); ରାସ୍ତା ଓ ଆରଓଡବ୍ଲ୍ୟୁରୁ ଧୂଳି; ମ୍ୟୁନିସିପାଲିଟି କଠିନ ବର୍ଜ୍ୟବସ୍ତୁ (ଏମଏସଡବ୍ଲ୍ୟୁ) ପୋଡ଼ିବା, ବାୟୋମାସ୍ ଏବଂ ମିଶ୍ରିତ ବର୍ଜ୍ୟବସ୍ତୁ ପୋଡ଼ିବା; ଚାଷ ଜମିରେ ନଡ଼ା ଜାଳିବା; ଏବଂ ଅନ୍ୟ ଉତ୍ସ ସମେତ ସମେତ ବାୟୁ ପ୍ରଦୂଷଣର ବିଭିନ୍ନ ଉତ୍ସର ପ୍ରଭାବ ହ୍ରାସ ପାଇଁ ନିଆଯାଉଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରମୁଖ ଶାସନ ସଚିବ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବାୟୁ ପ୍ରଦୂଷଣ ରୋକିବା ପାଇଁ ସବୁଜିମା ଓ ବୃକ୍ଷରୋପଣ ଭଳି ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର କାର୍ଯ୍ୟକାରିତା, ଏହାର ତଦାରଖ ଓ କ୍ଷେତ୍ରସ୍ତରରେ ଏହାର କାର୍ଯ୍ୟକାରିତାରେ ଉନ୍ନତି ଆଣିବା ଦିଗରେ ପ୍ରମୁଖ ଶାସନ ସଚିବ ଆଲୋଚନା କରିଥିଲେ। ସେ କହିଥିଲେ, ବାୟୁର ଗୁଣବତ୍ତା ଖରାପ ହେବାରୁ ରୋକିବା ପାଇଁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ଜିଆରଏପିରେ ତାଲିକାଭୁକ୍ତ କାର୍ଯ୍ୟକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ ।

ସିଏକ୍ୟୁଏମର ଅଧ୍ୟକ୍ଷ ଡକ୍ଟର ଏମ୍ ଏମ୍ କୁଟ୍ଟି ସୂଚନା ଦେଇଥିଲେ ଯେ, ଏନସିଆରର ଶିଳ୍ପଗୁଡ଼ିକୁ ସ୍ୱଚ୍ଛ ଇନ୍ଧନରେ ପରିବର୍ତ୍ତିତ କରାଯାଉଛି ଏବଂ ୨୪୦ଟି ଶିଳ୍ପାଞ୍ଚଳ ମଧ୍ୟରୁ ୨୧୧ଟିକୁ ସିଏନଜି ସଂଯୋଗ ପ୍ରଦାନ କରାଯାଇଛି। ସେହିପରି ୭୭୫୯ଟି ଇନ୍ଧନ ଭିତ୍ତିକ ଶିଳ୍ପ ମଧ୍ୟରୁ ୭୪୪୯ଟି ପିଏନଜି/ଅନୁମୋଦିତ ଇନ୍ଧନକୁ ପରିବର୍ତ୍ତିତ ହୋଇଛନ୍ତି ।

ସିଏକ୍ୟୁଏମ୍ ର ଅଧ୍ୟକ୍ଷ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବିଦ୍ୟୁତ ଶକ୍ତି ପରିଚାଳିତ ଯାନରେ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ଏନସିଆରରେ ୪,୧୨,୩୯୩ଟି ଇ-ଯାନ ପଞ୍ଜୀକୃତ ହୋଇଛି। ଇ-ବସ୍ ଏବଂ ବ୍ୟାଟେରୀ ଚାର୍ଜିଂ ଷ୍ଟେସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଦିଲ୍ଲୀରେ ୪୭୯୩ ଇଭି ଚାର୍ଜିଂ ପଏଣ୍ଟ ରହିଛି ।

ନିର୍ମାଣ ଓ ଉଚ୍ଛେଦ (ସିଆଣ୍ଡଡି) ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସିଏକ୍ୟୁଏମ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ଦୈନିକ ୫୧୫୦ ଟନ୍ (ଟିପିଡି) କ୍ଷମତା ବିଶିଷ୍ଟ ୫ଟି ସିଆଣ୍ଡଡି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା କାର୍ଯ୍ୟକ୍ଷମ ହୋଇଛି । ଦିଲ୍ଲୀରେ ୧୦୦୦ ଟିପିଡି କ୍ଷମତା ବିଶିଷ୍ଟ ଆଉ ଏକ ସୁବିଧା କାର୍ଯ୍ୟକ୍ଷମ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ହରିୟାଣାରେ ୬୦୦ ଟିପିଡି କ୍ଷମତା ବିଶିଷ୍ଟ ସିଆଣ୍ଡଡି ସୁବିଧା କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆହୁରି ୭୦୦ ଟିପିଡି କ୍ଷମତା ପାଇଁ ପଦକ୍ଷେପ ନିଆଯାଉଛି। ଉତ୍ତରପ୍ରଦେଶରେ ୧୩୦୦ ଟିପିଡି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨ଟି ସୁବିଧା ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ସିଆଣ୍ଡଡି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରିବାକୁ ସମସ୍ତ ରାଜ୍ୟକୁ ଅନୁରୋଧ କରାଯାଇଛି ।

ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଧାନ ଫସଲ ଅବଶେଷ ବା ନଡ଼ା ପୋଡ଼ିବା ମାତ୍ରାରେ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ତିନି ରାଜ୍ୟର ମୁଖ୍ୟ ଶାସନ ସଚିବଏହି ପ୍ରସଙ୍ଗ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫସଲ ଅବଶେଷ ପରିଚାଳନା (ସିଆରଏମ) ମେସିନ୍ ମାଧ୍ୟମରେ ଧାନ ଫସଲର ଆଭ୍ୟନ୍ତରୀଣ ପରିଚାଳନା ଏବଂ ଜୈବ ବିଶୋଧକ ଭାବେ ଏହାର ବ୍ୟବହାର ଲାଗି ସେ ପରାମର୍ଶ ଦେଇଥିଲେ। ଏହି ଜ୍ଞାନକୌଶଳର ଉନ୍ନତି ପାଇଁ ସେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍)କୁ ପରାମର୍ଶ ଦେଇଥିଲେ।

ଧାନ ନଡ଼ାର ଅତ୍ୟାଧୁନିକ ପରିଚାଳନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ସେ ଏହାର ଉପଯୋଗ ଉପରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଧାନ ନଡ଼ାର ପ୍ରଭାବଶାଳୀ ଉପଯୋଗ ନିମନ୍ତେ ପର୍ଯ୍ୟାପ୍ତ ସଂରକ୍ଷଣ ସୁବିଧା ସହିତ ବେଲିଂ, ବ୍ରିକେଟିଂ ଓ ପେଲେଟିଂ ଇତ୍ୟାଦିର ଭିତ୍ତିଭୂମି ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ ତାପଜ ବିଦ୍ୟୁତ ପ୍ଲାଣ୍ଟରେ ଧାନ ନଡ଼ାର ଉପଯୋଗ ଉପରେ ଗୁରୁତ୍ୱ ଦେବା ସହ ବାୟୋମାସ୍ ର କୋ-ଫାୟାରିଂ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ପ୍ରମୁଖ ଶାସନ ସଚିବ ଡକ୍ଟର ମିଶ୍ର ଆଲୋଚନା ସମୟରେ ବାୟୋମାସ୍ ପେଲେଟ୍ କ୍ରୟ, ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଜାରି ବେଞ୍ଚମାର୍କ ମୂଲ୍ୟ ଗ୍ରହଣ, ମାର୍ଚ୍ଚ ୨୦୨୪ ସୁଦ୍ଧା ସମଗ୍ର ଏନସିଆର ଅଞ୍ଚଳରେ ଗ୍ୟାସ ଭିତ୍ତିଭୂମି ଏବଂ ଯୋଗାଣର ସମ୍ପ୍ରସାରଣ ଏବଂ ଚାହିଦା ଅନୁଯାୟୀ ବାୟୋମାସର ଦ୍ରୁତ ଯୋଗାଣ ସୁନିଶ୍ଚିତ କରିବା ଭଳି ଅନେକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ, ଅତ୍ୟଧିକ ପୁରୁଣା ଗାଡିଗୁଡିକୁ ବଦଳାଇବା ପାଇଁ ଅଭିଯାନକୁ ତ୍ୱରାନ୍ୱିତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଭରଲୋଡିଂ ଏବଂ ଅନ୍ୟାନ୍ୟ କାରଣରୁ ଦୃଶ୍ୟମାନ ଭାବେ ପ୍ରଦୂଷିତ ହେଉଥିବା ଯାନଗୁଡିକ ଏବଂ ସମ୍ପୃକ୍ତ ସମସ୍ତଙ୍କ ଦ୍ୱାରା ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ରେ ପରିକଳ୍ପିତ କାର୍ଯ୍ୟକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ଡକ୍ଟର ମିଶ୍ର ଜୋର ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ସମସ୍ତ ପ୍ରମୁଖ ଅଂଶୀଦାର ଯଥା ପରିବେଶ, କୃଷି, ଶକ୍ତି, ପେଟ୍ରୋଲିୟମ, ସଡ଼କ ପରିବହନ ଓ ରାଜପଥ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସମେତ ଏନସିଆର ଏବଂ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ପ୍ରତିନିଧି, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀର ମୁଖ୍ୟ ଶାସନ ସଚିବ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ/ଡିପିସିସିଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପୁଣି ଚିନ୍ତା ବଢାଇଲା କରୋନା ଭୂତାଣୁର ନୂଆ ପ୍ରତିରୂପ: ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ବିଷୟ ଏହି ବୈଠକରେ ସମୀକ୍ଷା କରାଯାଇଛି।

ଉଚ୍ଚ ସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ତ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବେହଲ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଏସ. ଗୋଖଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପୂଣ୍ୟ ସଲିଳା ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ପ୍ରତିରୂପ ବିଏ.୨.୮୬ (ପିରୋଲା) ଏବଂ ଇଜି.୫ (ଏରିସ)ର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.୫ (ଏରିସ) ଚିହ୍ନଟ ହୋଇଛି ଏବଂ ବିଏ.୨.୮୬ (ପିରୋଲା) ଚାରିଟି ଦେଶରେ ଚିହ୍ନଟ କରାଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨,୯୬,୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ରହୁଥିବା ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୨୨୩ ଜଣ ସଂକ୍ରମିତ (ବିଶ୍ୱରେ ନୂଆ ସଂକ୍ରମିତଙ୍କ ୦.୦୭୫%) ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଥିଲେ, ଦେଶବ୍ୟାପୀ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଦୈନିକ ହାରାହାରୀ ସଂଖ୍ୟାକୁ ୫୦ ତଳେ ରଖିବାରେ ସଫଳତା ମିଳିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାରକୁ ୦.୨% ସ୍ତରରେ ରଖିବାରେ ଭାରତ ସଫଳ ହୋଇଛି। ଭାରତରେ ପ୍ରସାରିତ ହେଉଥିବା ବିଭିନ୍ନ କରୋନା ଭୂତାଣୁ ପ୍ରତିରୂପ ଜିନ୍‌ ଅନୁଶୀଳନ ବା ଜିନୋମ୍‌ ସିକୁଏନ୍ସିଂ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା।

ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଥିଲେ ଯେ, ଦେଶରେ କୋଭିଡ-୧୯ ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ତେବେ ରାଜ୍ୟମାନେ ଆଇଏଲଆଇ/ଏସଏଆରଆଇ (ଥଣ୍ଡା, ସର୍ଦ୍ଦି, ଶ୍ୱାସରୋଗ ଜନିତ ଅସୁସ୍ଥତା) ପୀଡ଼ିତ ଲୋକଙ୍କ ଉପରେ ଧ୍ୟାନ ଦେବା, କୋଭିଡ-୧୯ ପରୀକ୍ଷା ପାଇଁ ଯଥେଷ୍ଟ ନମୁନା ପଠାଇବା ସହିତ ସମ୍ପୂର୍ଣ୍ଣ ଜିନ ଅନୁଶୀଳନ ଏବଂ ବିଶ୍ୱସ୍ତରରେ ନୂଆ କରୋନା ଭୂତାଣୁ ପ୍ରତିରୂପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Categories
ବିଶେଷ ଖବର

କୋଭିଡ-୧୯ ର ମୁକାବିଲା ଲାଗି ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟାର ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମି ଯଥା ଲଜିଷ୍ଟିକ୍ସ, ଔଷଧ, ଟିକାକରଣ ଅଭିଯାନର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ୍‍ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ ଡକ୍ଟର ବିନୋଦ ପଲ, ଅର୍ଥ ସଚିବ ଟି.ଭି.ସୋମନାଥନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ଫାର୍ମାସ୍ୟୁଟିକାଲ ସଚିବ ଏସ. ଅପର୍ଣ୍ଣା, ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ, ଆୟୁଷ ସଚିବ ରାଜେଶ କୋଟେଚା, ଡିଏଚଆର ସଚିବ ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ଭାଲ, ବାୟୋଟେକ୍ନୋଲୋଜି ସଚିବ ରାଜେଶ ଏସ ଗୋଖଲେ ଏବଂ ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ବିଶ୍ୱର କୋଭିଡ-୧୯ ପରିସ୍ଥିତି ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ସେ ଦର୍ଶାଇଥିଲେ ଯେ ଭାରତରେ କୋଭିଡ -୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ୮ ଟି ରାଜ୍ୟ (କେରଳ, ଦିଲ୍ଲୀ, ମହାରାଷ୍ଟ୍ର, ହରିଆନା, ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଏବଂ ରାଜସ୍ଥାନ) ରେ ଅଧିକାଂଶ ମାମଲା ଦେଖାଦେଇଛି। ଆହୁରି ମଧ୍ୟ ଦେଶରେ ଚାଲିଥିବା ପରୀକ୍ଷଣର ସ୍ଥିତି ସହିତ ପଜିଟିଭ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା। ଏହି ୮ଟି ରାଜ୍ୟ ମଧ୍ୟରେ ସକ୍ରିୟ ମାମଲାଗୁଡ଼ିକର ବିସ୍ତୃତ ବିଶ୍ଳେଷଣ ଉପସ୍ଥାପିତ ହୋଇଥିଲା ଏବଂ ହାରାହାରି ୯୨% ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଥିବା ଦର୍ଶାଯାଇଥିଲା।

ଏହି ଉପସ୍ଥାପନାରେ ଜାନୁୟାରୀ ୨୦୨୩ ଠାରୁ ବିଭିନ୍ନ ପ୍ରକାରର ଜେନୋମ୍ ସିକ୍ୱେନ୍ସିଂର ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଭାରତରେ ଦେଖାଯାଉଥିବା ଭାରିଏଣ୍ଟ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥିଲା। ଟୀକାକରଣର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା, ତା’ପରେ ଦେଶରେ ଔଷଧ ଉପଲବ୍ଧତା ଏବଂ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କାର୍ଯ୍ୟକ୍ଷମ ଭିତ୍ତିଭୂମିର ମୂଲ୍ୟାଙ୍କନ ପାଇଁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କୁ ମକ୍ ଡ୍ରିଲର ସ୍ଥିତି ଉପସ୍ଥାପନ କରାଯାଇଥିଲା । ଏହାବାଦ୍‍ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ବ୍ୟୟ ଏବଂ ଔଷଧ ଏବଂ ଟିକା ଲାଗି ଆବଶ୍ୟକ କଞ୍ଚାମାଲ ପାଇଁ ବଜେଟ୍ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା ।

ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ ସୂଚନା ଦେଇଥିଲେ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୌଣସି ପୂର୍ବ ଅନୁମୋଦନ ବିନା ଉତ୍ପାଦନକାରୀଙ୍କଠାରୁ ଆବଶ୍ୟକ କୋଭିଡ ଟିକା କ୍ରୟ ପାଇଁ ପଦକ୍ଷେପ ନେଇପାରନ୍ତି । ରାଜ୍ୟଗୁଡିକରେ ଅବସ୍ଥିତ ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ର୍ନିମାତାଙ୍କଠାରୁ ଏହିପରି ଟିକା କ୍ରୟ କରିପାରିବେ । ଥରେ କିଣାଯାଇଥିବା ଏହି ଟିକାଗୁଡ଼ିକ ବିଦ୍ୟମାନ କୋଭିଡ ଟୀକାକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯାଇପାରେ ।

ବିସ୍ତୃତ ଉପସ୍ଥାପନା ପରେ ଡକ୍ଟର ପି.କେ ମିଶ୍ର ସ୍ଥାନୀୟ ଅଞ୍ଚଳରେ ବଢୁଥିବା ମାମଲାର ପରିଚାଳନା ପାଇଁ ଉପ-ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପଲବ୍ଧ ହେବା ଜରୁରୀ ଅଟେ ଏବଂ ରାଜ୍ୟମାନଙ୍କ ସହିତ ପରାମର୍ଶରେ ଏହା ନିଶ୍ଚିତ ହୋଇପାରିବା ଉପରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ବଢୁଥିବା ସ୍ଥିତିକୁ ଆଧାର କରି ରାଜ୍ୟଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଉପଦେଶଗୁଡିକ ମୂଲ୍ୟାଙ୍କନ କରାଯିବା ଉଚିତ ଏବଂ ସେହି ଅନୁଯାୟୀ ଅପଡେଟ୍‍ କରାଯିବା ଉଚିତ୍‍ ।

ଆହୁରି ମଧ୍ୟ, ଉପସ୍ଥିତ ବ୍ୟକ୍ତିମାନେ ବିଚାର ଆଲୋଚନା କରିଥିଲେ ଯେ ବଢୁଥିବା ହଟସ୍ପଟ୍ ଚିହ୍ନଟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ରାଜ୍ୟଗୁଡିକ ଆଇଏଲଆଇ / ଏସ୍‍ଏଆରଆଇ ମାମଲାର ଧାରା ଉପରେ ନଜର ରଖିବା, କୋଭିଡ୍ -୧୯ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ଏବଂ ସବୁଗୁଡିକର ଜେନୋମ୍ ସିକ୍ୱେନ୍ସିଙ୍ଗ୍ କରିବା ଉଚିତ୍‍ ।

ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ ଟେଷ୍ଟ-ଟ୍ରାକ-ଟ୍ରିଟ-ଟୀକାକରଣ ଏବଂ କୋଭିଡ ଉପଯୁକ୍ତ ଆଚରଣ ପାଳନ ପାଇଁ ସମୟ ପରୀକ୍ଷିତ ପଞ୍ଚସୂତ୍ରୀ ରଣନୀତି ଲାଗୁ କରାଯିବା ଆବଶ୍ୟକ ଏବଂ କୋଭିଡ ଉପଯୁକ୍ତ ଆଚରଣର ସମ୍ବନ୍ଧରେ ଗୋଷ୍ଠି ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନାଗରିକମାନଙ୍କୁ ଆତ୍ମସନ୍ତୋଷରୁ ସତର୍କ କରାଇବା ଆବଶ୍ୟକ ।

କୋଭିଡ -୧୯ ପରିସ୍ଥିତି ଉପରେ କଡା ସଜାଗ ରହିବାକୁ ଏବଂ କୋଭିଡ-୧୯ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।