Categories
ଆଜିର ଖବର ଜାତୀୟ ଖବର

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଦିଲ୍ଲୀ ବ୍ୟାଧି ନିୟନ୍ତ୍ରଣ ଉନ୍ନୀତ କେନ୍ଦ୍ର ଓ ଏନ୍ସିଡିସିର ଅସ୍ଥାୟୀ ଆଞ୍ଚଳିକ ଶାଖା

ନୂଆଦିଲ୍ଳୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆସାମରେ ଜାତୀୟ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର (ଏନ୍ସିଡିସି)ର ଆଞ୍ଚଳିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଛଡା ତାଙ୍କ ଦ୍ୱାରା ଓଡିଶା, ତାମିଲନାଡୁ, ହରିୟାଣା, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ମିଜୋରାମରେ ଏନ୍ସିଡିସି ରାଜ୍ୟ ଶାଖା ତଥା ହିମାଚଳ ପ୍ରଦେଶ ଓ ଝାଡଖଣ୍ଡରେ ବିଏସ୍ଏଲ୍-୩ର ଦୁଇଟି ପରୀକ୍ଷାଗାରର ଶିଳାନ୍ୟାସ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଭାସୀ ବ୍ୟବସ୍ଥାରେ ଏହି ସବୁ କାର୍ଯ୍ୟ ସମ୍ପାଦନ କରିଛନ୍ତି। ନୂଆଦିଲ୍ଲୀର ଏନ୍ସିଡିସି ସଦର କାର୍ଯ୍ୟାଳୟରୁ ମନ୍ତ୍ରୀଙ୍କ ଦ୍ୱାରା ଏସବୁ ଆଭାସୀ ବ୍ୟବସ୍ଥାରେ କରାଯାଇଛି। ସେ ମଧ୍ୟ ଆଜି ମଧ୍ୟପ୍ରଦେଶର ଭୋପାଳ ସ୍ଥିତି ଏନ୍ସିଡିସିର ଅସ୍ଥାୟୀ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଏହି ନୂଆ ଏନ୍ସିଡିସି ଶାଖା ଏବଂ ବିଏସ୍ଏଲ-୩ ଲ୍ୟାବ ସାମଗ୍ରିକ ସ୍ୱାସ୍ଥ୍ୟ ଆଭିମୁଖ୍ୟରେ ଦେଶର ମହାମାରୀ ମୁକାବିଲା ଓ ବ୍ୟାଧି ସତର୍କତା ସାମର୍ଥ୍ୟକୁ ସୁଦୃଢ କରିବ। ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ ମଧ୍ୟ ନୂଆଦିଲ୍ଲୀ ଏନ୍ଡିସିର ଉନ୍ନୀତ ଭିତ୍ତିଭୂମି କାର୍ଯ୍ୟକ୍ରମରେ ବିକଶିତ ହୋଇଥିବା ଅଡିଟରିୟମ ଓ ଲାଇବ୍ରେରୀ ବ୍ଲକକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ଦ୍ୱାରା କେତେକ ବୈଷୟିକ ନଥିପତ୍ର ମଧ୍ୟ ଉନ୍ମୋଚିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ କେଶବ ମହାନ୍ତ, ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍, ଛ’ଟି ରାଜ୍ୟର ସାଂସଦ ଅପରାଜିତା ଷଡଙ୍ଗୀ (ଓଡିଶା), କାତ୍ତିକେୟ ଶର୍ମା (ହରିୟାଣା), ଡି.ଭି. ସଦାନନ୍ଦ ଗୌଡା (କର୍ଣ୍ଣାଟକ), ସୁରେଶ କୁମାର କାଶ୍ୟପ (ହିମାଚଳ ପ୍ରଦେଶ), କୁଇନ୍ ଓଜା(ଆସାମ) ଓ ନୀଶିକାନ୍ତ ଦୁବେ (ଝାଡଖଣ୍ଡ) ଉପସ୍ଥିତ ଥିଲେ। ଆସାମର ବିଧାନସଭା ସଦସ୍ୟ ହେମାଙ୍ଗ ଠାକୁରିଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଏନ୍ସିଡିସିର ଏହି ଆଞ୍ଚଳିକ ଶାଖା ସିସିଏଚ୍ଏଫ୍, କେଏଫ୍ଡି, ସ୍କ୍ରବ ଟାଇଫସ୍ ଭଳି ସମ୍ପୃକ୍ତ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ସଂକ୍ରାମକ ରୋଗର ସଫଳ ମୁକାବିଲା କରିପାରିବ। ଆହୁରି ମଧ୍ୟ ଏନ୍ସିଡିସିର ପ୍ରାଦେଶିକ ଶାଖା ଓ ବିଏସ୍ଏଲ-୩ ପରୀକ୍ଷାଗାର ଦ୍ୱୟ କାର୍ଯ୍ୟକ୍ଷମ ହେଲେ ଅତି ସଂକ୍ରାମକ ଓ ମହାମାରୀ ଭଳି ରୋଗର ସଂକ୍ରମଣକୁ ରୋକିବା ଓ ଏହାର ସଫଳ ମୁକାବିଲା କରିବାରେ ବିଶେଷ ସହାୟକ ହେବେ। ସେ ଆହୁରି କହିଥିଲେ ଯେ ଆଜି ଯେଉଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁଡିକର ଶିଳାନ୍ୟାସ ଓ ଉଦ୍ଘାଟନ ହେଲା ତାହା ଭବିଷ୍ୟତରେ ଆଞ୍ଚଳିକ, ପ୍ରାଦେଶିକ, ଜିଲ୍ଲା ଓ ବ୍ଲକ ସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ସହ ବ୍ୟାଧି ମୁକାବିଲାରେ ବିଶେଷ ସହାୟକ ହେବ। ସହଜ ଓ ସୁବିଧାରେ ଏହି କେନ୍ଦ୍ରରେ ରୋଗର ପରୀକ୍ଷା ଓ ଚିହ୍ନଟ କରାଯାଇପାରିବ। ସର୍ବୋପରି ଏହା ଦ୍ୱାରା ପ୍ରାଦେଶିକ ଓ ଆଞ୍ଚଳିକ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦକ୍ଷତା ବଢିବ।

ଡକ୍ଟର ମାଣ୍ଡବୀୟ ଆହୁରି କହିଥିଲେ ଯେ ମହାମାରୀ ମୁକାବିଲା ପ୍ରସ୍ତୁତି ଓ ବ୍ୟାଧି ପ୍ରତି ସତର୍କତା ସ୍ୱାସ୍ଥ୍ୟସେବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ। ଏହା ସବୁ ଲୋକଙ୍କ ପାଖରେ ବିଶେଷକରି ସମାଜର ଦୁର୍ବଳ ଓ ବଂଚିତ ବର୍ଗଙ୍କ ପାଖରେ ପହଂଚିବା ଆବଶ୍ୟକ। ଏହା ଦ୍ୱାରା ସେମାନେ ମହାମାରୀ ଓ ସଂକ୍ରାମକ ବ୍ୟାଧିରୁ ଅଧିକ ସୁରକ୍ଷିତ ହୋଇପାରିବେ।

ସେ କହିଛନ୍ତି ଯେ ସଂକ୍ରାମକ ବ୍ୟଧି ସମ୍ପର୍କରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ସହିତ ଏହାର ଉପଯୁକ୍ତ ମୁକାବିଲା ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ। ଜାତୀୟ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର ଏନ୍ସିଡିସି ମାଧ୍ୟମରେ ସରକାର ଏହି କାମକୁ ସୁଦୃଢ କରୁଛନ୍ତି। କୋଭିଡ ନିୟନ୍ତ୍ରଣ ଓ ମୁକାବିଲା କ୍ଷେତ୍ରରେ ସେ ଏନ୍ସିଡିସିର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହି ମହାମାରୀର ପରିଚାଳନାରେ ଭାରତର ପ୍ରଦର୍ଶନ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ତୁଳନାରେ ଯଥେଷ୍ଟ ଭଲ ବୋଲି ସେ କହିଥିଲେ। ସେ ମଧ୍ୟ ବ୍ୟାଧି ପରିିଚାଳନା ଓ ଅନ୍ୟାନ୍ୟ ସଂକ୍ରାମକ ବ୍ୟାଧିର ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କ ଭୂମିକାର ପ୍ରଶଂସା କରିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଜନସ୍ୱାସ୍ଥ୍ୟ ସତର୍କତା ଓ ପ୍ରତିବିଧାନ କ୍ଷେତ୍ରରେ ଏନ୍ସିଡିସି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ବ୍ୟାକ୍ଟେରିଆ, ଭାଇରସ୍, ଜୁନୋଟିକ୍ ସଂକ୍ରମଣ ଓ ପାରାସିଟିକ୍ ରୋଗର ନିଦାନ, ପରୀକ୍ଷାନିରୀକ୍ଷା, ପ୍ରତିକାର ଓ ସତର୍କତା ଆଦି କ୍ଷେତ୍ରରେ ଏହା ରାଜ୍ୟମାନଙ୍କୁ ଆବଶ୍ୟକ ସମର୍ଥନ, ସହାୟତା ଓ ପରାମର୍ଶ ଯୋଗାଇ ଦେଉଛି। ବ୍ୟାଧି ବିରୋଧରେ ଲଢେଇ କରିବାକୁ ସ୍ୱାସ୍ଥ୍ୟସେବା ପେସାଦାର ଓ ଚିକିତ୍ସକମାନେ ସଦା ପ୍ରସ୍ତୁତ ହୋଇ ରହିବାକୁ ସେ ପରାମର୍ଶ ଦେବା ସହ ସେମାନଙ୍କ ବିନା ସ୍ୱାସ୍ଥ୍ୟସେବା ସମ୍ଭବ ନୁହେଁ ବୋଲି କହିଥିଲେ।

ଗତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଥିଲେ ତଦନୁସାରେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ପ୍ରଥମେ ଏକ ସୁସ୍ଥ ଦେଶ ଗଢି ତୋଳିବାକୁ ସମସ୍ତେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଦେଶର ୩୦ ଏନ୍ସିଡିସି ଶାଖା, ୫ଟି ଆଞ୍ଚଳିକ ଏନ୍ସିଡିସି ରାଜ୍ୟ ଶାଖା ଓ ୧୦ଟି ବିଏସ୍ଏଲ-୩ ପରୀକ୍ଷାଗାର ପ୍ରତିଷ୍ଠା କରିବା ଯୋଜନା ଅଛି। ଏହା ଦ୍ୱାରା ସଂକ୍ରାମକ ରୋଗର ମୁକାବିଲା ସହଜ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଗବେଷଣା ସଚିବ ଓ ଆଇସିଏମ୍ ଆରଆଇଡିଜି ଡକ୍ଟର ରାଜୀବ ବେହେଲ, ଏନ୍ସିଡିସିର ନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶ୍ରୀମତୀ ଏଲ୍.ଏସ. ଗଙ୍ଗସାନ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶର ଡେଙ୍ଗୁ ସ୍ଥିତି ଏବଂ ଏହାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ଡେଙ୍ଗୁ ଜ୍ୱର ପ୍ରାଦୁର୍ଭାବ, ଏହାର ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଏବେ ଦେଶବ୍ୟାପୀ ଡେଙ୍ଗୁର ପ୍ରାଦୁର୍ଭାବ ବଢିଥିବାରୁ ଏହାର ନିୟନ୍ତ୍ରଣ ଏବଂ ନିରାକରଣ ଜରୁରୀ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ତାଙ୍କୁ ଦେଶବ୍ୟାପୀ ଡେଙ୍ଗୁର ସ୍ଥିତି ଏବଂ ଏହାର ମୁକାବିଲା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଥିଲେ ଯେ ଡେଙ୍ଗୁ ପରୀକ୍ଷା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସ୍କ୍ରିନିଂ, କିଟ୍ସ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଛନ୍ତି । ରାଜ୍ୟମାନଙ୍କୁ ମଧ୍ୟ ସେମାନଙ୍କ ବରାଦ ମୁତାବକ ଆର୍ଥିକ ସହାୟତା ଦିଆଯାଉଛି । ଏହି ଅର୍ଥ  ଖର୍ଚ୍ଚ କରି ରାଜ୍ୟମାନେ ମଶା ମାରିବାକୁ ଧୂଆଁ ପ୍ରୟୋଗ ଓ ଆଇଇସି କାର୍ଯ୍ୟ କରୁଛନ୍ତି। ଡେଙ୍ଗୁର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି । ଡେଙ୍ଗୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସବୁ ରାଜ୍ୟ ତାହାକୁ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ କାର୍ଯ୍ୟକ୍ରମ ରୂପାୟନ ଯୋଜନା (ପିଆଇପି)ରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି । ସେଥିରେ ଡେଙ୍ଗୁ ସ୍ଥିତିର ତଦାରଖ, ରୋଗର ପରିଚାଳନା, ପରୀକ୍ଷାଗାରରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା, କୀଟାଣୁ ନିୟନ୍ତ୍ରଣ ଓ ବିଲୋପ କାମ, ରୋଗର ମୁକାବିଲା ପାଇଁ ଦକ୍ଷତା ନିର୍ମାଣ, କର୍ମଚାରୀ ତାଲିମ, ସ୍ୱାସ୍ଥ୍ୟ କେନ୍ଦ୍ରର ପରୀକ୍ଷା ବ୍ୟବସ୍ଥା ଓ ଔଷଧପ୍ରଦାନ, ଲୋକଙ୍କ ଅଭ୍ୟାସ ପରିବର୍ତ୍ତନ, ଡେଙ୍ଗୁ ବିରୋଧୀ ଅଭିଯାନରେ ଲୋକଙ୍କୁ ସମ୍ପୃକ୍ତ କରିବା, ଆନ୍ତଃକ୍ଷେତ୍ରୀୟ ସମନ୍ୱୟ ରକ୍ଷା, ତଦାରଖ ଓ ଉପକରଣ କ୍ରୟ ଆଦି କରାଯିବ । ରୋଗର ମୁକାବିଲା ଓ ନିୟନ୍ତ୍ରଣ କ୍ଷେତ୍ରରେ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଥିଲେ ।

ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନ୍‌ଏଚଏମ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଆରାଧନା ପଟ୍ଟନାୟକ, ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ମନସ୍ୱୀ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ ଦେଶର ଅଧିକାଂଶ ରାଜ୍ୟରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖାଦେଇଛି ଏକପ୍ରକାର ମଶା କାମୁଡା ଦ୍ୱାରା ଲୋକେ ଡେଙ୍ଗୁ ଜ୍ୱରରେ  ଆକ୍ରାନ୍ତ ହୋଇଥାଆନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରବଳ ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ ।ଚର୍ମରେ ଲାଲ ଦାଗ ଦେଖାଯାଏ ଓ ରୋଗୀଙ୍କ ଭୋକ ହ୍ରାସ ପାଏ ଓ ସେମାନେ କମ୍ପରେ ଆକ୍ରାନ୍ତ ହୁଅନ୍ତି । ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା କଲେ ଏହି ଜ୍ୱର ଭଲ ହୋଇଥାଏ ।

Categories
ବିଶେଷ ଖବର

ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ଚାଲିଥିବା ପ୍ରଚଣ୍ଡ ତାପ ପ୍ରବାହ ଯୋଗୁଁ ଯେଉଁ ସ୍ୱାସ୍ଥ୍ୟଗତ ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ତାହାର ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ର ଏକ ବିଶେଷଜ୍ଞ ଦଳ ଖୁବ୍‌ଶୀଘ୍ର ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରି ସେଠାକାର ତାପ ପ୍ରଭାବିତ  ଲୋକଙ୍କୁ ରାଜ୍ୟର ଜନସ୍ୱାସ୍ଥ୍ୟ ବିଭାଗ ସହିତ ମିଶି ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବ। ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଯୋଗୁଁ ସେସବୁ ରାଜ୍ୟରେ ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି ତାହାର ମୁକାବିଲାରେ ଏହି ବିଶେଷଜ୍ଞ ଦଳ ସ୍ୱତନ୍ତ୍ରଭାବେ ସହାୟତା ଓ ପରାମର୍ଶ ଦେବ।

ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପାଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଣ୍ଡଭିୟ ଦେଶରେ ଏଭଳି ଅଭୂତପୂର୍ବ ଗ୍ରୀଷ୍ମ ଓ ତାପ ପ୍ରବାହର ମୁକାବିଲା ପାଇଁ ଗୋଷ୍ଠୀ ତଥା ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଲୋକେ ସତର୍କ ରହିଲେ ଅଂଶୁଘାତଜନିତ ଅନେକ ବ୍ୟାଧିକୁ ଏଡାଇ ଦେଇ ହେବ। ତେବେ ଗ୍ରୀଷ୍ମପ୍ରବାହ ଓ ମାତ୍ରାଧିକ ତାପମାତ୍ରା ଯୋଗୁଁ ଯେଉଁସବୁ ରୋଗବ୍ୟାଧୀ ସୃଷ୍ଟି ହେଉଛି ତାହାର ପ୍ରକୋପକୁ କିପରି ହ୍ରାସ କରି ହେବ ଏବଂ ତାହାର ଉପରେ ପ୍ରତିକାର ନିମନ୍ତେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଦରକାର ତାହାର ଗବେଷଣା ଓ ପ୍ରସ୍ତୁତି ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଆଇସିଏମ୍‌ଆରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥା ଏହା ଉପରେ ଗବେଷଣା କରିବା ସହ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦେବ। ପ୍ରତିକାରରେ ଉଭୟ ସ୍ୱଳ୍ପ ଓ ଦୀଘମିଆଦି ପଦକ୍ଷେପ ଅନ୍ତର୍ଭୁକ୍ତ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଚଣ୍ଡ ଗ୍ରୀଷ୍ମ ଓ ତାପପ୍ରବାହ ଜନିତ ଅସୁସ୍ଥତାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏଥର ଯଥେଷ୍ଟ ଆଗରୁ ପଦକ୍ଷେପ ଗ୍ରହଣ କରିଥିଲେ। ଖରାଦିନ ଆରମ୍ଭ ପୂର୍ବରୁ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା। ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ତା’ ପୂର୍ବରୁ ଫେବୃୟାରୀ ମାସରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ପରାମର୍ଶ ଓ ମାର୍ଗଦର୍ଶିକା ଜାରି କରାଯାଇଥିଲା। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ମନ୍ତେ ପ୍ରସ୍ତୁତ ରହିବାକୁ ରାଜ୍ୟମାନଙ୍କୁ କୁହାଯାଇଥିଲା। ଏଥିରେ ଆବଶ୍ୟକ ଔଷଧପତ୍ର, ଇଣ୍ଟ୍ରାଭେନସ ଫ୍ଲୁଇଡ, ପ୍ୟାକ୍ସ, ଓଆରଏସ୍‌, ପାନୀୟଜଳ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଥିଲା। ସେହିଭଳି ତାପଜନିତ ଅସୁସ୍ଥତାର ମୁକାବିଲା ସଂକ୍ରାନ୍ତ ଜାତୀୟ ଯୋଜନା ସମ୍ପର୍କରେ ସବୁ ରାଜ୍ୟକୁ ତଥ୍ୟ ଦିଆଯାଇଥିଲା।

ଆଜିର ବୈଠକ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଣ୍ଡବୀୟଙ୍କୁ ବିଭିନ୍ନ ରାଜ୍ୟର ତାପପ୍ରବାହ/ଗ୍ରୀଷ୍ମପ୍ରବାହ ଜନିତ ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା। ସେହିଭଳି ହସ୍‌ପିଟାଲ ଭିତ୍ତିଭୂମି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଣରେ କେନ୍ଦ୍ରୀୟ ସଂସ୍ଥାମାନଙ୍କର ପ୍ରସ୍ତୁତି ତଥା କାର୍ଯ୍ୟ ସମ୍ପର୍କରେ ସେ ଅବଗତ ହୋଇଥିଲେ। ଜଳବାୟୁ ପରିବର୍ତ୍ତନ ଜାତୀୟ କାର୍ଯ୍ୟକ୍ରମ ଓ ମାନବ ସ୍ୱାସ୍ଥ୍ୟ ଯୋଜନା ବା ଏନ୍‌ପିସିସିଏଚ୍‌ଏଚ୍ ଅଧୀନରେ ଦୈନିକ ଦେଶରେ ତାପପ୍ରବାହ ଜନିତ ଅସୁସ୍ଥଙ୍କ ସଂଖ୍ୟା ଉପରେ ନଜର ରଖାଯାଇ ସେମାନଙ୍କ ଚିକିତ୍ସା ବନ୍ଦୋବସ୍ତ କରାଯାଉଛି। ଏ ସଂକ୍ରାନ୍ତ ତଥ୍ୟ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (ଆଇଏଚ୍ ଆଇପି) ମାଧ୍ୟମରେ ସବୁ ଜିଲ୍ଲା ଓ ରାଜ୍ୟରୁ ସଂଗୃହୀତ  ହେଉଛି ଏବଂ ପ୍ରତିକାର ସମ୍ପର୍କରେ ସେହି  ମାଧ୍ୟମରେ ସୂଚନା ଦିଆଯାଉଛି। ସବୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ପି-ଫର୍ମ ଲେଭଲ ଲଗ୍‌ଇନ୍ କରି ଏଥିରେ ସାମିଲ ହେବାକୁ କୁହାଯାଇଛି।

ତାପମାତ୍ରା ବୃଦ୍ଧିଜନିତ ଅସୁସ୍ଥତାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଜାତୀୟ କ୍ରିୟାନୁଷ୍ଠାନ ଯୋଜନାରେ କେତେକ ମାର୍ଗଦର୍ଶନ ରହିଛି ଯାହା ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟୋର ଭାବେ ବିବେଚିତ ହେଉଛି। ଏଥିରେ ପିଲା ଶିଶୁ, ବୟସ୍କ, ଗର୍ଭବତୀ, ଖରାରେ କାମ କରୁଥିବା ଶ୍ରମିକ ଏବଂ ଅନ୍ୟାନ୍ୟ ବିପଦାପନ୍ନ ଲୋକଙ୍କ ସୁରକ୍ଷ। ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହାଛଡା ନିରବଚ୍ଛିନ୍ନ ବିଜୁଳି ଯୋଗାଣ, ସୌର ଫଳକ ସ୍ଥାପନ, ଘର ଭିତରର ତାପମାତ୍ରା ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ, ସବୁଜ ଛାତ, ୱିଣ୍ଡୋ ସେଡିଂ, ବାହ୍ୟ ଆବରଣ ଆଦିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ବିଶେଷ ଜରୁରୀ। ଏହା ସହିତ ଚିକିତ୍ସିକ ମାନଙ୍କର ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟ କର୍ମୀଙ୍କୁ କାମରେ ଲଗାଇବା, ତୃଣମୂଳସ୍ତରରେ ଅଂଶୁଘାତରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଣ, ମେଡିକାଲରେ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଆଦି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ସର୍ବୋପରି ଦୈନିକ ତାପମାନ ସମ୍ପର୍କରେ ଲୋକଙ୍କୁ ଆଗୁଆ ପ୍ରଦାନକୁ ଅନିବାର୍ଯ୍ୟ କରାଯାଇଛି। ଦୈନିକ ତାପମାତ୍ରା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଭାରତୀୟ ପାଣିପାଗ ବିଭାଗର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପରାମର୍ଶ ଦେଇଛି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ସୁଧାଂଶୁ ପନ୍ତ, ଓଏସ୍‌ ଡକ୍ଟର ରାଜୀବ ବେହେଲ, ଡିଏଚ୍‌ଆର ସଚିବ ଏସ୍ ଗୋପାଳକୃଷ୍ଣନ୍‌, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଡକ୍ଟର ଲବ ଅଗ୍ରୱାଲ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡାକ୍ତରଖାନାରେ କୋଭିଡ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ଆୟୋଜିତ ମକ୍ ଡ୍ରିଲ୍‌ର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରି କୋଭିଡ ୧୯ ପରିଚାଳନା ପାଇଁ ହସ୍ପିଟାଲର ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ମକ୍ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି।

ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଟୁଇଟରେ ସେ ଏହି ସୁବିଧା ବୁଲି ଦେଖିବା ସହିତ କର୍ମଚାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

କିଛି ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ସ୍ଥିତି ଏବଂ ଦେଶରେ ପ୍ରତିରୋଧ ଏବଂ ପରିଚାଳନା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଭବିଷ୍ୟତରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଲାଗି ସାରା ଦେଶରେ ମକ୍ ଡ୍ରିଲ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକ ଆଜି ମକ୍ ଡ୍ରିଲ୍ କରୁଛନ୍ତି ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହି ମକ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି।

ଆରଏମଏଲ ହସ୍ପିଟାଲ ପରିଦର୍ଶନ କରିବାବେଳେ ଡକ୍ଟର ମାଣ୍ଡଭିୟ ବିଭାଗର ମୁଖ୍ୟ ଏବଂ କର୍ମଚାରୀଙ୍କ ସହ ଅନୌପଚାରିକ ଆଲୋଚନା କରିଥିଲେ। ସେ ଡାକ୍ତର, ନର୍ସ, ସୁରକ୍ଷା ଏବଂ ପରିମଳ ସେବାର ମୁଖ୍ୟମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କ ମୂଲ୍ୟବାନ ପରାମର୍ଶ ଶୁଣୁଥିଲେ। ଗୁଣାତ୍ମକ କ୍ଲିନିକାଲ୍ ଅଭ୍ୟାସ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ଡାକ୍ତରଖାନା ପରିଚାଳନା, ପରିମଳ ପ୍ରକ୍ରିୟା ଏବଂ ରୋଗୀ-କୈନ୍ଦ୍ରିକ ବ୍ୟବସ୍ଥା ଉପରେ ପ୍ରସ୍ତାବମାନ ରହିଥିଲା।

ଦେଶବ୍ୟାପୀ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଥିଲା, ଯେଉଁଠାରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ଥିବା ସୁବିଧାଗୁଡ଼ିକର ପ୍ରସ୍ତୁତି ଏବଂ ଦକ୍ଷତାର ସମୀକ୍ଷା କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଏବଂ କୋଭିଡ୧୯ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଏବଂ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି। ଆଏଲଆଇ/ଏସଏଆରଆଇ ମାମଲାଗୁଡ଼ିକର ଗତିବିଧି ଉପରେ ନଜର ରଖି ବଢୁଥିବା ହଟସ୍ପଟ୍ ଚିହ୍ନଟ କରିବାକୁ ଏବଂ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜା ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ସହିତ ପଜିଟିଭ ନମୁନାଗୁଡ଼ିକର ହୋଲ୍‍ ଜିନୋମ୍ ସିକ୍ୱେନ୍ସି ବୃଦ୍ଧି କରିବାକୁ ଡକ୍ଟର ମାଣ୍ଡଭିୟ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ଆରଏମଏଲ ହସ୍ପିଟାଲର ନିର୍ଦ୍ଦେଶକ ତଥା ମେଡିକାଲ ସୁପରିଟେଣ୍ଡେଣ୍ଟ ଡକ୍ଟର ଅଜୟ ଶୁକ୍ଲା ଏବଂ ପରିମଳ ସମେତ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ରାଜ୍ୟମାନଙ୍କ ସହିତ କୋଭିଡ-19 ପାଇଁ ଜନସ୍ବାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କଲେ ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ:  “କେନ୍ଦ୍ର ଏବଂ ରାଜ୍ୟଗୁଡିକ କୋଭିଡ୍-19 ପ୍ରତିରୋଧ ଏବଂ ପରିଚାଳନା ପାଇଁ ପୂର୍ବ ପରି ସହଯୋଗୀ ମନୋଭାବରେ କାର୍ଯ୍ୟ ଜାରି ରଖିବା ଆବଶ୍ୟକ’’। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମୁଖ୍ୟ ସଚିବ/ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରି ଏହା କହିଛନ୍ତି। କେତେକ ରାଜ୍ୟରେ ନିକଟରେ ପୁଣି ଥରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କୋଭିଡ୍ -19 ର ନିୟନ୍ତ୍ରଣ ଏବଂ ପରିଚାଳନା ତଥା କୋଭିଡ୍ -19 ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଏହି ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଏବଂ କୋଭିଡ୍ 19 ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ରଖିବାକୁ ପରାମର୍ଶ ଦେଇଛନ୍ତି। ସେ 10 ଏବଂ 11 ଏପ୍ରିଲ, 2023 ରେ ସମସ୍ତ ଡାକ୍ତରଖାନା ଭିତ୍ତିଭୂମିର ମକ୍ ଡ୍ରିଲ୍ କରିବା ଏବଂ 8 ଓ 9 ଏପ୍ରିଲ, 2023 ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ସେ ମଧ୍ୟ ରାଜ୍ୟ ଗୁଡ଼ିକୁ ବୃଦ୍ଧି ହେଉଥିବା ହଟସ୍ପଟ ପ୍ରତି ଧ୍ୟାନ ରଖିବା ନିମନ୍ତେ ଆଇଏଲଆଇ/ ଏସଏଆରଆଇ ମାମଲାଗୁଡ଼ିକର ଅନୁଧ୍ୟାନ କରିବା ସହିତ କୋଭିଡ-19 ଓ ଇନ୍‌ଫ୍ଲୁଏଞ୍ଜାର ଟେଷ୍ଟିଂକୁ ବ୍ୟାପକ କରିବା ତଥା ସମଗ୍ର ପଜିଟିଭ୍ ନମୁନାର ଜେନୋମ୍ ସିକୁଏନ୍ସିଂକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି।

ଏହା ଦେଖା ଯାଇଛି ଯେ 23 ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ହାରାହାରି ଠାରୁ ପ୍ରତି ନିୟୁତରେ ହାରାହାରି ପରୀକ୍ଷା କମ୍ ରହିଛି। ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ନୂତନ କୋଭିଡ୍‌ ପ୍ରକାର ନିର୍ବିଶେଷରେ, ‘ଟେଷ୍ଟ-ଟ୍ରାକ୍-ଟ୍ରିଟ୍- ଟୀକାକରଣ ଏବଂ କୋଭିଡ୍‌ ଉପଯୁକ୍ତ ଆଚରଣକୁ ପାଳନ କରିବାର ପାଞ୍ଚ ଟି କୌଶଳ ସହିତ  କୋଭିଡ୍‌ ପରିଚାଳନା ପାଇଁ ପରୀକ୍ଷିତ ରଣନୀତି ଭାବରେ ଜାରି ରହିଛି। ଏହା ଉପଯୁକ୍ତ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିବାରେ ସହଜ ହେବ ବୋଲି ସେ କହିଛନ୍ତି। 7 ଏପ୍ରିଲ, 2023 ଶେଷ ହେବାକୁ ଥିବା ସପ୍ତାହରେ, ପ୍ରତି ମିଲିୟନ୍ ପ୍ରତି 100 ପରୀକ୍ଷଣର ହାରରୁ ଶୀଘ୍ର ପରୀକ୍ଷା ହାର ବୃଦ୍ଧି କରିବାକୁ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଅନୁରୋଧ କରାଯାଇଥିଲା। ପରୀକ୍ଷଣରେ ଆରଟି-ପିସିଆର ର ଅଂଶ ବଢ଼ାଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଭାରତରେ କୋଭିଡ୍‌ -19 ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି ଏବଂ ହାରାହାରି ଦୈନିକ ମାମଲା 07 ଏପ୍ରିଲ 2023 ଶେଷ ସପ୍ତାହରେ 4,188 କୁ ବୃଦ୍ଧି ପାଇଛି ଯାହାକି 17 ମାର୍ଚ୍ଚ 2023 ଶେଷ ସପ୍ତାହରେ 571 ରହିଥିଲା; ଏବଂ 07 ଏପ୍ରିଲ, 2023 ଶେଷ ସପ୍ତାହରେ ସାପ୍ତାହିକ ପଜିଟିଭିଟି 3.02% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ, ଏହି ସମୟରେ ସମଗ୍ର ବିଶ୍ୱରେ ଦୈନିକ ହାରାହାରି 88,503 ମାମଲା ରିପୋର୍ଟ ହୋଇଛି, ଏବଂ ଗତ ଏକ ସପ୍ତାହରେ ବିଶ୍ବର  62.6% ମାମଲା ଟପ୍ ପାଞ୍ଚଟି ଦେଶ ରୁ ଆସିଛି।

ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଆହୁରି ସୂଚନା ଦିଆଯାଇଛି ଯେ ସମ୍ପ୍ରତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଯିଏକି ଭାରିଆଣ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ (ଭିଓଆଇ), ଏକ୍ସବିବି.1.5 ଏବଂ ଅନ୍ୟ ଛଅଟି ପ୍ରକାର ଭାରିଆଣ୍ଟ ଯଥା (ବିକ୍ୟୁ.1, ବିଏ.2.75, ସିଏଚ.1.1, ଏକ୍ସବିବି, ଏକ୍ସବିଏଫ୍ ଏବଂ ଏକ୍ସବିବି.1.16 ) ଉପରେ ନଜର ରଖିଛି। ଏହା ହାଇଲାଇଟ୍ କରାଯାଇଥିଲା ଯେ ଯେତେବେଳେ ଓମିକ୍ରନ୍ ଏବଂ ଏହାର ସବ୍-ଲାଇନ୍ଗୁଡ଼ିକ ମୁଖ୍ୟ ପ୍ରକାର ଭାବରେ ଦେଖା ଦେଉଛି, ଅଧିକାଂଶ ନୂତନ ଭାବରେ ଦେଖା ଯାଇଥିବା ପ୍ରକାରଗୁଡ଼ିକରେ କୌଣସି ଗୁରୁତ୍ବପୂର୍ଣ୍ଣ  ସଂକ୍ରମଣ, ରୋଗର ଗମ୍ଭୀରତା କିମ୍ବା ଉଲ୍ଲେଖନୀୟ ଲକ୍ଷଣ ଦେଖାଯାଇ ନାହିଁ। ଏକ୍ସବିବି.1.16 ର ପ୍ରାଦୁର୍ଭାବ ଫେବୃଆରୀରେ 21.6% ରୁ ମାର୍ଚ୍ଚ 2023 ରେ 35.8% କୁ ବୃଦ୍ଧି ପାଇଛି। ତଥାପି ଡାକ୍ତରଖାନାରେ ଭର୍ତ୍ତି କିମ୍ବା ମୃତ୍ୟୁହାର ବୃଦ୍ଧି ହେବାର କୌଣସି ପ୍ରମାଣ ରିପୋର୍ଟ କରାଯାଇ ନାହିଁ।

ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଭାରତ ପ୍ରାଥମିକ ଟୀକାକରଣର 90% ରୁ ଅଧିକ କଭରେଜ୍ ହାସଲ କରିଥିବାବେଳେ ପ୍ରିକସନ୍ ଡୋଜର ମାତ୍ରା କମ୍ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ସମସ୍ତ ଯୋଗ୍ୟ ଜନସଂଖ୍ୟା, ବିଶେଷକରି ବୃଦ୍ଧ ଏବଂ ଅସୁରକ୍ଷିତ ଜନସଂଖ୍ୟା ଟୀକାକରଣକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି।

ଏହା ମଧ୍ୟ ଦେଖାଯାଇଛି ଯେ ଆଠଟି ରାଜ୍ୟ ଭାରତରେ ଅଧିକ ସଂଖ୍ୟକ କୋଭିଡ ମାମଲା ରିପୋର୍ଟ କରିଛନ୍ତି ଯେଉଁଥିରେ 10 କିମ୍ବା ଅଧିକ ଜିଲ୍ଲା କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ 10% ରୁ ଅଧିକ ପଜିଟିଭ୍ ରିପୋର୍ଟ କରିଛନ୍ତି ଏବଂ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ହରିୟାଣା ରାଜ୍ୟରେ 5 ରୁ ଅଧିକ ଜିଲ୍ଲା 5% ରୁ ଅଧିକ ସକାରାତ୍ମକତା ରିପୋର୍ଟ କରୁଛନ୍ତି। କୋଭିଡ୍ ଉପଯୁକ୍ତ ଆଚରଣକୁ ପାଳନ କରିବା ବିଷୟରେ ଜନସଚେତନତା ଅଭିଯାନକୁ ବୃଦ୍ଧି କରିବାର ଗୁରୁତ୍ୱ ଉପରେ ଡଃ ମନସୁଖ ମାଣ୍ଡଭିୟ ଗୁରୁତ୍ୱାରୋପ କରିଛନ୍ତି। ପର୍ଯ୍ୟାପ୍ତ ପରିମାଣର ଡାକ୍ତରଖାନା ଶଯ୍ୟା ଉପଲବ୍ଧତା ସହିତ ସମସ୍ତ ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମିର ପ୍ରସ୍ତୁତିକୁ ବ୍ୟକ୍ତିଗତ ଭାବରେ ତଦାରଖ ଏବଂ ସମୀକ୍ଷା କରିବାକୁ ଏବଂ ଆବଶ୍ୟକୀୟ ଔଷଧର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଥିବା ସୁନିଶ୍ଚିତ କରିବାକୁ ସେ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟମାନଙ୍କୁ ମଧ୍ୟ କୋଭିଡ୍‌ ଇଣ୍ଡିଆ ପୋର୍ଟାଲରେ ନିୟମିତ ଭାବରେ ସେମାନଙ୍କର କୋଭିଡ୍‌ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଛି।

ବିଶ୍ବର କୋଭିଡ୍‌-19 ପରିସ୍ଥିତି ଏବଂ ଘରୋଇ ପରିସ୍ଥିତି ଉପରେ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳକୁ ସୂଚନା ଦିଆଯାଇଥିଲା। 25 ମାର୍ଚ୍ଚ 2023 ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆର ଦ୍ବାରା ସମସ୍ତ ରାଜ୍ୟକୁ ଦିଆଯାଇଥିବା ମିଳିତ ପରାମର୍ଶ ବିଷୟରେ ସେମାନଙ୍କୁ ମନେ ପକାଇ ଦିଆଯାଇଥିଲା ଏବଂ ଏହା ସହିତ ଶୀଘ୍ର ଚିହ୍ନଟ, ବିଚ୍ଛିନ୍ନତା, ପରୀକ୍ଷଣ ଏବଂ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ଏବଂ କୋଭିଡ -19 ରୋଗର ତୁରନ୍ତ ପରୀକ୍ଷା କରିବା ଆଦି ବିଷୟ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଏହା ସହିତ ନୂତନ ସାର୍ସ-ସିଓଭି-2 ପ୍ରକାର ଗୁଡିକର ଚିହ୍ନଟ ଏବଂ ନିୟନ୍ତ୍ରଣ କରିବା ପାଇଁ ସନ୍ଦିଗ୍ଧ ଏବଂ ନିଶ୍ଚିତ ହୋଇଥିବା ମାମଲା ଗୁଡ଼ିକର ସଠିକ୍ ସମୟରେ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଥିଲା। ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଅନୁରୋଧ କରିଛନ୍ତି। ହସ୍ପିଟାଲର ଭିତ୍ତିଭୂମି ବୃଦ୍ଧି ସହିତ କୋଭିଡ୍ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଏବଂ ବ୍ୟାପକ ଭାବରେ ଆଲୋଚନା ହୋଇଥିଲା ଏବଂ ଏହା ସହିତ ଟେଷ୍ଟିଂ ବୃଦ୍ଧି କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

କୋଭିଡ୍‌ -19 ର ଠିକ ସମୟରେ ପ୍ରସ୍ତୁତି ଏବଂ ପରିଚାଳନାର ଗୁରୁତ୍ୱ ଉପରେ ଡକ୍ଟର ଭାରତୀ ପ୍ରବୀଣ ପାୱାର ଗୁରୁତ୍ୱାରୋପ କରିଥିଲେ। ପ୍ରାଥମିକତା ଭାବରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନବୀକରଣ ପାଇଁ ଇସିଆରପି-II ର ସେୟାର କାର୍ଯ୍ୟକାରୀ କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ପର୍ଯ୍ୟଟନ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ସେମାନଙ୍କର ମନିଟରିଂ କୌଶଳକୁ ମଜବୁତ କରିବାକୁ ଏବଂ ସତର୍କ ରହିବାକୁ ସେ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଗୁଡ଼ଇକୁ ରାଜ୍ୟଗୁଡିକ ପ୍ରଶଂସା କରିଛନ୍ତି। ସେମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ କୋଭିଡ୍‌ -19 ର ପ୍ରଭାବଶାଳୀ ପ୍ରତିରୋଧ ଏବଂ ପରିଚାଳନା ପାଇଁ କେନ୍ଦ୍ର ସହିତ ମିଳିତ ଭାବରେ କାର୍ଯ୍ୟ କରିବେ | ସେମାନେ ସଚେତନ ଅଛନ୍ତି ଏବଂ ବର୍ତ୍ତମାନର ପରିସ୍ଥିତିର ସମୀକ୍ଷା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। 10 ଏବଂ 11 ଏପ୍ରିଲ, 2023 ରେ ଉଭୟ ସରକାରୀ ତଥା ବେସରକାରୀ ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ଡାକ୍ତରଖାନା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ସେମାନେ ମକ୍ ଡ୍ରିଲ୍ କରିବେ ବୋଲି ରାଜ୍ୟ ଗୁଡ଼ିକ ନିଶ୍ଚିତ କରିଛନ୍ତି।

ଏନ ରଙ୍ଗସ୍ୱାମୀ, ମୁଖ୍ୟମନ୍ତ୍ରୀ, ପୁଡୁଚେରୀ, ଧନ ସିଂ ରାୱତ, ସ୍ୱାସ୍ଥ୍ୟମନ୍ତ୍ରୀ (ଉତ୍ତରାଖଣ୍ଡ),  କେଶବ ମହନ୍ତ, ସ୍ୱାସ୍ଥ୍ୟମନ୍ତ୍ରୀ (ଆସାମ), ବିଶ୍ୱଜିତ୍ ରାଣେ, ସ୍ୱାସ୍ଥ୍ୟମନ୍ତ୍ରୀ (ଗୋଆ), ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟମନ୍ତ୍ରୀ (ଝାଡଖଣ୍ଡ), ପ୍ରଭୁରାମ ଚୌଧୁରୀ, ସ୍ୱାସ୍ଥ୍ୟମନ୍ତ୍ରୀ (ମଧ୍ୟପ୍ରଦେଶ),  ବଲବୀର ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ, (ପଞ୍ଜାବ), ଡ. ସପନ୍ ରଞ୍ଜନ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ (ମଣିପୁର),  ଅନିଲ୍ ଭିଜ୍, ସ୍ୱାସ୍ଥ୍ୟମନ୍ତ୍ରୀ (ହରିୟାଣା),  ଥିରୁ ମା ସୁବ୍ରମଣ୍ୟନ, ସ୍ୱାସ୍ଥ୍ୟମନ୍ତ୍ରୀ (ତାମିଲ) ନାଡୁ), ଡକ୍ଟର (କଲ୍‌) ଧନି ରାମ ଶାଣ୍ଡିଲ, ସ୍ୱାସ୍ଥ୍ୟମନ୍ତ୍ରୀ (ହିମାଚଳ ପ୍ରଦେଶ), ବିଦାଦାଲା ରଜନୀ, ସ୍ୱାସ୍ଥ୍ୟମନ୍ତ୍ରୀ (ଆନ୍ଧ୍ରପ୍ରଦେଶ), ଥାନେରୁ ହରିଶ ରାଓ, ସ୍ୱାସ୍ଥ୍ୟମନ୍ତ୍ରୀ (ତେଲେଙ୍ଗାନା), ରୁଷିକେଶ ପଟେଲ, ସ୍ୱାସ୍ଥ୍ୟମନ୍ତ୍ରୀ (ଗୁଜୁରାଟ), ନିରଂଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ (ଓଡ଼ିଶା), ଆଲୋ ଲିବାଙ୍ଗ, ସ୍ୱାସ୍ଥ୍ୟମନ୍ତ୍ରୀ (ଅରୁଣାଚଳ ପ୍ରଦେଶ), ତାନାଜୀ ସାୱନ୍ତ, ସ୍ୱାସ୍ଥ୍ୟମନ୍ତ୍ରୀ (ମହାରାଷ୍ଟ୍ର), ମାଜେଲ୍ ଆମ୍ପାରିନ୍ ଲିଙ୍ଗଡୋ, ସ୍ୱାସ୍ଥ୍ୟମନ୍ତ୍ରୀ (ମେଘାଳୟ), ସୌରଭ ଭରଦ୍ୱାଜ, ସ୍ୱାସ୍ଥ୍ୟମନ୍ତ୍ରୀ (ଦିଲ୍ଲୀ) ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଚାରିଧାମ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହେବ: ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରାରେ ସାମିଲ ହେଉଥିବା ଦେଶର ତୀର୍ଥଯାତ୍ରୀମାନଙ୍କୁ ଏକ ସୁଦୃଢ ସ୍ୱାସ୍ଥ୍ୟ ସହାୟତା ଓ ଜରୁରୀ ପରିଚାଳନା ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇଦେବେ। ସମ୍ପୃକ୍ତ ତୀର୍ଥଯାତ୍ରୀମାନଙ୍କୁ ଏହି ସମଗ୍ର ଯାତ୍ରା କାଳରେ ଚିକିତ୍ସା ଓ ଜରୁରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ତ୍ରିସ୍ତରୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏଠାରେ କହିଛନ୍ତି।

ଆଜି ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂହ ରାୱତ ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଡକ୍ଟର ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି। ଆଗାମୀ ଚାର୍ଧାମ ଯାତ୍ରାକାଳରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଥିରେ ସାମିଲ ହେବାର ସମ୍ଭାବନା ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ଜରୁରୀ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଡକ୍ଟର ଧନସିଂହ ରାୱତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସେ ଆହୁରି କହିଥିଲେ ଯେ ଚାର୍ଧାମ ଯାତ୍ରାର ପଥ ଅତ୍ୟନ୍ତ ବିପଦ ସଙ୍କୁଳ। ଏହି ରାସ୍ତାରେ ଯିବାବେଳେ ଯାତ୍ରୀମାନେ ବିଭିନ୍ନ ପ୍ରକାର ଅସୁବିଧା ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହୃଦ୍ଘାତ ଓ ଆଉ କେତେକ ସ୍ୱାସ୍ଥ୍ୟଗତ ଜଟିଳତାରୁ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ। ବିଶେଷକରି ବିବିଧ ରୋଗରେ ପୀଡିତ ତୀର୍ଥଯାତ୍ରୀମାନେ ଅଧିକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବୋଲି ସେ କହିଛନ୍ତି।

ଉତ୍ତରାଖଣ୍ଡ ମନ୍ତ୍ରୀଙ୍କଠାରୁ ସବୁ କଥା ଶୁଣିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ତାଙ୍କୁ ଦେଇଥିଲେ। ସେ କହିଥିଲେ ଯେ “ଚାର୍ଧାମ ତୀର୍ଥଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ସମ୍ଭାବ୍ୟ ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳନୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ ଆକ୍ରାନ୍ତ ଯାତ୍ରୀଙ୍କୁ ଯଥାସମ୍ଭବ ଶ୍ରେଷ୍ଠ ଚିକିତ୍ସା ସହାୟତା ଯୋଗାଇ ଦେବେ। ଚାରିଧାମ ରାସ୍ତାରେ ଆଗୁଆ ଆମ୍ବୁଲାନ୍ସ ଓ ଷ୍ଟୋକ ଭ୍ୟାନ ମୁତୟନ କରାଯିବା ସହିତ ହୃଦ୍ଘାତରେ ଆକ୍ରାନ୍ତ ଯାତ୍ରୀଙ୍କୁ ଯଥାସମ୍ଭବ ଶ୍ରେଷ୍ଠ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଯୋଜନା କରାଯାଉଛି। ଏହା ଫଳରେ ରୋଗୀ ତତ୍କାଳ ଚିକିତ୍ସା ସୁବିଧା ପାଇବେ ଏବଂ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିବ। ଯାତ୍ରା ପଥର ବିଭିନ୍ନ ସ୍ଥାନରେ ଏସବୁ ଆମ୍ବୁଲାନ୍ସ ଓ ଷ୍ଟୋକ ଭ୍ୟାନକୁ ମୁତୟନ କରାଯିବ। ଦେଶର ବିଭିନ୍ନ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀମାନଙ୍କୁ ଯାତ୍ରା ପଥରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଯୋଗାଇ ପାଇଁ ମୁତୟନ କରିବାକୁ ଚେଷ୍ଟା କରାଯାଉଛି। ଏହା ଫଳରେ ସମ୍ପୃକ୍ତ ପିଜି ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଓ କୁଶଳତା ବୃଦ୍ଧି କରିବାର ଅଭିଜ୍ଞତା ପାଇବେ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯାତ୍ରା ପଥର ଉଚ୍ଚ ପାର୍ବତ୍ୟାଞ୍ଚଳରେ ତୀଥଯାତ୍ରୀଙ୍କ ପାଇଁ ଜରୁରୀ ଔଷଧ ଯୋଗାଣରେ ଡ୍ରୋନର ବ୍ୟବହାର କରାଯିବ। ତେଣୁ ଚାରିଧାମ ଯାତ୍ରାରେ ସେ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଯିବ। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଆଦି ତୀର୍ଥସ୍ଥଳ ସମୁଦ୍ର ପତନଠାରୁ ୧୦ହଜାର ପୁଟ୍ ଉଚ୍ଚରେ ଗଡୱାଲ ହିମାଳୟରେ ଅବସ୍ଥିତ। ନିକଟରେ ଏମ୍ସ-ଋଷିକେଶ ପକ୍ଷରୁ ଡ୍ରୋନ ସେବା ମାଧ୍ୟମରେ ଔଷଧ ଯୋଗାଣ କାର୍ଯ୍ୟ ହାତକୁ ନିଆଯାଇଛି। ଆହୁରି ମଧ୍ୟ ରୋଗୀଙ୍କ ପାଇଁ ଋଷିକେଶ ଏମ୍ସ, ଡୁନ ମେଡିକାଲ କଲେଜ ଓ ଶ୍ରୀନଗର ମେଡିକାଲ କଲେଜ ପକ୍ଷରୁ ଏକ ସୁଦୃଢ ରେଫରାଲ ସୁବିଧା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ବିଶେଷଜ୍ଞ ଚିକିତ୍ସା ଓ ପରାମର୍ଶ ମଧ୍ୟ ଦିଆଯାଉଛି। ଆବଶ୍ୟକ ପଡିଲେ ତୀର୍ଥଯାତ୍ରୀଙ୍କୁ ଏହି ରେଫରାଲ ସୁବିଧା ମାଧ୍ୟମରେ ଆବଶ୍ୟକ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି।

ଏସବୁ ପଦକ୍ଷେପ ଓ ବ୍ୟବସ୍ଥାକୁ ସଫଳ କରିବା ପାଇଁ ନାଗରିକ ଅନୁକୂଳ ଯୋଗାଯୋଗ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଗୁରୁତ୍ୱ ଦିଆଯିବ। ପାଣିପାଗର ସ୍ଥିତି, ସ୍ୱାସ୍ଥ୍ୟସେବା କେନ୍ଦ୍ରର ଠିକଣା, କଲସେଣ୍ଟର ନମ୍ବର, ପ୍ରାକ୍ ଯାତ୍ରା ସ୍କ୍ରିନିଂ, ଏମରେଜେନ୍ସି ସପୋର୍ଟ ନମ୍ବର ଆଦି ବିଷୟରେ ମଧ୍ୟ ତୀର୍ଥଯାତ୍ରୀମାନେ ୱେବସାଇଟ ଓ ପୋର୍ଟାଲରୁ ତଥ୍ୟ ପାଇପାରିବେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: କୋଭିଡ ସମେତ ସମସ୍ତ ଔଷଧପତ୍ର ମହଜୁଦ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଦେଶର କୋଭିଡ ପରିଚାଳନା ପାଇଁ ଔଷଧପତ୍ର ଉପଲବ୍ଧତା ସହ ଉତ୍ପାଦନ ସାମର୍ଥ୍ୟ ନେଇ ଔଷଧ କମ୍ପାନୀ ପ୍ରତିନିଧିଗଣଙ୍କ ସହ ଆଭାସୀ ମାଧ୍ୟମରେ ଆଜି (୨୯-୧୨.୨୦୨୨)  ସମୀକ୍ଷା କରିଛନ୍ତି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ନେଇ ପ୍ରସ୍ତୁତ ରହିବା ହେଉଛି ଏହି ସମୀକ୍ଷାର ଉଦ୍ଦେଶ୍ୟ। ବିଶ୍ୱବ୍ୟାପୀ କେତେକ ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି।

ଏକ ପରୀକ୍ଷାମୂଳକ ପ୍ରଦର୍ଶନ ମାଧ୍ୟମରେ ବୈଶ୍ୱିକ କୋଭିଡ ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଦେଶରେ କୋଭିଡ ବୈଶ୍ୱିକ ମହାମାରୀ କାଳରେ ଅମୂଲ୍ୟ ଅବଦାନ ପାଇଁ ଡକ୍ଟର ମନସୁଖ ମାଣ୍ଡଭିୟ ଔଷଧ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ। “ଭାରତୀୟ ଔଷଧ ପ୍ରସ୍ତୁତକାରୀ ଶିଳ୍ପ ସମୂହ ଦୃଢ, ନମନୀୟ ଓ ଦକ୍ଷ। ସେମାନଙ୍କ ମଜବୁତ ସ୍ଥିତି ଯୋଗୁଁ ବୈଶ୍ୱିକ ମହାମାରୀ କାଳରେ ଆମେ ନିଜର ଚାହିଦା ପୂରଣ କରିବା ସହ ୧୫୦ଟି  ଦେଶକୁ ଔଷଧପତ୍ର ପଠାଇ ପାରିଛୁ।” ଔଷଧପତ୍ରର ଦରଦାମ ବୃଦ୍ଧି ନ କରି ତଥା ଗୁଣାତ୍ମକ ମାନରେ କୌଣସି ସାଲିସ ନ କରି ଆମେ ଏହା କରିପାରିଛୁ ବୋଲି ସେ କହିଥିଲେ।

ଔଷଧ କମ୍ପାନୀଗୁଡିକୁ ବୈଶ୍ୱିକ ଯୋଗାଣ ବ୍ୟବସ୍ଥା ଉପରେ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। କୋଭିଡ ପରିଚାଳନା ପାଇଁ ଆବଶ୍ୟକୀୟ ଔଷଧ ଉତ୍ପାଦନ ଓ ଏ.ପି.ଆଇ. ଉପଲବ୍ଧତା ଉପରେ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ଦେବାକୁ କୁହାଯାଇଛି। ପର୍ଯ୍ୟାପ୍ତ ଅନ୍ୟାନ୍ୟ ଔଷଧ ମହଜୁଦ୍ ରଖିବା ସହ କୋଭିଡ ଔଷଧର ପାଇକାରୀ ଯୋଗାଣ ଧାରା ଉପରେ ପଦକ୍ଷେପ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମୟୋଜିତ ସମୀକ୍ଷା ବୈଠକ ପାଇଁ ଔଷଧ ପ୍ରସ୍ତୁତିକାରୀ କମ୍ପାନୀମାନେ ପ୍ରଶଂସା କରିବା ସହ ସେମାନଙ୍କ ନିରବିଚ୍ଛିନ୍ନ ସମର୍ଥନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ ଔଷଧ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସେମାନଙ୍କ ଦୃଢ ବିଶ୍ୱାସଥିବା ମଧ୍ୟ ଜଣାଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଫାର୍ମା ସଚିବ ଏସ. ଅପର୍ଣ୍ଣା, ଏନପିପିଏ ଅଧ୍ୟକ୍ଷ କମଳେଶ ପନ୍ଥ, ଡିସିଜିଆଇ ଡକ୍ଟର ଭି.ଜି. ସୋମାନୀ ଓ ଔଷଧ କମ୍ପାନୀ ପ୍ରତିନିଧିଗଣ ସମୀକ୍ଷା ବୈଠକ କାଳରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା

ନୂଆଦିଲ୍ଲୀ: ନିକଟରେ କେତେକ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏକ ବୈଠକରେ ଅଧ୍ୟକ୍ଷତା କରି ଦେଶରେ କୋଭିଡ-୧୯ ପରିସ୍ଥିତି, ଜନସ୍ୱାସ୍ଥ୍ୟ ପଦ୍ଧତି ଉପରେ ତୀକ୍ଷ୍ଣ ନଜର, ଏହାର ପରିଚାଳନା ଓ ନିରାକରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି. କେ. ପଲ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବୈଶ୍ୱିକ କୋଭିଡ-୧୯ ପରିସ୍ଥିତି ଓ ଦେଶୀୟ ଦୃଶ୍ୟପଟ ଉପରେ ସୂଚନା ଦିଆଯାଇଛି। ବିଶ୍ୱର କେତେକ ଦେଶ ଯଥା ଚୀନ, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-୧୯ର ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏଥିରୁ ବାହାରୁଥିବା ନୂତନ ପ୍ରଜାତି ନେଇ, ବିଶେଷକରି ଆସୁଥିବା ପର୍ବପର୍ବାଣି ସମୟରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ଶେଷ ହୋଇନଥିବା ଉପରେ ଗୁରୁତ୍ୱ ଆରୋପ କରି ସେ ନିରୀକ୍ଷଣକୁ ଅଧିକ ବ୍ୟାପକ କରିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଜନସାଧାରଣଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବା ସହ କୋଭିଡରୁ ଦୂରେଇ ରହିବା ପାଇଁ ଟିକା ନେବାକୁ ନିବେଦନ କରିଥିଲେ।

ଡକ୍ଟର ମନସୁଖ ମାଣ୍ଡଭିୟ ନିରୀକ୍ଷଣ ପଦ୍ଧତିକୁ ଅଧିକ ବ୍ୟାପକ କରି ଜିନୋମ ସିକ୍ୱେନ୍ସିଂ ଜରିଆରେ ନମୁନାଗୁଡ଼ିକୁ ପରୀକ୍ଷା କରି ସମ୍ଭାବ୍ୟ କୋଭିଡ ପ୍ରଜାତିକୁ ଭାରତୀୟ ସାର୍ସ-କଭ ୨ ଜେନୋମିକ୍ସ କନସୋରଟିୟମ (ଆଇଏନଏସଏ ସିଓଜି) ନେଟୱର୍କ ଜରିଆରେ ସମୟୋଚିତ ଚିହ୍ନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାଦ୍ୱାରା ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତ୍ୟେକ କୋଭିଡ-୧୯ ପଜିଟିଭ ମାମଲାଗୁଡ଼ିକର ନୂତନ ପ୍ରଜାତି ଚିହ୍ନଟ ଲାଗି ଦୈନିକ ଭିତ୍ତିରେ (ଆଇଏନଏସଏ ସଓଜି) ଜିନୋମ ସ୍ୱିକ୍ୱେନ୍ସିଂ ପରୀକ୍ଷାଗାର ପଠାଇବା ଲାଗି ଅନୁରୋଧ କରାଯାଇଛି।

ଏକ ପ୍ରଦର୍ଶନ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭାରତରେ ମାମଲାର ଦ୍ରୁତ ହ୍ରାସ ନେଇ ସୂଚନା ଦିଆଯିବା ସହ ଡିସେମ୍ବର ୧୯, ୨ଠ୨୨ ସୁଦ୍ଧା ସପ୍ତାହରେ ୧୫୮ଟି ମାମଲା ଚିହ୍ନଟ ହୋଇଥିବା କୁହାଯାଇଛି। ମାତ୍ର ବୈଶ୍ୱିକ ସ୍ତରରେ ଦୈନିକ ଭିତିରେ ଗତ ଛଅ ସପ୍ତାହ ମଧ୍ୟରେ ଡିସେମ୍ବର ୧୯, ୨ଠ୨୨ରେ ସରୁଥିବା ସପ୍ତାହ ସୁଦ୍ଧା ଦୈନିକ ୫.୯ ଲକ୍ଷ ମାମଲା ଚିହ୍ନଟ ହୋଇଛି। ଚୀନରେ ଦ୍ରୁତ ସଂକ୍ରମଣକ୍ଷମ ବିଏଫ-୭ ଓମିକ୍ରନ ପ୍ରଜାତି ଚୀନର କୋଭିଡ ମାମଲା ବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-୧୯ ସକ୍ରାନ୍ତ ସଂଶୋଧିତ ନିରୀକ୍ଷଣ ରଣନୀତିକୁ ମାର୍ଗଦର୍ଶିକା ଜୁନ ୨ଠ୨୨ରୁ ଜାରି କରାଯାଇଛି। ଏଥିରେ ସଅଳ ଚିହ୍ନଟ, ସଂଗରୋଧ, ପରୀକ୍ଷା ଓ ସମ୍ଭାବ୍ୟ ଓ ନିଶ୍ଚିତ ମାମଲାଗୁଡ଼ିକର ସମୟଭିତ୍ତିକ ପରିଚାଳନା ଓ ସାର୍ସ-କଭ-୨ ପ୍ରଜାତିର ପ୍ରସାର ରୋକିବା ପରିପ୍ରେକ୍ଷୀରେ କରାଯାଇଛି। ଏହାକୁ ସକ୍ରିୟ ଭାବେ ତ୍ୱରାନ୍ୱିତ କରିବାକୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ, ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଜୈବ ପ୍ରଯୁକ୍ତିବିଦ୍ୟା ସେବା ସଚିବ ଡକ୍ଟର ଆର.ଏସ. ଗୋଖାଲେ, ଆୟୁଷ ସଚିବ ରାଜେଶ କୋଟେଚା, ସ୍ୱାସ୍ଥ୍ୟ ଗବେଷଣା ସଚିବ ଡକ୍ଟର ରାଜୀବ ଲାଲ, ଡିଜିଏସଏଚ ଡକ୍ଟର ଅତୁଲ ଗୋଏଲ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଲବ ଅଗ୍ରୱାଲ, କୋଭିଡ କାର୍ଯ୍ୟକାରୀ ଗୋଷ୍ଠୀ ଅଧ୍ୟକ୍ଷ ଡକ୍ଟର ଏନ.କେ. ଅରୋରା, ଟିକାକରଣ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

“ୟୁରିଆରେ ଆତ୍ମନିର୍ଭର ହେବ ଭାରତ”: କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ୍ (ଏଚୟୁଆରଏଲ୍) -ସିନ୍ଦ୍ରି ଏବଂ ବାରାଉନି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଖୁବ ଶୀଘ୍ର ଏଚୟୁଆରଏଲ୍-ବାରାଉନି ଏବଂ ସିନ୍ଦ୍ରି କାରଖାନାରୁ ୟୁରିଆ ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ ଏହି ଦୁଇଟି କାରଖାନା ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନରୁ ଅଧିକ ୟୁରିଆ ଉତ୍ପାଦନ କରିବ ଯାହା ସମାନ ପରିମାଣ ୟୁରିଆର ଆମଦାନୀ ହ୍ରାସ କରିବାରେ ସହାୟକ ହେବ।

କେନ୍ଦ୍ର ମନ୍ତ୍ରୀ ଆମୋନିଆ/ୟୁରିଆ ଉତ୍ପାଦନ ପାଇଁ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଜ୍ଞାନକୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍) ର ସମୀକ୍ଷା କରିଛନ୍ତି। ଟିଏଫ୍ଏଲର ଉତ୍ପାଦନ କ୍ଷମତା ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ ହେବ। ୨୦୨୪ ମସିହାରେ ଟିଏଫ୍ଏଲର କାର୍ଯ୍ୟକାରୀ ହେବା ଆଶା କରାଯାଉଛି।

ଡକ୍ଟର ମନସୁଖ ମାଣ୍ଡଭିୟ ଉଲ୍ଲେଖ କରିଛନ୍ତି ଯେ ଏହି କାରଖାନାଗୁଡିକରୁ ସ୍ୱଦେଶୀ ୟୁରିଆ ଉତ୍ପାଦନ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭର କୃଷି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ ହେବ। ସେ ଦର୍ଶାଇଛନ୍ତି ଯେ ସରକାରଙ୍କ ପ୍ରୟାସ ଦ୍ୱାରା ଭାରତ ୟୁରିଆ ଉତ୍ପାଦନରେ ଆତ୍ମର୍ନିଭରଶୀଳ ହେବ। ଏହାଛଡା ଏହି କାରଖାନାଗୁଡିକ ପ୍ରତ୍ୟକ୍ଷ ଭାବେ ୫୦୦ ଏବଂ ପରୋକ୍ଷ ଭାବେ ୧୫୦୦ ନିଯୁକ୍ତି ସୃଷ୍ଟି କରିବ।

ସରକାର ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ୟୁନିଟଗୁଡିକର ପୁନରୁଦ୍ଧାର ପାଇଁ ମନୋନୀତ ରାଷ୍ଟ୍ରାୟତ ସଂସ୍ଥା ଗୁଡ଼ିକର ମିଳିତ କମ୍ପାନୀ ଯଥା ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ (ଏନଟିପିସି), ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଏବଂ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏଫ୍ସିଆଇଏଲ) / ହିନ୍ଦୁସ୍ତାନ ଫର୍ଟିଲାଇଜର୍ କର୍ପୋରେସନ୍ ଲିମିଟେଡ (ଏଚଏଫ୍ସିଏଲ୍) ମାଧ୍ୟମରେ ପୁନରୁଦ୍ଧାର କରିବେ। ତଦନୁଯାୟୀ ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ପ୍ରତ୍ୟେକ ଠାରେ ୧୨.୭ ଏଲଏମଟିପିଏ କ୍ଷମତା ବିଶିଷ୍ଟ ଗ୍ୟାସ ଭିତ୍ତିକ ଆମୋନିଆ ୟୁରିଆ କାରଖାନା ପ୍ରତିଷ୍ଠା ପାଇଁ ଏନଟିପିସି, ଆଇଓସିଏଲ ଏବଂ ସିଆଇଏଲ ଦ୍ୱାରା ୨୯.୬୭% ଏବଂ ସିଆଏଲ୍ ଏବଂ ଏଫ୍ସିଆଇଏଲ୍ ଦ୍ୱାରା ୧୧% ଇକ୍ୟୁଟି ସହଯୋଗରେ ହିନ୍ଦୁସ୍ତାନ ଉର୍ବରକ ରସାୟନ ଲିମିଟେଡ ନାମକ ଏକ ମିଳିତ ଉଦ୍ୟୋଗ କମ୍ପାନୀ କାର୍ଯ୍ୟକାରୀ ହେଉଛି।

ମନୋନୀତ ରଷ୍ଟ୍ରାୟତ ସଂସ୍ଥା ଗୁଡ଼ିକର ଏକ ମିଳିତ କମ୍ପାନୀ ଗଠନ କରି ତାଳଚେର ୟୁନିଟର ପୁନରୁଦ୍ଧାର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିସବୁ ରାଷ୍ଟ୍ରାୟତ ସଂସ୍ଥା ମଧ୍ୟରେ ଗ୍ୟାସ ଅଥରିଟୀ ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ୍), କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍), ରାଷ୍ଟୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ୍ (ଆରସିଏଫ୍) ଏବଂ ଏଫ୍ସିଆଇଏଲ୍ ରହିଛି। ତଦନୁଯାୟୀ, ତାଳଚେର ଫର୍ଟିଲାଇଜର୍ ଲିମିଟେଡ୍ (ଟିଏଫ୍ଲ) ନାମକ ଏକ ମିଳିତ କମ୍ପାନୀ ଗଠନ ହୋଇଛି ଯେଉଁଥିରେ ଗେଲ, ଆରସିଏଫ୍ ଓ ସିଆଏଲ୍ର ୩୧.୮୫% ଇକ୍ୱିଟି ଅଂଶଗ୍ରହଣ ଥିବାବେଳେ ଏଫ୍ସିଆଏଲ୍ ୪.୪୫% ଇକ୍ୱିଟି ବଜାୟ ରଖିଛି।