Categories
ବିଶେଷ ଖବର ସ୍ବାସ୍ଥ୍ୟ

ଅମରନାଥ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡିଜିଏଚଏସର ବରିଷ୍ଠ ଅଧିକାରୀଙ୍କ ସହ ଅମରନାଥ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ତଥା ପର୍ଯ୍ୟାପ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନର ସମୀକ୍ଷା କରିଛନ୍ତି।

ବେସ୍ କ୍ୟାମ୍ପରେ ଏବଂ ଯାତ୍ରା ପଥରେ ଦିଆଯାଉଥିବା ଚିକିତ୍ସା ସେବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା। ଜାମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯାତ୍ରୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ତଥା ଚିକିତ୍ସା ସେବା ଯୋଗାଇ ଦିଆଯାଉ ଯାହା ଦ୍ୱାରା କଠିନ ଯାତ୍ରା ସମୟରେ ସେମାନେ ଶାରୀରିକ ଭାବେ ସୁସ୍ଥ ରହିପାରିବେ। ମନ୍ତ୍ରୀ କହିଛନ୍ତି ଯେ ଯାତ୍ରା ସମୟରେ ଭକ୍ତମାନଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ଭୌଗୋଳିକ ଆହ୍ୱାନ, ବିଶେଷକରି ଉଚ୍ଚତା ପ୍ରସଙ୍ଗରେ ଅମରନାଥ ଯାତ୍ରା ବ୍ୟତିକ୍ରମ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବଢାଇବା ଏବଂ ପୂର୍ବାନୁମାନ କରିବା ସହିତ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଲାଗି ସହାୟତା କରୁଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବେସ୍ କ୍ୟାମ୍ପରେ ଚିକିତ୍ସା ସୁବିଧା ସ୍ଥାପନ କରାଯାଇଛି ଏବଂ ଆବଶ୍ୟକ ଭିତ୍ତିଭୂମି ସହିତ ସଂଯୁକ୍ତ କରାଯାଇଛି।

ବାଲଟାଲ ଏବଂ ଚନ୍ଦନୱାରୀରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦୁଇଟି ଅକ୍ଷ ମାର୍ଗ ବାଲଟାଲ ଏବଂ ଚନ୍ଦନୱାରୀରେ ଡିଆରଡିଓ ଦ୍ୱାରା କାର୍ଯ୍ୟକ୍ଷମ ହୋଇଆସୁଥିବା ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ ଏବଂ ସହାୟତା କରିଛି। ଏହି ଡାକ୍ତରଖାନାଗୁଡ଼ିକରେ ଯାତ୍ରୀଙ୍କ ପାଇଁ ନିୟୋଜିତ କର୍ମଚାରୀଙ୍କ ରହିବା ସୁବିଧା ଅନ୍ତର୍ଭୁକ୍ତ ହେବ । ଏହି ଡାକ୍ତରଖାନାଗୁଡ଼ିକରେ ପରୀକ୍ଷାଗାର ସୁବିଧା, ରେଡିଓ ଡାଏଗ୍ନୋସିସ୍‍, ସ୍ତ୍ରୀ ରୋଗ, ଆଇସିୟୁ, ହାଇପରବାରିକ୍ ଅମ୍ଳଜାନ ଚାମ୍ବର ସହିତ ନିରାକରଣ ଏବଂ ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିବ।

ଏହି ଡାକ୍ତରଖାନାଗୁଡ଼ିକ ୨୪ଘଣ୍ଟିଆ କାର୍ଯ୍ୟ କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରମା ୟୁନିଟ୍ ସହିତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ।

ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଡେପୁଟେସନ

ଡିଜିଏଚଏସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) ମଧ୍ୟ ୧୧ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରୀ ଡାକ୍ତରଖାନାରୁ ନାମାଙ୍କନ ମାଗି ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଡେପୁଟେସନ ଆରମ୍ଭ କରିଛି। ଏହି ଦଳଗୁଡିକ ୪ ଟି ବ୍ୟାଚ୍ / ସିଫ୍ଟରେ ମୁତୟନ ହେବେ। ଡେପୁଟେସନ୍ ପାଇଁ ମନୋନୀତ ଡାକ୍ତର / ପାରାମେଡିକ୍ସର ଦକ୍ଷତା ବଢାଇବା ସହିତ ଉଚ୍ଚ ସ୍ଥାନରେ ରୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ କିଭଳି ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମନ୍ୱୟ ରକ୍ଷା କରାଯାଉଛି। ଡିଟିଇଜିଏଚ୍‍ଏସର ଜରୁରୀକାଳୀନ ମେଡିକାଲ ରିଲିଫ ଡିଭିଜନର ଏକ ଟିମ୍‍ ଚଳିତବର୍ଷର ଯାତ୍ରା ପ୍ରସ୍ତୁତିର ସମୀକ୍ଷା ପାଇଁ ଉପଲବ୍ଧ ସ୍ଥାନୀୟ ଚିକିତ୍ସା ଭିତ୍ତିଭୂମି / ସୁବିଧା ଏବଂ ଅସ୍ଥାୟୀ ଡାକ୍ତରଖାନାର ମୂଲ୍ୟାଙ୍କନ କରୁଛି।

ୱେବ୍ ପୋର୍ଟାଲ୍ / ଆଇଟି ଆପ୍ଲିକେଶନ

ଉତ୍ତମ ଜରୁରୀକାଳୀନ ପ୍ରସ୍ତୁତି, ରୋଗର କାରଣକୁ ବୁଝିବା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ତଦାରଖ ପାଇଁ ଏକ କଷ୍ଟୋମାଇଜ୍ ହୋଇଥିବା ୱେବ୍‌-ଆଧାରିତ ରିଅଲ୍‌-ଟାଇମ୍ ତଥ୍ୟ ସଂଗ୍ରହ ମଡ୍ୟୁଲ୍ ଇଣ୍ଟିଗ୍ରେଟେଡ୍ ଡିଜିଜ୍‍ ସର୍ଭିଲାନ୍ସ ପ୍ରୋଗ୍ରାମ୍ (ଆଇଡିଏସପି) ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ  (ଆଇଏଚଆଇପି) ନେସନାଲ ସେଣ୍ଟର ଫର ଡିଜିଜ୍‍ କଣ୍ଟ୍ରୋଲ (ଏନସିଡିସି)ର ପୋର୍ଟାଲ ଦ୍ୱାରା ବିକଶିତ କରାଯାଉଛି।

ସଚେତନତା ପରାମର୍ଶ

ତୀର୍ଥଯାତ୍ରୀମାନଙ୍କ ସଚେତନତା ବୃଦ୍ଧି ପାଇଁ କ’ଣ କରାଯିବ ଏବଂ କ’ଣ କରାନଯିବ ସେଥିନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଉଚ୍ଚ ସ୍ଥାନରେ ଜରୁରୀକାଳୀନ ପରିସ୍ଥିତିର ଚିକିତ୍ସା ପରିଚାଳନା ପାଇଁ ଏସଓପି ଗୁଡିକ ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ଲିଖିତ ପ୍ରବନ୍ଧକୁ ସେୟାର କଲା ପିଏମ୍‍ଓ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ “ୱାନ ୱାର୍ଲଡ, ୱାନ ହେଲ୍‍ଥ” କୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସେୟାର କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏକ ଟୁଇଟ୍‍କୁ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଟୁଇଟ୍‍ କରିଛି;

https://twitter.com/PMOIndia/status/1667059358407200768?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1667059358407200768%7Ctwgr%5Eb80c7f79a5d03ffde171028bca48d80fe3f2ffab%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1931250

“କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କୋଭିଡ ମହାମାରୀ ସମୟରେ ବିଭିନ୍ନ ପ୍ଲାଟଫର୍ମ ଯଥା କୋ ୱିନ୍‍ ଏବଂ ଇ-ସଞ୍ଜିବନୀ କିଭଳି ଟୀକା ପ୍ରଦାନ ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗେମ୍‍ ଚେଞ୍ଜର ହୋଇଥିଲା ତାହା ଉପରେ ଲେଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵର ଠାରେ ସବୁ ଏମ୍ସ କେନ୍ଦ୍ରୀୟ ସଂସ୍ଥାନ ପରିଷଦର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଭୁବନେଶ୍ଵର ଏମ୍ସ ଠାରେ ସବୁ ନୂଆ ଏମ୍ସର କେନ୍ଦ୍ରୀୟ ସଂସ୍ଥାନ ପରିଷଦ (ସିଆଇବି)ର ଷଷ୍ଠ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ସାଂସଦ ଡକ୍ଟର ଅନୀଲ ଜୈନ, ସାଂସଦ ରମେଶ ଭିଦୁରୀ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସବୁ ଏମ୍ସକୁ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ପଦବୀ ସୃଷ୍ଟି, ନିଯୁକ୍ତି, ନୀତି କାର୍ଯ୍ୟକାରିତା, ସମସ୍ୟା ସମାଧାନ ଏବଂ ବିଭିନ୍ନ କ୍ରୟ ପାଇଁ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ସିଆଇବି କାର୍ଯ୍ୟ କରିଥାଏ। ଆଜିର ସିଆଇବି ବୈଠକରେ ମୁଖ୍ୟତଃ ପୂର୍ବ ସିଆଇବି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ସମୀକ୍ଷା କରାଯାଇଥିଲା।

ସବୁ ଏମ୍ସର ପ୍ରତିନିଧି, ବିଶିଷ୍ଟ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ଅତିଥିଙ୍କ ସମେତ ସବୁ ଅଂଶଗ୍ରହଣକାରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମାଣ୍ଡଭୀୟ ସ୍ୱାଗତ ଜଣାଇଥିଲେ। ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସିଆଇବି ବୈଠକ ଆୟୋଜନ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି କହିଥିଲେ ଯେ, ସିଆଇବି ବୈଠକରେ କେବଳ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ସମୀକ୍ଷା କରାଯାଇନଥାଏ ବରଂ ଭିନ୍ନ ଦୃଷ୍ଟିକୋଣ, ନୂତନ ଉପାୟ, ଅଭିନବ ସମାଧାନ ଓ ପରାମର୍ଶ ଉପସ୍ଥାପନ କରିବା ଲାଗି ଏହା ଏକ ମଞ୍ଚ। ସମସ୍ତ ଅଂଶଗ୍ରହଣକାରୀମାନେ ଏଥିରେ ନିଜର ଅଭିଜ୍ଞତା ଓ ବିଶେଷଜ୍ଞତାକୁ ଉପଯୋଗ କରି ଏମ୍ସର ଉନ୍ନତିକରଣ ପାଇଁ ଆବଶ୍ୟକ ପରାମର୍ଶ ଦେଇପାରିବେ। ଶ୍ରୀ ମାଣ୍ଡଭୀୟ ଜୋର ଦେଇ କହିଥିଲେ ଯେ, ଦେଶର ସବୁ ଏମ୍ସଗୁଡ଼ିକ ଜଟିଳ ରୋଗ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସଂସ୍ଥାନ ଭାବେ କାର୍ଯ୍ୟ କରିଥାନ୍ତି। ଏହି ସଂସ୍ଥାନଗୁଡ଼ିକୁ ବିଶ୍ଵସ୍ତରୀୟ ଉତ୍କୃଷ୍ଟ ସଂସ୍ଥାନରେ ପରିଣତ କରିବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଉନ୍ନତ ଗୁଣବତ୍ତା, କ୍ଲିନିକାଲ ଚିକିତ୍ସା, ଡାକ୍ତରୀ ଶିକ୍ଷାର ଉଚ୍ଚତମ ମାନକ ଏବଂ ଆଧୁନିକ ଗବେଷଣା ସହିତ ଏମ୍ସଗୁଡ଼ିକର ଉନ୍ନତୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅଧିକ ସହଭାଗୀ ‘‘ସମ୍ବାଦ’’ (ବିଚାରବିମର୍ଶ) ପାଇଁ ବିଚାରଶୀଳ ଉପାୟ ଓ ପ୍ରସଙ୍ଗର ଉପସ୍ଥାପନ କରିବା ଲାଗି ଏକ ମଞ୍ଚ ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏ ଦିଗରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ଆଇଆଇଟି ଓ ଆଇଆଇଏମ ଭଳି ପ୍ରତିଷ୍ଠାନ ଠାରୁ ଶିକ୍ଷାଲାଭ କରିବା ନିମନ୍ତେ ସେ ଉପସ୍ଥିତ ଅତିଥିମାନଙ୍କୁ ଆହ୍ୱାନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଏକ ପେସାଦାର କାର୍ଯ୍ୟ ସଂସ୍କୃତି ପାଇଁ ମେଟାଡାଟା ସୃଷ୍ଟି କରିବାର ଆବଶ୍ୟକତା ରହିଛି, ଏହା ଉନ୍ନତ ପରିଣାମ ଦେଇପାରିବ। ପରିଚାଳନା ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିବା ଲାଗି ସେ ଏମ୍ସ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ। ଏ ଦିଗରେ ଆସନ୍ତା ସିଆଇବି ବୈଠକରେ ପ୍ରସ୍ତାବ ଦେବାକୁ ସେ କହିଥିଲେ। ଏମ୍ସକୁ ବିଶ୍ଵସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥାରେ ପରିଣତ କରିବା ଦିଗରେ ଦ୍ରୁତ ଓ ନିରନ୍ତର ଭାବେ କାର୍ଯ୍ୟ କରିବା ନିମନ୍ତେ ସେ ସବୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବ ସିଆଇବି ବୈଠକରେ କରାଯାଇଥିବା ସୁପାରିସ ଆଧାରରେ ସବୁ ଏମ୍ସ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ଡକ୍ଟର ମାଣ୍ଡଭୀୟ ପ୍ରଶଂସା କରିଥିଲେ। ସୁଧାର ପାଇଁ ରହିଥିବା ସୁଯୋଗକୁ ଚିହ୍ନଟ କରିବା ଲାଗି ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ଏବଂ ସେଗୁଡ଼ିକ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ସେ ସବୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ। ଆଜିର ବୈଠକରେ ଆଲୋଚନା କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଅଧିକ ବିଚାରମନ୍ଥନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ‘‘ଆମେ ସମସ୍ତେ ମିଳିତ ଭାବେ ଭାରତର ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛୁ,’’ ସେ କହିଥିଲେ।

ସିଆଇବି ବୈଠକରେ ଯୋଗ ଦେବା ପୂର୍ବରୁ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏମ୍ସ ଭୁବନେଶ୍ଵରର ପରିଚାଳନା କାର୍ଯ୍ୟ ସମୀକ୍ଷା କରିଥିଲେ। ସେ ରୋଗୀ ସେବା ଅନୁଧ୍ୟାନ କରିବା ସହିତ ସେଠାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଥିଲେ ଯେ ଏମ୍ସ ବ୍ରାଣ୍ଡକୁ ଅଧିକ ଉଚ୍ଚ ସ୍ତରକୁ ନେଇଯିବା ସରକାରଙ୍କ ଲକ୍ଷ୍ୟ। ବିଶ୍ଵସ୍ତରରେ ସଫଳ ହୋଇଥିବା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକର ପରିଚାଳନା ମଡେଲ ଅନୁଧ୍ୟାନ କରିବା ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆପଣାଇବା ନିମନ୍ତେ ସେ ବୈଠକରେ ଉପସ୍ଥିତ ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ପରାମର୍ଶ ଦେଇଥିଲେ। ଆଭା ଆଇଟି ଏବଂ ସରକାରଙ୍କ ଅନ୍ୟ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ବିଭିନ୍ନ ଏଜେଣ୍ଡା ଉପରେ ବିଚାରବିମର୍ଶ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଚିନ୍ତନ ଶିବିରର ସୁପାରିସକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ପ୍ରଗତି ଅନୁଧ୍ୟାନ କରାଯାଇଥିଲା ଏବଂ ସବୁ ଏମ୍ସର ପରିଚାଳନା କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ପିଏମଏସଏସୱାଇ ଅଧୀନରେ ନୂଆ ଏମ୍ସର ନିରୀକ୍ଷଣ, ଦୀର୍ଘସ୍ଥାୟୀ ଆର୍ଥିକ ମଡେଲ, ରୋଗୀଙ୍କ ସନ୍ତୋଷ ବୃଦ୍ଧି ଏବଂ ଏକ ସହାୟକ ଭାବେ ଆଇସିଟିର ଉପଯୋଗ, ପରିଚାଳନା ଓ ପ୍ରଶାସନିକ ଢାଞ୍ଚା ଓ ମାନବ ସମ୍ବଳ ପରିଚାଳନା, କ୍ରୟ କ୍ଷେତ୍ରରେ ଅର୍ଥବ୍ୟବସ୍ଥାର ଉପଯୋଗ, ଭିଜନ ୨୦୩୦, ପରିଣାମ ଆଧାରିତ ସହଭାଗୀ ଗବେଷଣା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଏବଂ ପଞ୍ଚମ ସିଆଇବିର ବଳକା ଏଜେଣ୍ଡାର ଅଗ୍ରଗତି  ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।

ଏକ ବ୍ୟବସ୍ଥିତ ଓ ଚିନ୍ତା ଉଦ୍ରେକକାରୀ ଢଙ୍ଗରେ ଚିନ୍ତନ ଶିବିର ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ଅଂଶଗ୍ରହଣକାରୀମାନେ ଖୋଲାଖୋଲି ଭାବେ ସେମାନଙ୍କର ମତବ୍ୟକ୍ତ କରିବା ସହିତ ଆବଶ୍ୟକ ପରାମର୍ଶ ଦେଇପାରିଥିଲେ। ଏଥିପାଇଁ ସୁଯୋଗ ମିଳିଥିବାରୁ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏକ ଶ୍ରେଷ୍ଠ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିଥିବାରୁ ସେମାନେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ମନୋହର ଲୋହାନୀ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଜୟଦୀପ କୁମାର ମିଶ୍ରା, ଏମ୍ସ ଦେଓଘରର ଅଧ୍ୟକ୍ଷ ଡା. ଏନ.କେ. ଆରୋରା, ଅୱନ୍ତିପୁରା ଏମ୍ସ ଅଧ୍ୟକ୍ଷ ଡାକ୍ତର ପ୍ରମୋଦ ଗର୍ଗ,  କଲ୍ୟାଣୀ ଏମ୍ସର ଅଧ୍ୟକ୍ଷ ଡକ୍ଟର ଚିତ୍ରା ସରକାର, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କୁଳପତି ତଥା କୁଳସଚିବ ପ୍ରଫେସର ବିଜୟ କୁମାର ଶୁକ୍ଳାଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ନୀତି ଆୟୋଗ, ଏମ୍ସ, ନିମହାନ୍ସ ଏବଂ ଆଇସିଏମଆରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସହିତ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ଦସ୍ତକ ଅଭିଯାନ’କୁ ସୁଦୃଢ଼ କରିବା ଉପରେ ଜୋର ଦେଇଛନ୍ତି। ଦେଶରେ କୋଭିଡ ୧୯ ଟିକାର ‘ସୁରକ୍ଷା କବଚ’ରୁ ଯେପରି ଜଣେ ହେଲେ ଯୋଗ୍ୟ ନାଗରିକ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ମିଳିତ ଏବଂ ବହୁ-ଅଂଶୀଦାର ଆଧାରିତ ପ୍ରୟାସ କରିବା ପାଇଁ ସେ ଆହ୍ବାନ କରିଛନ୍ତି।

ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଥିବା ପ୍ରତିଟି ପରିବାର ନିକଟରେ ପହଞ୍ଚି ଲୋକମାନଙ୍କୁ ଦୁଇଟି ଡୋଜ୍ ଟିକା ନେବାକୁ ଅନୁପ୍ରାଣିତ କରିବା ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଏହି ଆଲୋଚନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାଓ୍ବାର ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନିଷେଧାତ୍ମକ ଓ ପରିଚାଳନାଗତ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଧନସିଂ ରାଓ୍ବତ, ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନ ଗୁପ୍ତା, ମିଜୋରାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଲାଲଥାଙ୍ଗଲିଆନା, ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ, କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର କେ. ସୁଧାକର, ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ, ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ପ୍ରଭୁରାମ ଚୌଧୁରୀ, ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ, ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏମଏ ସୁବ୍ରମଣ୍ୟନ, ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ, ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ଗଣେଶଭାଇ ପଟେଲ, ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ କେଶବ ମହାନ୍ତ, ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସମସ୍ତ ରାଜ୍ୟର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଏନଏଚଏମ ମିଶନ ନିର୍ଦ୍ଦେଶକମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ୭୯ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା କୋଭିଡ ୧୯ ଟିକାର ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ଏବଂ ୩୮ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। ୧୨ କୋଟି ହିତାଧିକାରୀ କୋଭିଡ ୧୯ ଟିକାର ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ‘ହର ଘର ଦସ୍ତକ’ ଅଭିଯାନ ସମୟରେ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଜନସଂଖ୍ୟା ଯେପରି ପ୍ରଥମ ଡୋଜ୍ ଟିକା ନେବେ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ସେ ନିବେଦନ କରିଥିଲେ। ସେହିପରି ଯେଉଁମାନେ ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ସେମାନଙ୍କୁ ଦ୍ବିତୀୟ ଡୋଜ୍ ନେବା ଲାଗି ଉତ୍ସାହିତ କରିବା ଲାଗି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରଣନୀତି ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ପ୍ରଥମେ ଏକ ‘ପ୍ରଚାର ଟୋଲି’ ବିଭିନ୍ନ ଗ୍ରାମ ପରିକ୍ରମା କରିବ ଏବଂ ଟିକା ନେବା ଲାଗି ଲୋକମାନଙ୍କୁ ସଚେତନ କରିବ। ଏହାପରେ ଯୋଗ୍ୟ ନାଗରିକମାନଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦେବା ଲାଗି ‘ଭ୍ୟାକ୍ସିନେସନ ଟୋଲି’ ଘରକୁ ଘର ବୁଲିବାକୁ ଯୋଜନା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଶତପ୍ରତିଶତ ଟିକାକରଣ ସୁନିଶ୍ଚିତ କରିବା ଲାଗି ଏକାଧିକ ଟିକାକରଣ ଦଳ (୫୦-୧୦୦) ନିୟୋଜିତ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ବ୍ୟାପକ କୋଭିଡ ୧୯ ଟିକାକରଣକୁ ପ୍ରୋତ୍ସାହିତ କରିବା ଲାଗି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଟିକା ଦେଇଥିବା ଟିକାକରଣ ଦଳ (ଜିଲ୍ଲା ଓ ବ୍ଲକସ୍ତରରେ)କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଏକ ରାଙ୍କିଙ୍ଗ ବ୍ୟବସ୍ଥା ବିକଶିତ କରାଯିବ।

ଟିକାକରଣ ସମ୍ପର୍କରେ ସ୍ଥାନୀୟ ହାଟ ବଜାରରେ ସଚେତନତା ସୃଷ୍ଟି କରାଯିବ। ଏଥିରେ ସ୍ଥାନୀୟ ଧାର୍ମିକ ଓ ଜନନେତା, ସିଏସଓ, ଏନଜିଓ, ଏନଏସଏସ, ଏନଓ୍ବାଇକେ ଆଦିକୁ ସମ୍ପୃକ୍ତ କରାଯିବ। ମଲ୍ଟିମିଡିଆ ଆଇଇସି ସଚେତନତା ଅଭିଯାନ ମାଧ୍ୟମରେ କୋଭିଡ ନିରୋଧି ଗୁଜବର ମୁକାବିଲା କରାଯିବ। ସମୀକ୍ଷା ବୈଠକ ସମୟରେ ଅଧିକ ଟିକାକରଣ ପ୍ରସାର ଥିବା ଜିଲ୍ଲାମାନଙ୍କରେ ଅଭିନବ ଓ ଶ୍ରେଷ୍ଠ ପ୍ରଚଳନକୁ ଆପଣାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦେଇଥିଲେ। ଅଭ୍ୟାସ ପରିବର୍ତ୍ତନ ଲାଗି ପିଲାମାନେ ଶ୍ରେଷ୍ଠ ବାର୍ତ୍ତାବହ ହୋଇପାରିବେ ବୋଲି ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ଜରିଆରେ ସମ୍ପୂର୍ଣ୍ଣ ଟିକାକରଣର ବାର୍ତ୍ତାର ପ୍ରସାର କରାଯିବା ଆବଶ୍ୟକ।

ବସ ଷ୍ଟାଣ୍ଡ, ରେଳ ଷ୍ଟେସନରେ କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଡକ୍ଟର ମାଣ୍ଡଭୀୟ ପରାମର୍ଶ ଦେଇଥିଲେ। ବିଶେଷ କରି ବଡ଼ ସହରରେ ପ୍ରବେଶ ପାଇଁ ଏଗୁଡ଼ିକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ଏହି ପଦକ୍ଷେପ ପ୍ରଭାବୀ ହୋଇପାରିବ ବୋଲି ସେ କହିଥିଲେ। କେତେକ ରାଜ୍ୟ ‘ରୋକୋ ଏବଂ ଟୋକୋ’ ଅଭିଯାନ ଆରମ୍ଭ କରିଛନ୍ତି। ବସ, ଟ୍ରେନ୍, ରିକ୍ସା ଆଦିରେ ଆସୁଥିବା ଯାତ୍ରୀମାନଙ୍କୁ ଟିକା ନେବା ଲାଗି ଅନୁପ୍ରାଣିତ କରାଯାଉଛି। ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ଟିକା ନେବା ଲାଗି ଉତ୍ସାହିତ କରିବା ନିମନ୍ତେ ‘ହର ଘର ଦସ୍ତକ’ ଅଭିଯାନ ସଫଳ ହୋଇପାରିବ ବୋଲି ସେ ପରାମର୍ଶ ଦେଇଥିଲେ। ବ୍ୟବସାୟୀ, ବୁଲାବିକାଳୀ, ଉଠାଦୋକାନୀ, ସାଧାରଣ ଦୋକାନୀ, ରିକ୍ସା ଚାଳକ, ଅଟୋ ଡ୍ରାଇଭରଙ୍କ ଟିକାକରଣ ପାଇଁ ଗୋଟିଏ ଗୋଟିଏ ଦିନକୁ ସମର୍ପିତ କରାଯାଇପାରିବ ବୋଲି ସେ କହିଥିଲେ।

କୋଭିଡକୁ ପ୍ରତିହତ କରିବା ଲାଗି ଜନ ସ୍ୱାସ୍ଥ୍ୟ ପଦକ୍ଷେପର ନିୟନ୍ତ୍ରଣ ଓ ପରିଚାଳନା  ଉପରେ ଆଲୋଚନା କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ସଚେତନ କରାଇ ଦେଇଥିଲେ ଯେ କୋଭିଡ ୧୯ ମହାମାରୀ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଯାଇନାହିଁ। ବିଶ୍ବସ୍ତରରେ କୋଭିଡ ମାମଲା ବୃଦ୍ଧି ପାଉଛି। ସିଙ୍ଗାପୁର, ବ୍ରିଟେନ, ରୁଷ, ଚୀନରେ ୮୦ ପ୍ରତିଶତ ଟିକାକରଣ ସତ୍ତ୍ବେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଟିକାକରଣ ସହିତ କୋଭିଡ ଉପଯୁକ୍ତ ବ୍ୟବହାର ଅନୁପାଳନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋର ଦେଇଥିଲେ। ଟିକାକରଣ ରୋଗର ଗମ୍ଭୀରତାକୁ ହ୍ରାସ କରିଥାଏ ବୋଲି ଡ. ମାଣ୍ଡଭୀୟ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସମସ୍ତଙ୍କ ମିଳିତ ପ୍ରୟାସ କାରଣରୁ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଅଧିକ ଅବହେଳା କରି ପୁଣିଥରେ କୋଭିଡ ସଂକ୍ରମଣକୁ ଡାକି ଆଣିବା ଉଚିତ୍ ନୁହେଁ। ତେଣୁ କୋଭିଡ ବିରୋଧରେ ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାରକୁ ପାଳନ କରିବା ଉପରେ ସେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ‘ଦବାଇ ଭି କଡ଼ାଇ ଭି’କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଜୋର ଦେଇଥିଲେ।

ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ମନୋହର ଅଗ୍ନାନୀ, ଅତିରିକ୍ତ ସଚିବ ଏବଂ ଏନଏଚଏମ ମିଶନ ନିର୍ଦ୍ଦେଶକ ବିକାଶ ଶୀଲ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଆରତୀ ଆହୁଜା, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ଲବ ଅଗ୍ରଓ୍ବାଲ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।