Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା ମାତୃ ମୃତ୍ୟୁ ହାର

ନୂଆଦିଲ୍ଲୀ: ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଦେଶରେ ମାତୃ ମୃତ୍ୟୁ ହାର (ଏମଏମଆର) ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି। ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃ ମୃତ୍ୟୁ ହାର (ଏମଏମଆର)କୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାରେ ଦେଶ ସଫଳ ହୋଇଥିବାରୁ ଡକ୍ଟର ମାଣ୍ଡଭ୍ୟ ଏକ ଟୁଇଟରେ କହିଛନ୍ତି ଯେ:

ପ୍ରତି ଏକ ଲକ୍ଷ ଜୀବିତ ସନ୍ତାନ ପ୍ରସବ ମାମଲାରେ ଏମଏମଆର ହାର ୨୦୧୪-୧୬ରେ ୧୩୦ ଥିଲା, ଯାହାକି ୨୦୧୮-୨୦ ଅବଧିରେ ୯୭କୁ ହ୍ରାସ ପାଇଛି। ଉନ୍ନତ ମାନର ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏମଏମଆର ସ୍ତର ହ୍ରାସ ପାଇଛି

ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସ୍ୱତନ୍ତ୍ର ଏମଏମଆର ବୁଲେଟିନରୁ ଜଣାପଡ଼ିଛି ଯେ, ଭାରତରେ ମାତୃ ମୃତ୍ୟୁ ହାର (ଏମଏମଆର)ରେ ଉଲ୍ଲେଖନୀୟ ସୁଧାର ଆସିଛି। ଏମଏମଆର ଅନୁପାତରେ ୬ ପଏଣ୍ଟ ସୁଧାର ସହିତ ବର୍ତ୍ତମାନ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବ ମାମଲାରେ ପ୍ରସୂତୀ ମା’ଙ୍କ ମୃତ୍ୟୁ ହାର ୯୭କୁ ହ୍ରାସ ପାଇଛି। ପ୍ରତି ୧ ଲକ୍ଷ ଜୀବିତ ସନ୍ତାନ ପ୍ରସବ ଅବଧି ସମୟରେ ମା’ମାନଙ୍କର ମୃତ୍ୟୁ ଅନୁପାତକୁ ନେଇ ମାତୃ ମୃତ୍ୟୁ ହାର (ଏମଏମଆର) ଗଣନା କରାଯାଇଥାଏ।

ନମୁନା ପଞ୍ଜିକରଣ ପ୍ରଣାଳୀ (ଏସଆରଏସ) ଠାରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ଦେଶରେ ମାତୃ ମୃତ୍ୟୁ ହାର ୨୦୧୪-୨୦୧୬ରେ ୧୩୦ ଥିବା ବେଳେ ଏହା ୨୦୧୫-୧୭ରେ ୧୨୨କୁ ହ୍ରାସ ପାଇଥିଲା। ପରେ ଏହା ୨୦୧୬-୧୮ରେ ୧୧୩, ୨୦୧୭-୧୯ରେ ୧୦୩ ଏବଂ ୨୦୧୮-୨୦ରେ ୯୭କୁ ହ୍ରାସ ପାଇଥିଲା।

ଏହି ସଫଳତା ସହିତ, ଭାରତ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୧୦୦କୁ ହ୍ରାସ କରିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ନୀତି (ଏନଏଚପି)ର ଲକ୍ଷ୍ୟ ହାସଲରେ ସଫଳ ହୋଇଛି । ୨୦୩୦ ସୁଦ୍ଧା ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୭୦କୁ କମାଇବା ଲାଗି ଏସଡିଜି ବିକାଶ ଲକ୍ଷ୍ୟ ହାସଲ ଦିଗରେ ଠିକଣା ପଥରେ ରହିଛି।

ଅନ୍ୟପଟେ ମାତୃ ମୃତ୍ୟୁ ହାର କମାଇବା କ୍ଷେତ୍ରରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଟାର୍ଗେଟ ପୂରଣ କରିଥିବା ରାଜ୍ୟଗୁଡ଼ିକର ସଂଖ୍ୟା ୬ରୁ ଆଠକୁ ବୃଦ୍ଧି ପାଇଛି। ପ୍ରଥମ ସ୍ଥାନରେ କେରଳ (ଏମଏମଆର ୧୯) ରହିଛି। ଏହାପଛକୁ ମହାରାଷ୍ଟ୍ର (୩୩), ତେଲଙ୍ଗାନା (୪୩), ଆନ୍ଧ୍ର ପ୍ରଦେଶ (୪୫), ତାମିଲନାଡ଼ୁ (୫୪), ଝାଡ଼ଖଣ୍ଡ (୫୬), ଗୁଜରାଟ (୫୭) ଏବଂ କର୍ଣ୍ଣାଟକ (୬୯) ରହିଛନ୍ତି।

୨୦୧୪ ପରଠାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଉନ୍ନତ ମାନର ମାତୃ ଓ ନବଜାତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ମାତୃ ମୃତ୍ୟୁ ସଂଖ୍ୟା କମାଇବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ବିଶେଷ କରି ମାତୃ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଏନଏଚଏମ ଅଧୀନରେ ଉଲ୍ଲେଖନୀୟ ନିବେଶ କରାଯାଇଛି। ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଜନନୀ ସୁରକ୍ଷା ଯୋଜନା ଭଳି ସରକାରୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିଛି। ସୁରକ୍ଷିତ ମାତୃତ୍ୱ ଆଶ୍ବାସନ (ସୁମନ), ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଭଳି କାର୍ଯ୍ୟକ୍ରମ ମା’ମାନଙ୍କୁ ସମ୍ମାନଜନକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇଛି । ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀ ଠାରେ ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡକ୍ଟର ବିନୋଦ ପଲ, ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ ଏବଂ ଜାତୀୟ ସ୍ବସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଆର. ଏସ ଶର୍ମା ଉପସ୍ଥିତ ଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ)କୁ ୪ ବର୍ଷ ପୂର୍ତ୍ତି ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବିଶ୍ବର ସର୍ବବୃହତ ଜନ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିଏମଜେଏୱାଇ ହିତାଧିକାରୀମାନେ ହେଉଛନ୍ତି ସବୁଠୁ ବଡ଼ ଅଂଶୀଦାର। ଦେଶର ୩୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧୯ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବିତରଣ କରାଯାଇଛି। ୨୪ କୋଟିରୁ ଅଧିକ ଏବିଏଚଏ ନମ୍ବର ସୃଷ୍ଟି କରାଯାଇଛି। ଦେଶରେ ସ୍ବାସ୍ଥ୍ୟ ରେକର୍ଡର ଡିଜିଟାଲକରଣରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଥିଲେ। ସେ ସୂଚନା ଦେଇଥିଲେ ଯେ ଏବେ ଦେଶରେ ଦୈନିକ ୪.୫ ଲକ୍ଷ କାର୍ଡ ବିତରଣ କରାଯାଉଛି। ନିକଟ ଭବିଷ୍ୟତରେ ଦୈନିକ କାର୍ଡ ବିତରଣ ସଂଖ୍ୟା ୧୦ ଲକ୍ଷକୁ ବୃଦ୍ଧି ପାଇବ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ମାଧ୍ୟମରେ ବିତରଣ ଶୃଙ୍ଖଳାର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତିକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ସରକାର ଧ୍ୟାନ ଦେଉଛନ୍ତି। ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ, ପିଏମ-ଜେଏୱାଇ ସ୍ବାସ୍ଥ୍ୟ ସେବା ଉପଲବ୍ଧତା କ୍ଷେତ୍ରରେ ଦେଶର ଧନୀ ଓ ଗରିବଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର କରିଛି।

ସମାରୋହକୁ ସମ୍ବୋଧିତ କରି ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ପ୍ରଯୁକ୍ତି ଏବଂ ସ୍ବାସ୍ଥ୍ୟ ସେବା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ଏ ଦୁଇଟିର ସମ୍ମିଶ୍ରଣ ମାଧ୍ୟମରେ ସମସ୍ତଙ୍କୁ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସାକାର ହୋଇପାରିବ। ସେ କହିଥିଲେ ଯେ ଦେଶର ସବୁ ଗାଁକୁ ହାଇସ୍ପିଡ୍ ଅପ୍ଟିକାଲ ଫାଇବର ସଂଯୋଗ ଆଗାମୀ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହା ସମସ୍ତଙ୍କ ପାଇଁ କନେକ୍ଟିଭିଟୀ ଏବଂ ନିରନ୍ତର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବ। ଶ୍ରୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ସରକାର ଯଥେଷ୍ଟ ଆଇନଗତ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି।

ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଥିଲେ ଯେ ଭାରତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଯୁକ୍ତିକୁ ଉପଯୋଗ କରିବା କ୍ଷେତ୍ରରେ କେବଳ ଅଗ୍ରଣୀ ହୋଇନାହିଁ ବରଂ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ପିଏମଜେଏୱାଇ, ଏବିଡିଏମ ଭଳି ଯୋଜନା ଦେଶରେ ଡିଜିଟାଲ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବହୁଗୁଣିତ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହେଲଥ୍‌ କ୍ଲେମ୍ସ ଏକ୍ସଚେଞ୍ଜ (ଏଚସିଏକ୍ସ), ନେସନାଲ ଇ-ରୂପି ପୋର୍ଟାଲ ଏବଂ ଡିଜିଟାଲକରଣ ପାଇଁ ରୋଡମ୍ୟାପ ସମେତ ବିଭିନ୍ନ ନୂଆ ଯୋଜନାର ଆରମ୍ଭ କରିଥିଲେ। ଏହି ଅବସରରେ ଏନଏଚଏର ବାର୍ଷିକ ରିପୋର୍ଟ, ଏକ ସୂଚନା ପୁସ୍ତିକା ଏବଂ ଶ୍ରେଷ୍ଠ ପଦ୍ଧତିକୁ ନେଇ ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଏସବୁ ପ୍ରକାଶନୀ pmjay.gov.in. ରେ ଉପଲବ୍ଧ ରହିଛି।

ଡକ୍ଟର ମାଣ୍ଡଭ୍ୟ କାର୍ଯ୍ୟକ୍ରମ ପରିସରରେ ‘‘ଡିଜିଟାଲ ସ୍ବାସ୍ଥ୍ୟ ପ୍ରଦର୍ଶନୀ’’କୁ ଉଦଘାଟନ କରିଥିଲେ। ଏଥିରେ ଏନଆଇସି, ସି-ଡ୍ୟାକ, ସମେତ ବିଭିନ୍ନ ଘରୋଇ ସଂସ୍ଥାର ନବୋନ୍ମେଷକାରୀମାନେ ଅଂଶଗ୍ରହଣ କରିଥିଲେ। ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୂଚନାପ୍ରଦ ଅଧିବେଶନ ଆୟୋଜନ କରାଯାଇଥିଲା। ଡିଜିଟାଲ ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତରେ ଫଳପ୍ରଦ ଆଲୋଚନା ହୋଇଥିଲା।

Categories
ବିଶେଷ ଖବର

ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: “ଭାରତ ସରକାର ସହଯୋଗ ଓ ସମନ୍ୱୟମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି।” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଭାଷୀ ମାଧ୍ୟମରେ ବିଭିନ୍ନ ଫ୍ଲାଗସିପ ଯୋଜନାର କାର୍ଯ୍ୟ ସମୀକ୍ଷା କାଳରେ ଆଜି ଏହା ପ୍ରକାଶ କରିଛନ୍ତି। ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜରୁରୀକାଳୀନ କୋଭିଡ ରେସପନ୍ସ କ୍ୟାକେଜ, ଇସିଆରପି-୨, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ) ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭିଏଫସି) ସାମିଲ ଥିଲେ। ସେ କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ପ୍ରତିଷେଧକ କୋଭିଡ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ତଥା ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତିକରଣ ନେଇ ବିଭିନ୍ନ ବୈଠକର ଏହା ଅଂଶବିଶେଷ।

ଯୋଗ ଦେଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ ହେଲେ- ଡକ୍ଟର ରାଜୀବ ସାଇଜଲ (ହିମାଚଳ ପ୍ରଦେଶ), ବୀନା ଜର୍ଜ (କେରଳ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ), ଡକ୍ଟର ଧାନ ସିଂ ରାୱତ (ଉତ୍ତରାଖଣ୍ଡ), ନିଧାଧଲା ରଜନୀ (ଆନ୍ଧ୍ର ପ୍ରଦେଶ), କେଶବ ମହାନ୍ତ (ଆସାମ), ଆଲୋ ଲିବାଙ୍ଗ (ଅରୁଣାଚଳ ପ୍ରଦେଶ), ଅନୀଲ ଭିଗ୍ (ହରିୟାଣା), ବାନା ଗୁପ୍ତା (ଝାଡ଼ଖଣ୍ଡ), ମଣି କୁମାର ଶର୍ମା (ସିକିମ), ତିରୁମା ସୁବ୍ରମନିୟମ (ତାମିଲନାଡୁ), ଟି. ହରିଶ ରାଓ (ତେଲେଙ୍ଗାନା), ଟି. ଏସ. ସିଂଦେଓ (ଛତିଶଗଡ଼), ତିରୁ ଏନ ରଙ୍ଗସ୍ୱାମୀ (ପୁଡୁଚେରୀ), ଏଲ ଜୟନ୍ତ କୁମାର ସିଂହ (ମଣିପୁର), ଜେମସ କେ. ସାଙ୍ଗମା (ମେଘାଳୟ), ପ୍ରସାଦୀ ଲାଲ ମୀନା (ରାଜସ୍ଥାନ), ବିକ୍ରମ ପାଠକ (ଉତ୍ତର ପ୍ରଦେଶ), ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଋଷିକେଶ ପଟେଲ (ଗୁଜରାଟ) ଏବଂ ଶ୍ରୀନମିଶା ସୁଥାଲ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଗୁଜରାଟ।

ଯେକୌଣସି ପ୍ରତିକୂଳ ଅବସ୍ଥାକୁ ଏକ ସୁଯୋଗ ଭାବେ ବିବେଚନା କରିବା ଭଳି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନର ଶିକ୍ଷାଲାଭ ଆମର ବ୍ୟବସ୍ଥାକୁ ମଜବୁତ କରିବା ନେଇ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବୈଶ୍ୱିକ ମହାମାରୀ ଆମକୁ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଜଟିଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଦିଗରେ ବିନିଯୋଗ କରାଇବାକୁ ଶିକ୍ଷା ଦେଇଛି। ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହଜ ଲବ୍ଧ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଅଙ୍ଗୀକାରବଦ୍ଧ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କେତେକ ରାଜ୍ୟରେ କେନ୍ଦ୍ରୀୟ ପାଣ୍ଠିର କମ ବିନିଯୋଗ ଉପରେ ଉଦବେଗ ପ୍ରକାଶ କରି ସେ କହିଥିଲେ ଯେ “କେନ୍ଦ୍ର ପାଣ୍ଠିର କମ ବିନିଯୋଗ ସମୀକ୍ଷା କରିବା ସହ ରାଜ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରି ସ୍ୱାସ୍ଥ୍ୟ ଯୋଜନାର ଦ୍ରୁତ କାର୍ଯ୍ୟକାରିତା ନିମନ୍ତେ ଅଧିକ ପାଣ୍ଠି କେନ୍ଦ୍ରକୁ ମାଗିବା ଉଚିତ।” ବିଭିନ୍ନ ଫ୍ଲାଗସିପ ପ୍ୟାକେଜ କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଗଠନ ନିମନ୍ତେ ପାଣ୍ଠିର ସମୟୋଚିତ ବିନିଯୋଗ ନେଇ ରାଜ୍ୟମାନଙ୍କୁ ଅନେକ ନମନୀୟତା ପ୍ରଦର୍ଶନ କରାଯାଇଛି। ଡିସେମ୍ବର ୨ଠ୨୨ ପର୍ଯ୍ୟନ୍ତ ପ୍ୟାକେଜ ଉପଲବ୍ଧ ଥିବା ଦୃଷ୍ଟିରୁ ଇସିଆରପି-୨ ଅଧୀନରେ ମିଳୁଥିବା ପାଣ୍ଠିର ଯଥାଶୀଘ୍ର ବିନିଯୋଗ କରାଯିବା ଉଚିତ।

ଡକ୍ଟର ମାଣ୍ଡଭ୍ୟ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଗଣଙ୍କୁ ପାଣ୍ଠି ବିନିଯୋଗ ନେଇ ତାଙ୍କ ସହ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ସହ ଏ ଦିଗରେ ସେମାନଙ୍କୁ ପ୍ରସ୍ତାବ ଦେବାକୁ ମଧ୍ୟ ନିବେଦନ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ନେଇ ଯେପରି ବ୍ୟକ୍ତିଗତ ତଦାରଖ କରିବା ସହ ସମୀକ୍ଷା କରିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଥିଲେ। ଯେପରି ପାଣ୍ଠି ବିନିଯୋଗ ନ ହୋଇ ପଡ଼ିରହେ ତାହାର ବ୍ୟକ୍ତିଗତ ଭାବେ ସମୀକ୍ଷା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ନିବଦେନ କରିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନାର ଆର୍ଥିକ ପ୍ରଗତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୋର୍ଟାଲର ଅପଡେଟ ନେଇ ମଧ୍ୟ ସେ ଅନୁରୋଧ କରିଥିଲେ।

କୋଭିଡ ଟୀକାକରଣର ସଫଳତା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡ଼ିକୁ ୧୮ ବର୍ଷରୁ ଅଧିକ ହିତାଧିକାରୀମାନଙ୍କୁ ପ୍ରତିଷେଧକ ମାତ୍ରା ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦, ୨୦୨୨ ମଧ୍ୟରେ ୭୫ ଦିନ ପାଇଁ ପାଳନ କରାଯାଉଥିବା ଟୀକାକରଣ ଅମୃତ ମହୋତ୍ସବ କାଳରେ ଏହାକୁ ତ୍ୱରାନ୍ୱିତ କରିିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଯେଉଁମାନେ ଦ୍ୱିତୀୟ ମାତ୍ରା ନେବାର ଛଅ ମାସ ବା ୨୬ ସପ୍ତାହ ଅତିକ୍ରମ କରି ସାରିଛନ୍ତି ସେମାନେ ମାଗଣାରେ ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ରରେ ଏହା ନେଇପାରିବେ । ସେ ମଧ୍ୟ ଏକାଭଳି ପ୍ରତିଷେଧକ ମାତ୍ରା କାର୍ବୋଭେକ୍ସ ଟୀକାର ଉପଲବ୍ଧତା ନେଇ ପ୍ରଚାର କରିବା ସହ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବିମାନବନ୍ଦର, ବିଦ୍ୟାଳୟ, ମହାବିଦ୍ୟାଳୟ, ଧାର୍ମିକ ଯାତ୍ରା ପଥ ଓ ସ୍ଥଳ ଇତ୍ୟାଦିରେ ଟୀକାଦାନ ଶିବିର ଆୟୋଜନ ଉପରେ ମଧ୍ୟ ପରାମର୍ଶ ଦେଇଥିଲେ। ଏ ପର୍ଯ୍ୟନ୍ତ ୧୨.୩୬ କୋଟି ପ୍ରତିଷେଧକ ମାତ୍ରା ପ୍ରଦାନ କରାଯାଇଛି।

ପ୍ରତ୍ୟେକ ଟୀକାର ଅବଧି ଯେପରି ଅତିକ୍ରାନ୍ତ ନ ହୁଏ ସେଥିପାଇଁ (ଏଫଇଏଫଓ) ନୀତି ପ୍ରଥମ ଅବଧି ପୂର୍ଣ୍ଣ ଟୀକାର ପ୍ରଥମ ବିନିଯୋଗ କରି ଏହାର ଅବଧି ଯେପରି ଅତିକ୍ରାନ୍ତ ହେବା ଆଗରୁ ବିନିଯୋଗ ହୁଏ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। “ଟୀକା ବହୁମୂଲ୍ୟ ଜାତୀୟ ସମ୍ପଦ ଓ ଗୋଟେ ବି ମାତ୍ରାର ଅବଧି ଯେପରି ଅତିକ୍ରାନ୍ତ ନ ହୁଏ ସେଥିପାଇଁ ସାବଧାନତାର ସହ ଯୋଜନା ଓ ନିୟମିତ ସମୀକ୍ଷା ହେବାର ଆବଶ୍ୟକତା” ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

“ଆସନ୍ତୁ ଆମେ ସମସ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ଶୀଘ୍ର ପିଏମଜେଏୱାଇ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଅଧୀନକୁ ଆଣିବା ସହ ଅବଶିଷ୍ଟ ହିତାଧିକାରୀଙ୍କୁ ପିଏମଜେଏୱାଇ କାର୍ଡ ଶିବିର ଆୟୋଜନ କରି ପ୍ରଦାନ କରିବା” ପିଏମଜେଏୱାଇ ସମୀକ୍ଷା କାଳରେ ଡକ୍ଟର ମାଣ୍ଡଭ୍ୟ ରାଜ୍ୟମାନଙ୍କୁ ଏହି ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ମଜବୁତ (ପିଏମ-ଏବିଏଚଆଇଏମ) ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ବାବଦରେ ଏକ ସର୍ବଭାରତୀୟ ଯୋଜନା। ପାଞ୍ଚ ବର୍ଷ (୨୦୨୫-୨୬ ବର୍ଷ) ପର୍ଯ୍ୟନ୍ତ ବ୍ୟୟବରାଦ ହୋଇଥିବା ୬୪,୧୮୦ କୋଟି ଟଙ୍କା ଦେଶର ପ୍ରାଥମିକ, ପ୍ରାରମ୍ଭିକ ଓ ସମସ୍ତ ସ୍ୱାସ୍ଥ୍ୟ ପଦ୍ଧତିକୁ ମଜବୁତ କରିବା ସହ ବର୍ତ୍ତମାନ ଓ ଭବିଷ୍ୟତ ବୈଶ୍ୱିକ ମହାମାରୀ ଓ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ। ବ୍ଲକ, ଜିଲ୍ଲ, ଆଞ୍ଚଳିକ ଓ ଜାତୀୟ ସ୍ତରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପରିଚାଳିତ ରୋଗ ପର୍ଯ୍ୟବେକ୍ଷଣ ପଦ୍ଧତି ବିକଶିତ କରାଇବା ଏହି ମିଶନର ଲକ୍ଷ୍ୟ। ଏହା ସମସ୍ତ ଅଞ୍ଚଳରେ ରୋଗର ନିଦାନ, ନିରାକରଣ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିରେ ମଧ୍ୟ ଅନୁଷ୍ଠାନ କରିବ।

୨୦୧୭ ନମେଭ୍ୱରରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ୨୦୨୦-୨୫ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ କନସୋଲିଡେଟେଡ ପାଣ୍ଠି ବୃଦ୍ଧି ଲାଗି ସୁପାରିସ କରିବାକୁ ଗଠିତ ହୋଇଥିଲା। ୨୦୨୨ ସୁଦ୍ଧା ବଜେଟରେ ସ୍ୱାସ୍ଥ୍ୟ ବାବଦ ଅଂଶ ଠାରୁ ଅଧିକ ଅନୁ୍ୟନ ଶତକଡ଼ା ଆଠଗୁଣା ବୃଦ୍ଧି ପାଇଁ ଅୟୋଗ ସୁପାରିସ କରିଥିଲେ। ଏହାଛଡ଼ା କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକର ମଧ୍ୟ ଗ୍ରହଣ ପାଇଁ ନମନୀୟ ପଦ୍ଧତି ଘୋଷଣା କରିଥିଲେ। କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଗ୍ରହଣ କରି ସ୍ଥାନୀୟ ସରକାର ପାଇଁ ଶତକଡ଼ା ୩୭ ଭାଗ (୨୬,୧୨୩ କୋଟି) (ମୋଟ ୭୦,୦୫୧ କୋଟି ପାଣ୍ଠି)ରୁ ସହରାଞ୍ଚଳ ସ୍ୱାସ୍ଥ୍ୟସେବା ପାଇଁ ଆବଣ୍ଟନ କରିଥିବା ବେଳେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଲାଗି ୪୩,୯୨୮ କୋଟି ଟଙ୍କା ଆବଣ୍ଟନ କରିଥିଲା।

ଭାରତ କୋଭିଡ-୧୯ ଜରୁରୀକାଳୀନ ରେସପନ୍ସ ଆଣ୍ଡ ହେଲଥ ସିଷ୍ଟମ ପ୍ରସ୍ତୁତି ପ୍ୟାକେଜ ଦ୍ୱିତୀୟ ପର୍ଯ୍ୟାୟ (ଇସିଆରପି-୨)କୁ ପ୍ୟାକେଜ ବାବଦ ୨୩,୧୨୩ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ ଜୁଲାଇ ୮, ୨୦୨୧ରେ ଅନୁମୋଦନ କରିଛନ୍ତି। ଜୁରୁରୀକାଳୀନ ଭିତ୍ତିରେ ରୋଗ ଚିହ୍ନଟ ଓ ନିରାକରଣ ଓ ଭିତ୍ତିଭୂମି ବିକାଶ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ଇତ୍ୟାଦି ଦିଗରେ ଏହା ବିନିଯୋଗ ହେବ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଯଥେଷ୍ଟ ସାର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ

ବେଙ୍ଗାଲୁରୁ: କରୋନା କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀ ଚଳିତ ବର୍ଷ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ସାର ଓ ରସାୟନ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦୁଇ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଦେଶର କୃଷି ଏବଂ କୃଷକଙ୍କ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହି ସମ୍ମିଳନୀକୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଏହି ସମ୍ମିଳନୀ ଆୟୋଜନ କରାଯାଉଥିବା ବେଳେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଓ ବିଚାରବିମର୍ଶ କରାଯିବ।

ଏହି ସମ୍ମିଳନୀରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ଶୋଭା କରନ୍ଦଲାଜେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା, କର୍ଣ୍ଣାକଟକ କୃଷି ମନ୍ତ୍ରୀ ବି.ସି. ପାଟିଲଙ୍କ ସମେତ ରାଜ୍ୟର କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ସାର ସଚିବ ଆରତୀ ଆହୁଜାଙ୍କ ସମେତ ଡାଏରୀ ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।

ଶ୍ରୀ ତୋମର କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଶି କୃଷି କ୍ଷେତ୍ରର ଉନ୍ନତି ପାଇଁ ଯଥାସମ୍ଭବ କାର୍ଯ୍ୟ କରିଛନ୍ତି। କୃଷି କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଚେଷ୍ଟା କରାଯାଉଛି। ଏଥିପାଇଁ ନୀତି ନିର୍ଦ୍ଧାରଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭାରତ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ। ଗାଁର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁରୂପ କ୍ଷେତରେ ଯାହା ହେଉଛି ତା’କୁ ପରୀକ୍ଷାଗାର ପର୍ଯ୍ୟନ୍ତ ନେଇଯିବା – ଲେବ ଟୁ ଲେଣ୍ଡକୁ କାର୍ଯ୍ୟକାରୀ ନିମନ୍ତେ କୃଷି ମନ୍ତ୍ରୀ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାର ସବସିଡି ଆକାରରେ ବାର୍ଷିକ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭାରତ ସାର ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ବିଦେଶରେ ଦରବୃଦ୍ଧିର ପ୍ରଭାବ ଯେପରି ଭାରତୀୟ ଚାଷୀଙ୍କ ଉପରେ ପଡ଼ିବ ନାହିଁ ତାହା କେନ୍ଦ୍ର ସରକାର ସୁନିଶ୍ଚିତ କରୁଛନ୍ତି।

ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ମେକ୍‌ ଇନ୍‌ ଇଣ୍ଡିଆ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ନାନୋ ଫର୍ଟିଲାଇଜର ଉପରେ ଜୋର ଦେଇ ଏଥିରେ ରାଜ୍ୟମାନଙ୍କର ଭୂମିକା ରହିଥିବା ସେ କହିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ବିଚାର ବିମର୍ଶ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ସୂଚନା ଦେଇଥିଲେ। ଡିଜିଟାଲ କୃଷି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜାତୀୟ କୃଷି ବଜାର (ଇ-ନାମ), କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ସାଚୁରେସନ ଲକ୍ଷ୍ୟ ହାସଲ, ଅନ୍ତର୍ଜାତୀୟ ପୋଷକ-ସଶ୍ୟ ବର୍ଷ (୨୦୨୩), ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି, ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ, ନ୍ୟୁ ଏଜ୍‌ ଫର୍ଟିଲାଇଜର, ଆଇସିଏଆର ଦ୍ବାରା ବିକଶିତ ନୂଆ ପ୍ରଯୁକ୍ତି ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ।

ସମ୍ମିଳନୀରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ, ବର୍ତ୍ତମାନର ବିଶ୍ବ ପରିସ୍ଥିତିରେ ଭାରତକୁ ବହୁ ପରିମାଣରେ ସାର ଏବଂ ରସାୟନ ଆମଦାନୀ କରିବାକୁ ପଡ଼ୁଛି। କଞ୍ଚା ମାଲ ମଧ୍ୟ ବେଶ ମହଙ୍ଗା ରହିଛି, ଏହା ସତ୍ତ୍ବେ କେନ୍ଦ୍ର ସରକାର ଅତ୍ୟଧିକ ସବସିଡି ଦେଉଛନ୍ତି। ଡିଏପି ଉପରେ ସବସିଡିକୁ ୨୦୨୦-୨୧ରେ ୫୧୨ ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୨୨-୨୩ ଖରିଫ ଋତୁ ପାଇଁ ୨୫୦୧ ଟଙ୍କା କରି ଦିଆଯାଇଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଡିଏପି ଦାମ୍‌ ସବୁଠୁ କମ୍‌ ରହିଛି। ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କୃଷକଙ୍କ ଉପରେ ଦରବୃଦ୍ଧିର ବୋଝ ହ୍ରାସ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଚାଷୀମାନଙ୍କୁ ଯଥେଷ୍ଟ ସାର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ କାର୍ଯ୍ୟ କରୁଛନ୍ତି। ଏବେ ଦେଶରେ ଏକ ଅଭିଯାନ ରୂପରେ ନାନୋ ଫର୍ଟିଲାଇଜର ଉପଯୋଗ ବଢ଼ାଇବାର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ସେ ରାଜ୍ୟମାନଙ୍କ ଠାରୁ ସହଯୋଗ ଲୋଡ଼ିଥିଲେ। ଚାଷୀଙ୍କ ସାର ଯେପରି ଉଦ୍ୟୋଗ ନିକଟକୁ ଚାଲି ନଯିବା ତା’ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ସାରା ଦେଶରେ ମଡେଲ ଆଉଟଲେଟ୍‌ ଶୀଘ୍ର ଖୋଲାଯିବ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବୋମ୍ମଇ କହିଥିଲେ ଯେ, କୃଷି ଆମ ସଂସ୍କୃତି ଏବଂ ଆମ ଅର୍ଥବ୍ୟବସ୍ଥାର ପ୍ରମୁଖ ଆଧାର। ଭାରତୀୟ କୃଷି କ୍ଷେତ୍ର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ ଗତ ୮ ବର୍ଷ ମଧ୍ୟରେ ଭାରତୀୟ କୃଷି କ୍ଷେତ୍ର ମହତ୍ବପୂର୍ଣ୍ଣ ପ୍ରଗତି ହାସଲ କରିଛି।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟଗୁଡିକ ସହ ଡିଏପି, ୟୁରିଆ ଉପଲବ୍ଧତା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ସାର ଉପଲବ୍ଧତା ସ୍ଥିତିର ସମୀକ୍ଷା କରିବାବେଳେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉତ୍ପାଦନ ହେଉଛି ଏବଂ ଏହାର ଅଭାବ ନାହିଁ। ସମୀକ୍ଷା ବୈଠକରେ ୧୮ ଟି ରାଜ୍ୟର କୃଷି ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।

କୃଷକ ଏବଂ କୃଷି କ୍ଷେତ୍ରରେ ସାର ଆବଶ୍ୟକତାର ପରିଚାଳନା କେନ୍ଦ୍ର ଏବଂ ରାଜ୍ୟଗୁଡିକର ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରି ଡକ୍ଟର ମନସୁଖ ମାଣ୍ଡଭ୍ୟ ଗତ କିଛି ମାସ ମଧ୍ୟରେ ଡିଏପି ପାଇଁ ଚାଷୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ଉଦ୍ୟମ କରିଥିବାରୁ ରାଜ୍ୟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସାମୂହିକ ପ୍ରୟାସର ପରିଣାମ ସ୍ୱରୂପ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରହିଆସିଛି ବୋଲି ସେ କହିଛନ୍ତି। ଗତ କିଛି ମାସ ମଧ୍ୟରେ ଅନେକ ରାଜ୍ୟରେ ଡିଏପିର ଚାହିଦା ବଢିଥିବା ବେଳେ ସେମାନଙ୍କ ସାର ଆବଶ୍ୟକତା ପୂରଣ କରିଥିବାରୁ ରାଜ୍ୟ କୃଷି ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ମନ୍ତ୍ରୀମାନଙ୍କୁ ସେ ଫର୍ଟିଲାଇଜର ଡ୍ୟାସବୋର୍ଡ ସଂକ୍ରାନ୍ତର ଅବଗତ କରିଥିଲେ ଯାହା ଗତ ଦୁଇମାସରୁ କାର୍ଯ୍ୟକ୍ଷମ ରହିଛି ଏବଂ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ସାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ। ଅଧିକ ପ୍ରଭାବଶାଳୀ ଏବଂ ଉତ୍ପାଦନକାରୀ ଢଙ୍ଗରେ ସାର ପରିଚାଳନା ପାଇଁ ସେ ପ୍ରତିଦିନ “ଫର୍ଟିଲାଇଜର ଡ୍ୟାସବୋର୍ଡ” ରେ ଆବଶ୍ୟକତା/ଯୋଗାଣ ଉପରେ ନଜର ରଖିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସାପ୍ତାହିକ ଭିତ୍ତିରେ ଜିଲ୍ଲା ୱାରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗୁଆ ଯୋଜନା ପ୍ରସ୍ତୁତ କରିବା ଏବଂ ମୂଲ୍ୟାଙ୍କନ କରିବା ଜରୁରୀ ଅଟେ। ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ବ୍ୟବହାର ହୋଇନଥିବା ସାର ଅଛି। ଦୈନିକ ଏ ସଂକ୍ରାନ୍ତରେ ଆଗୁଆ ସୂଚନା ଆମକୁ ମିଳିପାରିଲେ ଏହାର ଉନ୍ନତ ପରିଚାଳନା ହୋଇପାରିବ। ସେମାନଙ୍କ ଦ୍ୱାରା ସୂଚିତ ଆବଶ୍ୟକତା ଅନୁଯାୟୀ ବିଳମ୍ବ ନକରି କେନ୍ଦ୍ର ସରକାର ରାଜ୍ୟକୁ ସାର ଯୋଗାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର ଉପରେ ସବସିଡି ପ୍ରଦାନ କରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ ଅଟେ ଯାହା ଦ୍ୱାରା ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି। ଆଗାମୀ ରବି ଋତୁରେ ଦେଶର ୟୁରିଆ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ୟୁରିଆ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଏହା ଯେଭଳି ଶିଳ୍ପକୁ (ଯେପରିକି ଭିନିର, ପ୍ଲାଇଉଡ ଇତ୍ୟାଦି) କୁ ଚାଲାଣ ନହୁଏ ଏହା ଉପରେ ରାଜ୍ୟଗୁଡିକ ସକ୍ରିୟ ଭାବରେ ନଜର ରଖିବା ଉଚିତ। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଦ୍ୱାରା ସକ୍ରିୟ ତଥା ପ୍ରଭାବଶାଳୀ ନୀରିକ୍ଷଣ ହେତୁ ଉତ୍ତରପ୍ରଦେଶ ଏବଂ ବିହାରରେ ସୀମାନ୍ତରେ ସାର ଚାଲାଣକୁ ରୋକାଯାଇ ପାରିଛି। ସେ କହିଛନ୍ତି, ରାଜ୍ୟଗୁଡିକ ଏହା ଉପରେ ନଜର ରଖିବା ଜରୁରୀ ଯେଭଳି କୃଷକମାନଙ୍କୁ ଯୋଗାଣ ହେଉଥିବା ସାର ଅନ୍ୟ କ୍ଷେତ୍ରକୁ ପଠାଯିବ ନାହିଁ, ଯାହାଦ୍ୱାରା କୃତ୍ରିମ ଅଭାବ ଦେଖାଦେଇଥାଏ। ସଚେତନତା ବୃଦ୍ଧି ତଥା ସାରର ଯଥାର୍ଥ ବ୍ୟବହାର ତଥା ଅପଚୟ ଏବଂ ଅପବ୍ୟବହାର ହ୍ରାସ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଆସନ୍ତୁ ବିକଳ୍ପଗୁଡିକର ଅନୁସନ୍ଧାନ କରିବା ଏବଂ ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଯେପରିକି ନାନୋ ୟୁରିଆ ଏବଂ ଜୈବକ ସାର ଯାହା ମାଟିକୁ ସୁରକ୍ଷା ଦେଇଥାଏ ଏବଂ ଅଧିକ ଉତ୍ପାଦନକ୍ଷମ କରିଥାଏ। କମ୍ ପରିମାଣର ନାନୋ ୟୁରିଆ ବର୍ତ୍ତମାନ ଅଧିକ ସାର ବ୍ୟବହାରର ବିକଳ୍ପ ଭାବରେ ବ୍ୟବହୃତ ହେବ ଏବଂ ଅଧିକ ପୁଷ୍ଟିକର ବ୍ୟବହାରରେ ସହାୟକ ହେବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ ସମୀକ୍ଷା ବୈଠକରେ କହିଛନ୍ତି। ଆକାର ଅନୁଯାୟୀ ଗୁଣବତ୍ତା, ମୃତ୍ତିକାରେ ଉଚ୍ଚ ଗୁଣ ମାନ ଏବଂ ଅନ୍ୟାନ୍ୟ ଗୁଣ ହେତୁ ନାନୋ-ସାର ଉଦ୍ଭିଦ ପୋଷଣରେ ପ୍ରୟୋଗ ପାଇଁ ପ୍ରତିଶ୍ରୁତିବଦ୍ଧ। ଇଫ୍‍କୋ ନାନୋ ୟୁରିଆର ଉତ୍ପାଦନ ଆରମ୍ଭ କରିଛି ଏବଂ ନାନୋ ଡିଏପି ଉପରେ କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।