Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା ଆସନରୁ ଛିଡା ହେବେ ବାବା ପ୍ରସନ୍ନ ପାଟ୍ଟଶାଣୀ, ବିଜେଡିର ଚାଲିଛି ସମୀକ୍ଷା

ଭୁବନେଶ୍ବର: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ଆରମ୍ଭ ହୋଇଛି ଭିତିରିଆ ଅଙ୍କକଷା। କେଉଁ କେଉଁଠି ଛିଡା ହେବେ ସେ ନେଇ ଚାଲିଛି ହିସାବ ନିକାଶ। କାରଣ ଏବେଠାରୁ ପ୍ରାର୍ଥୀଙ୍କୁ ଠିକ କରି ରଖିଲେ ନିର୍ବାଚନ ବେଳକୁ କୌଣସି ଅସୁବିଧା ହେବ ନାହିଁ।

ତେବେ ବିଜେଡି ପାଇଁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ପୁରୀ ଲୋକସଭା ଆସନ। କାରଣ ଏହି ଆସନରୁ ଜିତିଥିବା ପିନାକୀ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆଉ ଯାଉ ନାହାଁନ୍ତି। ଏପରି ପରିସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଛି ମାନସମନ୍ଥନ।

ଦଳର ଭିତିରିଆ ଖବର ଅନୁସାରେ କୁଆଡେ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ନବୀନ ଚିନ୍ତା କରୁଛନ୍ତି। କାରଣ ସେ ହି ପୁରୀ ପରି ଏକ ବଡ ନିର୍ବାଚନ ମଣ୍ଡଳୀରେ ଟକ୍କର ଦେଇ ପାରିବେ। ତାଙ୍କର ଭାବମୂର୍ତ୍ତି ବେଶ ଭଲ ରହିଥିବା ବେଳେ, ପୁରୀ ଅଞ୍ଚଳରେ ସେ ବେଶ ଜଣାଶୁଣା।

ବର୍ତ୍ତମାନ ପୁରୀ ଲୋକସଭାରୁ ବିଜେପିରୁ ସମ୍ବିତ ପାତ୍ର ଛିଡା ହେବା ନିଶ୍ଚିତ। ସେଥିପାଇଁ ସେ ବହୁଦିନ ଧରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ଜୋଡିବାରେ ଲାଗିଛନ୍ତି। ଏହି ଲୋକସଭା ଅଧିନରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ସେ ବୁଲିବାରେ ଲାଗିଛନ୍ତି। କହିବାକୁ ଗଲେ ସମ୍ବିତ ବର୍ତ୍ତମାନ ସୁଦ୍ଧା ପୁରୀ ଲୋକସଭା ଆସନର ସମସ୍ତ ପଞ୍ଚାୟତକୁ ଦୁଇଦୁଇ ଥର ଗସ୍ତ କରିସାରିଲେଣି।

ପୁରୀରେ ସମ୍ବିତଙ୍କ ଏପରି ମାରଥନ ପ୍ରଚାର ଦେଖି ବିଜେଡି ଚିନ୍ତାରେ ପଡିଯାଇଛି। ତାଙ୍କୁ ଟକ୍କର ଦେବା ପାଇଁ ହେଲେ ସେହିପରି ଜଣେ ଧାର୍ମିକ, ଭଲ ଭାଷଣ ଦେଇପାରୁଥିବା ନେତାର ଆବଶ୍ୟକତା ରହିଛି। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରା ଫିଟ ବୋଲି ଦଳ ଚିନ୍ତା କରିଛି।

ଅନ୍ୟପକ୍ଷରେ ବାବା ପାଟ୍ଟଶାଣୀଙ୍କର ପୁରୀ ଲୋକସଭା କ୍ଷେତ୍ରରେ ସମସ୍ତ ବିଜେଡି ନେତାଙ୍କ ସହିତ ଭଲ ସଂପର୍କ ମଧ୍ୟ ରହିଛି। ପୁରୀ ଲୋକସଭା ଅଧିନରେ ଥିବା ଚିଲିକା ବିଧାନସଭା ଅଞ୍ଚଳ ହେଉଛି ତାଙ୍କର ଜନ୍ମସ୍ଥାନ। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରୀ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଛିଡା କରିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହୋଇଗଲା ଖେଳ, ମନ୍ତ୍ରୀ ଆଶାୟୀ ତିନି ନେତାଙ୍କ ଆଶା ମଉଳିଲା

ନୂଆଦିଲ୍ଲୀ, କେନ୍ଦ୍ରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିବା ପରେ ବର୍ତ୍ତମାନ ଦେଶର ରାଜନୀତିରେ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ମନ୍ତ୍ରୀ ତଥା ସାଂସଦଙ୍କ ସହିତ ବାରମ୍ବାର ବୈଠକ ଏହି ସଂପ୍ରସାରଣକୁ ନିଶ୍ଚିତ କରୁଛି। ସେଥିପାଇଁ କିଏ ମନ୍ତ୍ରୀ ହେବ କାହାର ମନ୍ତ୍ରୀ ପଦ ଯିବ ସେ ନେଇ ଚାଲିଛି ମନ୍ଥନ।

ତେବେ ଏହି ସଂପ୍ରସାରଣ ଏବଂ ଅଦଳବଦଳ ଭିତରେ ଓଡିଶାର ଭାଗ୍ୟରେ କଣ ଅଛି ତାହାକୁ ନେଇ ମଧ୍ୟ ଚାଲିଛି ଯୁକ୍ତିତର୍କ। ସଦ୍ୟତମ ତଥ୍ୟ ଅନୁସାରେ ଓଡିଶାର କୁଆଡେ ତିନି ଜଣ ନେତା ମନ୍ତ୍ରୀ ହେବେ ବୋଲି ପାୱାର କରିଡର ସହିତ ଯୋଗାଯୋଗରେ ଅଛନ୍ତି। ହେଲେ ଶେଷ ମୂର୍ହୁତରେ ସେମାନଙ୍କ ଆଶା ଆଶାରେ ରହିଯାଇଛି। କାରଣ ଏହି କଥା ବିରୋଧୀ ପାୱାର କରିଡର ଜାଣିବା ପରେ କୁଆଡେ ଖେଳ କରିଦେଇଛନ୍ତି।

ନୂଆଦିଲ୍ଲୀର ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ତିନିଜଣଙ୍କ ନାମ ଦିଲ୍ଲୀରେ ଚର୍ଚ୍ଚା ଚାଲିଥିଲା। ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଅପରାଜିତା ଷଡାଙ୍ଗୀ ସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏହି ତିନିଜଣଙ୍କର ଦିଲ୍ଲୀ ଦରବାରରେ ବେଶ୍ ଦବଦବା ମଧ୍ୟ ରହିଛି।

ତେବେ ଏହି ତିନି ଜଣଙ୍କ ମଧ୍ୟରୁ ବୈଜୟନ୍ତ ଏବଂ ସମ୍ବିତ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ସେମାନଙ୍କୁ ଏହି ସଂପ୍ରସାରଣରେ ସାମିଲ କରି ପରବର୍ତ୍ତି ସମୟରେ ରାଜ୍ୟସଭା ସଦସ୍ୟ କରିବା ନେଇ ଯୋଜନା ଚାଲିଥିଲା। ହେଲେ ସେସବୁ ଜଣାପଡିବାର ପରେ ଏହି ବିରୋଧୀ ପାୱାର କେନ୍ଦ୍ର ସେସବୁକୁ ଛାରଖାର କରି ଦେଇଛି। ତେବେ ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବନୀ ବୈଷ୍ଣବଙ୍କ ନାମ ଏ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି।

Categories
ଆଞ୍ଚଳିକ

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଚିଲିକା ନିର୍ବାଚନମଣ୍ଡଳୀରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ପ୍ରଶିକ୍ଷଣ ବିଭାଗ ତରଫରୁ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ଭାବେ ଦୁଇ ଗୋଟି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବାଣପୁର ଏନ.ଏ.ସି ଏବଂ ଚିଲିକା ବ୍ଲକ ନିମାଇଁମଲ୍ଲ ଗାଁରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ପ୍ରଶିକ୍ଷଣ ଶିବିରରେ ଡ଼. ପାତ୍ର ସମସ୍ତ କର୍ମୀଙ୍କୁ ଏକତା, ଏକାଗ୍ରତା ଓ ଏକାତ୍ମ ଭାବ ସହକାରେ କିପରି ଦଳକୁ ସୁଦୃଢ଼ କରାଯାଇପାରିବ ଓ ସମସ୍ତେ କିପରି ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ମୂଳଲକ୍ଷ୍ୟ ବୋଲି ସମସ୍ତଙ୍କୁ ସୂଚିତ କରାଇଥିଲେ।

ଏହି ଶିବିରରେ ରାଜ୍ୟ ବିଜେପି ସାଧରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ସମସ୍ତ କର୍ମୀ ମାନଙ୍କୁ ଆଗାମୀ ଦିନରେ ଦଳକୁ ମଜଭୁତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ଜନମଙ୍ଗଳକାରି ଯୋଜନା ଗୁଡିକର ଲାଭ କିପରି ସାଧାରଣ ଜନତା ଉଠାଇପାରିବେ ତାହା ଉପରେ ପରାମର୍ଶ ଦେଇଥିଲେ।

ଅନ୍ୟାନ୍ୟ ଅତିଥି ଭାବେ ଉକ୍ତ ଶିବିରରେ ବିଜେପି ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ସମ୍ପାଦକ ବିଦୁ୍ତ୍ କୁମାର କାଣ୍ଡି, ଜିଲ୍ଲା ଉପସଭାପତି ବିଜୟ ବିଶ୍ଵାଳ, ବାଣପୁର ନଗର ମଣ୍ଡଳ ପରାମର୍ଶଦାତା ଭାସ୍କର ନାୟକ, ସଭାପତି ଭଗବାନ ପ୍ରଧାନ, ସମ୍ପାଦକ ସୁକାନ୍ତ ସାହୁ, ଚିରଞ୍ଜିବି ପରିଡ଼ା, ନନ୍ଦକିଶୋର ମିଶ୍ର, ନଗର ଯୁବମୋର୍ଚ୍ଚା ସଭାପତି ରାଜକିଶୋର ସାହୁ ଆଦି ଉପସ୍ଥିତ ରହିବା ସହ ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ପ୍ରଶିକ୍ଷଣ ଶିବିରରେ ଭାଗନେଇଥିଲେ।