ପୁରୀ ଲୋକସଭା ଆସନରୁ ଛିଡା ହେବେ ବାବା ପ୍ରସନ୍ନ ପାଟ୍ଟଶାଣୀ, ବିଜେଡିର ଚାଲିଛି ସମୀକ୍ଷା

Published: Jun 8, 2023, 6:08 pm IST
PrashanPatshani

ଭୁବନେଶ୍ବର: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ଆରମ୍ଭ ହୋଇଛି ଭିତିରିଆ ଅଙ୍କକଷା। କେଉଁ କେଉଁଠି ଛିଡା ହେବେ ସେ ନେଇ ଚାଲିଛି ହିସାବ ନିକାଶ। କାରଣ ଏବେଠାରୁ ପ୍ରାର୍ଥୀଙ୍କୁ ଠିକ କରି ରଖିଲେ ନିର୍ବାଚନ ବେଳକୁ କୌଣସି ଅସୁବିଧା ହେବ ନାହିଁ।

ତେବେ ବିଜେଡି ପାଇଁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ପୁରୀ ଲୋକସଭା ଆସନ। କାରଣ ଏହି ଆସନରୁ ଜିତିଥିବା ପିନାକୀ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆଉ ଯାଉ ନାହାଁନ୍ତି। ଏପରି ପରିସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଛି ମାନସମନ୍ଥନ।

ଦଳର ଭିତିରିଆ ଖବର ଅନୁସାରେ କୁଆଡେ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ନବୀନ ଚିନ୍ତା କରୁଛନ୍ତି। କାରଣ ସେ ହି ପୁରୀ ପରି ଏକ ବଡ ନିର୍ବାଚନ ମଣ୍ଡଳୀରେ ଟକ୍କର ଦେଇ ପାରିବେ। ତାଙ୍କର ଭାବମୂର୍ତ୍ତି ବେଶ ଭଲ ରହିଥିବା ବେଳେ, ପୁରୀ ଅଞ୍ଚଳରେ ସେ ବେଶ ଜଣାଶୁଣା।

ବର୍ତ୍ତମାନ ପୁରୀ ଲୋକସଭାରୁ ବିଜେପିରୁ ସମ୍ବିତ ପାତ୍ର ଛିଡା ହେବା ନିଶ୍ଚିତ। ସେଥିପାଇଁ ସେ ବହୁଦିନ ଧରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ଜୋଡିବାରେ ଲାଗିଛନ୍ତି। ଏହି ଲୋକସଭା ଅଧିନରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ସେ ବୁଲିବାରେ ଲାଗିଛନ୍ତି। କହିବାକୁ ଗଲେ ସମ୍ବିତ ବର୍ତ୍ତମାନ ସୁଦ୍ଧା ପୁରୀ ଲୋକସଭା ଆସନର ସମସ୍ତ ପଞ୍ଚାୟତକୁ ଦୁଇଦୁଇ ଥର ଗସ୍ତ କରିସାରିଲେଣି।

ପୁରୀରେ ସମ୍ବିତଙ୍କ ଏପରି ମାରଥନ ପ୍ରଚାର ଦେଖି ବିଜେଡି ଚିନ୍ତାରେ ପଡିଯାଇଛି। ତାଙ୍କୁ ଟକ୍କର ଦେବା ପାଇଁ ହେଲେ ସେହିପରି ଜଣେ ଧାର୍ମିକ, ଭଲ ଭାଷଣ ଦେଇପାରୁଥିବା ନେତାର ଆବଶ୍ୟକତା ରହିଛି। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରା ଫିଟ ବୋଲି ଦଳ ଚିନ୍ତା କରିଛି।

ଅନ୍ୟପକ୍ଷରେ ବାବା ପାଟ୍ଟଶାଣୀଙ୍କର ପୁରୀ ଲୋକସଭା କ୍ଷେତ୍ରରେ ସମସ୍ତ ବିଜେଡି ନେତାଙ୍କ ସହିତ ଭଲ ସଂପର୍କ ମଧ୍ୟ ରହିଛି। ପୁରୀ ଲୋକସଭା ଅଧିନରେ ଥିବା ଚିଲିକା ବିଧାନସଭା ଅଞ୍ଚଳ ହେଉଛି ତାଙ୍କର ଜନ୍ମସ୍ଥାନ। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରୀ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଛିଡା କରିବ ବୋଲି ଜଣାପଡିଛି।

Related posts