Categories
ଜାତୀୟ ଖବର ବିଶେଷ ଖବର

ଦେଶବ୍ୟାପୀ ଚାଲିଥିବା ଡିଜିଟାଲ ଜୀବନ ପ୍ରମାଣ ପତ୍ର ଅଭିଯାନ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

  • ଭୁବନେଶ୍ୱରରେ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଅଭିଯାନ ଆୟୋଜିତ
  • ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୦ଟି ସହରର ୫୦୦ଟି ସ୍ଥାନରେ ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ ୨.୦ ଆୟୋଜନ କରାଯାଉଛି
  • ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ଅଭିଯାନ ୨.୦ ସମସ୍ତ ଅଂଶୀଦାରଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣି ‘ସାମଗ୍ରିକ ସରକାର’ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି
  • ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବା ଦ୍ୱାରା ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ସହଜ ଏବଂ ବାଧାମୁକ୍ତ ହେଉଛି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ‘ସହଜ ଜୀବନଧାରଣ’କୁ ସୁନିଶ୍ଚିତ କରିବା ପାଇଁ ପେନ୍ସନ୍ ଓ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ଅର୍ଥାତ୍ ଜୀବନ ପ୍ରମାଣକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଛି। ୨୦୧୪ ମସିହାରେ ବାୟୋମେଟ୍ରିକ୍ ଡିଭାଇସ୍ ବ୍ୟବହାର କରି ଡିଏଲସି ଦାଖଲ ଆରମ୍ଭ ହୋଇଥିଲା।

ପରବର୍ତ୍ତୀ ସମୟରେ ବିଭାଗ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁଆଇଡିଏଆଇ ସହିତ ମିଶି ଆଧାର ଡାଟାବେସ୍ ଉପରେ ଆଧାରିତ ଏକ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ସିଷ୍ଟମ୍ ବା ମୁଖମଣ୍ଡଳ ପ୍ରମାଣିକରଣ ପ୍ରଯୁକ୍ତି ପ୍ରଣାଳୀ ବିକଶିତ କରିଥିଲା, ଯାହାଦ୍ୱାରା ଯେକୌଣସି ଆଣ୍ଡ୍ରଏଡ୍ ଆଧାରିତ ସ୍ମାର୍ଟ ଫୋନରୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବା ସମ୍ଭବ ହୋଇପାରିବ।

ଏହି ସୁବିଧା ଅନୁଯାୟୀ, ଫେସ୍ ଅଥେଣ୍ଟିକେସନ୍ ଜ୍ଞାନକୌଶଳ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ପରିଚୟ ପ୍ରମାଣିତ ହୁଏ ଏବଂ ଡିଏଲସି ସୃଷ୍ଟି ହୁଏ। ନଭେମ୍ବର ୨୦୨୧ରେ ଶୁଭାରମ୍ଭ କରାଯାଇଥିବା ଏହି ପରିବର୍ତ୍ତନକାରୀ ପ୍ରଯୁକ୍ତି ବାହ୍ୟ ବାୟୋମେଟ୍ରିକ ଡିଭାଇସ୍ ଉପରେ ପେନସନଭୋଗୀଙ୍କ ନିର୍ଭରଶୀଳତାକୁ ହ୍ରାସ କରିବା ସହ ସ୍ମାର୍ଟଫୋନ୍ ଆଧାରିତ ପ୍ରଯୁକ୍ତିର ଉପଯୋଗ କରି ଏହି ପ୍ରକ୍ରିୟାକୁ ଜନସାଧାରଣଙ୍କ ପାଇଁ ଅଧିକ ସହଜ ଓ ସୁଲଭ କରିଛି।

ଡିଏଲସି ଦାଖଲ କରିବା ପାଇଁ ଡିଏଲସି/ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜିର ବ୍ୟବହାର ନିମନ୍ତେ ସମସ୍ତ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ଏବଂ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭାଗ ଦ୍ୱାରା ୨୦୨୨ ନଭେମ୍ବର ମାସରେ ଦେଶର ୩୭ଟି ସହରରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା। ୨୦୨୨ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ପେନସନରର ୩୫ ଲକ୍ଷରୁ ଅଧିକ ଡିଏଲସି ଜାରି ହୋଇଥିବାରୁ ଏହି ଅଭିଯାନ ଏକ ବ୍ୟାପକ ଭାବେ ସଫଳ ହୋଇଥିଲା।

ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୧୦୦ଟି ସହରର ୫୦୦ଟି ସ୍ଥାନରେ ଏକ ଦେଶବ୍ୟାପୀ ଅଭିଯାନ ଆୟୋଜନ କରାଯାଉଛି, ଯେଉଁଥିରେ ୧୭ଟି ପେନସନ ପ୍ରଦାନକାରୀ ବ୍ୟାଙ୍କ, ମନ୍ତ୍ରଣାଳୟ/ ବିଭାଗ, ପେନସନଭୋଗୀ କଲ୍ୟାଣ ସଂଘ, ୟୁଆଇଡିଏଆଇ, ଏମଇଆଇଟିୱାଇର ସହଯୋଗରେ ୫୦ ଲକ୍ଷ ପେନସନଭୋଗୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପେନସନଭୋଗୀ କଲ୍ୟାଣ ସଂଘଗୁଡ଼ିକୁ ମଧ୍ୟ ଡିଏଲସି ଦାଖଲ ପାଇଁ ପେନସନଭୋଗୀଙ୍କ ପାଇଁ ଶିବିର ଆୟୋଜନ କରିବାକୁ ସଚେତନ କରାଯାଇଛି। ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲର ଲାଭ ଯେପରି ଦେଶର ଦୁର୍ଗମ କୋଣଅନୁକୋଣରେ ଥିବା ପେନସନଭୋଗୀଙ୍କ ପାଖରେ ପହଞ୍ଚିପାରିବ ଏବଂ ଅଧିକ ବୟସ୍କ/ଅସୁସ୍ଥ/ଅକ୍ଷମ ପେନସନଭୋଗୀମାନଙ୍କୁ ମଧ୍ୟ ଉପକୃତ କରିବ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗର ଅଧିକାରୀମାନେ ଦେଶର ପ୍ରମୁଖ ସ୍ଥାନ ପରିଦର୍ଶନ କରି ପେନସନଭୋଗୀଙ୍କୁ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ବିଭିନ୍ନ ଡିଜିଟାଲ ମାଧ୍ୟମ ବ୍ୟବହାର କରିବାରେ ସାହାଯ୍ୟ କରୁଛନ୍ତି।

ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଏଲସି ଅଭିଯାନ ସମ୍ପର୍କରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭୁବନେଶ୍ୱର ସହରର ୫ଟି ସ୍ଥାନରେ ଡିଏଲସି ଅଭିଯାନ ଆୟୋଜନ କରାଯାଇଛି । କାର୍ଯ୍ୟାଳୟ ଓ ବ୍ୟାଙ୍କ ଶାଖା/ଏଟିଏମରେ ଯୋଜନା ବଦ୍ଧ ଭାବେ ଲଗାଯାଇଥିବା ବ୍ୟାନର/ପୋଷ୍ଟର ମାଧ୍ୟମରେ ଡିଏଲସି-ଫେସ୍ ଅଥେଣ୍ଟିକେସନ୍ କୌଶଳକୁ ସଚେତନତା ପ୍ରସାର/ଉପଯୁକ୍ତ ପ୍ରଚାର ପ୍ରସାର କରାଯାଉଛି। ପେନସନଭୋଗୀମାନେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ପାଇଁ ଶାଖାକୁ ଆସିଲେ ଆଣ୍ଡ୍ରଏଡ୍ ଫୋନ୍ ସହ ବ୍ୟାଙ୍କ ଶାଖାଗୁଡ଼ିକରେ ଉତ୍ସର୍ଗୀକୃତ କର୍ମଚାରୀମାନଙ୍କୁ ନିୟୋଜିତ କରିବା ତଥା ପେନସନଭୋଗୀ ବିଳମ୍ବ ନକରି ସେମାନଙ୍କ ଡିଏଲସି ଦାଖଲ କରିବାକୁ ସକ୍ଷମ କରିବା ପାଇଁ ଶିବିର ବ୍ୟବସ୍ଥା କରାଯାଇଛି। ଏଥିସହିତ ଶଯ୍ୟାଶାୟୀ ପେନସନଭୋଗୀଙ୍କ କ୍ଷେତ୍ରରେ ସେମାନଙ୍କ ଘରକୁ  ପରିଦର୍ଶନ କରିବାର ସୁବିଧା ମଧ୍ୟ ଦିଆଯାଉଛି।

ପେନସନଭୋଗୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ ଅଫ୍ ବରୋଦା, ଜନପଥ/ରାମ ମନ୍ଦିର, ବାପୁଜୀନଗର, ନୟାପଲ୍ଲୀ, ଖଣ୍ଡଗିରି ଓ ସାମନ୍ତରାପୁର ଶାଖାରେ ନଭେମ୍ବର ୬ ଓ ୭ ତାରିଖରେ ପେନସନଭୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ପ୍ରଦାନର ଏହି ବ୍ୟାପକ ଅଭିଯାନରେ ଡିଓପିପିଡବ୍ଲୁ ଅଧିକାରୀମାନେ ବ୍ୟାଙ୍କଗୁଡ଼ିକୁ ସମସ୍ତ ସମ୍ଭାବ୍ୟ କ୍ଷେତ୍ର ସହାୟତା ପ୍ରଦାନ କରୁଛନ୍ତି। ଦିଲ୍ଲୀର ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗର ପିପିଏସ୍ ଇନ୍ଦ୍ରଜିତ ଶର୍ମା ଗତ ୬ ଓ ୭,୨୦୨୩ରେ ଭୁବନେଶ୍ୱର ସିଟିରେ ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ଆୟୋଜିତ ଏହି ଡିଏଲସି ଶିବିରଗୁଡ଼ିକର ତଦାରଖ ଏବଂ ପରିଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୟୁଆଇଡିଏଆଇର ରାଜ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କକର, ଭୁବନେଶ୍ୱରସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଉପ-ଆଞ୍ଚଳିକ ପ୍ରବନ୍ଧକ ଦିଲ୍ଲୀପ କୁମାର ଦାସ, ରାଜ୍ୟ ନୋଡାଲ ଅଧିକାରୀ  ନିର୍ବିକାର ରଥ, ଡିଡି ନ୍ୟୁଜ, ଓଡ଼ିଆର ଉପନିର୍ଦ୍ଦେଶକ ରାମେଶ୍ୱର ନାୟକ ଓ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ସଂଘ, ଭୁବନେଶ୍ୱରର ପେନସନଭୋଗୀମାନେ ଯୋଗ ଦେଇଥିଲେ।

ଦିଲ୍ଲୀର ପିପିଏସ୍ ପେନ୍‌ସନ୍ ଓ ପେନସନ୍‌ଭୋଗୀ କଲ୍ୟାଣ ବିଭାଗର ଇନ୍ଦ୍ରଜିତ ଶର୍ମା, ଭୁବନେଶ୍ୱରସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଉପ-ଆଞ୍ଚଳିକ ପ୍ରବନ୍ଧକ ଦିଲ୍ଲୀପ କୁମାର ଦାସ ଓ ରାଜ୍ୟ ନୋଡାଲ ଅଫିସର ନିର୍ବିକାର ରଥଙ୍କ ସମେତ ବିଭିନ୍ନ ଶାଖାକୁ ଯାଇ ସଫଳତାର ସହ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ମୋବାଇଲ  ଜରିଆରେ ଦାଖଲ କରିବା ସହ ଏହାର ପ୍ରକ୍ରିୟା ଓ ଭବିଷ୍ୟତର ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।

ବ୍ୟାଙ୍କ ଅଫ୍ ବରୋଦାର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗର ସହଯୋଗରେ ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କଟକ ଶାଖା ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ଭୁବନେଶ୍ବର ପ୍ରଶାସନିକ କାର୍ଯ୍ୟାଳୟ ମାର୍ଗଦର୍ଶନରେ କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ।

ଜୀବନ ପ୍ରମାଣନ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ମାଧ୍ୟମରେ ପେନସନଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଜିଏମ ସନ୍ତୋଷ କୁମାର ବେହେରା ନୋଡାଲ ଅଧିକାରୀ ଭାବେ ଶିବିର ସୁପରିଚାଳନା କରିଥିଲେ।

Categories
ଆଜିର ଖବର

ଷ୍ଟେଟ୍‌ ବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି। ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍‌ ଦ୍ବାରା ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ବ୍ୟବହାର କରାଯାଇ ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇଥିଲା। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଏବଂ ଏସବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁସଚିବ ବିଶାଲ କୁମାର, ୟୁଆଇଡିଏଆଇର ଅଧିକାରୀଗଣ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ଏବଂ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଙ୍ଗ ବିଭାଗ ଡିଜିଏମ ଶ୍ରୀ ଅମରେନ୍ଦ୍ର କୁମାର ଉପସ୍ଥିତ ଥିଲେ।

ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ସୁବିଧା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ପେନସନଭୋଗୀମାନେ ଜୀବନ ପ୍ରମାଣ ପୋର୍ଟାଲ ଜରିଆରେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ବ୍ୟବହାର କରି ମଧ୍ୟ ପେନସନଭୋଗୀମାନେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହାଛଡ଼ା ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ ଥିବା ସ୍ମାର୍ଟ ଫୋନରେ ଜୀବନ ପ୍ରମାଣ ମୋବାଇଲ ଏପ୍ଲିକେସନ ମାଧ୍ୟମରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇପାରିବ।

ଉପରୋକ୍ତ ଯୋଜନା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରୋତ୍ସାହନ ଅଭିଯାନ ଆରମ୍ଭ କରାଯାଇଛି।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଠାରେ ଏହି ସଚେତନତା ଶିବିର ଆୟୋଜିତ ହେଉଛି। ସହଜ ଜୀବନ ଧାରଣକୁ ସୁନିଶ୍ଚିତ କରିବା ଲାଗି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ବର  ଠାରେ ଆୟୋଜିତ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କର ଅଧିକାରୀ ଓ ପେନସନଭୋଗୀମାନେ ଉପସ୍ଥିତ ଥିଲେ।