Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶର ଡେଙ୍ଗୁ ସ୍ଥିତି ଏବଂ ଏହାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ଡେଙ୍ଗୁ ଜ୍ୱର ପ୍ରାଦୁର୍ଭାବ, ଏହାର ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଏବେ ଦେଶବ୍ୟାପୀ ଡେଙ୍ଗୁର ପ୍ରାଦୁର୍ଭାବ ବଢିଥିବାରୁ ଏହାର ନିୟନ୍ତ୍ରଣ ଏବଂ ନିରାକରଣ ଜରୁରୀ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ତାଙ୍କୁ ଦେଶବ୍ୟାପୀ ଡେଙ୍ଗୁର ସ୍ଥିତି ଏବଂ ଏହାର ମୁକାବିଲା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଥିଲେ ଯେ ଡେଙ୍ଗୁ ପରୀକ୍ଷା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସ୍କ୍ରିନିଂ, କିଟ୍ସ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଛନ୍ତି । ରାଜ୍ୟମାନଙ୍କୁ ମଧ୍ୟ ସେମାନଙ୍କ ବରାଦ ମୁତାବକ ଆର୍ଥିକ ସହାୟତା ଦିଆଯାଉଛି । ଏହି ଅର୍ଥ  ଖର୍ଚ୍ଚ କରି ରାଜ୍ୟମାନେ ମଶା ମାରିବାକୁ ଧୂଆଁ ପ୍ରୟୋଗ ଓ ଆଇଇସି କାର୍ଯ୍ୟ କରୁଛନ୍ତି। ଡେଙ୍ଗୁର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି । ଡେଙ୍ଗୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସବୁ ରାଜ୍ୟ ତାହାକୁ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ କାର୍ଯ୍ୟକ୍ରମ ରୂପାୟନ ଯୋଜନା (ପିଆଇପି)ରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି । ସେଥିରେ ଡେଙ୍ଗୁ ସ୍ଥିତିର ତଦାରଖ, ରୋଗର ପରିଚାଳନା, ପରୀକ୍ଷାଗାରରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା, କୀଟାଣୁ ନିୟନ୍ତ୍ରଣ ଓ ବିଲୋପ କାମ, ରୋଗର ମୁକାବିଲା ପାଇଁ ଦକ୍ଷତା ନିର୍ମାଣ, କର୍ମଚାରୀ ତାଲିମ, ସ୍ୱାସ୍ଥ୍ୟ କେନ୍ଦ୍ରର ପରୀକ୍ଷା ବ୍ୟବସ୍ଥା ଓ ଔଷଧପ୍ରଦାନ, ଲୋକଙ୍କ ଅଭ୍ୟାସ ପରିବର୍ତ୍ତନ, ଡେଙ୍ଗୁ ବିରୋଧୀ ଅଭିଯାନରେ ଲୋକଙ୍କୁ ସମ୍ପୃକ୍ତ କରିବା, ଆନ୍ତଃକ୍ଷେତ୍ରୀୟ ସମନ୍ୱୟ ରକ୍ଷା, ତଦାରଖ ଓ ଉପକରଣ କ୍ରୟ ଆଦି କରାଯିବ । ରୋଗର ମୁକାବିଲା ଓ ନିୟନ୍ତ୍ରଣ କ୍ଷେତ୍ରରେ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଥିଲେ ।

ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନ୍‌ଏଚଏମ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଆରାଧନା ପଟ୍ଟନାୟକ, ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ମନସ୍ୱୀ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ ଦେଶର ଅଧିକାଂଶ ରାଜ୍ୟରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖାଦେଇଛି ଏକପ୍ରକାର ମଶା କାମୁଡା ଦ୍ୱାରା ଲୋକେ ଡେଙ୍ଗୁ ଜ୍ୱରରେ  ଆକ୍ରାନ୍ତ ହୋଇଥାଆନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରବଳ ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ ।ଚର୍ମରେ ଲାଲ ଦାଗ ଦେଖାଯାଏ ଓ ରୋଗୀଙ୍କ ଭୋକ ହ୍ରାସ ପାଏ ଓ ସେମାନେ କମ୍ପରେ ଆକ୍ରାନ୍ତ ହୁଅନ୍ତି । ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା କଲେ ଏହି ଜ୍ୱର ଭଲ ହୋଇଥାଏ ।