Categories
ଆଜିର ଖବର ରାଜ୍ୟ ଖବର

ଭାରସାମ୍ୟ ହରାଇ ତାମ୍ପରା ହ୍ରଦରେ ବୁଡ଼ିଗଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ହୁମର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟାମ୍ପରା ହ୍ରଦରେ ଡଙ୍ଗା ବୁଡି ଭାଉଜର ମୃତ ହୋଇଥିବା ବେଳେ ନଣନ୍ଦକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ତାମ୍ପରା ହ୍ରଦ ପାର ହୋଇ ଜଙ୍ଗଲରୁ କାଠ ଆଣିବା ପାଇଁ ଭାଉଜ ପୁଷ୍ପା ବେହେରା ଓ ନଣନ୍ଦ ବନିତା ବେହେରା ଯାଇଥିଲେ। ଉଭୟ କାଠ ଆଣି ଡଙ୍ଗା ସାହାଯ୍ୟରେ ଫେରୁଥିବା ବେଳେ ଅଘଟଣ ଘଟିଥିଲା। ଡଙ୍ଗାଟି ଭାରସାମ୍ୟ ହରାଇ ହ୍ରଦରେ ଓଲଟି ପଡ଼ିଥିଲା। ଯାହା ଫଳରେ ଉଭୟେ ଡଙ୍ଗାରୁ ଖସି ଯାଇ ଚିତ୍କାର କରିଥିଲେ।

ନିକଟରେ ଥିବା ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଭାଉଜ ପୁଷ୍ପାକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା ବେଳେ ନଣନ୍ଦକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଏହି ଖବର କୁ ନେଇ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ଦ୍ରଭୂମି ମାନ୍ୟତା ପାଇଲା ଓଡ଼ିଶାର ତାମ୍ପରା ହ୍ରଦ, ହୀରାକୁଦ ଜଳଭଣ୍ଡାର ଏବଂ ଅଂଶୁପା ହ୍ରଦ

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି, ଫଳରେ ଦେଶରେ ମୋଟ୍‌ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି। ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି। ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ।

ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି, ଓଡ଼ିଶାର ୩ଟି ଏବଂ ଜମ୍ମୁ ଓ କଶ୍ମୀରର ଦୁଇଟି କ୍ଷେତ୍ର ସାମିଲ ରହିଛି। ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି। ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ।

୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି। ଭାରତ ୧ ଫେବୃଆରୀ ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା। ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍‌ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା। ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି।

ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି। ଚଳିତ ବର୍ଷ ୧୯ଟି ଆର୍ଦ୍ରଭୂମିକୁ ରାମସାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ୧୪ଟି କ୍ଷେତ୍ରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ତାମିଲନାଡ଼ୁରେ ସର୍ବାଧିକ ୧୪ଟି ରାମସାର କ୍ଷେତ୍ର ଥିବା ବେଳେ ୧୦ଟି ରାମସାର କ୍ଷେତ୍ର ସହ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି।