Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ଭଲ କାମ କରିଥିବାରୁ ପଞ୍ଚାୟତ ପ୍ରତିନିଧୀଙ୍କୁ ତାରାତାରିଣୀ ଭୋଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ ।ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟି ଥିଲେ ।

କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ ।
ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ
ଜିଲ୍ଲା ପାଳ କ୍ଷମତା ଦେଇ ଥିଲେ । ସରପଞ୍ଚ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ । ପରିସ୍ଥିତି ରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲା ରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରବିବାରଠାରୁ ଖୋଲିବ ତାରାତାରିଣୀ ମନ୍ଦିର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ତଥା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଆସନ୍ତା ରବିବାରଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀରେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା କୁହାଯାଇଛି।

ଭକ୍ତମାନେ ଦର୍ଶନ ନିମନ୍ତେ ଯିବାବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ଉପରେ ଅଧିକ ସତର୍କତା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ରହିଥିବା ଅନ୍ୟ ସମସ୍ତ ମନ୍ଦିରଗୁଡ଼ିକ ମଧ୍ୟ ସ୍ଥାନୀୟ ତହସିଲ୍‌ଦାର, ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରି ଖୋଲାଯିବ। ମନ୍ଦିର ଗର୍ଭଗୃହ ଗୁଡ଼ିକରେ ବାୟୁ ଚଳାଚଳ ହୋଇନଥାଏ ତେଣୁ ଜନଗହଳି ହେଲେ ସଂକ୍ରମଣ ଆଶା ରହିବ। ଏଣୁ ପୂଜକ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ଼-୧୯ ସତର୍କତା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ। ମା’ ତାରାତାରିଣୀ ମନ୍ଦିରର ପାହାଡ଼ ସୁରକ୍ଷା କାର୍ଯ୍ୟ ସମେତ ଦୀପଘର, ସ୍ନାନ ମଣ୍ଡପ, ପ୍ରସାଦ ସେବନ ଗୃହ, ଭିଉ ପଏଣ୍ଟ ଇତ୍ୟାଦି ଅନେକ ଗୁଡ଼ିକ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି।

କୌଣସି ଯାନାବାହନ ପାହାଡ଼ର ୩.୫ କିଲୋମିଟର ଦେଇ ଯାତାୟତକୁ ବାରଣ କରାଯାଇଛି। ପାହାଡ଼ ରାସ୍ତା ସମସ୍ତଙ୍କ ପାଇଁ ଖୋଲା କିନ୍ତୁ ଯାନବାହାନ ନେବାକୁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ବସ୍‌ଯୋଗେ ଯାତ୍ରୀଗଣ ଦର୍ଶନ କରିବାକୁ ଯାଇପାରିବେ। ସେବାୟତ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ପୂର୍ବାହ୍ନ ୬.୩୦ ରୁ ମଧ୍ୟାହ୍ନ ୧୨.୩୦ ଏବଂ ଅପରାହ୍ନ ୨ ଘଣ୍ଟାରୁ ୫ ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତମାନେ ବ୍ୟାରିକେଡ଼୍‌ରେ ଅଳ୍ପ ଅଳ୍ପ କରି ଦର୍ଶନ କରିବେ। ପିକ୍‌ନିକ୍ ଏବଂ ରୋଷଇ କରିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବି କେହି ପକ୍‌ନିକ୍ କଲେ ସାମଗ୍ରୀକୁ ଜବତ କରିବାକୁ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା, ତହସିଲ୍‌ଦାର ନିତେଶ୍ ତ୍ରିପାଠୀ, ଉପଖଣ୍ଡ ପୋଲିସ୍ ଅଧିକାରୀ ସୀମା, ସ୍ୱାଇଁ, ଭାରପ୍ରାପ୍ତ ଥାନା ଅଧିକାରୀ ଜଗନ୍ନାଥ ମଲିକ, ମନ୍ଦିର ଉନ୍ନୟନ କମିଟିର ଫାଉଣ୍ଡର ସଂପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ପ୍ରଶାସନିକ ଅଧିକାରୀ ଟି. କେ. ରେଡ୍ଡୀ, ସେବାୟତ ସଭାପତି ତପନ ରଣା, ସଂପାଦକ ବାପୁଜୀ ରଣା, ମିଟୁ ରଣା, ଧ୍ରୁବଚରଣ ପଣ୍ଡା ପ୍ରମୁଖ ଯୁବ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।