Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ ରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ୭ ଟି କକ୍ଷରେ ଏବଂ ସରକାରୀ ମହାବିଦ୍ୟାଳୟର ୭ ଟି କକ୍ଷରେ,ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ସିଟି ସ୍କୁଲ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ ରେ ଏ ଏଲ ଏମ ଟି ଓ ଡି ଏଲ ଏମ ଟି ରୂପେ ନିୟୋଜିତ ବି ଡି ଓ ,ତହସିଲଦାର ଓ ଅନ୍ୟ ଅଧିକାରୀ ତାଲିମ ପ୍ରଦାନ କରୁଛନ୍ତି।

ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ବୁଥ୍ ପର୍ଯ୍ୟନ୍ତ ଯିବେ, ଇ ଭି ଏମ ଓ ଭି ଭି ପାଟ ମେସିନ୍ ର ସଂଯୋଗ ଓ କାର୍ଯ୍ୟକାରିତା, କଣ୍ଟ୍ରୋଲ ୟୁନିଟ ର ବ୍ୟବହାର,ଭୋଟ ଦାନ ପ୍ରକ୍ରିୟା କୁ ଶୃଙ୍ଖଳିତ, ସେକ୍ଟର ଅଧିକାରୀ ଙ୍କୁ ସୁଚନା ଓ ଯୋଗାଯୋଗ ଉପରେ ବିଶେଷ ତାଲିମ ନେବେ।ଧର୍ମଗଡ ଉପଖଣ୍ଡ ରେ ମୋଟ ୧୪୮୨ ଜଣ ଏବଂ ଭବାନୀପାଟଣା ଉପଖଣ୍ଡ ରେ ମୋଟ ୧୮୫୬ ଜଣ ତିନି ଦିନ ୧୫/୩,୧୬/୩ ଏବଂ ୧୭/୩ ପର୍ଯ୍ୟାୟ କ୍ରମେ ତାଲିମ ନେବେ।

ଆଜି ଧର୍ମଗଡ ଉପଖଣ୍ଡ ରେ ୫୨୨ ଜଣ ଓ ଭବାନୀପାଟଣା ଉପଖଣ୍ଡରେ ୬୯୬ ଜଣ ତାଲିମ ନେଉଛନ୍ତି।ଜିଲ୍ଲାରେ ମୋଟ ୧୪୧୨ ଟି ଵୁଥ ରେ ତାଲିମ ନେଉଥିବା କର୍ମଚାରୀ ଭୋଟ ଗ୍ରହଣ ଦିନ ଭୋଟଦାନ ପ୍ରକ୍ରିୟାକୁ ଶ୍ରୁଙ୍ଖଳିତ ଭାବେ ଦାୟିତ୍ଵ ନିର୍ବାହ କରିବେ।

ଭବାନୀପାଟଣା ଉପଖଣ୍ଡ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ଡ଼ ବିଶ୍ୱଜିତ ଦାସ ,ନିର୍ବାଚନ ସଂଯୁକ୍ତ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଏବଂ ଧର୍ମଗଡ ଉପଖଣ୍ଡ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଧୀମନ ଚକମା ଓ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାରଦୀୟ ନବରାତ୍ରୀର ଶୁଭ ଅବସରରେ ଭୁବନେଶ୍ୱର ଠାରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଖୁଚୁରା ବେପାରୀ ମାନଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ପରିଧିକୁ ବଢାଇପାରିବେ ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ। ନିଜ ମୋବାଇଲରେ ଆପ୍ ଡାଉନଲୋଡ କରି କିମ୍ବା ୱେବସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ। ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ରିଟେଲ୍ ପ୍ରଶିକ୍ଷଣ ଦିଆଯିବ । ଖାଉଟିଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ସହ ବ୍ୟବସାୟ କରିବାର କୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ସୁଯୋଗକୁ ବ୍ୟବହାର କରିବା ନେଇ ତାଲିମ ଦିଆଯିବ। ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗୀ ହୋଇଥିବା କୋକା-କୋଲା ଇଣ୍ଡିଆକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ଭାଷା ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଦେଶର ଅର୍ଥନୀତିରେ ବୃହତ ଶିଳ୍ପ ଓ କାରଖାନା ଗୁଡ଼ିକ ମଜଭୂତ ସ୍ତମ୍ଭ। ତେବେ ଛୋଟ ଛୋଟ ବ୍ୟବସାୟୀମାନେ କୌଣସି ଗୁଣରେ ଟାଟା, ବିର୍ଲା, ଅଦାନୀଠୁ କମ ନୁହଁନ୍ତି। ବଡ ବ୍ୟବସାୟୀଙ୍କ ଭଳି ଛୋଟ ଦୋକାନୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍-ସ୍କିଲିଂ କରାଇବା ସହ ଭାଷାଶୈଳୀର ପ୍ରଶିକ୍ଷଣ ଦିଆଗଲେ ଦେଶର ଅର୍ଥନୀତି ମଜବୁତ୍ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବଦ୍ଧତା ଦେଖାଇଛନ୍ତି। ଆଜି ପରିବର୍ତ୍ତିତ ଦୁନିଆରେ ଭାରତରେ ୟୁପିଆଇ ପେମେଣ୍ଟ ନୂଆ ରୂପ ନେଇଛି। ଏହା ହିଁ ମୋଦିଙ୍କ ଡିଜିଟାଲ ଇଣ୍ଡିଆ, ନୂଆ ଭାରତ। ଆଜିର ବୁଝାମଣା ପତ୍ର କ୍ଷୁଦ୍ର ବେପାରୀ ତଥା ଖୁଚୁରା ବ୍ୟବସାୟୀଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ଆଗକୁ ବଢିବା ପାଇଁ ରାସ୍ତା ଦେଖାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କୋକା-କୋଲାର ସଫଳ ରିଟେଲରଙ୍କୁ ପୁରସ୍କୃତ କରିବା ସହ ନିଜର କଳା ଦକ୍ଷତାର ଉପଯୋଗ କରି ସ୍ୱାବଲମ୍ବୀ ହୋଇଥିବା ମହିଳା ମାନଙ୍କୁ ସମ୍ମାନିତ କରିଥିଲେ। ସ୍କିଲ୍ ଇଣ୍ଡିଆ ଡିଜିଟାଲ ଆପ୍ ଡାଉନଲୋଡ୍ କରି ସେଥିରେ ଥିବା ଭିଡିଓରୁ ଶିକ୍ଷା ନେବା ପାଇଁ କେନ୍ଦ୍ରମନ୍ତ୍ରୀ ରିଟେଲର ମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ଯେ ଆମର ପ୍ରାଚୀନ ସାହିତ୍ୟର ସୁରକ୍ଷା ସହ ସେ ବାବଦରେ ଅଧିକ ଗବେଷଣା ନିମନ୍ତେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ। ପ୍ରାଚୀନ ତାଳପତ୍ର ପୋଥିଗୁଡ଼ିକର ସଂରକ୍ଷଣ ସହ ଏ ସବୁ ଲୋକଲୋଚନକୁ ଆସିଲେ ଉତ୍ତରପିଢ଼ି ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଅଧିକ ଜ୍ଞାନ ଓ ତଥ୍ୟ ଲାଭ କରିପାରିବେ। ଏଥିରେ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ସରକାରଙ୍କ ଏପରି ପ୍ରୟାସ ଦ୍ୱାରା ଆମର ପ୍ରାଚୀନ ଦୁର୍ଲଭ ପୋଥି ସଂରକ୍ଷିତ ରହିବା ସହ ଆମର ଗୌରବମୟ ଇତିହାସ ବାବଦରେ ବିଶ୍ୱବାସୀ ଜାଣିପାରିବେ। ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶିକା ଅତସି ଦାସ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଗ୍ରହାଳୟରେ ଅକେଫାବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡିରେ ଅଧ୍ୟୟନରତ ପ୍ରାୟ ୯୪ ଜଣ ବିଦ୍ୟାର୍ଥୀ ଯୋଗଦେଇ ପ୍ରାଚୀନ ପୋଥିଗୁଡ଼ିକର ସଂରକ୍ଷଣ ନିମନ୍ତେ ବ୍ୟବହାରିକ ତାଲିମ ଗ୍ରହଣ କରୁଛନ୍ତି । ପର୍ଯ୍ୟାୟକ୍ରମେ ଅଧିକ ବିଦ୍ୟାର୍ଥୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ।

ଆସନ୍ତାକାଲିଠାରୁ ବିଶେଷଜ୍ଞ ଭାବେ ଯୋଗଦେଇ ଡ. ଗୌରାଙ୍ଗ ଚରଣ ଦାସ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଡ. ସନ୍ତୋଷ କୁମାର ରଥ, ଡ. ରମେଶ ଚନ୍ଦ୍ର ମଲ୍ଲିକ, ଡ. ସନ୍ତୋଷ କୁମାର ତି୍ରପାଠୀ, ଅରୁଣ କୁମାର ନାୟକ, ବିଭାସ କୁମାର, ଜ୍ୟୋତି ରାଜ୍‌, ପର୍‌ବିନ୍ଦର୍‌ କୌର, ଅନୁରାଧା ଚୌଧୁରୀ, ଆଜ୍‌ଫର୍‌ ଅହମ୍ମଦ୍‌ ପ୍ରମୁଖ ବିଦ୍ୟାର୍ଥୀମାନଙ୍କୁ ପୋଥି ସଂରକ୍ଷଣ ନେଇ ପ୍ରଶିକ୍ଷଣ ଦେବେ ।

ଏହି ଅବସରରେ ‘ଟିପିକାଲ୍‌ ସିଲେକସନ୍ସ ଫ୍ରମ୍‌ ଓଡ଼ିଆ ଲିଟେରେଚର’ର ଭାଗ-୧ ଏବଂ ଭାଗ-୨ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ତାଳପତ୍ର ପୋଥିର ସଂରକ୍ଷଣ ଏବଂ କୁ୍ୟରେଟର ଭାରତୀ ପାଲ୍‌ ଓଡ଼ିଆ ଲିପିର କ୍ରମବିକାଶ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାହିିତି୍ୟକ/ଗବେଷକ ରାମହରି ଜେନା, ନିବେଦିତା ମହାନ୍ତି, ମମତା ଦାଶ ପ୍ରମୁଖ ଉପସ୍ଥିତ ରହି ଏଭଳି ଅଭିନବ ପ୍ରୟାସ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଗ୍ରହାଳୟରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡିରେ ଅଧ୍ୟୟନରତ ପ୍ରାୟ ୮୦ ଜଣ ବିଦ୍ୟାର୍ଥୀ ଯୋଗଦେଇ ପ୍ରାଚୀନ ପୋଥିଗୁଡ଼ିକର ସଂରକ୍ଷଣ ନିମନ୍ତେ ବ୍ୟବହାରିକ ତାଲିମ ଗ୍ରହଣ କରିବେ। ପ୍ରାଚୀନ ସାହିତ୍ୟ ହେଉଛି ବାସ୍ତବ ସାହିତ୍ୟର ମୂଳପିଣ୍ଡ। ଏଥିରେ ରହିଥିବା ସୁସମୃଦ୍ଧ ସାହିତ୍ୟ, ସଂସ୍କୃତି, ପରମ୍ପରା, ଇତିହାସ, ଆୟୁର୍ବେଦ ଚିକିତ୍ସା ପଦ୍ଧତି, ଗଣିତ, ଶିଳ୍ପ, ବାସ୍ତୁ ଶାସ୍ତ୍ର ଏବଂ ଅନେକ ବେଦ, ଉପନିଷେଦ ଓ ପୁରାଣ ସଂପର୍କିତ ବିଷୟବସ୍ତୁକୁ କିପରି ଉଦ୍ଧାର କରାଯାଇ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ ସେ ସଂପର୍କରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେବେ।

ଆସନ୍ତାକାଲିର କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍‌ଘାଟନ କରିବେ। ଏଥିରେ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ମୁଖ୍ୟ ଅତିଥି, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଏଥିରେ ବିଶେଷଜ୍ଞ ଭାବେ ଡ. ଗୌରାଙ୍ଗ ଚରଣ ଦାସ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଡ. ସନ୍ତୋଷ କୁମାର ରଥ, ଡ. ରମେଶ ଚନ୍ଦ୍ର ମଲ୍ଲିକ, ଡ. ସନ୍ତୋଷ କୁମାର ତି୍ରପାଠୀ, ଅରୁଣ କୁମାର ନାୟକ, ବିଭାସ କୁମାର, ଜ୍ୟୋତି ରାଜ୍‌, ପର୍‌ବିନ୍ଦର୍‌ କୌର, ଅନୁରାଧା ଚୌଧୁରୀ, ଆଜ୍‌ଫର୍‌ ଅହମ୍ମଦ୍‌ ଯୋଗଦେବେ।

ତାଲିମ ପରେ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ଏବଂ ଏଥିରୁ ଉପଲବ୍ଧ ଜ୍ଞାନ ଭବିଷ୍ୟତ ପିଢ଼ି ପାଇଁ ଉପଯୋଗୀ ହୋଇପାରିବ ବୋଲି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବାରେ ଗୁଣବତ୍ତା ନିଶ୍ଚିତତା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦୀର୍ଘକାଳୀନ ଭିତ୍ତିରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣବତ୍ତା ବୃଦ୍ଧି କରିବା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱର ଡାକ୍ତରଖାନା(ହସ୍ପିଟାଲ) ପ୍ରଶାସନ ବିଭାଗ ପକ୍ଷରୁ ଏକ ଛଅ ଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ୟୁନିସେଫ୍, ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନ୍ଏଚ୍ଏମ୍) ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନକକୁ ଅନୁପାଳନ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମ ଏନ୍ଏଚ୍ଏମ୍ ର ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ଏହି କ୍ଷେତ୍ରରେ (ଗୁଣବତ୍ତା ନିଶ୍ଚିତତା) ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି।

ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ନିରନ୍ତର ବ୍ୟବଧାନରେ ବିଭିନ୍ନ ପ୍ରସଙ୍ଗରେ ସଚେତନ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ମତଦେଇଥିଲେ। ଏନ୍ଏଚ୍ଏମ୍ ଓଡ଼ିଶାର ମିସନ୍ ନିର୍ଦ୍ଦେଶିକା ଡ. ବୃନ୍ଦା ଡି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହି ସପ୍ତାହବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଠିକ ଉପଯୋଗ କରିବାକୁ ଉତ୍ସାହିତ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମକୁ ନେଇ ସେ ଖୁସିବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ. ବି କେ ମହାପାତ୍ର, ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ବି କେ ପାଣିଗ୍ରାହୀ, ଏନ୍ଏଚ୍ଏମ୍ ଓଡ଼ିଶା ସ୍ବାସ୍ଥ୍ୟ(ବୈଷୟିକ) ପରାମର୍ଶଦାତା ଡ. ବିଜୟ ସ୍ବାଇଁ ଏବଂ ୟୁନିସେଫ୍ର ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ମୀନା ସୋମ୍ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍ସ ଭୁବନେଶ୍ୱର ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ମୁଖ୍ୟ ଡ. ଜବାହର ଏସ୍ କେ ପିଲାଇ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟସେବାରେ ଗୁଣବତ୍ତାସମ୍ପନ୍ନ ପରିଚାଳନା ଏବଂ ନିରାପତ୍ତା ବିଷୟକୁ ନେଇ ଏକ ପୋଷ୍ଟ-ଡକ୍ଟରାଲ୍ ଫେଲୋସିପ୍ (ପିଡିଏଫ୍) କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସମ୍ପର୍କରେ ଡ. ପିଲାଇ ସୂଚନା ଦେଇଥିଲେ। ଡ. (ମେଜର) ଏମ୍ ସି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ହସପିଟାଲ୍ ଆଡମିନିଷ୍ଟ୍ରେସନ୍, ଫାର୍ମାକୋଲୋଜି, ପେଡିଆଟ୍ରିକ୍ ସର୍ଜରୀ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ପାଥୋଲୋଜି, ମାଇକ୍ରୋବାୟୋଲୋଜି ଏବଂ ନର୍ସିଂ ସେବା ଭଳି ବିଭିନ୍ନ ବିଭାଗର ଅଧ୍ୟାପକ ତଥା ଆବାସିକ ଡାକ୍ତରଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।

ଏଥିସହିତ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାର ବିଶେଷଜ୍ଞମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବାରେ ଗୁଣବତ୍ତା ପରିଚାଳନା ଏବଂ ନିରାପତ୍ତା, ଗୁଣବତ୍ତା ଉନ୍ନତି ଉପକରଣ, ଡାକ୍ତରଖାନା ପରିସଂଖ୍ୟାନ, ବିଧିଗତ ନିୟମାବଳୀ, ସର୍ଜିକାଲ୍ ନିରାପତ୍ତା, ହସ୍ପିଟାଲ୍ ୟୁନିଟ୍ ଯୋଜନା ଏବଂ ସଂଗଠନ, ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସ ଏବଂ ସର୍ଭିଲାନ୍ସ, ଅଡିଟ୍ ପ୍ରମୁଖ ବିଷୟରେ ତାଲିମ ପ୍ରଦାନ କରାଯାଉଛି। ଜରୁରୀକାଳୀନ ସଂକେତ, ରୋଗୀ ସନ୍ତୁଷ୍ଟି ସର୍ବେକ୍ଷଣ, ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନଦଣ୍ଡରେ ଫଳାଫଳ ସୂଚକ ଏବଂ ସୁବିଧା ପରିଚାଳନା ଏବଂ ବୃତ୍ତିଗତ ସୁରକ୍ଷା ପରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାରେ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ: ନେଭା ସେବାକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନେଭା (ନ୍ୟାସନାଲ୍‌ ଇ-ବିଧାନ) ଜରିଆରେ ପେପରଲେସ୍‌ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ ଏବଂ ଡିଜିଟାଲ ମାଧ୍ୟମରେ କରାଯିବ। ଏଥି ପାଇଁ ପର୍ଯ୍ୟାୟ କ୍ରମେ ଓଡ଼ିଶା ବିଧାନସଭାର ସମସ୍ତ ପଦାଧିକାରୀ ଏବଂ ମାନ୍ୟବର ସଦସ୍ୟମାନଙ୍କୁ ଏନ୍‌ଆଇସି ଏବଂ ଓକାକ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ପରିସରରେ ନେଭା ସେବା କେନ୍ଦ୍ର ଉଦ୍‌ଘାଟିତ ହେବା ସହ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟରତ ସମସ୍ତ ସହକାରୀ ଉପବିଭାଗ ଅଧିକାରୀ ଏ ସମ୍ବନ୍ଧରେ ତାଲିମ ଗ୍ରହଣ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ କହିଲେ ଯେ ନେଭାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭା ଦେଶରେ ଅଗ୍ରଣୀ। ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଓସ୍ୱାସ୍‌ରେ କାର୍ଯ୍ୟ କରିବାରେ ଅଭ୍ୟସ୍ତ ଥିବାରୁ ଧାର୍ଯ୍ୟ ଜୁଲାଇ ମାସ ମଧ୍ୟରେ ତାଲିମ ସମାପ୍ତ କରି ନେଭା ଆପ୍ଲିକେସନ୍‌ ପ୍ରୟୋଗରେ ସଫଳ ହେବେ ବୋଲି ଶ୍ରୀ ସିଂହ ଆଶାପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଧାନସଭା ପ୍ରଶ୍ନଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ ଇ-ବିଧାନ ମାଧ୍ୟମରେ ସଂପନ୍ନ କରିବା ପାଇଁ ବିଧାନସଭାର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ପ୍ରକାଶଯୋଗ୍ୟ ଯେ ୨୦୧୮ ମସିହାରେ ଦେଶରେ ‘ୱାନ୍‌ ନେସନ୍‌, ୱାନ୍‌ ଆପ୍ଲିକେସନ୍‌’ ପଦ୍ଧତି ଆରମ୍ଭ କରିବା ପାଇଁ ନ୍ୟାସନାଲ୍‌ ଇ-ବିଧାନ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା। ସମଗ୍ର ଦେଶରେ ବିଧାନସଭାର କାର୍ଯ୍ୟାବଳୀକୁ ଡିଜିଟାଲ୍‌ ପ୍ରଣାଳୀରେ ସଂପନ୍ନ କରିବା ଇ-ବିଧାନର ଉଦ୍ଦେଶ୍ୟ। ଏହି ଆପ୍ଲିକେସନ୍‌ ଦ୍ୱାରା ବିଧାନସଭା କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ ତଥ୍ୟ ଗୋଟିଏ ମଞ୍ଚରେ ଉପଲବ୍ଧ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ପରିସରରେ ଥିବା ସେମିନାର ଗୃହରେ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଛଅଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୬ ଜଣ ନିପୁଣ ଶିଳ୍ପୀ ଯୋଗଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟକ୍ଷ ଭାବେ ହସ୍ତଶିଳ୍ପ ପ୍ରଶିକ୍ଷକମାନଙ୍କ ଦକ୍ଷତା ବିକାଶ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଦ୍ୱାରା କାରିଗରମାନଙ୍କର ମଧ୍ୟ ଦକ୍ଷତା ବିକାଶ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ସିଡାକ୍‌ର ସଦସ୍ୟ ସଚିବ ଶିଶିର କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋକପାତ କରି ନିପୁଣ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ସିଡାକ୍‌ର ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ଟ୍ରେନିଂ ରିସୋର୍ଟରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା, ବାତ୍ୟା, ସୁନାମି, ଅଗ୍ନିକାଣ୍ତ ଓ ଦୁର୍ଘଟଣା ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନ ସାଧାରଣ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଚେତନତା ସୃଷ୍ଟି କରିବା ସହ ମୁକାବିଲା ନିମନ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଯୋଗଦେଇ ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ବ୍ଲକର ୩୦ ଜଣ ଓ ବାଲିଅନ୍ତା ବ୍ଲକର ୧୦ ଜଣ ମୋଟ ୪୦ ଜଣ ଆପଦ ମିତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉଭୟ ରାଜ୍ୟ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏଥିରେ ଅଗ୍ନିଶମ କାର୍ଯ୍ୟାଳୟ, ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ ଏବଂ ସିଭିଲ ଡିଫେନ୍ସର କର୍ମକର୍ତ୍ତା ମାନେ ତାଲିମ ପ୍ରଦାନ କରିବେ।

ଜିଲ୍ଲା ଦୁର୍ବିପାକ ପରିଚାଳନା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଆପଦକାଳୀନ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ କୂଳଦୀପ ପାଲଟାସିଂ ପ୍ରମୁଖ ସହଯୋଗ କରିଛନ୍ତି।

Categories
ଆଞ୍ଚଳିକ

କଳାହାଣ୍ଡି: ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା ରକ୍ଷକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବାରେ ତାଲିମ ଦିଆଯାଇଥିବା “ରକ୍ଷକ” ସଦସ୍ୟମାନଙ୍କୁ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ  ରକ୍ଷକର ରାଷ୍ଟ୍ରୀୟ ପ୍ରଶିକ୍ଷକ ଅଙ୍କୁର ଶର୍ମା ରକ୍ଷକ ପ୍ରକଳ୍ପ ମାଧ୍ୟମରେ ଦୁର୍ଘଟଣା ମାତ୍ରା ହ୍ରାସ କରିବା ସହ ଅମୂଲ୍ୟ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ପୋଲିସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ର ଶେଖର ଶବର ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରୀକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପ୍ରଶିକ୍ଷକ ରତିକାନ୍ତ ନାଥଙ୍କ ତତ୍ତ୍ବାବଧାନରେ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ପ୍ରଶିକ୍ଷାର୍ଥୀ ଭାବେ ସଂଜିବ କୁମାର ସାହୁ, ଶାନ୍ତନୁ କୁମାର ପରିଡା, ଦଇତାରି ପୁଜାରୀ, ରାମ ନାରାୟଣ ଦାଶ,ନାରାୟଣ ପ୍ରଧାନ, ମଦନ ମୋହନ ପ୍ରଧାନ,ଶିବ ପ୍ରସାଦ ସା, ପଲ୍ଲୀଶ୍ରୀ ପଟ୍ଟନାୟକ, ରଜନୀକାନ୍ତ ଜେନା, ରାଧାରାଣୀ ନାୟକ, ଭବାନୀ ଶଙ୍କର ପଣ୍ଡା, ସଂଜୟ କୁମାର ପୁରୋହିତ, ଗିରିରାଜ ଗହୀର, ସୁଧିର କୁମାର ପଣ୍ଡା, ବିଶ୍ବ ରଂଜନ ବେହେରା, ସୁଶାନ୍ତ କୁମାର ସାହୁ, ଅନୀଲ କୁମାର ମାଝୀ, ଗୋବିନ୍ଦ ବ୍ରହ୍ମା, ସୁଦାମ ଚରଣ ମିଶ୍ର, ମିଲନ କିଶୋର କୁମାର, ଦୁର୍ଯୋଧନ ପଶାୟତ, ରଶ୍ମୀ ରାଣୀ ଦାଶ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦା, ଅନିଲ କୁମାର ସା, ବିରଞ୍ଚି ନାରାୟଣ ଦାଶ, ଜୟଦେବ ବେହେରା, ଡମ୍ବରୁ ଧର ମାଝୀ, ନେତ୍ରାମ ହଂସ, ମୋହନ ଚରଣ ବିଷି ପ୍ରମୁଖ ରେଡକ୍ରସ ପରାମର୍ଶଦାତା, ପୋଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନର ଅଧିକାରୀମାନଙ୍କୁ  ରକ୍ଷକ ତାଲିମ ପ୍ରମାଣ ପତ୍ର ଓ ପ୍ରାଥମିକ ଚିକିତ୍ସା କିଟ୍ ପ୍ରଦାନ କରାଯାଇଥିଲା।

ଏହି ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ଆଗାମୀ ଦିନରେ ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ପ୍ରଦାନ କରିବେ ଓ ସେମାନେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ ସୁରକ୍ଷା ପ୍ରଦାନ କରି “ରକ୍ଷକ” ସାଜିବେ।

Categories
ବିଶେଷ ଖବର ରାଜ୍ୟ ଖବର

ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି।

ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ। ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି। ଅର୍ଥନୀତିର ମଧ୍ୟ ବଡ କ୍ଷତି। ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ। ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।

ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି।

ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ। ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ର ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦ୍‌ଘାଟନ କରିଥିଲେ। ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ୍‌ ଓ ଟି-ସାର୍ଟ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ।