Categories
ଆଞ୍ଚଳିକ

ବାଲୁଗାଁ: ନୂଆଗଡ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ତିନି ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନୂଆ ବର୍ଷରେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ନୂଆଗଡ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଭୁବନେଶ୍ୱରରୁ ଏକ କେବୁଲ ବୋଝେଇ ଟ୍ରକ ଏବଂ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଆଗପଛ ହୋଇ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ଠାରେ ଆଇରନ ବୋଝେଇ ଟ୍ରକ ଟି କେବୁଲ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଆଇରନ ବୋଝେଇ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୩ ଗୁରୁତର

ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ଦୁହେଁ ଦମ୍ପତି ବାଇକ୍ ରେ ଚାନ୍ଦପୁରରୁ ବଜାର କାମ ସାରି ଗୌରଚନ୍ଦ୍ରପୁର ଘରକୁ ଫେରୁଥିଵା ବେଳେ ଏକ ଦୃତଗାମୀ ଟ୍ରକ୍ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଦମ୍ପତ୍ତି ଏବଂ ତାଙ୍କ ସାଥିରେ ଥିବା ନାବାଳକ ପୁତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଜଗଵନ୍ଧୁ ରାଉତ (୩୫) ପତ୍ନୀ ଟିକି ରାଉତ (୨୮) ପୁତ୍ର ଆୟୁଷ ରାଉତ (୧୦) ବୋଲି ଜଣାପଡିଛି।

ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେଁ ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ।

ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇ ଯାଇଥିଲା। ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା୍ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବସ୍ ଏବଂ ଲୋରୀ ମଧ୍ୟରେ ମୁହାଁମୁହିଁ ଧକ୍କା: ୭ ମୃତ, ତିନି ଗୁରୁତର

ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଲିରେ ଏକ ବସ୍ ଏବଂ ଲୋରି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମହାରାଷ୍ଟ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ସାଂଘାତିକ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ହୁବଲିର କିମସ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଭୟ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଏହି ଯାତ୍ରୀବାହୀ ବସ୍ କୋଲହାପୁରରୁ ବାଙ୍ଗାଲୋର ଯାଉଥିଲା। ରାତିରେ ଧରୱାଡ ଆଡକୁ ଯାଉଥିବା ଏକ ଲୋରୀ ସହିତ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ, ତିନି ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟୁମର ଅପରେସନ ରୋଗୀଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲ ନେଉଥିବା କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ରୋଗୀଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ବାଲି କଣିଆ ଗ୍ରାମର ଗୁରୁ ଶବର (୬୦ ବର୍ଷ) ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛି ଦିନ ତଳେ ସେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ। ଆଜି ସେ ଷ୍ଟିଚ୍ ଖୋଲିବା ପାଇଁ କାର ଯୋଗେ ଏମ୍ସ ହସ୍ପିଟାଲ ଯାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କାରଟିର ଟାଙ୍ଗୀ ଥାନା କୋଚିଲା ଛକରେ ବ୍ରେକ ଫେଲ ହୋଇଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ୍ ପଛରେ ପିଟି ହୋଇଥିଲା। ଏଥିରେ ରୋଗୀଙ୍କ ସମେତ ୩ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଗୁରୁତର ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବ୍ରାହ୍ମଣକୋଷଡିହ ଛକରେ ସଡ଼କ ଦୁର୍ଘଟଣା, ତିନି ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣକୋଷଡିହ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ବାଣପୁର ଥାନା ଭେଟେଶ୍ୱର ଗ୍ରାମର ସଞ୍ଜୟ ପଲାଇ ଏକ ମାରୁତି କାର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବ୍ରାହ୍ମଣକୋଷଡିହ ଛକ ନିକଟରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ସ୍ବିଫ୍ଟ ଡିଜାୟର କାର ତାଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିର ବ୍ୟାପକ କ୍ଷୟକ୍ଷତି ଘଟିଛି।

ତେବେ ଧକ୍କା ଦେଇଥିବା ଗାଡ଼ି ମଧ୍ୟରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଟିମ ଏସପିଓ ବିଜୟ ବଳିୟାରସିଂହ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଆହତଙ୍କୁ ପାଟ୍ରୋଲିଂ ଗାଡ଼ିରେ ନେଇ ବାଲୁଗାଁ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ଏବଂ ବାଲୁଗାଁ ଥାନାଧୀକାରିଙ୍କୁ ଖବର ଦେଇଥିଲେ।

ପରବର୍ତ୍ତୀ ସମୟରେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବାର ଜଣା ପଡ଼ିଛି। ତେବେ ଧକ୍କା ଦେଇଥିବା ଗାଡ଼ି ଚାଳକଙ୍କ ନାମ ଲକ୍ଷ୍ମଣ ରାଓ ଏବଂ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି। କ୍ଷିପ୍ର ଗତିରେ ଲକ୍ଷ୍ମଣ ଗାଡ଼ି ଚଲାଉଥିବାରୁ ଭରସାମ୍ୟ ହରାଇ ସଞ୍ଜୟଙ୍କ ଗାଡିକୁ ଧକ୍କା ଦେଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସୋଲରି ଢ଼ାବା ନିକଟରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ତିନି ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ସୋଲରୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ରାତିରେ କୋଲକତାରୁ ଏକ କପଡା ବୋଝେଇ କଣ୍ଟେନର ହାଇଦ୍ରାବାଦ ଯାଉଥିବା ବେଳେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଗାଡିଟି ସୋଲରି ଢ଼ାବା ସମ୍ମୁଖରେ ଅଟକି ରହିଥିଲା। ପୁନର୍ବାର ଅନ୍ୟ ଏକ କପଡା ବୋଝେଇ କଣ୍ଟେନରଟି ହାଇଦ୍ରାବାଦ ଯାଉଥିବା ବେଳେ ପୂର୍ବ କଣ୍ଟେନର ଅଟକି ଥିବାର କାରଣ ଜାଣିବା ନିମନ୍ତେ ଉକ୍ତ ସ୍ଥାନରେ ଅଟକିଥିଲା। ଉଭୟ ଗାଡ଼ି ଚାଳକ କଥାବାର୍ତ୍ତା ହେବା ସହ ଦୁଇ କଣ୍ଟେନର ମଝିରେ ଥିବା ରାସ୍ତା ଉପରେ ରୋଷେଇ କରୁଥିଲେ। ରାତି ୧.୩୦ ମିନିଟ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆଡକୁ ଯାଉଥିବା ଏକ ଚିଙ୍ଗୁଡି ବୋଝେଇ କଣ୍ଟେନରଟି ଅସାବଧାନତା ବଶତଃ ପୂର୍ବରୁ ଠିଆ ହୋଇଥିବା ଦୁଇ ନମ୍ବର କପଡା ବୋଝେଇ କଣ୍ଟେନରକୁ ପଛ ପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଚିଙ୍ଗୁଡି ବୋଝେଇ ଗାଡିଟି କ୍ଷତି ଗ୍ରସ୍ତ ହୋଇଥିଲା ଏବଂ ଗାଡ଼ି ଚାଳକ ଇଂଜିନ ଭିତରେ ଚାପି ହୋଇଯାଇଥିଲେ।

ଅନୁରୂପ ଭାବେ ଅନ୍ୟ ଦୁଇ ଗାଡ଼ିଚାଳକ ରୋଷେଇ କରୁଥିବା ବେଳେ କପଡା ବୋଝେଇ କଣ୍ଟେନରଟି ଧକ୍କା ହେବା ଫଳରେ କିଛି ବାଟ ଆଗକୁ ଗଡିଯାଇ ଉଭୟଙ୍କ ଉପରେ ମାଡ଼ିଯାଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଦିର୍ଘ ତିନି ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ଗାଡ଼ି କ୍ୟାବିନ କାଟି ଚିଙ୍ଗୁଡ଼ି ବୋଝେଇ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଅନ୍ୟ ଦୁଇ ଗାଡ଼ି ଚାଳକଙ୍କୁ ମଧ୍ୟ ଉଦ୍ଧାର କରି ସମୁଦାୟ ତିନି ଜଣଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲା ଅଗ୍ନିଶମ ବାହିନୀ। ଆହତ ମାନେ ହେଲେ ପବନ ଚୌଧୁରୀ, ଲଳିତ କୁମାର ଚୌଧୁରୀ ଓ ବଳରାମ ବେହେରା। ତେବେ ବାଲୁଗାଁ ପୋଲିସ ଗାଡ଼ି ଗୁଡିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ମୂର୍ତ୍ତି ବିସର୍ଜ୍ଜନ ବେଳେ ଅଘଟଣ: ଚିଲିକାରେ ବୁଡି ଜଣେ ମୃତ, ତିନି ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ରାମ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଚିଲିକା ମଧ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ଆଜି ଏହାର ପୂର୍ଣ୍ଣାହୁତି ଥିବା ବେଳେ ମୂର୍ତ୍ତି ବିସର୍ଜ୍ଜନ ଲାଗି ୪ ଜଣ ଯୁବକ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ଯାଇଥିଲେ। ସେଠାରେ ବିସର୍ଜ୍ଜନ ବେଳେ ସେମାନେ ପାଣି ଭିତରକୁ ଗଳି ପଡିଥିଲେ। ହେଲେ ନିକଟରେ ଥିବା ଡଙ୍ଗା ବାଲା ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକ ନିଖୋଜ ଥିଲେ।

ପରେ ଅଗ୍ନିଶମ ବାହିନୀ ଏବଂ ପଥରା ଗ୍ରାମର କିଛି ଯୁବକ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ସନ୍ତୋଷ ତରେଇ ବୋଲି ଜଣାପଡିଛି। ସନ୍ତୋଷଙ୍କ ମୃତ୍ୟୁ ପରେ ଓଡିଆ ଆଲପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।