ମୂର୍ତ୍ତି ବିସର୍ଜ୍ଜନ ବେଳେ ଅଘଟଣ: ଚିଲିକାରେ ବୁଡି ଜଣେ ମୃତ, ତିନି ଗୁରୁତର

Published: May 5, 2021, 7:56 pm IST

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ରାମ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଚିଲିକା ମଧ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ଆଜି ଏହାର ପୂର୍ଣ୍ଣାହୁତି ଥିବା ବେଳେ ମୂର୍ତ୍ତି ବିସର୍ଜ୍ଜନ ଲାଗି ୪ ଜଣ ଯୁବକ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ଯାଇଥିଲେ। ସେଠାରେ ବିସର୍ଜ୍ଜନ ବେଳେ ସେମାନେ ପାଣି ଭିତରକୁ ଗଳି ପଡିଥିଲେ। ହେଲେ ନିକଟରେ ଥିବା ଡଙ୍ଗା ବାଲା ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକ ନିଖୋଜ ଥିଲେ।

ପରେ ଅଗ୍ନିଶମ ବାହିନୀ ଏବଂ ପଥରା ଗ୍ରାମର କିଛି ଯୁବକ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ସନ୍ତୋଷ ତରେଇ ବୋଲି ଜଣାପଡିଛି। ସନ୍ତୋଷଙ୍କ ମୃତ୍ୟୁ ପରେ ଓଡିଆ ଆଲପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related posts