ନୂଆଦିଲ୍ଲୀ: ତେଲେଙ୍ଗାନା ରାଷ୍ଟ୍ର ସମିତି ସଭାପତି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜିକାଲି ଏକ ତୃତୀୟ ମୋର୍ଚ୍ଚା ଗଠନ ପାଇଁ ବ୍ୟସ୍ତ ଅଛନ୍ତି। ସେ ଏ ବାବଦରେ ଏକ ବୈଠକ ମଧ୍ୟ କରିଛନ୍ତି ଏବଂ ଅନେକ ନେତାଙ୍କ ସହ ମଧ୍ୟ ସାକ୍ଷାତ କରିବାକୁ ଯାଉଛନ୍ତି। ବାସ୍ତବରେ, ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଏହି ମୋର୍ଚ୍ଚକୁ ଛିଡ଼ା କରିବାକୁ ଚାହାଁନ୍ତି ଏବଂ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହାଁନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କେସିଆର କ୍ରମାଗତ ଭାବରେ ବିରୋଧୀଦଳର ନେତାଙ୍କୁ ଭେଟୁଛନ୍ତି ଏବଂ ସେ ମଧ୍ୟ ଏନଡିଏର ସହଯୋଗୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ମୋର୍ଚ୍ଚାରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି।
ଗତକାଲି କେସିଆର ଅନେକ ବିରୋଧୀଦଳ ନେତାଙ୍କ ସହ ଏକ ବୈଠକ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟି ଦିଲ୍ଲୀର ସ୍କୁଲ ଏବଂ ମୋହଲା କ୍ଲିନିକ ପରିଦର୍ଶନ କରିଛନ୍ତି। ସେ ୟୁପି ବିଧାନସଭାରେ ସମାଜବାଦୀ ପାର୍ଟିର ନେତା ତଥା ବିରୋଧୀ ଦଳର ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଅଣ କଂଗ୍ରେସ ଏବଂ ଅଣ ବିଜେପି ନେତାଙ୍କୁ ପ୍ରାର୍ଥୀ କରିବାକୁ କେସିଆର ଚିନ୍ତା କରୁଛନ୍ତି।
ମେ ୨୬ ତାରିଖରେ ବେଙ୍ଗାଲୁରୁରେ ଜନତା ଦଳ ସେକୁଲାର ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ମଧ୍ୟ କେସିଆର ଭେଟିବେ। ୨୦୧୯ ସାଧାରଣ ନିର୍ବାଚନରେ କେସିଆର ଅଣ-ବିଜେପି ସାମ୍ମୁଖ୍ୟ ପାଇଁ ଦେବଗୌଡାଙ୍କୁ ସମର୍ଥନ କରିଥିଲେ। ନିକଟରେ ଦେବଗୌଡା ମଧ୍ୟ ବିଜେପି ତଥା ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢେଇ ପାଇଁ କେସିଆରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେଣୁ ଏହି ପ୍ରସଙ୍ଗରେ ରାଓଙ୍କ ସହକର୍ମୀମାନେ କହିଛନ୍ତି ଯେ, ଯଦି କଂଗ୍ରେସ ଆମକୁ ସମର୍ଥନ କରିବାକୁ ଚାହୁଁଛି, ତେବେ ତାହା ହୋଇପାରିବ। ଆମେ ସମସ୍ତଙ୍କ ପସନ୍ଦ ଅନୁଯାୟୀ ଏକ ପ୍ରାର୍ଥୀ ଦେବୁ।
ଦେବ ଗୌଡାଙ୍କୁ ଭେଟିବା ପରେ କେସିଆର ମଇ ୨୮ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବେ। ରାଓ ସେହି ସମସ୍ତ ନେତାଙ୍କୁ ଭେଟୁଛନ୍ତି, ଯେଉଁମାନେ ବିଜେପିର ଆଦର୍ଶରେ ନାହାଁନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ମାର୍ଚ୍ଚ ୨୦୧୮ରେ ଅନେକ ବିରୋଧୀ ଦଳ କୋଲକାତାରେ ଏକ ସଙ୍ଘୀୟ ମୋର୍ଚ୍ଚା ଖୋଲିବା ପାଇଁ ପରସ୍ପରକୁ ସମର୍ଥନ କରିଥିଲେ। ଜାନୁଆରୀ ୨୦୧୯ରେ ମମତା ବାନାର୍ଜୀ କୋଲକାତାରେ ଏକ ୟୁନାଇଟେଡ୍ ଇଣ୍ଡିଆ ରାଲିର ଆୟୋଜନ କରିଥିଲେ। ଯେଉଁଥିରେ ସମସ୍ତ ପ୍ରମୁଖ ବିରୋଧୀ ଦଳ ଅଂଶଗ୍ରହଣ କରିଥିଲେ। ତେବେ ୪ ମାସ ପରେ ଯେତେବେଳେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ କୌଣସି ଆନୁଷ୍ଠାନିକ ମେଣ୍ଟ ହୋଇନଥିଲା।
ମମତା ବାନାର୍ଜୀଙ୍କୁ ଭେଟିବା ପରେ କେକେଆର ରାଓ ବିଜେପି ସମର୍ଥନରେ ବିହାରରେ ସରକାର ଚଳାଉଥିବା ନୀତୀଶ କୁମାରଙ୍କୁ ମଧ୍ୟ ଭେଟିବେ। ଏହା ସହିତ ସେ ଏହି ମାସ ଶେଷରେ ଆରଜେଡି ସଭାପତି ତେଜସ୍ୱୀ ଯାଦବଙ୍କୁ ଭେଟିବେ। କେବଳ ଏତିକି ନୁହେଁ ରାଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ଦ୍ୱାର ଖୋଲିଛନ୍ତି। କାରଣ ତୃତୀୟ ମୋର୍ଚ୍ଚାକୁ ମଜବୁତ କରିବା ପାଇଁ ପଟ୍ଟନାୟକଙ୍କ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।