ରଣପୁର: ଅପରେସନ ‘ସିନ୍ଦୁର’ ର ସଫଳତା ପାଇଁ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ସେନାଙ୍କ ସମ୍ମାନରେ ରଣପୁରରେ ଆଜି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ମାଧ୍ୟମରେ ଭାରତୀୟ ସେନାଙ୍କ ବୀରତା ଓ ସାହସକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ରଣପୁର ବସ ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ପଞ୍ଚୁଦୋଳ ପଡିଆ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶହ ଶହ ଲୋକ ତ୍ରିରଙ୍ଗା ପତାକା ଧରି ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ଥିଲେ।
ଏହି ଶୋଭା ଯାତ୍ରାରେ ୧୨୦ ମିଟର ଲମ୍ବର ଜାତୀୟ ପତାକା ନେଇ କଲେଜ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଅପରେସନ “ସିନ୍ଦୁର” ର ସଫଳତା ପ୍ରତି ସମ୍ମାନ ଜଣାଇଥିଲେ। ଏହି ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସାଂସଦ ପ୍ରତିନିଧି ତଥା ଆଇନିଜିବି ପ୍ରିୟବ୍ରତ ପ୍ରହରାଜ, ସମାଜସେବୀ ତାପସ ରଞ୍ଜନ ମାର୍ଥା, ସମାଜସେବୀ ପୂର୍ଣ୍ଣିମା ମହାପାତ୍ରଙ୍କ ସହିତ ବହୁ ବ୍ୟକ୍ତି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଭାରତ ମାତା କି ଜୟ ନାରାରେ ସମଗ୍ର ରଣପୁର ପ୍ରକମ୍ପିତ ହୋଇଥିଲା।
ଏହି ଅପରେସନ ସିନ୍ଦୁର ରେ ଭାରତୀୟ ସେନାଙ୍କ ଦ୍ୱାରା ପାକିସ୍ତାନର ୯ଟି ଉଗ୍ରବାଦୀ କ୍ୟାମ୍ପ କୁ ଧୂଳିସାତ କରାଯାଇଛି। ଉଗ୍ରବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ମଧ୍ୟ ଉଚିତ ଜବାବ ଦିଆଯାଇଛି। ଭାରତୀୟ ସେନାର ସାହାସିକତା କୁ ପ୍ରଂଶସା ତଥା ସେମାନଙ୍କ ମନୋବଳ ବଢାଇବା ପାଇଁ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ରଣପୁର ରେ ପୁରୀ ସାଂସଦ ନିଜେ ଉପସ୍ଥିତ ରହି ଏହି ଶୋଭାଯାତ୍ରା କରିଥିଲେ।