ବାଣପୁର କୋର୍ଟରେ ସ୍ୱାଧୀନତା ଦିବସ ପାଳିତ, ଆଇନଜୀବୀଙ୍କ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଦୀପଦାନ

Published: Aug 15, 2022, 9:35 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଆଜାଦି କି ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି ସମଗ୍ର ଦେଶ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ।

ଏହାପରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ ପଟ୍ଟଯୋଶୀ ଏବଂ ସମ୍ପାଦକ ଜଗନ୍ନାଥ ଭୋଳ ନିଜର ଅଭିଭାଷଣ ରଖିଥିଲେ। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ଆଇନଜୀବୀ ମାନେ କୋର୍ଟ ପରିସରରୁ ତ୍ରିରଙ୍ଗା ପତାକା ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ପରିଶେଷରେ ମା’ ଭଗବତୀ ମନ୍ଦିର ଠାରେ ଶୋଭାଯାତ୍ରାକୁ ଶେଷ କରିଥିଲେ।

ମନ୍ଦିର ପରିସରରେ ୭୫ ଗୋଟି ଦୀପଦାନ କରିବା ସହ ସାରା ଦେଶବାସୀଙ୍କ ପାଇଁ ଆଇନଜୀବୀ ମାନେ ମଙ୍ଗଳ ମନାସିଥିଲେ। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ଦିବସରେ ଆଇନଜୀବୀମାନଙ୍କ ପକ୍ଷରୁ ଏପରି ଅଭିନବ ପ୍ରୟାସ ପ୍ରଥମ ଥର ଲାଗି ହାତକୁ ନିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା, ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।

Related posts