Categories
ଆଜିର ଖବର

କୋଣାର୍କଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର/କୋଣାର୍କ :  ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଓ ଅମୃତ ମହୋତ୍ସବ ପାଳନ ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି।

ଆଜି ପୁରୀ ଜିଲ୍ଲା କୋଣାର୍କଠାରେ ଅନୁଷ୍ଠିତ “ତ୍ରିରଙ୍ଗା ଯାତ୍ରା”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି। କୋଣାର୍କର ବନାଖଣ୍ଡିରୁ ଆରମ୍ଭ ହୋଇ ଏହି ଯାତ୍ରା ଚନ୍ଦ୍ରଭାଗା ଦେଇ ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିରଠାରେ ସମାପ୍ତ ହୋଇଥିଲା। ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଏହି ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ।

ତ୍ରିରଙ୍ଗା ଯାତ୍ରାରେ ଦେଶ ବିକାଶରେ ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ କରି ଆସନ୍ତା ଅମୃତ କାଳଖଣ୍ଡରେ ଭାରତବର୍ଷକୁ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ଏବଂ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନେବା ଉଚିତ୍। ‘ଘର୍ ଘର୍ ତ୍ରିରଙ୍ଗା’ ପଦଯାତ୍ରା କରି ସାଧାରଣ ଜନତା ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ସାଂସଦ ତଥା ଏସ୍‌ସି ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୁ ପ୍ରସାଦ ତରାଇ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ବାଣପୁରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଣପୁର ବିଷରପାଟଣା ଛକରୁ ବାହାରି ମା’ ଭଗବତୀ ମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ମା’ ଙ୍କ ନିକଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଗୋଟି ଦୀପ ଦାନ କରାଯାଇଥିଲା।

ଅତିଥି ଭାବେ ଡାକ୍ତର ସୁରେନ୍ଦ୍ର ନାଥ ପାତ୍ର ପ୍ରଥମ ଦୀପଦାନ କରିଥିଲେ। ଏହାପରେ ଶୋଭାଯାତ୍ରା ସମଗ୍ର ବାଣପୁର ସହର ପରିକ୍ରମା କରି ପଲଟନ ପଡିଆଠାରେ ଶେଷ ହୋଇଥିଲା।

ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର, ବିଜୁ ପଟ୍ଟନାୟକ ଏବଂ ସହିଦ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁରର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ଭାରତ ମାତା କି ଜୟ ଧ୍ୱନିରେ ବାଣପୁର ସହର ପ୍ରକମ୍ପିତ ହୋଇଉଠିଥିଲା।

ତେବେ ଶୋଭାଯାତ୍ରା କିଛି ବାଟ ଅତିକ୍ରମ କଲା ପରେ ପ୍ରବଳ ବର୍ଷା ହୋଇଥିବା ସତ୍ତ୍ୱେ ସମସ୍ତେ ଦେଶପ୍ରମକୁ ଉଜ୍ଜୀବିତ କରି ବର୍ଷାରେ ଭିଜି ନିରନ୍ତର ତ୍ରିରଙ୍ଗା ଯାତ୍ରା କରିଚାଲିଥିଲେ। ଶୋଭାଯାତ୍ରା ଶେଷ ହେବା ପରେ ପଲଟନ ପଡିଆ ନିକଟରେ ବାଲୁଗାଁସ୍ଥିତ କାଳିଜାଇ କଳା ନିକେତନ ପକ୍ଷରୁ ଚିତାକର୍ଷକ ଦେଶାତ୍ମକବୋଧକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବ ସମାରୋହ ସମିତି, ବାଣପୁର ଖଣ୍ଡ ପରିଚାଳିତ କରିଥିଲା। ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ପରିଚାଳନା ନିମନ୍ତେ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର କୋର୍ଟରେ ସ୍ୱାଧୀନତା ଦିବସ ପାଳିତ, ଆଇନଜୀବୀଙ୍କ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଦୀପଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଆଜାଦି କି ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି ସମଗ୍ର ଦେଶ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ।

ଏହାପରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ ପଟ୍ଟଯୋଶୀ ଏବଂ ସମ୍ପାଦକ ଜଗନ୍ନାଥ ଭୋଳ ନିଜର ଅଭିଭାଷଣ ରଖିଥିଲେ। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ଆଇନଜୀବୀ ମାନେ କୋର୍ଟ ପରିସରରୁ ତ୍ରିରଙ୍ଗା ପତାକା ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ପରିଶେଷରେ ମା’ ଭଗବତୀ ମନ୍ଦିର ଠାରେ ଶୋଭାଯାତ୍ରାକୁ ଶେଷ କରିଥିଲେ।

ମନ୍ଦିର ପରିସରରେ ୭୫ ଗୋଟି ଦୀପଦାନ କରିବା ସହ ସାରା ଦେଶବାସୀଙ୍କ ପାଇଁ ଆଇନଜୀବୀ ମାନେ ମଙ୍ଗଳ ମନାସିଥିଲେ। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ଦିବସରେ ଆଇନଜୀବୀମାନଙ୍କ ପକ୍ଷରୁ ଏପରି ଅଭିନବ ପ୍ରୟାସ ପ୍ରଥମ ଥର ଲାଗି ହାତକୁ ନିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା, ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଅବସରରେ ବାଲୁଗାଁରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଲୁଗାଁ ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ସମଗ୍ର ବାଲୁଗାଁ ସହର ପରିକ୍ରମା କରିଥିଲେ। ଏବଂ ପରିଶେଷରେ ବାଲୁଗାଁ ରେଳ ଓଭରବ୍ରିଜ ଉପରେ ଏହା ସମାପ୍ତ ହୋଇଥିଲା।

ଉକ୍ତ ଶୋଭାଯାତ୍ରାରେ ସ୍ୱତଃପ୍ରବୃତ ଭାବେ ବହୁ ଜନସାଧାରଣ ସାମିଲ ହୋଇଥିଲେ।  ଏତଦବ୍ୟତିତ ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲୁଗାଁର ମଧ୍ୟ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ଭାରତ ମାତା କି ଜୟ ଧ୍ୱନିରେ ବାଲୁଗାଁ ସହର ପ୍ରକମ୍ପିତ ହୋଇଉଠିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବ ସମାରୋହ ସମିତି, ବାଲୁଗାଁ ପରିଚାଳିତ କରିଥିଲା।  ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ପରିଚାଳନା ନିମନ୍ତେ ବାଲୁଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।