Categories
ଆଞ୍ଚଳିକ

ବିଚାରପତିଙ୍କ ଦୁଇ ବର୍ଷ ସଫଳ କାର୍ଯ୍ୟପୂର୍ତ୍ତି ଅବସରରେ ବାଣପୁର ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର କୋର୍ଟରେ କାର୍ଯ୍ୟରତ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ସଫଳତାର ସହ ଦୁଇ ବର୍ଷ ଶେଷ ହୋଇଛି। ଏହି ଅବସରରେ ଆଜି ବାଣପୁର ଓକିଲ ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଓକିଲ ସଂଘର ସମ୍ପାଦକ ସୁଧୀର ପ୍ରଧାନ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର ନାୟକ, ବରିଷ୍ଠ ଆଇନଜୀବୀ ଶରତ ପଟ୍ଟନାୟକ, ରମେଶ କୁମାର ବିଷୋୟୀ, ଜଳଧର ପ୍ରଧାନ, ସଚ୍ଚିତ ମିଶ୍ର, ସନ୍ଦୀପ କୁମାର ମହାପାତ୍ର, ରଞ୍ଜନ କୁମାର ବେଦମତ୍ତା, ଶରତ ହରିଚନ୍ଦନ ଆଦି ମାନ୍ୟବର ବିଚାରପତିଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ଦୀର୍ଘ ଦୁଇ ବର୍ଷ ମଧ୍ୟରେ ବିଚାରପତି ଶ୍ରୀ ମିଶ୍ର ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହିତ ଦକ୍ଷତାର ସହ ମକଦ୍ଦମା ମଧ୍ୟ ପରିଚାଳନା କରିବାରେ ଦେଖିବାକୁ ମିଳିଛି। ବାର ଓ ବେଞ୍ଚ ମଧ୍ୟରେ ଉତ୍ତମ ବୁଝାମଣା ରଖିବା ସହ ଆଇନଜୀବୀମାନଙ୍କୁ ସର୍ବଦା ସହଯୋଗ ଏବଂ ସୁପରାମର୍ଶ ପ୍ରଦାନ କରୁଥିବାରୁ ବାଣପୁର ଓକିଲ ସଂଘର ସଦସ୍ୟମାନେ ବିଚାରପତି ଶ୍ରୀ ମିଶ୍ରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

ଅନୁରୂପ ଭାବେ ତାଙ୍କର ଉତ୍ତୋରତର ଉନ୍ନତି ସହ ଦୀର୍ଘ ନିରାମୟ ଜୀବନ ପାଇଁ ଈଶ୍ୱରଙ୍କ ନିକଟରେ ସମସ୍ତ ଆଇନଜୀବୀ ପ୍ରାର୍ଥନା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର କୋର୍ଟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

ବାଣପୁର: ସାରା ଦେଶ ଆଜି ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ।

କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ। ଆଜିର ସମାଜରେ ନ୍ୟାୟିକ ବ୍ୟବସ୍ଥା ବହୁ ଚ୍ୟାଲେଞ୍ଜ ଦେଇ ଗତି କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ। ସଦାବେଳେ ଆମକୁ ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ଯୁଗୋପଯୋଗୀ ପ୍ରକ୍ରିୟାକୁ ଅନୁକରଣ କରିବାକୁ ପଡ଼ିବ। ଆମ ଦେଶ ଉକ୍ତ ୭୬ ବର୍ଷ ମଧ୍ୟରେ ବହୁ ଉନ୍ନତି କରିଛି। କାଶ୍ମୀର ତାହାର ଏକଜ୍ୱଳନ୍ତ ଉଦାହରଣ। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ଭାରତର ନ୍ୟାୟପ୍ରକ୍ରିୟା ସହ ସମାନ ହୋଇଛି। ସରକାର ଆଗକୁ ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ଆଇନକୁ ପରିବର୍ତ୍ତନ କରିବେ ଏବଂ ନୂତନ ଆଇନ ଆମ ପାଇଁ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିବ। ତେଣୁ ପୁରାତନ ଓ ନୂତନ ଉଭୟ ଆଇନ ସହ ଆମକୁ ସଂଶ୍ଲିଷ୍ଟ ହେବାକୁ ପଡିବ ଯାହା ଭବିଷ୍ୟତ ପାଇଁ ନ୍ୟାୟପାଳିକାରେ ବଡ଼ ଆହ୍ୱାନ ବୋଲି ଶ୍ରୀ ମିଶ୍ର କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ କନିଷ୍ଠ ଦେୱାନୀ ବିଚାରପତି ସ୍ନାତକୀ ଦାସ ଉପସ୍ଥିତ ଥିଲେ। ଏହାପରେ ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ଏବଂ ସମ୍ପାଦକ ସୁଧୀର ପ୍ରଧାନ ଓ ଅନ୍ୟ ବରିଷ୍ଠ ଓକିଲମାନେ ନିଜର ଅଭିଭାଷଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା, ଜଗଦୀଶ ପଟ୍ଟନାୟକ, ମହେନ୍ଦ୍ର ସାମନ୍ତସିଂହାର, ମନୋଜ ମହାପାତ୍ର, ସୁନୀଲ ମହାପାତ୍ର, ପ୍ରଦୀପ ସେଠି ଏବଂ ଅନ୍ୟ ସଦସ୍ୟ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଣପୁର ଅଦାଲତରେ ମଧୁ ବାବୁଙ୍କ ଜୟନ୍ତୀ ଓ ଅଧିବକ୍ତା ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ମଧୁବାବୁଙ୍କ ଜୟନ୍ତୀ ଏବଂ ଅଧିବକ୍ତା ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ବାର ଆସୋସିଏସନ ତରଫରୁ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି, କନିଷ୍ଠ ବିଚାରପତି ସ୍ନାତକୀ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ସମ୍ପାଦକ ସୁଧୀର ପ୍ରଧାନ ଏବଂ ଉପସଭାପତି ପଦ୍ମଜା ପଟ୍ଟନାୟକ ମଞ୍ଚାସିନ ଥିଲେ।

ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନେ ଉକ୍ତ ଜୟନ୍ତୀ ଉତ୍ସବରେ ମଧୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ମଧୁବାବୁଙ୍କ ଜୀବନୀ ସହ ଜଡିତ ବହୁ ତଥ୍ୟ ବକ୍ତବ୍ୟରେ ଉପସ୍ଥାପନ କରି କହିଥିଲେ କି ମଧୁସୂଦନ ଦାସ ଓଡ଼ିଶାର ଘରେ ଘରେ ମଧୁ ବାବୁ ବା ମଧୁ ବାରିଷ୍ଟର ଭାବରେ ପରିଚିତ। ସେ ଓକିଲାତି କରୁଥିଲେ ଏବଂ ତାଙ୍କର ବିଚକ୍ଷଣ ବୁଦ୍ଧି ଥିଲା।  ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ନିମନ୍ତେ ସେ ଅକ୍ଲାନ୍ତ ଉଦ୍ୟମ କରିଥିଲେ।

ସେଥିପାଇଁ ସେ ଉତ୍କଳ ସମ୍ମିଳନୀ ନାମରେ ଏକ ଅନୁଷ୍ଠାନ ଗଠନ କରି ଇଂରେଜ ସରକାରଙ୍କ ପାଖରେ ତାଙ୍କର ଦାବି ଉପସ୍ଥାପନ କରିବାକୁ ବିଲାତ ଯାତ୍ରା କରିଥିଲେ। ତାଙ୍କର ଓକିଲାତି ଜୀବନରେ କେବେ ବି ଗରିବ ଲୋକଙ୍କ ଠାରୁ ନିଜର ପ୍ରାପ୍ୟ ଗ୍ରହଣ କରୁନଥିଲେ। ଓକିଲ ବନ୍ଧୁ ମାନଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ଶ୍ରୀ ମିଶ୍ର।

ଅନ୍ୟ ଅତିଥିମାନେ ମଧୁବାବୁଙ୍କ ଜୀବନ ସମ୍ପର୍କିତ ବହୁ ତଥ୍ୟ ଉପସ୍ଥାପନ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରଞ୍ଜନ ବେଦମତ୍ତା, ଜଗଦୀଶ ପଟ୍ଟନାୟକ ଏବଂ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର କୋର୍ଟରେ ସ୍ୱାଧୀନତା ଦିବସ ପାଳିତ, ଆଇନଜୀବୀଙ୍କ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଦୀପଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଆଜାଦି କି ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି ସମଗ୍ର ଦେଶ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ।

ଏହାପରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ ପଟ୍ଟଯୋଶୀ ଏବଂ ସମ୍ପାଦକ ଜଗନ୍ନାଥ ଭୋଳ ନିଜର ଅଭିଭାଷଣ ରଖିଥିଲେ। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ଆଇନଜୀବୀ ମାନେ କୋର୍ଟ ପରିସରରୁ ତ୍ରିରଙ୍ଗା ପତାକା ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ପରିଶେଷରେ ମା’ ଭଗବତୀ ମନ୍ଦିର ଠାରେ ଶୋଭାଯାତ୍ରାକୁ ଶେଷ କରିଥିଲେ।

ମନ୍ଦିର ପରିସରରେ ୭୫ ଗୋଟି ଦୀପଦାନ କରିବା ସହ ସାରା ଦେଶବାସୀଙ୍କ ପାଇଁ ଆଇନଜୀବୀ ମାନେ ମଙ୍ଗଳ ମନାସିଥିଲେ। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ଦିବସରେ ଆଇନଜୀବୀମାନଙ୍କ ପକ୍ଷରୁ ଏପରି ଅଭିନବ ପ୍ରୟାସ ପ୍ରଥମ ଥର ଲାଗି ହାତକୁ ନିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା, ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ପାଖାପାଖି ୨ ଘଟିକା ସମୟରେ ବିଧାୟକ ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ବିଧାୟକ ପୁଣି ବାଣପୁର ସବ ଜେଲ ଯାଇପାରନ୍ତି ବୋଲି କୁହାଯାଉଛି।

ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବାଣପୁର କୋର୍ଟ ଚାରି ପାଖେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।