Categories
PanchayatElection ଆଜିର ଖବର ରାଜ୍ୟ ଖବର

ଦିନ ୧ ଟା ସୁଦ୍ଧା ୬୦ ପ୍ରତିଶତ ଭୋଟ: ୨୩ ଟି ସ୍ଥାନରେ ବନ୍ଦ ହେଲା ମତଦାନ

ଭୁବନେଶ୍ଵର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନ ୧ ଟା ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି।

ତେବେ ରାଜ୍ୟରେ ୨୩ ଟି ସ୍ଥାନରେ ଆଜି ଭୋଟ ଗ୍ରହଣ ବନ୍ଦ ରହିଛି। ରାଜ୍ୟରେ ୧ ଟି ଜିଲ୍ଲା ପରିଷଦ, ୬ ଟି ସରପଞ୍ଚ, ୩ ଟି ପଞ୍ଚାୟତ ଏବଂ ୧୩ ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ ବନ୍ଦ ହୋଇଛି। ପ୍ରାର୍ଥୀମାନଙ୍କ ମୃତ୍ୟୁ ଯୋଗୁଁ ମତଦାନ ରହିଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣନା ହେବ ଭିନ୍ନ ପ୍ରକାରର, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର: ନିର୍ବାଚନ ପ୍ରକି୍ରୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ ଅଟେ। ଅସାବଧାନ ଭୋଟଗଣତି ଯୋଗୁଁ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଭୁଲ ହୋଇପାରେ। ଏ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ରହିଛି। ଭୋଟଗଣତି କେନ୍ଦ୍ର ଉପରେ ନିର୍ବାଚନ ଅଧିକାରୀମାନେ ତୀକ୍ଷ୍‌ଣ ଦୃଷ୍ଟି ଦେବା ସହ ଭୋଟଗଣତି କେନ୍ଦ୍ର ମଧ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଶ୍ଚିତ ରୂପେ ଯନିବାନ ହେବା ଉଚିତ।

ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ର ମତଗଣନା ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିବ। ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସଂପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମତଃ ନିର୍ବାଚନ ଘୋଷଣା ହେବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଭୋଟଗଣତି କେନ୍ଦ୍ର ନିରୁପଣ କରିବା ଉଚିତ, ଯେଉଁଠାରେ ପର୍ଯ୍ୟାପ୍ତ ସ୍ଥାନ ଥିବ ଓ ନିର୍ବାଚନ ଅଧିକାରୀଙ୍କ ସହ ଗଣତି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ଆରାମରେ ଭୋଟଗଣତି କାର୍ଯ୍ୟ ସଂପାଦନ କରିପାରିବେ। ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀୱାରି ଭୋଟଗଣତି କାର୍ଯ୍ୟ ଗୋଟିଏ ବଡ଼ ହଲ୍‌ରେ କରାଯିବ। ବ୍ଲକ ମୁଖ୍ୟାଳୟରେ ମତଗଣନା କାର୍ଯ୍ୟ ତିନିଦିନ ଧରି ଚାଲିବ, ଯେମିତିକି ଗୋଟିଏ ବ୍ଲକ୍‌ ସମସ୍ତ ଜିଲ୍ଲା ପରିଷଦ ମଣ୍ଡଳୀର ଭୋଟଗୁଡ଼ିକର ଗଣତି କାର୍ଯ୍ୟ ତିନିଦିନ ମଧ୍ୟରେ ଶେଷ ହେବ।

ପ୍ରତ୍ୟେକ ବ୍ଲକ୍‌ର ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ଅନୁସାରେ ନିର୍ବାଚନ ଅଧିକାରୀମାନେ କେତେଗୋଟି ଭୋଟ ଗଣତି କେନ୍ଦ୍ର ସ୍ଥାପନ କରାଯିବ, ତାହା ନିରୁପଣ କରିବେ। ମନେ କରାଯାଉ କୌଣସି ଏକ ବ୍ଲକ୍‌ର ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ତିନିରୁ ଅଧିକ ଅଛି, ସେଠାରେ ନିଶ୍ଚିତ ଭାବେ ଏକରୁ ଅଧିକ ମତଗଣନା କେନ୍ଦ୍ର ହେବ। ଗୋଟିଏ ବ୍ଲକ୍‌ର ମତଗଣନା କାର୍ଯ୍ୟ ନିଶ୍ଚିତ ଭାବେ ତିନି ଦିନ ମଧ୍ୟରେ ଶେଷ କରିବା ଲାଗି ନିର୍ବାଚନ ଅଧିକାରୀମାନେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ମତଗଣନା କେନ୍ଦ୍ର ବ୍ଲକ୍‌ ମୁଖ୍ୟାଳୟ ନିକଟରେ ହେବା ଉଚିତ। ଯଦି ସେଠାରେ ମତଗଣନା କେନ୍ଦ୍ର ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ନଥିବ, ତାହେଲେ ବ୍ଲକ୍‌ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର, ବିଶେଷ କରି ମହାବିଦ୍ୟାଳୟ କିମ୍ବା ଉଚ୍ଚ ବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବା ଉଚିତ ବୋଲି ନିର୍ଦ୍ଦେଶନାମାରେ ନିର୍ବାଚନ କମିଶନ ଉଲ୍ଲେଖ କରିଛନ୍ତି। ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ସହ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବା ଉଚିତ। ଏତଦ୍‌ବ୍ୟତୀତ ମତଗଣନା କେନ୍ଦ୍ର ନିକଟରେ ଷ୍ଟ୍ରଙ୍ଗରୁମ୍‌ ନିମନ୍ତେ ଏକ ବଡ଼ କୋଠରୀ ରହିବା ନିତାନ୍ତ ଜରୁରୀ। ଏଠାରେ ଭୋଟ ଗ୍ରହଣ ପରେ ଭୋଟବାକ୍ସ ସହ ଭୋଟ ଗ୍ରହଣ ସଂପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ରଖାଯିବ।

ମତଗଣନା କେନ୍ଦ୍ର ଚିହ୍ନଟ କରିବା ସମୟରେ ସେଠାରେ ଆବଶ୍ୟକ ଚେୟାର, ଟେବୁଲ, ର୍ୟାମ୍ପ, ପରିସ୍ରାଗାର ଓ ପାନୀୟଜଳର ସୁବିଧା ଦିଗରେ ଦୃଷ୍ଟି ଦେବା ଉଚିତ। ମତଗଣନା କାର୍ଯ୍ୟ ଅସ୍ଥାୟୀ ମତଗଣନା କେନ୍ଦ୍ରରେ କରାଯିବାକୁ ନିର୍ବାଚନ କମିଶନ ସଂପୂର୍ଣ୍ଣ ବାରଣ କରିଛନ୍ତି । ରାଜନୈତିକ ଦଳମାନେ ଯଦି ଚାହାନ୍ତି ଷ୍ଟ୍ରଙ୍ଗରୁମ୍‌ର ବାହାରେ ନିର୍ଦ୍ଧାରିତ ସ୍ଥାନରେ ରହି ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗରୁମ୍‌କୁ ଜଗି ପାରିବେ ବୋଲି ନିର୍ବାଚନ କମିଶନ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ନିମନ୍ତେ ବିହିତ ବ୍ୟବସ୍ଥା କରିବା ଉଚିତ। ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଜରୁରୀ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ପ୍ରଦାନ ନିମନ୍ତେ ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଆବଶ୍ୟକ ଡାକବାଜି ଯନ୍ତ୍ର (ମାଇକ)ର ବ୍ୟବସ୍ଥା କରିବା ଦରକାର। ଏକ ଆଦର୍ଶ ମତଗଣନା କେନ୍ଦ୍ରର ଆକାର ୩୫’X୨୦’ ଫୁଟ ହେବା ଉଚିତ, ଯେଉଁଠାରେ ୮ଟି ଗ୍ରାମପଞ୍ଚାୟତର ଭୋଟଗଣତି ଗୋଟିଏ ହଲ୍‌ରେ କରାଯାଇପାରିବ।

ମତଗଣନା ଟେବୁଲ ସମ୍ମୁଖରେ ଏକ ବେଞ୍ଚରେ କାଉଣ୍ଟିଂ ଏଜେଣ୍ଟମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ। ମତଗଣନା କେନ୍ଦ୍ର ନିକନ୍ତେରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ଟି ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିବ। ଷ୍ଟ୍ରଙ୍ଗରୁମ୍‌କୁ ବାଲାଟ୍‌ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ସିସିଟିଭି ଲାଗିବ ଓ ଭୋଟଗଣତି, ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ଷ୍ଟ୍ରଙ୍ଗରୁମ୍‌ ବାହାରେ ଦ୍ୱିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ପର୍ଯ୍ୟବେକ୍ଷଣ ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଏତଦ୍‌ବ୍ୟତୀତ ମତଗଣନାର ୭୨ ଘଣ୍ଟା ପୂର୍ବରୁ ମତଗଣନା ସଂପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯିବ । ଗୋଟିଏ ମତଗଣନା ଟେବୁଲ୍‌ ପାଇଁ ନିର୍ବାଚନ ଅଧିକାରୀ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ ଜଣଙ୍କୁ ନିୟୋଜିତ କରିବେ।

କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କେବଳ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ ଏବଂ ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଥିବା ଗ୍ରାମ ପଞ୍ଚାୟତ ସଂଖ୍ୟା ଅନୁସାରେ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ। ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ଓ ସମୟରେ ମତଗଣନା କାର୍ଯ୍ୟ ଆରମ୍ଭ ହେବ।

ମତଗଣନାରେ ନିୟୋଜିତ ଥିବା କର୍ମଚାରୀମାନେ ମତଗଣନା ନିମନ୍ତେ ଧାର୍ଯ୍ୟ ସମୟର ୧୫ ମିନିଟ୍‌ ପୂର୍ବରୁ ମତଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ ଓ ମତଗଣନା ସଂପର୍କିତ ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ଭରସାକୁ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ବିଶ୍ବାସକୁ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କାରଣ ତାଙ୍କୁ ଦଳରୁ ନିଳମ୍ବିତ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ଟିକେଟ ପ୍ରଦାନ କରିବା ପାଇଁ ତାଙ୍କୁ ଦାୟିତ୍ବ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ନବୀନଙ୍କ ପୁଣି ଭରସା ଯୋଗ୍ୟ ହୋଇପାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।

ବିଜେପିର ଜଣେ କର୍ମିଙ୍କୁ ମାଡମାରିବା ଘଟଣାରେ ନବୀନ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ନିଳମ୍ବନ ଆଦେଶ ପ୍ରତ୍ୟାହାର ହୋଇ ନ ଥିବା ବେଳେ ତାଙ୍କ ମନୋନିତ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେଇଛି। ତେବେ ନବୀନଙ୍କ ଦସ୍ତଖତ ଥିବା ଏହି ଟିକେଟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ସେ ସିଧା ନ ଦେଇ ତାଙ୍କ ଧର୍ମପତ୍ନୀଙ୍କ ମାଧ୍ୟମରେ ପ୍ରଦାନ କରାଇଛନ୍ତି। କାରଣ ହେଲା ଯେ, ସେ ସିଧା ଟିକେଟ ଦେଇଥିଲେ ପ୍ରସଂଗଟି ଭିନ୍ନ ମୋଡ ନେଇ ଥାଆନ୍ତା। ବିରୋଧୀ ଏହାକୁ  ନିର୍ବାଚନ ପ୍ରସଂଗ କରି ତୁମ୍ବି ତୋଫାନ କରିଥାଆନ୍ତେ। ସେଥିପାଇଁ ନବୀନ ନିବାସରୁ ଜଗଦେବଙ୍କୁ କଡା ନିର୍ଦ୍ଦେଶ ଥିଲା ଯେ ତୁମେ ପ୍ରାର୍ଥୀମାନଙ୍କୁ ସିଧା ଟିକେଟ ଦେବ ନାହିଁ।

ବର୍ତ୍ତମାନ ପ୍ରଶାନ୍ତ ଜଗଦେବଙ୍କୁ ନବୀନ ପୁଣି ଦାୟିତ୍ବ ଦେବା ପରେ ତାଙ୍କ ଶିବିରରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି। କାରଣ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚିଲିକା ବିଜେଡିରେ ଏକ ପ୍ରକାରର ଦୋଦୁଲ୍ୟମାନ ପରିସ୍ଥିତି ଉପୁଜି ଯାଇଥିଲା। ପଞ୍ଚାୟତ ନିର୍ବାଚନ ଲଢେଇରେ କିଏ ବିଜେଡି ମଙ୍ଗ ଧରିବ ତାଙ୍କୁ ନେଇ କର୍ମିମାନେ ସନ୍ଦେହ ମଧ୍ୟରେ ଥିଲେ। ସମସ୍ତେ ଭାବି ନେଇଥିଲେ ଯେ, ପ୍ରଶାନ୍ତଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବ। ହେଲେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ବିଜେଡି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ନାହିଁ।

ଏପରି ପରିସ୍ଥିତି ଦେଖି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ ନିଜେ ଭାବି ନେଲେ ଯେ, ନବୀନ ତାଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ବ ଦେବେ। ସେଥିପାଇଁ ସେ ନବୀନ ନିବାସରୁ କୌଣସି ଆଦେଶ ନ ପାଇ ମଧ୍ୟ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇ ଥିଲେ। ରଘୁ ସାହୁଙ୍କ ଏପରି ସକ୍ରିୟତା ଦେଖି ପ୍ରଶାନ୍ତ ଜଗଦେବଙ୍କ ଶିବିରରେ ଛନକା ପଶିଯାଇ ଥିଲା। ସେମାନେ ଭାବି ନେଲେ ଯେ, ହୁଏତ ବିଜେଡି ପ୍ରଶାନ୍ତ ଜଗଦେବଙ୍କୁ କଣଠୋସା କରି ରଘୁ ସାହୁଙ୍କୁ ଦାୟିତ୍ବ ଦେଇ ଦେବ।

ସେତେବେଳେ ବିଜେଡି କର୍ମିମାନେ ନା ରଘୁ ନା ପ୍ରଶାନ୍ତଙ୍କ ପାଖରେ ରହିବେ କିଛି ନିଷ୍ପତି କରିପାରୁ ନ ଥିଲେ। ଅନ୍ୟପଟେ ପ୍ରଶାନ୍ତ ଜଗଦେବ ମଧ୍ୟ ବାଉଳା ହୋଇଯାଇ ଥିଲେ। କାରଣ ସେ ଭାବିଥିଲେ ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ଦଳ ନିଳମ୍ବନ ଆଦେଶ ପ୍ରତ୍ୟାହାର କରିନେବ। ହେଲେ ଶେଷ ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ। ହେଲେ ନବୀନ ତାଙ୍କୁ ସଂଗଠନ ଦାୟିତ୍ବରୁ ନ ହଟେଇ ପୂର୍ବପରି କାମ କରିବା ପାଇଁ ଭରସା ଦେଲେ। ଯାହାଫଳରେ ପ୍ରଶାନ୍ତଙ୍କ ପାଇଁ ଏହା ଏକ ଆଶ୍ବସ୍ଥି ଆଣି ଦେଇଛି। ସେପଟେ ବିଜେଡି ତାଙ୍କୁ ଗୁରୁତ୍ବ ଦେଉ ନାହିଁ ବୋଲି ଅନୁଭବ କରି ରଘୁ ସାହୁ ହତାସ ହେବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ସେ କଣ କରିବେ କୌଣସି ନିଷ୍ପତି ନେଇପାରୁ ନାହାଁନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ଆଇନି ଶୃଙ୍ଖଳା ନେଇ ବୈଠକ କଲେ ନିର୍ବାଚନ କମିଶନର

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ କମିଶନରଙ୍କ ଗତିରୁ ସ୍ପଷ୍ଟ ଜଣାପଡିଲାଣି ଯେ, ଓଡିଶାରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ମଧ୍ୟରେ ହେବ। କାରଣ କମିସନର ଆଦିତ୍ୟ ପ୍ରସାଦ ପାଢୀ ଘନଘନ ବୈଠକ କରି ବିଭିନ୍ନ ମତାମତ ସଂଗ୍ରହରୁ ଏହା ନିଶ୍ଚିତ କରିଛି। କରୋନା ପାଇଁ ନିର୍ବାଚନ ଘୁଞ୍ଚିବ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ସମାପ୍ତ ହୋଇଛି।

ସୋମବାର ଦିନ କମିଶନର ରାଜ୍ୟର ଆଇନି ଶୃଙ୍ଖଳା ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ କରାଗଲେ ଆଇନି ଶୃଙ୍ଖଳା ପରିସ୍ଥିତି କିପରି ରହିବ ସେ ନେଇ ମତ ମାଗିଥିଲେ। ବିଶେଷ ସୁତ୍ରର ଖବର ଅନୁସାରେ ପଞ୍ଚାୟତ ନିର୍ବାଚନ ହେଲେ ଆଇନି ଶୃଙ୍ଖଳା ପରିସ୍ଥିତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ମତ ରଖିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନର କରିବେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ପୂର୍ବରୁ ଏ ନେଇ ସେ ଆଉ ଏକ ବୈଠକ କରିଥିଲେ। ତେବେ ବର୍ତ୍ତମାନ ରାଜ୍ୟରେ କରୋନା ପରିସ୍ଥିତି ନେଇ କିପରି ନିର୍ବାଚନ ହେବ ସେ ନେଇ ମତ ଲୋଡିବେ। ଏଥିରେ ରାଜ୍ୟର ସବୁ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ।

ପୂର୍ବରୁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିସାରିଛନ୍ତି। ବର୍ତ୍ତମାନ କରୋନା ପରିସ୍ଥିତି କିପରି ଅଛି ଏବଂ କଣ ମୁକାବିଲା ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଆଲୋଚନା କରିଛନ୍ତି। ଆଜି ରାଜନୈତିକ ଦଳର ମତାମତ ନେବା ପରେ କମିଶନର ନିର୍ବାଚନ ନେଇ ଘୋଷଣା କରିବେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

କରୋନା ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ କରିବା ଠିକ୍ ହେବ କି ? ବୈଠକରେ ହେଲା ଆଲୋଚନା

ଭୁବନେଶ୍ବର: ବର୍ତ୍ତମାନ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ଓଡିଶାର ସ୍ଥିତି ଯେପରି ଭୟଙ୍କର ଥିଲା ବର୍ତ୍ତମାନ ସେହି ଆଡକୁ କରୋନା ଗତି କରୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ଅନୁସାରେ ଆସନ୍ତା ଫେବୃୟାରୀ ମାର୍ଚ୍ଚରେ ସ୍ଥିତି ଅସମ୍ଭାଳ ହେବ। ତେବେ ଏପରି ପରିସ୍ଥିତିରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବା ସମ୍ଭବ କି ? ଏହିପରି ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେବାରେ ଲାଗିଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ଶନିବାର ଦିନ ଆୟୋଜିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ଏବଂ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ।

ଏଥିରେ ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ରାଜ୍ୟରେ କୋଭିଡ ଟିକାକରଣ ସହିତ କରୋନା ମୁକାବିଲା ପ୍ରସ୍ତୁତି ଉପରେ ତଥ୍ୟ ରଖିଥିଲେ। ସେହିପରି ଉନ୍ନୟନ କମିଶନର ପ୍ରଦୀପ ଜେନା ମଧ୍ୟ ଭବିଷ୍ୟତରେ ବୁଷ୍ଟର ଡୋଜ ପ୍ରଦାନ ଉପରେ ଆଲୋତପାତ କରିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ଓଡିଶା ରାଜ୍ୟ ନିର୍ବାଚନ କମିଶନର। ଏହାପରେ ସେ ଓଡିଶାରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ତାହା ନିଷ୍ପତି ଗ୍ରହଣ କରିବେ।

ତେବେ ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ଓଡିଶାର ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ। କାରଣ ଭାରତ ନିର୍ବାଚନ କମିଶନର ବର୍ତ୍ତମାନ ଏହି ପରିସ୍ଥିତିରେ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିସାରିଲେଣି। ଏହା ପୂର୍ବରୁ କେତେକ ରାଜ୍ୟରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ତେଣୁ ଓଡିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହେବାର ଯଥେଷ୍ଠ କାରଣ ରହିଛି ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସବୁଜ ସଙ୍କେତ ଦେଇ ସାରିଲେଣି। ଏ ନେଇ ସରକାର ତିନୋଟି ଗେଜେଟ ନୋଟିଫିକେସ ଜାରୀ କରିସାରିଲେଣି। ଏଥିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ସଙ୍କେତ ପ୍ରଦାନ କରିସାରିଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ନିର୍ବାଚନ କମିଶନର ଖୁବ ଶିଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବୀ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ, ଶ୍ରୀ ଜ୍ଞାନଦେବ ବେଉରା, ଅଧ୍ୟକ୍ଷ ପଛୁଆ ବର୍ଗ ବିଭାଗ ପ୍ରଦେଶ କଂଗ୍ରେସ କମିଟି ଓ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ଆଜି ଲୋକସଭା ଭବନରେ ପଂଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଓଡ଼ିଶାରେ ଆଗାମୀ ପଂଚାୟତ ନିର୍ବାଚନରେ ପଛୁଆବର୍ଗମାନଙ୍କ ପାଇଁ ଉଚ୍ଛେଦ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୂନଃ କାଏମ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ଦଳ ତରଫରୁ ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ର ଗ୍ରହଣ କରି ପ୍ରମୁଖ ଶାସନ ସଚିବ, ଏହାଉପରେ ସରକାର ତର୍ଜମା କରିବା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଦାନ କରାଯାଇଥିବା ଦାବି ପତ୍ରକୁ ସରକାର ବିଚାରକୁ ନନେଲେ କଂଗ୍ରେସ ଦଳ ଖୁବଶୀଘ୍ର ନ୍ୟାୟଳୟକୁ ଯିବାପାଇଁ ନିଷ୍ପତି ନେଇଥିବା ପ୍ରକାଶ ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଓଡିଶାର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପାଇଁ ହେଲା ନିଷ୍ପତି, ଜାଣନ୍ତୁ କେବେ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ନିୟମ ଅନୁସାରେ ଏହି ନିର୍ବାଚନ ଆସନ୍ତା ଫେବୃୟାରୀରେ ହେବା ଆବଶ୍ୟକ। ଆଉ ସେଥିପାଇଁ ଜାନୁୟାରୀ ମାସଟି ପୁରା ନିର୍ବାଚନ ପାଇଁ ରହିବ। ଏହାକୁ ହିସାବ କଲେ ଆସନ୍ତା ସପ୍ତାହରେ କେବେ ନିର୍ବାଚନ ହେବ ତାହାର ତାରିଖ ଘୋଷଣା ହେବ।

କମିଶନରଙ୍କ କାର୍ଯ୍ୟଳୟର ଜଣେ ଅଧିକାରୀଙ୍କ ଅନୁସାରେ କମିଶନର ଆସନ୍ତା ସପ୍ତାହରେ ଏହି ତାରିଖ ଘୋଷଣା କରିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ସେଥିପାଇଁ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଫଳରେ ବଡଦିନ ଡିସେମ୍ବର 25 ତାରିଖ ପରେ କେତେବେଳେ ବି ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି।

ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧,୯୧୬ ୱାର୍ଡମେମ୍ବର ଓ ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ପର୍ଯ୍ୟାୟ ମଧ୍ୟରେ ଦିନେ ଦୁଇ ଦିନ ବ୍ୟବଧାନ ରହିବ। ପ୍ରତି ବ୍ଲକ୍‌କୁ ଗୋଟିଏ ୟୁନିଟ୍ ଭାବେ ଧରାଯିବ।

ପ୍ରଥମ ଥର ପାଇଁ ସମସ୍ତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ୱାର୍ଡ ପାଇଁ ଭୋଟ୍ ଗ୍ରହଣ ଗୋଟିଏ ଦିନରେ କରାଯିବ। ଏଥର ବୁଥରେ ଭୋଟ୍ ଗଣତି ନ ହୋଇ ସମ୍ପୂର୍ଣ୍ଣ ପାଞ୍ଚ ପର୍ଯ୍ୟାୟ ମତଦାନ ଶେଷ ହେଲା ପରେ ବ୍ଲକ୍ ସ୍ତରରେ ଭୋଟ୍ ଗଣତି ହେବ। ଏହା ମଧ୍ୟରେ ଭୋଟର୍ ତାଲିକା ସଂଶୋଧନ ଶେଷ ହୋଇଛି। ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିଥିବା ନାଗରିକମାନଙ୍କୁ ଭୋଟର୍ ତାଲିକାରେ ନିଆଯାଇଛି। ୨.୬୧ କୋଟିରୁ ଅଧିକ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।

ପଞ୍ଚାୟତ ତାରିଖ ଘୋଷଣା ପୂର୍ବରୁ କମିଶନରଙ୍କ ତରଫରୁ ନିର୍ବାଚନ ଆଚରଣ ବିଧି ଘୋଷଣା କରାଯାଇଛି। ଯେଉଁମାନେ ପ୍ରାର୍ଥ ହେବେ ସେମାନେ ଏହି ଆଚରଣ ବିଧି ଅନୁସାରେ କାର୍ଯ୍ୟ କରିବେ ବୋଲି ସେମାନଙ୍କ ଉଦ୍ଦେଶ୍ୟରେ ଏହା ପ୍ରଦାନ କରାଯାଇଛି। ଯେଉଁଧିନ ନିର୍ବାଚନ ତାରିଖ ଘୋଷଣା ହେବ ସେହିଦିନଠାରୁ ଏହା ଲାଗୁ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ କୁହାଯାଇଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ବାହାରିଲା ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଚିଠା, ନେତା ମନ୍ତ୍ରୀମାନଙ୍କ ପାଇଁ ବିଶେଷ କଟକଣା

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ନିର୍ବାଚନ ଆଚରଣ ବିଧି ଚିଠା। ଯେଉଁଦିନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ସେହିଦିନଠାରୁ ଏହା କାର୍ଯ୍ୟକାରି କରାଯିବ ବୋଲି କମିଶନରଙ୍କ ତରଫରୁ କୁହାଯାଇଛି।

ଏହି ଚିଠା ତାଲିକାରେ ରହିଛି ମୋଟ 12 ପୃଷ୍ଟା। ଏଥିରେ ରହିଛି ପାଞ୍ଚୋଟି ପରିଚ୍ଛେଦ। ଏଥିସହିତ ଆଚରଣ ବିଧି ଉଲଂଘନ କଲେ କଣ ଦଣ୍ଡବିଧାନ ହେବ ତାହା ମଧ୍ୟ ଉଲ୍ଲେଖ କରାଯାଇଛି। ମୁଖ୍ୟତଃ ହାଇ ପ୍ରୋଫାଇଲ ବ୍ୟକ୍ତିମାନେ ନିର୍ବାଚନ ପ୍ରଚାର ବେଳେ କିପରି କଟକଣା ଭିତରେ ରହିବେ ତାହା ସଚେତନ କରାଯାଇଛି।

ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କମିଶନରଙ୍କ ତରଫରୁ ଏହି ଆଚରଣ ବିଧି ପ୍ରକାଶ କରିବାର କାରଣ ରହିଛି। ତାହା ହେଲା ଯେଉଁମାନେ ପ୍ରାର୍ଥୀ ହେବେ ସେମାନେ ବର୍ତ୍ତମାନଠାରୁ ତାହା ଆବଗତ ହେବା ଆବଶ୍ୟକ। ସେହି ଅନୁସାରେ ସେମାନେ ନିର୍ବାଚନ ପ୍ରଚାର କରିବେ। ଏପରିକି ଏହି ଆଚରଣ ବିଧି ଅନୁସାରେ ସେମାନେ ପ୍ରଚାର ପତ୍ର ଛପାଇ ପାରିବେ।

ଏହି ଆଚରଣ ବିଧିର ପ୍ରଥମ ପରିଚ୍ଛଦ ହେଉଛି ସାଧାରଣ ଆଚରଣ ବିଧି। ଯେଉଁଥିରେ କମିଶନର 6ଟି ପଏଣ୍ଟ ଜାରୀ କରିଛନ୍ତି। ସାଧାରଣ ଆଚରଣ ବିଧିରେ ପ୍ରାର୍ଥୀମାନେ କିପରି ପ୍ରଚାର କରିବେ, କିପରି ଭାଷା ପ୍ରୟୋଗ କରିବେ, ହିଂସା ଉଦ୍ରେକ ପରି କଥା କହିପାରିବେ ନାହିଁ ତାହା ଉଲ୍ଲେଖ କରାଯାଇଛି। ସେହିପରି ପ୍ରଚାର ବେଳେ ସେମାନେ ଯେପରି କୌଣସି ସରକାରୀ କୋଠା, ସ୍କୁଲ କଲେଜ ବ୍ୟବହାର ନ କରିବେ ସେ ନେଇ ତାଗିଦ କରାଯାଇଛି।

ସେହିପରି ପରିଚ୍ଛଦ-2 ରେ ରହିଛି ସଭା, ସମିତି, ଶୋଭାଯାତ୍ରା ବେଳେ କିପରି ସାବଧନତା ଅବଲମ୍ବନ କରିବେ। ଏହି ପରିଚ୍ଛଦରେ କମିଶନର 10ଟି ପଏଣ୍ଟ ଜାରୀ କରିଛନ୍ତି। ଶୋଭାଯାତ୍ରାବେଳେ କୌଣସି କୁଶପୂତଳିକା ଦାହ ନ କରିବା, କୌଣସି ପ୍ରାର୍ଥୀଙ୍କ ବିରୋଧରେ ବ୍ୟକ୍ତିଗତ କୁତ୍ସାରଟନା ନ କରିବା ନିୟମ ରହିଛି। ଏଥିସହିତ ସଭାସମିତି ଶୋଭାଯାତ୍ରା ପାଇଁ ଅନୁମତି ଆଣିବା ପାଇଁ ଏହି ପରିଚ୍ଛଦରେ ଉଲ୍ଲେଖ କରାଯାଇଛି।

ପରିଚ୍ଛଦ-3ରେ ରହିଛି ନିର୍ବାଚନ ସମୟରେ ପ୍ରାର୍ଥୀମାନେ କିପରି କାର୍ଯ୍ୟ କରିବେ। ଏଥିରେ ସେମାନେ ଭୋଟ ଗ୍ରହଣ କେନ୍ଦ୍ରରୁ ଶହେ ମିଟର ଭିତରେ କୌଣସି କାର୍ଯ୍ୟକଳାପ କରିପାରିବେ ନାହିଁ। ଭୋଟ ଗ୍ରହଣ ସମୟରେ ପୁସିଂ କାର୍ଡ ପ୍ରଦାନ କରିପାରିବେ ନାହିଁ। ଭୋଟ ଗ୍ରହଣର 24 ଘଣ୍ଟା ପୂର୍ବରୁ ପ୍ରାର୍ଥୀ ସେମାନଙ୍କ କର୍ମିଙ୍କୁ କୌଣସି ନିଶା ଦ୍ରବ୍ୟ ସେବନ କରିବାକୁ ଦେଇପାରିବେ ନାହିଁ ପ୍ରଭୃତି ରହିଛି।

ପରିଚ୍ଛଦ-4 ଟି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କାରଣ ଏଥିରେ କମିଶନର କ୍ଷମତାସିନ ଦଳ ଏବଂ ଉଚ୍ଚ ପଦବୀର ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଚରଣ ବିଧି ଉଲ୍ଲେଖ କରାଯାଇଛି। ମୁଖ୍ୟତଃ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଗଣ, ବିଧାୟକ, ସାଂସଦ, କୌଣସି ସଂସ୍ଥାର ଅଧ୍ୟକ୍ଷମାନେ ପ୍ରଚାର କରିବାକୁ ହେଲେ କଣ କରିବେ ତାହା ଉଲ୍ଲେଖ କରାଯାଇଛି। ଏଥିରେ ସେମାନେ ପ୍ରଚାର ବେଳେ କୌଣସି ସରକାରୀ ଗାଡି, ସରକାରୀ ବଙ୍ଗଳା ବା ଗେଷ୍ଟହାଉସ, ସର୍କିଟ ହାଉସ ବ୍ୟବହାର କରିପାରିବେ ନାହିଁ। ସେହିପରି ସେମାନେ ଭାଷଣ ଦେବାବେଳେ କୌଣସି ଘୋଷଣା, ଆର୍ଥିକ ସହାୟତା, କିମ୍ବା ସରକାରୀ ପ୍ରକଳ୍ପର ଘୋଷଣା କରିପାରିବେ ନାହିଁ।

ସେହିପରି ଅନ୍ୟାନ୍ୟ ପରିଛଦରେ କମିଶନର କୌଣସି ପ୍ରାର୍ଥୀ, କର୍ମି, ମନ୍ତ୍ରୀ କିମ୍ବା ନେତା ଆଚରଣ ବିଧୀ ଉଲ୍ଲଘନ କଲେ ସେମାନଙ୍କ ପାଇଁ ଦଣ୍ଡବିଧାନ ପ୍ରାବଧନ କରିଛନ୍ତି। ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964 ଅନୁସାରେ ଏହି ଦଣ୍ଡବିଧାନ କରାଯିବ ବୋଲି ନିର୍ଦ୍ଦେଶ ରହିଛି।

ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇଛି ଯେ, ପ୍ରଥମେ ପଞ୍ଚାୟତ ନିର୍ବାଚନ ହେବ। ସେଥିପାଇଁ କମିଶନରଙ୍କ ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବ କି?, ଜାଣନ୍ତୁ ଏହାକୁ ନେଇ କଣ କହିଲେ ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଉ କିଛି ମାସ ପରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ସମସ୍ତ ରାଜନୈତିକ ଦଳଗୁଡିକ ନିର୍ବାଚନ ଲଢିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ ନିର୍ବାଚନ ସ୍ଥଗିତ ରହିବା ପାଇଁ କଳ୍ପନା ଜଳ୍ପନା ଲାଗି ରହିଛି।

ତେଣୁ ଏହାକୁ ନେଇ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଘୁଞ୍ଚିବାର କୌଣସି ସମ୍ଭାବନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ସମସ୍ତ ରିପୋର୍ଟ ଦିଆଯାଇଥିବା ଶ୍ରୀ ଜେନା କହିଛନ୍ତି। ତେବେ ନିର୍ବାଚନ କମିଶନ ପକ୍ଷରୁ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଜିଲ୍ଲା ପରିଷଦ, ସରପଞ୍ଚ, ସମିତ ସଭ୍ୟ ସହ ୱାର୍ଡ ମେମ୍ବରଙ୍କ ସଂରକ୍ଷଣ ତାଲିକା

ଭୁବନେଶ୍ୱର: ନିକଟରେ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଲାଗି ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବରଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନରକୁ ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାୱାରୀ ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟର ମୋଟ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ୬୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୮୪ଟି ସ୍ଥାନ ସଂରକ୍ଷିତ ରହିଛି । ସେହିଭଳି ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ୧୦୦ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୧୮ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆବର୍ଗ ମହିଳାଙ୍କ ଲାଗି ୫୫ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭ଟି ସ୍ଥାନ ଏବଂ ମହିଳାଙ୍କ ଲାଗି ୧୭୬ଟି ସ୍ଥାନ ସଂରକ୍ଷିତ ରହିଛି ।

ରାଜ୍ୟର ମୋଟ ୬୭୯୪ ଗୋଟି ସରପଞ୍ଚ ପଦ ମଧ୍ୟରୁ ୪୨୬ ଗୋଟି ଅନୁସୂଚିତ ଜାତି ଓ ୫୨୫ ଗୋଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜନଜାତିଙ୍କ ଲାଗି ୧୨୩୭ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୩୭୬ଟି ସଂଖ୍ୟକ ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ଲାଗି ୩୪୯ ଏବଂ ପଛୁଆବର୍ଗ ମହିଳାଙ୍କ ଲାଗି ୪୨୯ଟି ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି ।

ଅଣ ସଂରକ୍ଷିତ ବର୍ଗରେ ୧୨୮୨ ଏବଂ ମହିଳାଙ୍କ ପାଇଁ ୧୧୭୦ଟି ସ୍ଥାନ ସଂରକ୍ଷିତ ରହିଛି। ୬୭୯୩ ଗୋଟି ସମିତି ସଭ୍ୟ ମଧ୍ୟରୁ ଅନୁସୂଚିତ ଜାତି ବର୍ଗରେ ୫୧୫ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ମହିଳା ବର୍ଗରେ ୬୮୨ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ବର୍ଗରେ ୮୨୪ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳା ବର୍ଗରେ ୧୦୩୩ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୩୯୫ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୫୧୮ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୧୫୨୧ଟି ସ୍ଥାନ ରହିଥିବା ବେଳେ ମହିଳାଙ୍କ ଲାଗି ୧୩୦୫ଟି ସ୍ଥାନ ସଂରକ୍ଷିତ ରହିଛି ।

୯୧୯୧୬ଟି ୱାର୍ଡମେମ୍ବର ମଧ୍ୟରୁ ଅନୁସୂଚିତ ଜାତିଙ୍କ ଲାଗି ୬୩୩୬ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୧୦୧୩୪ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତିଙ୍କ ଲାଗି ୧୦୫୫୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୪୨୩୬ ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୮୦୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୭୨୨୭ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭୪୮ଟି ଏବଂ ମହିଳାଙ୍କ ଲାଗି ୧୭୮୭୨ ସ୍ଥାନ ସଂରକ୍ଷିତ ରହିଛି ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କେଉଁଠି ଭୋଟ ଗ୍ରହଣ ହେବ, କିଏ ବାଦ ପଡିଲା

ଭୁବନେଶ୍ୱର: ଆସନ୍ତା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ୬୭୯୪ ଗୋଟି ଗ୍ରାମ ପଞ୍ଚାୟତ ତଥା ଏଥିମଧ୍ୟରେ ଅନ୍ତର୍ଭୁକ୍ତ ୯୧୯୧୬ଟି ୱାର୍ଡ ଲାଗି ଭୋଟ ଗ୍ରହଣ ହେବ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୬୮୦୧ ଗ୍ରାମ ପଞ୍ଚାୟତ ଲାଗି ଭୋଟ ଗ୍ରହଣ ହୋଇଥିବା ବେଳେ ଆସନ୍ତା ୨୦୨୨ ନିର୍ବାଚନରେ ଏହି ସଂଖ୍ୟା ୭ଟି ହ୍ରାସ ପାଇ ୬୭୯୪ ରହିଛି ।ଏହି ନୂଆ ତାଲିକା ପ୍ରକାଶ କରଛନ୍ତି ରାଜ୍ୟ ନିର୍ବାଚନ କମିଶନର।

ଏଥିମଧ୍ୟରୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ରେ ଥିବା ଶ୍ରୀକୃଷ୍ଣପୁର,ରେମୁଣା, ଗଣିପୁର ଏବଂ ଗଣେଶ୍ୱରପୁର ଆଦି ୪ଟି ଗ୍ରାମ ପଞ୍ଚାୟତ ରେମୁଣା ଏନ୍‌.ଏ.ସିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ଗ୍ରାମ ପଞ୍ଚାୟତ ତାଲିକାରୁ ବାଦ୍‌ ଦିଆଯାଇଛି । ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଦଲକ ଗ୍ରାମପଞ୍ଚାୟତ, ଓଡ଼ଗାଁ ଏନ୍‌.ଏ.ସି.ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ନୟାଗଡ଼ ଜିଲ୍ଲାର ଏହି ୨ ଗ୍ରାମପଞ୍ଚାୟତକୁ ତାଲିକାରୁ ବାଦ୍‌ ଦିଆଯାଇଛି । ବରଗଡ଼ ଜିଲ୍ଲାର ବିଜେପୁର ଗ୍ରାମ ପଞ୍ଚାୟତ, ବିଜେପୁର ଏନ୍‌.ଏ.ସି.ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ମଧ୍ୟ ଗ୍ରାମ ପଞ୍ଚାୟତ ତାଲିକାରୁ ବାଦ୍‌ ଦିଆଯାଇଛି ।

ଆସନ୍ତା ୨୦୨୨ ନିର୍ବାଚନ ଲାଗି ୱାର୍ଡ ସଂଖ୍ୟା ମଧ୍ୟ ହ୍ରାସ ପାଇ ୯୧୯୧୬ ରହିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଂଖ୍ୟା ୯୨୦୨୭ ରହିଥିବା ବେଳେ ଏନ୍‌.ଏ.ସି, ମୁ୍ୟନିସିପାଲିଟି ଓ ମୁ୍ୟନିସିପାଲ କର୍ପୋରେସନ ପୁନର୍ଗଠନ ପାଇଁ ୧୧୧ ୱାର୍ଡ ହ୍ରାସ ପାଇଛି। ଏଥିମଧ୍ୟରେ ରେମୁଣା ଏନ୍‌.ଏ.ସିରେ ୮ଟି ଗ୍ରାମ ପଞ୍ଚାୟତର ୫୭ଟି ୱାର୍ଡ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି ୱାର୍ଡ ସବୁ ତାଲିକାରୁ ବାଦ ପଡ଼ିଛି ।

ସେହିପରି ୩୨ଟି ୱାର୍ଡ ଓଡ଼ଗାଁ ଏନ୍‌.ଏ.ସି.ରେ ଅନ୍ତର୍ଭୁକ୍ତ ହୋଇ ପଞ୍ଚାୟତ ୱାର୍ଡ ତାଲିକାରୁ ବାଦ୍‌ ପଡ଼ିଛି । ସେହିପରି ବିଜେପୁର ଏନ୍‌.ଏ.ସି.ରେ ୧୯ଟି ୱାର୍ଡ ଏବଂ ହିଞ୍ଜିଳିକାଟୁ ମୁ୍ୟନିସିପାଲିଟିରେ ୨ଟି ଅନ୍ତର୍ଭୁକ୍ତ ହୋଇ ଗ୍ରାମପଞ୍ଚାୟତ ୱାର୍ଡତାଲିକାରୁ ବାଦ୍‌ ପଡ଼ିଛି । ଭୁବନେଶ୍ୱର ବ୍ଲକ୍‌ ଅନ୍ତର୍ଗତ କଳାରାହଙ୍ଗ ଗ୍ରାମ ପଞ୍ଚାୟତର ଉଚ୍ଛେଦ ଏବଂ ନୂଆ ଇଞ୍ଜାଣ ଗ୍ରାମପଞ୍ଚାୟତ ଗଠନ ଯୋଗୁଁ ଏଠାରୁ ମଧ୍ୟ ଗୋଟିଏ ୱାର୍ଡ ହ୍ରାସ ପାଇଛି ।