ଓଡିଶାର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପାଇଁ ହେଲା ନିଷ୍ପତି, ଜାଣନ୍ତୁ କେବେ

Published: Dec 21, 2021, 12:14 pm IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ନିୟମ ଅନୁସାରେ ଏହି ନିର୍ବାଚନ ଆସନ୍ତା ଫେବୃୟାରୀରେ ହେବା ଆବଶ୍ୟକ। ଆଉ ସେଥିପାଇଁ ଜାନୁୟାରୀ ମାସଟି ପୁରା ନିର୍ବାଚନ ପାଇଁ ରହିବ। ଏହାକୁ ହିସାବ କଲେ ଆସନ୍ତା ସପ୍ତାହରେ କେବେ ନିର୍ବାଚନ ହେବ ତାହାର ତାରିଖ ଘୋଷଣା ହେବ।

କମିଶନରଙ୍କ କାର୍ଯ୍ୟଳୟର ଜଣେ ଅଧିକାରୀଙ୍କ ଅନୁସାରେ କମିଶନର ଆସନ୍ତା ସପ୍ତାହରେ ଏହି ତାରିଖ ଘୋଷଣା କରିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ସେଥିପାଇଁ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଫଳରେ ବଡଦିନ ଡିସେମ୍ବର 25 ତାରିଖ ପରେ କେତେବେଳେ ବି ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି।

ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧,୯୧୬ ୱାର୍ଡମେମ୍ବର ଓ ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ପର୍ଯ୍ୟାୟ ମଧ୍ୟରେ ଦିନେ ଦୁଇ ଦିନ ବ୍ୟବଧାନ ରହିବ। ପ୍ରତି ବ୍ଲକ୍‌କୁ ଗୋଟିଏ ୟୁନିଟ୍ ଭାବେ ଧରାଯିବ।

ପ୍ରଥମ ଥର ପାଇଁ ସମସ୍ତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ୱାର୍ଡ ପାଇଁ ଭୋଟ୍ ଗ୍ରହଣ ଗୋଟିଏ ଦିନରେ କରାଯିବ। ଏଥର ବୁଥରେ ଭୋଟ୍ ଗଣତି ନ ହୋଇ ସମ୍ପୂର୍ଣ୍ଣ ପାଞ୍ଚ ପର୍ଯ୍ୟାୟ ମତଦାନ ଶେଷ ହେଲା ପରେ ବ୍ଲକ୍ ସ୍ତରରେ ଭୋଟ୍ ଗଣତି ହେବ। ଏହା ମଧ୍ୟରେ ଭୋଟର୍ ତାଲିକା ସଂଶୋଧନ ଶେଷ ହୋଇଛି। ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିଥିବା ନାଗରିକମାନଙ୍କୁ ଭୋଟର୍ ତାଲିକାରେ ନିଆଯାଇଛି। ୨.୬୧ କୋଟିରୁ ଅଧିକ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।

ପଞ୍ଚାୟତ ତାରିଖ ଘୋଷଣା ପୂର୍ବରୁ କମିଶନରଙ୍କ ତରଫରୁ ନିର୍ବାଚନ ଆଚରଣ ବିଧି ଘୋଷଣା କରାଯାଇଛି। ଯେଉଁମାନେ ପ୍ରାର୍ଥ ହେବେ ସେମାନେ ଏହି ଆଚରଣ ବିଧି ଅନୁସାରେ କାର୍ଯ୍ୟ କରିବେ ବୋଲି ସେମାନଙ୍କ ଉଦ୍ଦେଶ୍ୟରେ ଏହା ପ୍ରଦାନ କରାଯାଇଛି। ଯେଉଁଧିନ ନିର୍ବାଚନ ତାରିଖ ଘୋଷଣା ହେବ ସେହିଦିନଠାରୁ ଏହା ଲାଗୁ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ କୁହାଯାଇଛି।

Related posts