Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବାପା ଉପରକୁ ବୋମା ମାଡ କଲା ପୁଅ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବୋମା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ବାପା ଉପରେ ପୁଅ ଏବଂ ସହଯୋଗୀ ବୋମାମାଡ କରିଛନ୍ତି। ଏ ନେଇ ଆହତ ବାପା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଭବାନୀପୁର ପଞ୍ଚାୟତ ଶାନ୍ତିନଗର ବାସିନ୍ଦା ସଠ ରାଉତରାୟ (୮୫) ଙ୍କୁ ଆଜି ବଡି ଭୋରରୁ ତାଙ୍କ ବଡ଼ ପୁତ୍ର ସୁବାସ ରାଉତରାୟ ଏବଂ ଅନ୍ୟ ସହଯୋଗୀ ମାନେ ଏକ ବୋମା ତାଙ୍କ ଉପରକୁ ଫିଙ୍ଗି ଫେରାର ହୋଇଯାଇଛନ୍ତି। ସଠ ଶୌଚ ହେବା ପାଇଁ ବଡି ଭୋରରେ ନିଜ ଘର ସାମ୍ନା କେନାଲକୁ ଯାଇଥିବା ବେଳେ ପୁର୍ବରୁ ସୁବାସ ଓ ଅନ୍ୟ ସହଯୋଗୀମାନେ ସେଠାରେ ଛପି  ରହିଥିଲେ। ଶୌଚ ପରେ ସଠ କେନାଲରୁ ବାହାରୁଥିବା ସମୟରେ ଅଭିଯୁକ୍ତ ମାନେ ସଠଙ୍କ ଉପରକୁ ଏକ ହାତ ତିଆରି ବୋମା ଫୋପାଡ଼ିଥିଲେ।  ଫଳରେ ସଠ କ୍ଷତବିକ୍ଷତ ହୋଇ ତଳେ ପଡିଯାଇଥିଲେ।

ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ଏ ନେଇ ସଠ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛି।

ତେବେ ବର୍ତ୍ତମାନ ସମସ୍ତ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହିଛି। ସଠ ଓ ତାଙ୍କ ବଡ଼ ପୁତ୍ରଙ୍କ ସହ ପୁର୍ବରୁ ଶତ୍ରୁତା ଲାଗିରହିଥିବା ବେଳେ ବଡ଼ ପୁତ୍ର ଓ ପରିବାର ଘରେ ନରହି ଅନ୍ୟତ୍ର ରହୁଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ପାରିବାରିକ କଳହ: ଭାଉଜର ଗରମ ପେଜ ଆକ୍ରମଣରେ ଦିଅର ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାଉଜ ନିଜ ଦିଅର ଉପରେ ଗରମ ପେଜ ଢାଳିବା ଦ୍ଵାରା ଦିଅର ଗୁରୁତର ଆହତ ହୋଇଛନ୍ତି। ଏନେଇ ଭେଟେଶ୍ୱର ଗ୍ରାମର କର୍ପୁର ପଲାଇ ଆଜି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଆଜି ସନ୍ଧ୍ୟାବେଳେ ତାଙ୍କ କନିଷ୍ଠ ପୁତ୍ର ଅନୁ ପଲେଇ ଘର ପାହାଚରେ ବସିଥିବା ସମୟରେ ହଠାତ ତାଙ୍କ ବଡ଼ ବୋହୁ ଗରମ ପେଜପାଣି ଅନୁଙ୍କ ଉପରେ ଢ଼ାଳିଦେଇଥିଲେ।

ଅନୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଯଥାଶୀଘ୍ର ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାପାଇଁ ଅନୁଙ୍କ ମା କର୍ପୁର ବାଣପୁର ଥାନାଧିକାରୀଙ୍କୁ ନିବେଦନ କରିଛନ୍ତି। ତେବେ ବାଣପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଦେଇଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀ ଓ ୩ଟି ପିଲାକୁ ଛାଡି ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ ଏବେ ହରଡଘଣାରେ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତେରମାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନୋଟି ସନ୍ତାନ ସନ୍ତତି ଥିବା ପ୍ରଥମ ପତ୍ନୀକୁ ମାଡ ଗାଳିଦେଇ ବିଦା କରିଦେବା ପରେ ଲମ୍ପଟ ସ୍ୱାମୀ କରିଛି ଦ୍ୱିତୀୟ ବିବାହ। ଏକଥା ପ୍ରଥମ ପତ୍ନୀ ଜାଣିବା ପରେ ଆଜି ତିର୍ତ୍ତୋଲ ଥାନାରେ ସ୍ୱାମୀଙ୍କ ନାମରେ ଦେଇଛନ୍ତି ଏତଲା।

ଅଭିଯୋଗ ଅନୁଯାୟୀ ପାଟକୁରା ତାଳସଙ୍ଗା ଗ୍ରାମର ଭାରତୀ ବେହେରା ତିର୍ତ୍ତୋଲ ଥାନା ଅଧିନସ୍ଥ ରାହାମା ତେରମାଣପୁର (କୋଟସାହି) ଗ୍ରାମର ରାଜିବ ବେହେରାଙ୍କୁ ୯ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବାପରେ ମଧ୍ୟ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ପୁନର୍ବାର ଯୌତୁକ ଦାବି କରି ବିଭିନ୍ନ ସମୟରେ ପତ୍ନୀଙ୍କ ସହିତ ମାଡପିଟ୍ କରୁଥିଲେ। ପତ୍ନୀ ନିଜର ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ ହେଲେ ପରର ମୁଲ ମଜୁରି ଲାଗି ନିଜେ କଷ୍ଟମଷ୍ଟେ ଚଳୁଥିବାରୁ ଝିଅକୁ ପୁନର୍ବାର ଯୌତୁକ ଦେବାକୁ ସେ ଅସମର୍ଥ ଥିଲେ।

ଏପରି ଅକଥନୀୟ ଶାରୀରିକ ଅତ୍ୟାଚାର ଲାଗିରହିଥିବା ବେଳେ ଦିନେ ବଡଝିଅ ସ୍କୁଲକୁ ଯାଇଥିବା ବେଳେ ଅଟୋରେ ପତ୍ନୀକୁ ନେଇ ତାର ବାପଘରେ ଛାଡିଦେବା ସହ ଏଇଥରକ ବାପଘରୁ ଟଙ୍କା ନ ଆଣିଲେ ତୋର ଝିଅକୁ ପେଟ୍ରୋଲ ପକାଇ ଜାଳି ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ସ୍ୱାମୀ। ଜୀବନ ବଞ୍ଚାଇବା ପାଇଁ ନିଜର ୨ଟି ଛୋଟ ଛୋଟ ପିଲାଙ୍କ ସହିତ ବାପଘରେ ଆଶ୍ରୟ ନେଇଥିଲା ପତ୍ନୀ। ବାପଘରେ ଅଭାବ ଅନାଟନ ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଛୋଟ ଛୋଟ ପିଲାଙ୍କ ସହିତ ରହୁଥିବା ପତ୍ନୀ ନିଜର ଲମ୍ପଟ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଜାଣିବା ପରେ ଆଜି ସେ ନିଜ ସ୍ୱାମୀଙ୍କ ନାମରେ ତିର୍ତ୍ତୋଲ ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଛନ୍ତି।