ପତ୍ନୀ ଓ ୩ଟି ପିଲାକୁ ଛାଡି ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ ଏବେ ହରଡଘଣାରେ

Published: Sep 25, 2020, 7:32 pm IST

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତେରମାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନୋଟି ସନ୍ତାନ ସନ୍ତତି ଥିବା ପ୍ରଥମ ପତ୍ନୀକୁ ମାଡ ଗାଳିଦେଇ ବିଦା କରିଦେବା ପରେ ଲମ୍ପଟ ସ୍ୱାମୀ କରିଛି ଦ୍ୱିତୀୟ ବିବାହ। ଏକଥା ପ୍ରଥମ ପତ୍ନୀ ଜାଣିବା ପରେ ଆଜି ତିର୍ତ୍ତୋଲ ଥାନାରେ ସ୍ୱାମୀଙ୍କ ନାମରେ ଦେଇଛନ୍ତି ଏତଲା।

ଅଭିଯୋଗ ଅନୁଯାୟୀ ପାଟକୁରା ତାଳସଙ୍ଗା ଗ୍ରାମର ଭାରତୀ ବେହେରା ତିର୍ତ୍ତୋଲ ଥାନା ଅଧିନସ୍ଥ ରାହାମା ତେରମାଣପୁର (କୋଟସାହି) ଗ୍ରାମର ରାଜିବ ବେହେରାଙ୍କୁ ୯ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବାପରେ ମଧ୍ୟ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ପୁନର୍ବାର ଯୌତୁକ ଦାବି କରି ବିଭିନ୍ନ ସମୟରେ ପତ୍ନୀଙ୍କ ସହିତ ମାଡପିଟ୍ କରୁଥିଲେ। ପତ୍ନୀ ନିଜର ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ ହେଲେ ପରର ମୁଲ ମଜୁରି ଲାଗି ନିଜେ କଷ୍ଟମଷ୍ଟେ ଚଳୁଥିବାରୁ ଝିଅକୁ ପୁନର୍ବାର ଯୌତୁକ ଦେବାକୁ ସେ ଅସମର୍ଥ ଥିଲେ।

ଏପରି ଅକଥନୀୟ ଶାରୀରିକ ଅତ୍ୟାଚାର ଲାଗିରହିଥିବା ବେଳେ ଦିନେ ବଡଝିଅ ସ୍କୁଲକୁ ଯାଇଥିବା ବେଳେ ଅଟୋରେ ପତ୍ନୀକୁ ନେଇ ତାର ବାପଘରେ ଛାଡିଦେବା ସହ ଏଇଥରକ ବାପଘରୁ ଟଙ୍କା ନ ଆଣିଲେ ତୋର ଝିଅକୁ ପେଟ୍ରୋଲ ପକାଇ ଜାଳି ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ସ୍ୱାମୀ। ଜୀବନ ବଞ୍ଚାଇବା ପାଇଁ ନିଜର ୨ଟି ଛୋଟ ଛୋଟ ପିଲାଙ୍କ ସହିତ ବାପଘରେ ଆଶ୍ରୟ ନେଇଥିଲା ପତ୍ନୀ। ବାପଘରେ ଅଭାବ ଅନାଟନ ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଛୋଟ ଛୋଟ ପିଲାଙ୍କ ସହିତ ରହୁଥିବା ପତ୍ନୀ ନିଜର ଲମ୍ପଟ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଜାଣିବା ପରେ ଆଜି ସେ ନିଜ ସ୍ୱାମୀଙ୍କ ନାମରେ ତିର୍ତ୍ତୋଲ ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

Related posts