Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭାଇବୋହୁ ଆକ୍ରମଣରେ ଦେଢଶୁରର ଫାଟିଲା ମୁଣ୍ଡ: ଅଭିଯୋଗର ୩ଦିନ ପରେ ମଧ୍ୟ ଖୋଲା ବୁଲୁଛନ୍ତି ଅଭିଯୁକ୍ତ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ସ୍ଥିତ ମଣିଜଙ୍ଗା ଗ୍ରାମରେ ଭାଇବୋହୁର ଆକ୍ରମଣରେ ଦେଢଶୁରର ମୁଣ୍ଡ ଫାଟିବା ଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ଅନୁଯାୟୀ ମଣିଜଙ୍ଗା ଗ୍ରାମର ଶୁଶାନ୍ତ ଦାସଙ୍କ ସହିତ ନିଜ ସ୍ତ୍ରୀ ଓ ପୁଅ ଝଗଡ଼ା କରୁଥିବା ଖବର ପାଇ ଶୁଶାନ୍ତଙ୍କ ବଡଭାଇ ରବିନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ। ଏଥିରେ ଉତ୍ତେଜିତ ହୋଇ ଭାଇବୋହୁ ନିରୁପମା ଦାସ ଓ ପୁତୁରା ଶଶିକାନ୍ତ ହଠାତ୍ ଏକ କାଠଫାଳିଆ ଆଣି ରବିନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରବିନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଯଥାଶୀଘ୍ର ତାଙ୍କୁ ଚିକିତ୍ସା ନିମନ୍ତେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଏନେଇ ବୁଧବାର ଦିନ ରବିନ୍ଦ୍ର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ।

ଥାନାରେ ଅଭିଯୋଗ ହେବାର ତିନିଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ଅପରପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଣଦୁଷ୍କର୍ମ ଓ ଚୋରି ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ମଣିଜଙ୍ଗା-ଏରସମା ରାସ୍ତା ଅବରୋଧ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସି°ହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ବୋଧେଇ ପଞ୍ଚାୟତ ଜୋକେଇ ଗ୍ରାମରେ ଗତ ୧୬ ତାରିଖ ରାତିରେ ହୋଇଥିବା ଗଣଦୁଷ୍କର୍ମ ଓ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।‌ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଓ ଅଭିଯୁକ୍ତଙ୍କ‌ ଗିରଫ ଦାବୀରେ ଶନିବାର ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଏମାନେ ମଣିଜଙ୍ଗା-ଏରସମା ରାସ୍ତାର ପୁରୀଜେନା ଛକ ଠାରେ ରାସ୍ତା ଅବରୋଧ ସହ ପ୍ରତିବାଦ କରିଥିଲେ। ସକାଳ ୯ଟା ଠାରୁ ଦିର୍ଘ ୫ଘଣ୍ଟା ଧରି ଶତାଧିକ ମହିଳା ରାସ୍ତା ଉପରେ ବସି ରହିବା ସହ ଘଟଣାରେ ପୋଲିସର ନିସ୍କ୍ରିୟତା ବିରୋଧରେ ସ୍ଳୋଗନ ସହ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଥିଲେ। ତିର୍ତ୍ତୋଲ ଆଇଆଇସି ଭାବଗ୍ରାହୀ ରାଉତଙ୍କ ସହ ଅନ୍ୟ ପୋଲିସ ଦିର୍ଘ ୪ଘଣ୍ଟା ପରେ ଘଟଣା ସ୍ଥଳରେ‌ ପହଞ୍ଚି ମହିଳା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଜିଲ୍ଲାପାଳ କିମ୍ବା ଏସପି ନଆସିଲେ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି ରୋକଠୋକ ପୋଲିସ ଆଗରେ କହିଥିଲେ।

ପରେ ତିର୍ତ୍ତୋଲ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ଦିପକ ରଞ୍ଜନ ଜେନା ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ଏଥିପାଇଁ ଦିର୍ଘ ୫ଘଣ୍ଟା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିବା ଫଳରେ ଲୋକମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ।

ଏଥିରେ ମହିଳା ନେତ୍ରୀ ସ°ଘମିତ୍ରା ଦାସଙ୍କ ସହ ପିଡିତା, ପିଡିତାଙ୍କ ନଣନ୍ଦ ମମତା ସାହୁ (ଅଭିଯୁକ୍ତଙ୍କ ଆକ୍ରମଣରେ ଆହତ), ସରପଞ୍ଚ ସନ୍ତୋଷ ସେଠୀ, ପୂର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଅନିଲ କାନୁନଗୋ, ସମିର ବିଶ୍ବାଳ, ରମାକାନ୍ତ ମଲ୍ଲିକ, କେଦାର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାରିଦେବାକୁ ଧମକ ପରେ ନଳକୂପରେ ବିଷାକ୍ତ ପଦାର୍ଥ ମିଶାଇଥିବା ଅଭିଯୋଗ: ପାଣି ପିଇ ଦୁଇ ଅସୁସ୍ଥ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡତିରା ପଞ୍ଚାୟତ ସ୍ଥିତ ଅରଡା ଗ୍ରାମର ଏକ ପରିବାରକୁ ଜୀବନରୁ ମାରିଦେବାକୁ ତାଙ୍କର ପଡୋଶୀ ଧମକ ଦେଇଥିଲେ। ହେଲେ ସେହି ପଡୋଶୀ ଟିୱେଲ୍ ପାଣିରେ କିଛି ପଦାର୍ଥ ମିଶାଇଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି।

ଉକ୍ତ ଗ୍ରାମର ଶେତକାନ୍ତ ପତିଙ୍କ ପରିବାରକୁ ତାଙ୍କର ପଡୋଶୀ ଜୀବନରୁ ମାରି ଦେବାକୁ ଧମକ ଦେବାର ଦିନକ ପରେ ଶେତକାନ୍ତଙ୍କ ପାଣି ଟିୱେଲରେ ଏମିତି କିଛି ପଦାର୍ଥ ମିଶା ଯାଇଥିଲା। ଯାହାକି ଟିୱେଲର ପାଣି ପିତା ଓ ଲୁଣିଆ ଲାଗୁଥିବା ବେଳେ ଏହି ପାଣିକୁ ବ୍ୟବହାର କରି ପରିବାରର ଦୁଇଜଣ ସଦସ୍ୟ ଅସୁସ୍ଥ ହୋଇପଡିଛନ୍ତି।

ସୂଚନାନୁଯାୟୀ ଯାଗାବାଡିକୁ ନେଇ ଦିର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ଶତୃତା ଲାଗି ରହିଥିବାରୁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଶୁଣିବାକୁ ମିଳୁଛି। ଉକ୍ତ ଘଟଣା ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ତିର୍ତ୍ତୋଲ ପୋଲିସ୍। ଏହି ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୃଦ୍ଧାଙ୍କ ଜମି ବିକ୍ରି କରାଇ ଟଙ୍କା ହଡପ ପାଇଁ ଚକ୍ରାନ୍ତ: ପ୍ରତିବାଦ କରିବାରୁ ବନ୍ଧୁକ ଦେଖାଇ ବୋହୂକୁ ଆକ୍ରମଣ

ରମେଶ ମହାନ୍ତି

ଜଗତସିଂହପୁର: ବୃଦ୍ଧାଙ୍କୁ କରାୟତ କରି ଜମିବିକ୍ରି କରାଇ ଅର୍ଥ ହଡ଼ପ କରିବାକୁ ଯୋଜନା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ବୃଦ୍ଧାଙ୍କ ବୋହୂ ତାଙ୍କ କବଳରୁ ଶାଶୂଙ୍କୁ ଘରକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବୋହୂକୁ ବନ୍ଧୁକ ଦେଖାଇ ଆକ୍ରମଣ କରାଯାଇଥିବା ନେଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୋହୂ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଏଭଳି ଏକ ଘଟଣା ତିର୍ତ୍ତୋଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ ତେରତାଙ୍ଗ ଗ୍ରାମର ରୋଜାଲିନ ବେହେରାଙ୍କ ଶାଶୂ କେଲୁଣି ବେହେରାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ସେ ରୋଜାଲିନ ବେହେରାଙ୍କ ସ୍ୱାମିଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ଏନେଇ ଏକ ଦଲିଲ୍ ମଧ୍ୟ କରାଯାଇଥିଲା। ଶଶୂରଙ୍କ ମୃତ୍ୟୁ ପରେ ଶାଶୂ ପୁଅ ବୋହୂଙ୍କ ପାଖରେ ରହି ଆସୁଥିଲେ। ପରେ ଖଣ୍ଡାସାହି ଗ୍ରାମର ମହେଶ୍ୱର ସାହୁ ନାମକ ବ୍ୟକ୍ତି ରୋଜାଲିନିଙ୍କ ଶାଶୂକୁ କରାୟତ କରିନେଇ ନିଜ ପାଖରେ ଖଣ୍ଡାସାହି ଗ୍ରାମରେ ରଖିଥିଲେ। ନିଜ ଘରକୁ ଶାଶୁକୁ ଆଣିବା ପାଇଁ ରୋଜାଲିନି ଓ ତାଙ୍କର ସ୍ୱାମୀ ବହୁଥର ଚେଷ୍ଟା କରିଥିଲେ ମଧ୍ୟ ମହେଶ୍ୱର ସାହୁଙ୍କ ବିରୋଧ ଯୋଗୁଁ ସେ ନିରାଶ ହୋଇ ଫେରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଖଣ୍ଡାସାହି ଗ୍ରାମର ମହେଶ୍ୱର ସାହୁ କିଛିଦିନ ପୂର୍ବେ ତାଙ୍କ ଶାଶୁଙ୍କୁ କରାୟତ କରି କିଛି ଜମି ବିକ୍ରି କରାଇ ଅର୍ଥ ହଡ଼ପ କରିବାକୁ ଚକ୍ରାନ୍ତ କରୁଥିବା ଖବର ବୋହୂ ରୋଜାଲିନି ଓ ତାଙ୍କର ସ୍ୱାମୀ ମଣିଜଙ୍ଗା ସବରେଜିଷ୍ଟାର ଅଫିସରୁ ଜାଣିବାକୁ ପାଇଥିଲେ।ତାଙ୍କ କବଳରୁ ଉଦ୍ଧାର କରି ଶାଶୂଙ୍କୁ ନିଜ ଘରକୁ ଆଣିବାକୁ ଗତ ୯ତାରିଖ ଦିନ ରୋଜାଲିନି ତାଙ୍କ ପାଖରେ ପହଞ୍ଚିବା କ୍ଷଣି ମହେଶ୍ୱର ସାହୁଙ୍କ ସହ ତାଙ୍କ ପୁଅ ଓ ନାତି ମିଶି ତାଙ୍କୁ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ବୋଲି ରୋଜାଲିନି ଅଭିଯୋଗ କରିଛନ୍ତି।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଜାଲିନି ତିର୍ତ୍ତୋଲ ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ। ଗତ ୯ତାରିଖରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରୋଜାଲିନି ନ୍ୟାୟ ପାଇପାରିଲେ ନାହିଁ ବୋଲି ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି। ଅପରପକ୍ଷରେ ରୋଜାଲିନିଙ୍କ ନାମରେ ମଧ୍ୟ ଏକ ମାମଲା ତିର୍ତ୍ତୋଲ ଥାନାରେ ରୁଜୁ ହୋଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀ ଓ ୩ଟି ପିଲାକୁ ଛାଡି ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ ଏବେ ହରଡଘଣାରେ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତେରମାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନୋଟି ସନ୍ତାନ ସନ୍ତତି ଥିବା ପ୍ରଥମ ପତ୍ନୀକୁ ମାଡ ଗାଳିଦେଇ ବିଦା କରିଦେବା ପରେ ଲମ୍ପଟ ସ୍ୱାମୀ କରିଛି ଦ୍ୱିତୀୟ ବିବାହ। ଏକଥା ପ୍ରଥମ ପତ୍ନୀ ଜାଣିବା ପରେ ଆଜି ତିର୍ତ୍ତୋଲ ଥାନାରେ ସ୍ୱାମୀଙ୍କ ନାମରେ ଦେଇଛନ୍ତି ଏତଲା।

ଅଭିଯୋଗ ଅନୁଯାୟୀ ପାଟକୁରା ତାଳସଙ୍ଗା ଗ୍ରାମର ଭାରତୀ ବେହେରା ତିର୍ତ୍ତୋଲ ଥାନା ଅଧିନସ୍ଥ ରାହାମା ତେରମାଣପୁର (କୋଟସାହି) ଗ୍ରାମର ରାଜିବ ବେହେରାଙ୍କୁ ୯ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବାପରେ ମଧ୍ୟ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ପୁନର୍ବାର ଯୌତୁକ ଦାବି କରି ବିଭିନ୍ନ ସମୟରେ ପତ୍ନୀଙ୍କ ସହିତ ମାଡପିଟ୍ କରୁଥିଲେ। ପତ୍ନୀ ନିଜର ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ ହେଲେ ପରର ମୁଲ ମଜୁରି ଲାଗି ନିଜେ କଷ୍ଟମଷ୍ଟେ ଚଳୁଥିବାରୁ ଝିଅକୁ ପୁନର୍ବାର ଯୌତୁକ ଦେବାକୁ ସେ ଅସମର୍ଥ ଥିଲେ।

ଏପରି ଅକଥନୀୟ ଶାରୀରିକ ଅତ୍ୟାଚାର ଲାଗିରହିଥିବା ବେଳେ ଦିନେ ବଡଝିଅ ସ୍କୁଲକୁ ଯାଇଥିବା ବେଳେ ଅଟୋରେ ପତ୍ନୀକୁ ନେଇ ତାର ବାପଘରେ ଛାଡିଦେବା ସହ ଏଇଥରକ ବାପଘରୁ ଟଙ୍କା ନ ଆଣିଲେ ତୋର ଝିଅକୁ ପେଟ୍ରୋଲ ପକାଇ ଜାଳି ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ସ୍ୱାମୀ। ଜୀବନ ବଞ୍ଚାଇବା ପାଇଁ ନିଜର ୨ଟି ଛୋଟ ଛୋଟ ପିଲାଙ୍କ ସହିତ ବାପଘରେ ଆଶ୍ରୟ ନେଇଥିଲା ପତ୍ନୀ। ବାପଘରେ ଅଭାବ ଅନାଟନ ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଛୋଟ ଛୋଟ ପିଲାଙ୍କ ସହିତ ରହୁଥିବା ପତ୍ନୀ ନିଜର ଲମ୍ପଟ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଜାଣିବା ପରେ ଆଜି ସେ ନିଜ ସ୍ୱାମୀଙ୍କ ନାମରେ ତିର୍ତ୍ତୋଲ ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ତିର୍ତ୍ତୋଲ ଥାନାରୁ ପୁଣି ଜଣେ ପଜିଟିଭ୍: ଜଗତସିଂହପୁର ଜିଲ୍ଲାରୁ ଆଜି ୬୭ ପଜିଟିଭ୍ ଚିହ୍ନଟ, ୭୮ ସୁସ୍ଥ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ବିରିଡ଼ି ବ୍ଲକରୁ ୧୪ଜଣ, ବାଲିକୁଦା ବ୍ଲକରୁ ୭ଜଣ, ଜଗତସିଂହପୁର ବ୍ଲକରୁ ୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ, କୁଜଙ୍ଗ ବ୍ଲକରୁ ୮ଜଣ, ନାଉଗାଁ ବ୍ଲକରୁ ୩ଜଣ, ତିର୍ତ୍ତୋଲ ବ୍ଲକରୁ ୧୭ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୨୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।